• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ୧୩ ତାରିଖରେ ଲଞ୍ଚ ହେବ ଇସ୍ରୋର ‘ଚନ୍ଦ୍ରୟାନ-୩’। ଜହ୍ନକୁ ଯାତ୍ରା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବହୁ ପ୍ରତିକ୍ଷିତ ଏହି ପ୍ରୋଜେକ୍ଟକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସଂସ୍ଥାର ଚେୟାରମ୍ୟାନ୍ ଏସ୍ ସୋମନାଥ । ୧୩ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ୧୩ରୁ ୧୯ ଯାଏଁ ଲଞ୍ଚ ପାଇଁ ୱିନଡୋ ସେଟ୍ ହୋଇଛି । ଅର୍ଥାତ ୧୩ରେ ଲଞ୍ଚ ହୋଇନପାରିଲେ ୧୯ ଯାଏଁ ଏନେଇ ପ୍ରୟାସ କରାଯିବ । ଏଥର ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ।

ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ। ତା’ର ପୃଷ୍ଠୀୟ ପରିବେଶ ଓ ପୃଷ୍ଠୀୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ।...ବେଙ୍ଗାଲୁରୁ ସ୍ଥିତ ୟୁଆର୍ ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଚନ୍ଦ୍ରୟାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାକୁ ପଠାଯିବ। ସେଠାକାର ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ GSLV-ମାର୍କ ଥ୍ରୀ ରକେଟ୍।

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରୟାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍। ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରିନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ।

ତେବେ ଚନ୍ଦ୍ରୟାନ-୩ରେ ଆଉ ଅର୍ବିଟର ପଠାଯିବ ନାହିଁ । ଏଥିରେ ଯିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର୍, ରୋଭର୍ ଏବଂ ଏକ ପ୍ରପଲ୍ସନ୍ ମଡ୍ୟୁଲ୍ । ଚନ୍ଦ୍ରୟାନ-୨ରେ ଯାଇଥିବା ଅର୍ବିଟର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସହିତ ଯୋଗାଯୋଗ ରକ୍ଷା କରିବ । ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୁରକ୍ଷିତ ଭାବେ ଅବତରଣ କରିବ ଏବଂ ତା ଭିତରୁ ରୋଭର୍ ବା ଏକ ଯାନ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ।