Advertisment

rusikulya Rivers Drying in Odisha: ଶୁଷ୍କ ହେଉଛି ଋଷିକୂଲ୍ୟା, ସୃଷ୍ଟି ହେଇଛି ମରୁଭୂମିର ଭ୍ରମ

ଜଳସ୍ରୋତ କମିବା ସହ କିଛି ସ୍ଥାନରେ ମରୁଭୂମି ଭଳି ଦେଖାଯାଉଥିବା ବେଳେ, ଆଗକୁ ଗ୍ରୀଷ୍ମ ଆସୁଥିବାରୁ ବଡ଼ ଜଳକଷ୍ଟ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ବର୍ଷାଭାବ, ନଦୀବନ୍ଧ ଓ ବେଆଇନ ବାଲି ଉଠାଣକୁ ଦାୟୀ କରିଛନ୍ତି ପରିବେଶବିତ୍ ।

author-image
Saroj Kumar Jena
rusikulya

rusikulya

ଜୀବନ ହରାଇବ କି ଗଞ୍ଜାମ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଋଷିକୂଲ୍ୟା ନଦୀ? ଜଳସ୍ରୋତ କମିବା ସହ କିଛି ସ୍ଥାନରେ ମରୁଭୂମି ଭଳି ଦେଖାଯାଉଥିବା ବେଳେ, ଆଗକୁ ଗ୍ରୀଷ୍ମ ଆସୁଥିବାରୁ ବଡ଼ ଜଳକଷ୍ଟ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ବର୍ଷାଭାବ, ନଦୀବନ୍ଧ ଓ ବେଆଇନ ବାଲି ଉଠାଣକୁ ଦାୟୀ କରିଛନ୍ତି ପରିବେଶବିତ୍ । ଅନ୍ୟପକ୍ଷରେ ନଦୀ ଉପରମୁଣ୍ଡରେ ପିପଳପଙ୍କା ଡ୍ୟାମ୍ ନିର୍ମାଣ ହେଲେ ନଦୀ ସମ୍ପୂର୍ଣ୍ଣ ଭାବେ ସତ୍ତା ହରାଇବ ବୋଲି ଅଭିଯୋଗ କରିଛି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।

Advertisment

ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ରୁଗ୍ଣ ହେଉଛି ଋଷିକୂଲ୍ୟା ନଦୀ। ଜୀର୍ଣ୍ଣଶୀର୍ଣ୍ଣ ଗଞ୍ଜାମର ଜୀବନରେଖା। ଚିରସ୍ରୋତା ଋଷିକୂଲ୍ୟାକୁ ନେଇ ବଢ଼ିଲା ଚିନ୍ତା। ନଦୀଜଳ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକ ଏବଂ ପରିବେଶପ୍ରେମୀଙ୍କ ପାଇଁ ଏ ଦୃଶ୍ୟ ଯେତିକି ଚିନ୍ତାଜନକ, ସେତିକି ଉଦବେଗଜନକ। କେଉଁଠି ସମ୍ପୂର୍ଣ୍ଣ ଉଭେଇ ଯାଇ ମରୁଭୂମି ଭଳି ଦିଶୁଛି, ଆଉ କେଉଁଠି ସରୁ ଧାର ଭଳି ବହୁଛି ଋଷିକୂଲ୍ୟା ନଦୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଋଷିମାଳା ପର୍ବତରୁ ବାହାରି, ଗଞ୍ଜାମ ଜିଲ୍ଲା ଦେଇ ବଙ୍ଗୋପସାଗରରେ ମିଶିଛି ଏହି ୧୬୫ କିଲୋମିଟର ଦୀର୍ଘ ନଦୀ। ଚାଷବାସଠୁ ପାନୀୟ ଜଳ। ଋଷିକୂଲ୍ୟା ଉପରେ ହଜାର ହଜାର ପରିବାରର ଜୀବନ ଜୀବିକା ନିର୍ଭର କରୁଥିବା ବେଳେ, ଏହି ନଦୀର ଧାରା ଧିରେ ଧିରେ ଶୁଖିବାରେ ଲାଗିଛି। ଆସିକା ଅଞ୍ଚଳରେ ଯେଉଁଠି ଦିନେ ନଦୀ କୁଳୁକୁଳୁ ହୋଇ ବହୁଥିଲା, ଆଜି ସେଠି ନଦୀଶଯ୍ୟା ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ଜଳସ୍ରୋତ କମିବା ପରେ ଆଗକୁ ବଡ଼ଧରଣର ଜଳକଷ୍ଟ ଦେଖାଦେବ ବୋଲି ଆଶଙ୍କା କରିଛନ୍ତି ନଈକୂଳିଆ ଲୋକେ ।

Advertisment

ଋଷିକୂଲ୍ୟାର ଏଭଳି ଚିନ୍ତାଜନକ ସ୍ଥିତି ପଛର କାରଣ କଣ ? କାହିଁକି ନିଜ ସତ୍ତା ହରାଇବାକୁ ବସିଛି ଏହି ଚିରସ୍ରୋତା ନଦୀ ? କେବଳ ବର୍ଷାଭାବ ଭଳି ପ୍ରାକୃତିକ କାରଣ, ନା ଏହା ପଛରେ ମଣିଷ ବି ଦାୟୀ ? ଜଳବାୟୁ ପରିବର୍ତ୍ତନ ସହ ଋଷିକୂଲ୍ୟାର ଅଧିକାଂଶ ଉପନଦୀରେ ବନ୍ଧ ନିର୍ମାଣକୁ ଏଭଳି ସ୍ଥିତି ପାଇଁ ଦାୟୀ କରିଛନ୍ତି ପରିବେଶବିତ୍। ଅନ୍ୟପକ୍ଷରେ କିଛିଦିନ ତଳେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ମଧ୍ୟ ଏକ ପଦଯାତ୍ରା କରି ନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ପିପଳପଙ୍କା ଡ୍ୟାମକୁ ବିରୋଧ କରିଥିଲା। ଏହି ଡ୍ୟାମ୍ ଦ୍ବାରା କମ୍ପାନୀକୁ ପାଣି ଯୋଗାଇ ଦିଆଯିବ, ଅଥଚ ଚାଷ ଓ ଜନଜୀବନ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛି କମିଟି। ନଦୀଶଯ୍ୟାରୁ ବେଆଇନ ବାଲି ଉଠାଣ ବନ୍ଦ ପାଇଁ ବି ଦାବି ହୋଇଛି । ତେବେ ଋଷିକୂଲ୍ୟା ସ୍ଥିତି ଓ ଡ୍ୟାମ୍ ନିର୍ମାଣ ସଂପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Ganjam Rushikulya Mouth
Advertisment
Advertisment