/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744903014.jpg)
‘ଟିମ୍ ନବୀନ’ ସସ୍ପେନ୍ସ
ନବୀନଙ୍କୁ ଛାମୁଆ ସଂଗଠନ ଚିନ୍ତା । କାହାକୁ ଭରସା କରିବେ, କାହା ପତ୍ତା କାଟିବେ ? ପ୍ରତ୍ୟାଖିତ ପୁରୁଖାଙ୍କୁ ପୁଣି ଦାୟିତ୍ବ ଦେବେ, ନା ଯୁବଙ୍କ ଉପରେ ଭରସା କରିବେ ? ବିଜେଡିରେ ସାଙ୍ଗଠନିକ ନିର୍ବାଚନ ଚାଲିଥିବା ବେଳେ ଦଳରେ ଏବେ ଛାମୁଆ ସଂଗଠନକୁ ନେଇ ଲବି ଜୋର୍ ଧରିଲାଣି। ଏସବୁ ଭିତରେ ରାଜ୍ୟ କମିଟିରେ କିଛି ନୂଆ ପଦବୀ ସୃଷ୍ଟି ନେଇ ବି ଚର୍ଚ୍ଚା ହେଉଛି। ଏସବୁ ଭିତରେ ଆଜି ନିଜେ ନବୀନ ନବମ ଥର ଲାଗି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ।
ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସଂଗଠନ ରଖିବାକୁ ଆସିପାରେ ଢାଞ୍ଚା ଗତ ପରିବର୍ତ୍ତନ । ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ । ତା ସାଙ୍ଗକୁ ଛାମୁଆ ସଂଗଠନ ଦାୟିତ୍ବ ବି ବାଣ୍ଟିବେ । ତେବେ ଏଥର ଦଳ ବିରୋଧୀ ସିଟ୍ରେ ବସିଥିବାରୁ ଅସନ୍ତୁଷ୍ଟଙ୍କୁ ଥଇଥାନ ନବୀନଙ୍କ ପାଇଁ ସେତେଟା ସହଜ ହେବ ନାହିଁ । ଆଜି ନିଜେ ନବୀନ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଆସନ୍ତା ୧୯ ତାରିଖରେ ନବୀନ ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେବେ । ଏହାପରେ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ । ଏହାପରେ ପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଭଳି ଛାମୁଆ ସଂଗଠନ କମିଟି ଗଠନ କରାଯିବ। ତେବେ ଆଶାୟୀଙ୍କ ନଜର ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଉପରେ। ଯୁବ ନେତାଙ୍କ ସଂଖ୍ୟା ଦଳରେ ଅଧିକ ଥିବାରୁ ନୂଆ ଟିମ୍ରେ ପୁରୁଖାଙ୍କ ତୁଳନାରେ ଯୁବକଙ୍କୁ ଅଧିକ ଗୁରୁତ୍ୱ ମିଳିବା ଉଚିତ୍ ବୋଲି ଦାବି ଉଠିଲାଣି। ସେପଟେ ପରାଜିତ ଅଭିଜ୍ଞ ନେତା ବି ପାୱାର ପାଇଁ ଆଖେଇଛନ୍ତି ।
ସାଙ୍ଗଠନିକ ନିର୍ବାଚନ ବିବାଦ ଯୋଗୁଁ ଏଯାଏ ୧୫ ଜିଲ୍ଲାରେ ସଭାପତି ନିର୍ବାଚନ ହୋଇପାରିନି । ସେପଟେ ଦଳର ବରିଷ୍ଠ ଓ ଯୁବ ନେତାଙ୍କ ନେତୃତ୍ବ ହାଇଜାକ୍ ମେଳି ଦଳପତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ୨୪ ନିର୍ବାଚନରେ ବିପର୍ଯ୍ୟୟ ପରେ ପାଣ୍ଡିଆନ୍ ଥିଓରିକୁ ଏକ ପ୍ରକାର ବିରୋଧ ଆରମ୍ଭ କରିଦେଇଛନ୍ତି ବହୁ ନେତା । କିନ୍ତୁ ନବୀନ ବାରମ୍ବାର ପାଣ୍ଡିଆନଙ୍କୁ କ୍ଳିନ୍ ଚିଟ୍ ଦେଉଥିବାରୁ ଦଳରେ ଫାଟ ଜଳ ଜଳ ଦିଶିଲାଣି ।
ସେପଟେ ୱକ୍ଫ ବିବାଦ ପାଇଁ ସସ୍ମିତ ପାତ୍ର, ମୁନା ଖାଁ ଓ ସୁଲତା ଦେଓଙ୍କୁ ନେଇ ହରଡ଼ ଘଣା ପରିସ୍ଥିତି । ଏ ସବୁ ଦୃଷ୍ଟିରୁ ସବୁ ପୁରୁଣା ଫର୍ମୁଲାକୁ ଛାଡି କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ । ସୂଚନା ଅନୁଯାୟୀ ସଂଗଠନ ସଂପାଦକ ପଦବୀ ଉଚ୍ଛେଦ କରି, ପୂର୍ବ ପରି ମହାସଚିବ ପଦବି ସୃଷ୍ଟି କରାଯାଇପାରେ । ଅନ୍ୟପଟେ ପଲିଟିକାଲ୍ ଆଫାଏର୍ସ ବା ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ମଧ୍ୟ ଗଠନ କରାଯିବାର ସମ୍ଭାବନା ରହିଛି । ଦେବୀ, ବବି, ସଞ୍ଜୟ, ଅତନୁ, ଅରୁଣଙ୍କୁ ଭାଗ କରି ଜିଲ୍ଲା ଦାୟିତ୍ବ ଦିଆଯାଇପାରେ । ରାଜା ସ୍ବାଇଁ, ଅଶୋକ ପଣ୍ଡା, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ବରିଷ୍ଠଙ୍କ ସମେତ ମେଳି କରୁଥିବା ଯୁବ ନେତାଙ୍କୁ ଦାୟିତ୍ବ ବଦଳରେ ସ୍କାନରରେ ରଖି ପାରନ୍ତି ନବୀନ । ହୁଏତ ଶୃଙ୍ଖଳା କମିଟି ଜରିଆରେ ଅମାନିଆଙ୍କୁ ନାଲି ଆଖି ଦେଖାଇ ପାରନ୍ତି । ଅନ୍ୟପକ୍ଷରେ କାର୍ଯ୍ୟକାରୀ ସଭାପତି କାହାକୁ ରଖିବେ ନା ନାହିଁ ତାକୁ ନେଇ ଏଯାଏ ସ୍ପଷ୍ଟତା ଆସିନାହିଁ ।
ନବୀନ ସରକାରରେ ବାବୁଙ୍କ ଦୌରାତ୍ମ୍ୟ ବଢିଥିଲା । ଆଉ ପାଣ୍ଡିଆନ୍ ଆସିବା ପରେ ନେତା ଗୌଣ ହୋଇଯାଇଥିଲେ । ଯେଉଁଥିପାଇଁ ବର୍ତ୍ତମାନ ନାଲି ଆଖିକୁ କେହି ଯେମିତି ଭୟ କରୁନାହାନ୍ତି । ତୃତୀୟ ପିଢି ନେତା ସୃଷ୍ଟି କରିବାରେ ବିଫଳ ହୋଇଥିବା ବିଜେଡି ଏବେ ସଂଗଠନ ପାଇଁ ନେତା ଖୋଜି ନୟାନ୍ତ ହେଉଥିବା ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)