• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ସଂକଟରେ ରାହୁଲଙ୍କ ସାଂସଦ ପଦ । ଏପରିକି ଆଗାମୀ ନିର୍ବାଚନ ଲଢିବା ନେଇ ବି ଆଶଙ୍କା ଦେଖାଦେଇଛି । ଏନେଇ ଆଜି କଂଗ୍ରେସର ଜରୁରୀ ବୈଠକ ବସିବାକୁ ଯାଉଛି । ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଦଳର ବରିଷ୍ଠ ପଦାଧିକାରୀ ଯୋଗଦେବେ । ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତାମାନେ ଯୋଗ ଦେବାକୁ କୁହାଯାଇଛି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏହି ଜରୁରୀ ବୈଠକରେ ଅଧ୍ୟକ୍ଷତା କରିବେ। ଗତକାଲି ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରତ ଜିଲ୍ଲା କୋର୍ଟ । ତାଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ସହ ୩୦ ଦିନ ପାଇଁ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି ।

ତେବେ ପୁରା କାହାଣିଟି ହେଲା, ରାହୁଲଙ୍କ ମୁଣ୍ଡ ଉପରେ ଜେଲ୍‌ ଖଣ୍ଡା ଝୁଲୁଥିବା ବେଳେ ଆଉ ଏକ ବଡ଼ ଖଣ୍ଡା ବି ଝୁଲୁଛି । ତାହା ହେଲା ସଂକଟ ଘେରରେ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ? ଆଗାମୀ ୮ ବର୍ଷ ପାଇଁ ଲଢ଼ିପାରିବେନି କି ନିର୍ବାଚନ ? ୪ ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ସଜା ହେବା ପରେ, ତାଙ୍କ ପାଇଁ ଆହୁରି ଅନେକ ଅଡ଼ୁଆ ବଢ଼ିବାକୁ ଯାଉଛି ବୋଲି ଆଶଙ୍କା କରୁଛନ୍ତି ସମ୍ବିଧାନ ବିଶାରଦ  ।

ଆସନ୍ତୁ ଜାଣିବା କ’ଣ ରହିଛି ନିୟମ । ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮ (୩) ଅନୁସାରେ, ଜଣେ ସାଂସଦକୁ କୋର୍ଟ ଅତିକମରେ ୨ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇବା କ୍ଷଣି ତାଙ୍କର ସଂସଦ ସଦସ୍ୟତା ବା ସାଂସଦ ପଦ ରଦ୍ଦ ହୋଇଯିବ । ଲୋକସଭା ସଚିବାଳୟ ସାଂସଦ ପଦ ରଦ୍ଦ କରିବ ଏବଂ ନିର୍ବାଚନ କମିଶନ ତାଙ୍କ ଆସନ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଘୋଷଣା କରିବେ । ଏଥିସହ ୨ ବର୍ଷ ଜେଲ୍ ଅବଧି ସରିବା ପରେ ଆଗାମୀ ୬ ବର୍ଷ ପାଇଁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ । ଅର୍ଥାତ୍ ଆଗାମୀ ୮ ବର୍ଷ ସମ୍ପୃକ୍ତ ନେତାଙ୍କୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରହିବାକୁ ପଡ଼ିବ ।

ତେବେ ରାହୁଲ ଗାନ୍ଧିଙ୍କୁ କୋର୍ଟ ୨ ବର୍ଷ ସଜା ଶୁଣାଇଥିଲେ ବି, ଆଗାମୀ ୩୦ ଦିନ ପାଇଁ ଏହି ଦଣ୍ଡାଦେଶକୁ ବାତିଲ କରିଛନ୍ତି । ତେଣୁ ୩୦ ଦିନ ଭିତରେ ଉପରକୋର୍ଟରୁ ଏହି ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ନଆଣିପାରିଲେ, ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବାର ଯଥେଷ୍ଟ ଆଶଙ୍କା ରହିଛି । ରାହୁଲ ଗାନ୍ଧିଙ୍କ ସାଂସଦ ପଦ ସଂକଟ ଘେରକୁ ଯିବା ପରେ, ଚର୍ଚ୍ଚାରେ ତାଙ୍କର ୨୦୧୩ ମସିହାର ହରକତ । ତାହା କରିନଥିଲେ ହୁଏତ ଆଜି ସାମାନ୍ୟ ଆଶ୍ୱସ୍ତ ଥାଆନ୍ତେ ରାହୁଲ ।

ସୂଚନା ଅନୁସାରେ, ୨୦୧୩ ଜୁଲାଇରେ ଲିଲି ଥୋମାସ୍ ଭରସେସ୍ ୟୁନିଅନ ଅଫ୍ ଇଣ୍ଡିଆ କେସରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ ଯେ, କୌଣସି ବିଧାୟକ କିମ୍ବା ସାଂସଦ ଅତିକମରେ ୨ ବର୍ଷ ସଜା ପାଇବା କ୍ଷଣି ତାଙ୍କର ସଦସ୍ୟତା ରଦ୍ଦ ହେବ । ଏହାପରେ ସେପ୍ଟେମ୍ବରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏହାକୁ ନିଷ୍କ୍ରିୟ କରି, ଆରୋପୀ ଅଧିନିୟମ ଧାରା ୮ (୪)କୁ ପୁନଃଲାଗୁ କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବାର ୩ ମାସ ଯାଏଁ ସେମାନଙ୍କ ସଦସ୍ୟତା ରଦ୍ଦ ହୋଇପାରିବ ନାହିଁ ବୋଲି ବ୍ୟବସ୍ଥା ଥିଲା । ତେବେ ଏହି ଅଧ୍ୟାଦେଶ ପାରିତ ହେବା ପରେ, ୟୁପିଏ ସରକାର ଦୁର୍ନୀତିଗ୍ରସ୍ତ ନେତାଙ୍କୁ ପ୍ରଶ୍ରୟ ଦେଉଛି ବୋଲି ସମାଲୋଚନା କରିଥିଲେ ବିରୋଧୀ ।

ସେତେବେଳେ ଚର୍ଚ୍ଚାରେ ଥିଲା ଲାଲୁ ପ୍ରସାଦ ଯାଦବଙ୍କ ଚାରା ଘୋଟାଲା । ଏଭଳି ସ୍ଥିତିରେ କଂଗ୍ରେସ ଏହି ଅଧ୍ୟାଦେଶର ଫାଇଦା କଥା ବୁଝାଇବାକୁ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା । ହେଲେ ରାହୁଲ ଗାନ୍ଧି ସେଠାରେ ପହଞ୍ଚି ନିଜ ସରକାର ଉପରେ ପ୍ରଶ୍ନ ଉଠାଇବା ସହିତ, ଅଧ୍ୟାଦେଶକୁ ବେକାର ବୋଲି କହି ତାର କପିକୁ ଚିରି ଦେଇଥିଲେ । ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆମେରିକା ଗସ୍ତରେ ଥିଲେ । ଏହାପରେ ଅକ୍ଟୋବରରେ ଅର୍ଥାତ୍ ଅଧ୍ୟାଦେଶ ଆସିବାର ମାସକ ପରେ ୟୁପିଏ ସରକାର ଉକ୍ତ ଅଧ୍ୟାଦେଶକୁ ପ୍ରତ୍ୟାହାର କରିନେଇଥିଲେ ।

ତେବେ ଚର୍ଚ୍ଚା ହେଉଛି ଯେ, ରାହୁଲ ଯଦି ସେତେବେଳେ ସେହି ଅଧ୍ୟାଦେଶକୁ ବିରୋଧ କରିନଥାନ୍ତେ କି କପିକୁ ଚିରିନଥାନ୍ତେ, ତେବେ ଆଜି ହୁଏତ ତାଙ୍କ ସାଂସଦ ପଦ ବିପଦ ଘେରରେ ନଥାନ୍ତା ।