• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାତି ଅଧରେ ଘରେ ପଶି ଲୁଟିନେଲେ ୨ କୋଟି ନଗଦ ଟଙ୍କା । ଅକ୍ଷୟ କୁମାରଙ୍କ ବହୁଚର୍ଚ୍ଚିତ ଫିଲ୍ମ SPECIAL-26 ଭଳି ଏଠି ବି ଅପରାଧି ନିଜକୁ ଦେଇଥିଲେ ସିବିଆଇ ଅଧିକାରୀଙ୍କ ପରିଚୟ । ରାଜଧାନୀ ଭୁବନେଶ୍ୱରର ନନ୍ଦନବିହାରରେ ଘଟିଥିବା ଏହି ଚର୍ଚ୍ଚିତ ଲୁଟ୍ ଘଟଣାର ଗୁମର ଖୋଲି ଦେଇଛି ଅପରାଧୀ ଛାଡ଼ି ଯାଇଥିବା ଏକ ବ୍ୟାଗ୍ । ଫଳରେ ୫ଜଣ ଅପରାଧୀ ଧରାପଡ଼ିବା ସହ ସେମାନଙ୍କଠାରୁ ଜବତ ହୋଇଛି ୧ କୋଟି ୨ ଲକ୍ଷ ଟଙ୍କା ଓ କିଛି ସୁନା ଗହଣା ।

ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଯେଉଁମାନେ ଗନ୍ ପଏଣ୍ଟରେ ଲୁଟିଥିଲେ ପ୍ରାୟ ୨ କୋଟି ଟଙ୍କା । ଅକ୍ଷୟ କୁମାରଙ୍କ ଫିଲ୍ମ SPECIAL-26 ଭଳି ଅବିକଳ ଘଟଣା ଘଟିଛି ଭୁବନେଶ୍ୱରରେ । ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତିରେ ନନ୍ଦନ ବିହାରର ନିବାରଣ ପାଣିଙ୍କ ଘରେ ପଶିଥିଲେ ଭଦ୍ରଲୋକ ଭଳି ଦେଖା ଯାଉଥିବା ୫ ଜଣ ବ୍ୟକ୍ତି । ଘରେ ପଶିବା ପରେ କହିଥିଲେ ସେମାନେ ସିବିଆଇ ଅଧିକାରୀ ।

ପରେ ନିବାରଣ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଆରମ୍ଭ କରିଥିଲେ ପୁରା ଘରର ତଲାସୀ । ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ଡରାଉଥିଲା, ଅନ୍ୟ ମାନେ ଘରେ ଥିବା ୨ କୋଟିର କ୍ୟାସକୁ ଏକାଠି କରିଥିଲେ । ସୁନା ଅଳଙ୍କାରକୁ ବି ଛାଡ଼ି ନଥିଲେ । ଆଉ ବାହାରେ ପଇଁନ୍ତରା ମାରୁଥିଲେ ଅନ୍ୟ ୪ ଜଣ । ଲୁଟ୍ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍ ।

ବେଶ୍ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ । ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ, ଯେଉଁଥିରେ ଥିଲା ଏକ ପୁରୁଣା ସିମ୍ । ଆଉ ଏହାର ଲିଙ୍କ୍ ଖୋଜୁ ଖୋଜୁ ଖୋଲି ଯାଇଥିଲା ସବୁ ଗୁମର । ଲୁଟର ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲର ଥିଲା ଏହି ସିମ୍ । ସମ୍ବଲପୁର ରେଙ୍ଗାଲୀରେ ବସି ଫୁଲ୍ ପ୍ରୁଫ୍ ଯୋଜନା କରିଥିଲା ବାଦଲ । ସେ ଅନ୍ୟ ୯ ଜଣଙ୍କୁ ଏଥିରେ ସାମିଲ କରିଥିଲା ।

ନିବାରଣ କେଉଁଠୁ ଟଙ୍କା ଆଣିଥିଲେ ସେ ଖବର ବି ଏମାନଙ୍କ ପାଖରେ ଥିଲା । ହେଲେ ଏଠି ପ୍ରଶ୍ନ ଉଠୁଛି, ନିବାରଣଙ୍କ ପାଖରେ ଏତେ ଟଙ୍କା ନଗଦ ଆସିଲା କେଉଁଠୁ ? ଟଙ୍କା ସମ୍ପର୍କରେ ମୁଖ୍ୟ ଅଭିଯୁକ୍ତ ବାଦଲ ଜାଣିଲା କେମିତି ? ତାକୁ ଖୋଜିବା ଏବେ ପୋଲିସ୍ ପାଇଁ ବଡ଼ ଟାସ୍କ । ଲୁଟ୍ ହୋଇଥିବା ୨ କୋଟିରୁ ଏବେ ବି ଆହୁରି କୋଟିଏ ଟଙ୍କା ମିଳିନି । ଫେରାର ଥିବା ୪ ଅପରାଧୀଙ୍କ ପାଖରେ ଏହା ଥିବା ଅନୁମାନ କରି ତଦନ୍ତ ଚଲାଇଛି ପୋଲିସ ।

  • Reported by:
  • ARACHANA SATPATHY , ATULYA BOUT