• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ଡେଙ୍ଗୁ ବେକାବୁ ହେବାପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ଲାଗି ଆଜିଠୁ ଖୋଲିଲା ସ୍ୱତନ୍ତ୍ର କାଉଣ୍ଟର । ଆସନ୍ତାକାଲିଠୁ ରାଜଧାନୀର ଆଉ ଦୁଇଟି ସ୍ଥାନରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । ଏପଟେ ରାଜ୍ୟରେ ଏ ବର୍ଷ ଡେଙ୍ଗୁ ପଜିଟିଭ ସଂଖ୍ୟା ୩ ହଜାର ମୁହାଁ ହୋଇଛି । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ପ୍ଲାଟୋ ଷ୍ଟେଜରେ ରହିଛି ଡେଙ୍ଗୁ ।

ଡେଙ୍ଗୁ ସ୍ଥିତି ଅଣାୟତ୍ତ ଆଉ ରକ୍ତ ନମୁନା ପରୀକ୍ଷା ପାଇଁ ରୋଗୀ ଦହଗଞ୍ଜ ହେବାପରେ ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର । ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ ନମୁନା ସଂଗ୍ରହ କରାଯିବ ।

ଖାଲି ସେତିକି ନୁହେଁ, କ୍ୟାପିଟାଲ ହସ୍ପିଟାଲରେ ଗହଳି କମାଇବା ପାଇଁ ସୋମବାରଠୁ ପଟିଆ ସିଏଚ୍ସି ଓ ଆଇଆରସି ଭିଲେଜ UPHCରେ ଖୋଲିବ ଡେଙ୍ଗୁ ଟେଷ୍ଟିଂ ଲ୍ୟାବ୍ । ଏଥିପାଇଁ ଇନଷ୍ଟଲ ହୋଇସାରିଛି ମେସିନ୍ । ସେପଟେ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡା ଓ ବାହାରେ ରୋଗୀ ଗଡ଼ିବା ପରେ ରାଜଧାନୀର ୪ ସିଏଚ୍ସିରେ ଖୋଲିଛି ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ।

ଅଗଷ୍ଟ ୨୫ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ୯୪୩ରେ ପହଞ୍ଚିଛି । ସେଥିରୁ ସର୍ବାଧିକ ୧ ହଜାର ୩୬୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହାପଛକୁ ପୁରୀରୁ ୩୦୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୭୬, କଟକରୁ ୨୦୮, ଜଗତସିଂହପୁରରୁ ୧୬୯ ଓ ନୟାଗଡ଼ରୁ ଚିହ୍ନଟ ହେଲେଣି ୧୦୩ ଡେଙ୍ଗୁ ରୋଗୀ ।

ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତି ଏବେ ପ୍ଲାଟୋ ସ୍ଥିତିରେ ରହିଛି । ରାଜ୍ୟରେ ଟେଷ୍ଟିଂ ଦୁଇଗୁଣା ଥିବାରୁ ପୂର୍ବବର୍ଷ ତୁଳନାରେ ଅଧିକ ପଜିଟିଭ ବାହାରିଛନ୍ତି । ହେଲେ ଗତବର୍ଷ ଟେଷ୍ଟ ପଜିଟିଭିଟି ହାର ୯ ଥିଲାବେଳେ ଏବର୍ଷ ମାତ୍ର ୬ ରହିଛି । ଏମିତିକି ଡେଙ୍ଗୁରେ ଗୁରୁତର ହେଉଥିବା ରୋଗୀଙ୍କ ସଂଖ୍ୟା ଅତିବେଶିରେ ୫ ପ୍ରତିଶତ । ଏବେ ଅପେକ୍ଷା, ସ୍ୱାସ୍ଥ୍ୟ ବିଭାଗର ପ୍ରତିଷେଧକ ବ୍ୟବସ୍ଥା ପରେ ପ୍ଲାଟୋ ଷ୍ଟେଜରେ ଥିବା ଡେଙ୍ଗୁ ଭୂତାଣୁ ଆଗକୁ ନିମ୍ନମୂଖୀ ହେଉଛି ନା ପୁଣି ଉଗ୍ର ରୂପ ନେଉଛି ।

  • Reported by:
  • MADHUSUDAN MISHRA , KAPILENDRA PRADHAN