• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିନ୍ଦାସ ୨୦୨୨ । ନାହିଁ କଟକଣା । ନାହିଁ ଭୟ । ଗତ ଦୁଇ ବର୍ଷ ହେବ ଲୋକେ କରୋନା କଟକଣାରେ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଳେ ଏବର୍ଷ ଶାନ୍ତିରେ ନିଃଶ୍ୱାସ ମାରିଛନ୍ତି । ଏବେ ୨୦୨୨ ଶେଷ ହେବାକୁ ବସିଲାଣି । ବର୍ଷ ଆରମ୍ଭରୁ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ସାରା ଦେଶରେ କଟକଣା କୋହଳ ହେବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ଛୋଟ ମୋଟ ଉତ୍ସବରେ ବି ବହୁମାତ୍ରାରେ ଲୋକେ ଏକାଠ ହୋଇଛନ୍ତି, ଆଉ ଖୁବ୍‌ ମଜା ଲୁଟିଛନ୍ତି ।

ତେବେ ଏହାରି ଭିତରେ ଆମ ରାଜ୍ୟରେ ଅନେକ କିଛି ଘଟିଯାଇଛି । ରାଜ୍ୟ ରାଜନୀତିରେ ଅନେକ ଉତ୍ଥାନ ପତନ ଦେଖିବାକୁ ମିଳିଛି । ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ବି ହୋଇଛି। ସେଥିମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଦୁଇଟି ଉପନିର୍ବାଚନ । ଗୋଟିଏ ହେଲା ଧାମନଗର ଓ ଅନ୍ୟଟି ହେଲା ପଦ୍ମପୁର । 

୧.ଧାମନଗର ଉପନିର୍ବାଚନ

ଏହି ଉପନିର୍ବାଚନରେ ଶକ୍ତିଶାଳି ବିଜେଡି କୁ ମାତ୍‌ ଦେଇଛି ବିଜେପି । ଯାହାକି ଏକ ଇତିହାସ । କାରଣ ବିଗତ ୧୦ ବର୍ଷ ମଧ୍ୟରେ ବିଜେଡି କୌଣସି ଉପନିର୍ବାଚନରେ ପରାଜୟ ବରଣ କରିନଥିଲା । ପ୍ରଥମ ଥର ପାଇଁ ଧାମନଗରରେ ବିଜେଡି ପରାଜିତ ହେଲା ।ବରିଷ୍ଟ ବିଜେପି ନେତା ତଥା ବିଧାୟକ ବିଷ୍ଣୁ ସେଠିଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ ।

ବିଷ୍ଣୁ ସେଠିଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଲଢ଼ୁଥିଲେ ଆବନ୍ତୀ ଦାସ । ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ହେଲେ ଶେଷରେ ବାଜି ମାରିନେଇଥିଲେ ସୂର୍ଯ୍ୟବଂଶୀ ସୂରଜ । ଏହାକୁ ରାଜ୍ୟର ଏକ ହାଇଭୋଲଟେଜ ଉପନିର୍ବାଚନ ବୋଲି କୁହାଯାଉଛି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟର ବରିଷ୍ଠ ନେତାମାନେ ଏଠି ଏକାଠି ହୋଇଥିଲେ । ଆଉ ବିଜେଡି ବିରୋଧରେ ଲଢ଼ିଥିଲେ । 

ସେହିଭଳି ବିଜେଡିର ମଧ୍ୟ ଅନେକ ନେତା ମନ୍ତ୍ରୀ ଧାମନଗରରେ ପଞ୍ଚାୟତୱାରୀ ଦାୟିତ୍ୱ ନେଇଥିଲେ । ଆଉ ସେଠାରେ ଦିନ ରାତି ଡେରା ପକାଇ ବସିଥିଲେ । ଏହି ଉପନିର୍ବାଚନରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୮୦ ହଜାର ୩୫୧ (୪୯%) ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦ ଭୋଟ (୪୩.୦୯%) ପାଇଥିଲେ । ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮ ହଜାର ୧୫୩ (୪.୯୮%) ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠି ୩ ହଜାର ୫୩୩ (୨.୧୮%) ଭୋଟ ପାଇଥିଲେ ।

୨.ବିଜେଡିରେ ତେଜିଲା ବିଦ୍ରୋହ

ଧାମନଗର ଉପନିର୍ବାଚନରେ ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ବିଜେଡିରେ ଦେଖାଦେଇଥିଲା ବିଦ୍ରୋହ । ରାଜ୍ୟର ସବୁଠୁ ଶୃଙ୍ଖଳିତ ଦଳ ବୋଲି ଡେଙ୍ଗୁରା ପିଟୁଥିବା ବିଜେଡି, ଦଳୀୟ କନ୍ଦଳକୁ ଏଠି ମ୍ୟାନେଜ କରିବାରେ ବିଫଳ ହେଲା । ଦଳ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଲା ।
ବିଜେଡି ଟିକେଟ ରେସ୍‌ର ସବୁଠୁ ଆଗରେ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ଅଣଦେଖା କରିଥିଲା । ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳ ଟିକଟ ଦେଇଥିଲା । ଯାହାକି ରାଜୁ ଗୋଷ୍ଠିଙ୍କୁ ଗଭୀର ଆଘାତ ଦେଇଥିଲା । ଫଳରେ ଧାମନଗର ବିଜେଡିରେ ଭିତିରି ଫାଟ ସୃଷ୍ଟି ହେଲା । ହେଲେ ପ୍ରଥମ ଦିନ କିଛି ଜଣାପଡ଼ିନଥିଲା । ଅବନ୍ତୀ ଦାସଙ୍କ ଟିକଟ ଘୋଷଣା ବେଳେ ବି ରାଜୁ ଦାସ ବିଜେଡି ଶିବିରରେ ଉପସ୍ଥିତ ଥିଲେ । ଆଉ ସେ ପ୍ରଥମେ କହିଥିଲେ ଅବନ୍ତୀ ତାଙ୍କର ପ୍ରାର୍ଥୀ । କିନ୍ତୁ ରାତି ପାହିବା ପରେ ସବୁ କିଛି ଓଲଟ ପାଲଟ ହୋଇଗଲା । ରାଜୁ ଦାସ ବିଜେଡି ପ୍ରାର୍ଥୀଙ୍କୁ ଖୋଲା ଖୋଲି ବିରୋଧ କଲେ । 

ଖାଲି ସେତିକି ନୁହେଁ ବିଜେଡି ବିରୋଧରେ ଖୋଲା ଖୋଲି ଭାବେ ବିଦ୍ରୋହର ବିଗୁଲ ଫୁଙ୍କିଥିଲେ ରାଜୁ । ଆଉ ତାପରେ ଦଳ ଭିତରେ ଗୁଞ୍ଜରିତ ହୋଇଥିଲା ବିଦ୍ରୋହର ଧ୍ୱନୀ । ବିଜେଡି କର୍ମୀ ଓ ସ୍ଥାନୀୟ ନେତା ଦୁଇ ଭାଗ ହୋଇଥିଲେ । ରାଜୁ ଦାସ କାନ୍ଦି କାନ୍ଦି ସ୍ୱଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ସେହିଠାରୁ ହିଁ ଆରମ୍ଭ ହୋଇଥିଲା ବିଜେଡିର ପତନ । ସବୁ କଳ ବଳ କୌଶଳ ଖଟାଇବା ପରେ ବି ବିଜେଡି ରାଜୁଙ୍କ ଭୋଟକୁ ମ୍ୟାନେଜ କରିପାରିନଥିଲା । ଖାଲି ସେତିକି ନୁହେଁ ରାଜୁ ଏବଂ ଅବନ୍ତୀ ତିହିଡ଼ି ବ୍ଲକ୍‌ର ବାସିନ୍ଦା ହୋଇଥିବାରୁ ସେଠାକାର ଭୋଟ ଦୁଇ ଭାଗ ହୋଇଥିଲା । ଯାହାକି ବିଜେଡିକୁ ଘାଟାରେ ପକାଇଥିଲା । ଆଉ ଶେଷରେ ବିଜେଡି ପ୍ରାର୍ଥୀ ପରାଜିତ ହୋଇଥିଲେ ।

୩.ରାଜୁଙ୍କ ପରେ ସଞ୍ଜୟ ଦାସବର୍ମା

ଗୋଟିଏ ପଟେ ରାଜୁ ଦାସଙ୍କ ବିଦ୍ରୋହ ଧାମନଗରରେ ବିଜେଡିର ଅଣ୍ଟା ଭାଙ୍ଗି ଦେଇଥିବା ବେଳେ, ସେପଟେ ବ୍ରହ୍ମଗିରିରେ ପୂର୍ବତନ ବିଧାୟକ ତଥା ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏବଂ ପାୱାର କରିଡର ନିକଟତର ଥିବା ସଞ୍ଜୟ ଦାସବର୍ମାଙ୍କ ବୟାନ୍‌, ବିଦ୍ରୋହ ନିଆଁରେ ଘିଅ ଢ଼ାଳିବା ଭଳି କାମ କଲା । ବିଜେଡି ଶିବିର ସଞ୍ଜୟଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଲା ।

ପୁରୀ ଜିଲ୍ଲା ବ୍ରହ୍ମଗିରି ସଦର ବ୍ଳକ ମାଳସାହିରେ ଆୟୋଜିତ ବିଜେଡି ପଦଯାତ୍ରା ସମୟରେ ସଞ୍ଜୟ କହିଥିଲେ ଯେ, ‘ଓଡ଼ିଶାର ଖଣିଜ ସଂପଦ, ପ୍ରାଚୁର୍ଯ୍ୟ ଓ ରତ୍ନ ଭଣ୍ଡାର ଲୁଣ୍ଠନ ପାଇଁ ହେଉଛି ଷଡ଼ଯନ୍ତ୍ର’ । କିଛି ବିଦେଶୀ ଶକ୍ତି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି । ଓଡ଼ିଶାରେ ଏବେ ଏଭଳି ଶକ୍ତିମାନେ ସକ୍ରିୟ ଅଛନ୍ତି । ସେମାନଙ୍କୁ ପରାହତ କରିବାକୁ ପଡ଼ିବ । ଏବେ ପରିସ୍ଥିତି ବଦଳି ଯାଇଛି, ଆମକୁ ସତର୍କ ରହିବାକୁ ପଡ଼ିବ । କିଛି ଲୋକ ଭାବୁଛନ୍ତି ସେମାନେ ଯାହା କହିବେ, ଯାହା ନିଷ୍ପତ୍ତି ନେବେ, ସମସ୍ତେ ତାକୁ ଗ୍ରହଣ କରିନେବେ । କିନ୍ତୁ ଆମେ ମରିଯିବୁ ସିନା ସାଲିସ୍ କରିବୁ ନାହିଁ’ ବୋଲି କହିଥିଲେ ସଞ୍ଜୟ ।
ତେବେ ସଞ୍ଜୟ ଦାସବର୍ମାଙ୍କ ସେହି ବିସ୍ଫୋରଣ କାହା ବିରୋଧରେ ଥିଲା ? ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ବିରୋଧରେ ନୁହେଁ ତ ? ତାକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଜୋରଦାର ଚର୍ଚ୍ଚା ହେଉଛି ।

ସଂଜୟ ଦାସବର୍ମା ପୂର୍ବରୁ ନବୀନ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଏପରିକି ତାଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଦ ବି ଦିଆଯାଇଥିଲା । ଗତ ନିର୍ବାଚନରେ ସେ ହାରିଯିବା ପରେ ବି ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ କିଛିଦିନ ତଳେ ବିଭିନ୍ନ ନିଗମ ଆବଣ୍ଟନ କରାଯାଇଥିବା ବେଳେ ସଂଜୟଙ୍କୁ କୌଣସି ନିଗମ ମିଳିନାହିଁ । ଏବେ ସେ କେବଳ ବିଜେଡି ସାଧାରଣ ସଂପାଦକ-ମୁଖ୍ୟାଳୟ ପଦ ଦାୟିତ୍ୱରେ ଅଛନ୍ତି । 

୪.ପ୍ରଭାତ ତ୍ରିପାଠୀଙ୍କ ବୟାନରେ ବିଦ୍ରୋହର ବାସ୍ନା !

ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନାକୁ ନାପସନ୍ଦ କରିଥିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ । ସେ କହିଥିଲେ, ଏହା ଠିକ୍ ନୁହେଁ । ବାଲିଯାତ୍ରା ମଞ୍ଚରେ କୌଣସି ରାଜନୈତିକ ଦଳର ପ୍ରଚାର ହେବା ଅନୁଚିତ । ପଥୋତ୍ସବକୁ ଯେପରି ରାଜନୀତିକରଣ କରାଗଲା, ତାହା ଠିକ୍ ନୁହେଁ । ଏହା ଓଡ଼ିଶାବାସୀଙ୍କ ଅସ୍ମିତା ପ୍ରତି ପଦାଘାତ ବୋଲି କହିଥିଲେ ପ୍ରଭାତ । ଏଥିପାଇଁ ପରୋକ୍ଷରେ ସେ ଜିଲ୍ଲାପ୍ରଶାସନ ଓ କିଛି ଅଧିକାରୀଙ୍କୁ ଦାୟୀ ମଧ୍ୟ କରିଥିଲେ ।

ଜନ ପ୍ରତିନିଧି କିମ୍ବା ସହରର ଶାନ୍ତି କମିଟି ସହିତ ଆଲୋଚନା ନକରି ଏକଚାଟିଆ ନିଷ୍ପତ୍ତି ନେଉଥିବାରୁ ବାଲିଯାତ୍ରାରେ ବହୁ ବିଭ୍ରାଟ ହୋଇଥିବା ମଧ୍ୟ କହିଥିଲେ ପ୍ରଭାତ । ପ୍ଲଟ ବଣ୍ଟନଠାରୁ ଆରମ୍ଭ କରି ଏହାର ଦାମ୍ ନିର୍ଧାରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦି କ୍ଷେତ୍ରରେ ବିଭ୍ରାଟ ହୋଇଥିବା ସେ କହିଥିଲେ । ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ୍ କରିବାକୁ ସେ ଦାବି କରିଥିଲେ । ତେବେ ଏହି ସମୟରେ ସବୁଠାରୁ ବଡ଼ କଥା ହେଲା, ସ୍ଥାନୀୟ ବିଜେଡି ନେତା ଦେବାଶିଷ ସାମନ୍ତରାୟ ନିଜ ଦଳର ନେତା ପ୍ରଭାତଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇବା ସହ କହିଥିଲେ, କିଛି ଭୁଲ୍ ହୋଇନି । ସବୁ ଠିକ୍‌ ଠାକ୍‌ ହୋଇଛି ।

୫.ପଦ୍ମପୁର ଉପନିର୍ବାଚନ

୨୦୨୨ରେ ଧାମନଗର ଉପନିର୍ବାଚନ ଯେତିକି ହାଇଭୋଲଟେଜ ଥିଲା, ତାଠାରୁ ବଳିଯାଇଥିଲା ପଦ୍ମପୁର ଉପନିର୍ବାଚନ । ଧାମନଗର ବିଜୟ ପରେ ବିଜେପି ଏଠି କନ୍‌ଫିଡେନ୍ସ ସହ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ବ୍ୟାକ୍‌ଫୁଟ୍‌ରେ ଥାଇ ଗେମ୍‌ ଷ୍ଟାର୍ଟ କରିଥିଲା । ଆଉ ଶେଷରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ୪୦ ହଜାରରୁ ଅଧିକ ଭୋଟରେ ବାଜିମାତ୍ କରିଥିଲା । କୁହାଗଲା, ବିଜେପିର ଓଭର୍ କନଫିଡେନ୍ସ ଓ କଂଗ୍ରେସ ଭୋଟ୍ ବିଜେଡିକୁ ଡାଇଭର୍ଟ ହୋଇଯିବା କାରଣରୁ ବିଜେଡିର ବିଜୟ ସହଜ ହୋଇଗଲା।  ତେବେ ନିର୍ବାଚନରେ ଜିତ ହାର ତ ସାଧାରଣ କଥା । ଯାହାର ଷ୍ଟ୍ରାଟେଜୀ ଭଲ ରହିବ, ତାକୁ ଭୋଟ ଡାଇଭର୍ଟ ହେବ ।

ତେବେ ଏହି ଉପନିର୍ବାଚନରେ ସବୁଠୁ ରୋଚକ ଏବଂ ମଜାଦାର କଥା ହେଲା, ନିର୍ବାଚନ ପ୍ରଚାର ବେଳେ ଦୁଇ ଦଳ ବିଜେପି-ବିଜେଡି ମଧ୍ୟରେ ଚାଲିଥିବା ଛକାପଞ୍ଝା । ସକାଳେ ପଦ୍ମପୁରର ୩ ବିଜେଡି ନେତାଙ୍କ ଘରେ IT ବିଭାଗ ପକ୍ଷରୁ ରେଡ୍ ହୋଇଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟିକ ଅନୁଷ୍ଠାନରେ ଜିଏସ୍‌ଟି ବିଭାଗ ରେଡ୍ କରିଥିଲା । ଆଉ ସେତିକିବେଳେ ବିଜେପି କର୍ମୀମାନେ ଆସି ସେଠାରେ କରିଥିଲେ ହଙ୍ଗାମା । ସେହି ରେଡ୍ ଉଦ୍ୟେଶ୍ୟମୂଳକ ଭାବେ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

ଅନ୍ୟପଟେ ଆହୁରି ରୋଚକ ହେଉଛି ଏହି ଉପନିର୍ବାନରେ ରେକର୍ଡ ସଂଖ୍ୟକ ମତଦାନ । ଏଠି ମତଦାନ ପାଇଁ ସତେ ଯେମିତି ପୁରା ଉତ୍କଣ୍ଠାରେ ଥିଲେ ଜନତା ଜନାର୍ଦ୍ଦନ । ଦିବ୍ୟାଙ୍ଗ, ମହିଳା, ବୟସ୍କ ଓ ଯୁବ ଭୋଟର, କେହି ହାତଛଡ଼ା କରିନଥିଲେ ନିଜ ସାମ୍ବିଧାନିକ ଅଧିକାର । ୩୧୯ ବୁଥ୍‌ରେ ମତଦାନ ବ୍ୟବସ୍ଥା ହୋଇଥିଲା ।

୭.ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁର ଆତ୍ମହତ୍ୟା

୨୦୨୧ ଶେଷ ଆଡ଼କୁ ଓ ୨୦୨୨ ଆରମ୍ଭ ସମୟ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଥିଲା ଅଭିଶପ୍ତ । କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା (୨୦୨୧ ଅକ୍ଟୋବର ୮ରେ ନିଖୋଜ, ୯ରେ ମାଟି ତଳୁ ମୃତଦେହ ଉଦ୍ଧାର) ଘଟଣାକୁ ନେଇ ସାରା ରାଜ୍ୟରେ ବିରୋଧର ଶିକାର ହେଲେ ଦିବ୍ୟଶଙ୍କର । ତାଙ୍କ ପାଇଁ ରାଜ୍ୟ ସରକାର ବି ଅଡ଼ୁଆରେ ପଡ଼ିଲେ । ବିଧାନସଭାରେ ବିରୋଧୀ ହଟ୍ଟଗୋଳ କଲେ । ତାଙ୍କ ବିରୋଧରେ ପ୍ଲାକାର୍ଡ ଧରି ଗୃହ ସାମ୍ନାରେ ଆନ୍ଦୋଳନ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଖାଲି ସେତିକିରେ କଥା ଅଟକି ନଥିଲା । ଏହି ହତ୍ୟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ବି ଲୋଡ଼ିଥିଲା ବିଜେପି ।

ସାରା ରାଜ୍ୟରେ ମମିତା ମେହେର ହତ୍ୟା ଘଟଣାକୁ ନେଇ ନିଆଁ ଜଳିଲା । ସବୁଠି ଦିବ୍ୟଶଙ୍କରଙ୍କ ବିରୋଧରେ ବାହାରିଲା ବିକ୍ଷୋଭ ଶୋଭାଯାତ୍ରା । ତେବେ ସବୁଠାରୁ ବଡ଼ କଥା ହେଲା ହତ୍ୟା ଘଟଣାର ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଗାୟବ ଥିଲେ ଦିବ୍ୟଶଙ୍କର । ଯାହାକୁ ନେଇ ତେଜିଥିଲା ବିବାଦ ଆଉ ବଢ଼ିଥିଲା ସନ୍ଦେହ । ଆଉ ୩ ସପ୍ତାହ ପରେ ଏକ ବିରାଟ ବିବୃତ୍ତି ଜାରି କରିଥିଲେ ଦିବ୍ୟଶଙ୍କର । ସେଥିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ପରୋକ୍ଷରେ କହିଥିଲେ କିନ୍ତୁ ଗଣମାଧ୍ୟମ ଓ ଲୋକଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଦେଇନଥିଲେ । ଏହାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅଧିକ ସନ୍ଦେହ ଉପୁଜିଥିଲା । ସେହିଭଳି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜନୈତିକ ସଭାରେ ପାଖରେ ବସାଇ ବିବାଦ ନିଆଁରେ ଘିଅ ଢ଼ାଳିଥିଲେ ।

ତେବେ ଏହାରି ଭିତରେ ମମିତା ମେହେର ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେକୁ ଗିରଫ କରିଥିଲା ପୋଲିସ । ଅନ୍ୟପଟେ ମମିତାଙ୍କ ବାପା ମାଆ ଆରମ୍ଭରୁ ଦିବ୍ୟଶଙ୍କରଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିବା ବେଳେ ହଠାତ୍‌ ମୁହଁ ବନ୍ଦ କରିଦେଇଥିଲେ । ଆଉ ତାଙ୍କ ଝିଅ ବିଷୟରେ କେହି କିଛି ଆଲୋଚନା କରିବାକୁ ମନା କରିଥିଲେ । ତେବେ ଏହା ମଧ୍ୟ ସେତେବେଳେ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା ।

ଏହି ଘଟଣା ୨୦୨୧ରୁ ୨୦୨୨ ଶେଷ ପର୍ଯ୍ୟନ୍ତ ଲୋକଙ୍କ ମନରେ ସେମିତି ଉଜ୍ଜିବୀତ ଥିଲା । ହଠାତ୍ ୨୦୨୨ ଡିସେମ୍ବର ୨୦ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । କଣ୍ଟାବାଂଝି ଜେଲ୍ ପରିସରରେ ଥିବା ରୋଷେଇ ଘର ଝରକାରେ ଗୋବିନ୍ଦ ସାହୁ ଏକ ଛୋଟ ଗାମୁଛାରେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଥିଲା । ଏହି ଘଟଣାକୁ ବିରୋଧୀଦଳ ମାନେ ସହଜରେ ଗ୍ରହଣ କରିପାରିନଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଖୋଲାଖୋଲି କହିଥିଲେ । ଏମିତିକି ଏହାର ସିବିଆଇ ତଦନ୍ତ ଦାବି କରିଥିଲଶ ବିଜେପି । ଆଉ କଂଗ୍ରେସ କହିଥିଲା SIT ତଦନ୍ତ ହେଉ ।

ଏପରିକି ଗୋବିନ୍ଦ ସାହୁଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ଏଭଳି ଆରୋପ ପ୍ରତ୍ୟାରୋପ ଭିତରେ ଏବେ ବି ଏହି ଘଟଣା ରହସ୍ୟ ଘେରରେ ରହିଛି ।

୮. ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟପତି

ରାଜ୍ୟରେ ରାଜନୈତିକ ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନା, ସମାଲୋଚନା ଭିତରେ ବି ୨୦୨୨ରେ ରାଜ୍ୟ ପାଇଁ ଭଲ ଖବର ହେଉଛି, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦେଶର ସର୍ବୋଚ୍ଚ ପଦବୀରେ ବସିଲେ ଓଡ଼ିଆ ଝିଅ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ୨୦୨୨ ଜୁଲାଇ ୨୫ ତାରିଖ ଦିନ ଶପଥ ନେଇଥିଲେ । ଏହାପରେ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା । NDAର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ବି ଥିଲେ ଦ୍ରୌପଦୀ । ଓଡ଼ିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାୟିକା ବି ଥିଲେ ଦ୍ରୌପଦୀ ।

ତେବେ ସେହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ଦେଶର ରାଷ୍ଟ୍ରପତିଙ୍କ ନିଜ ଗାଁରେ ନଥିଲା ବିଜୁଳି ସଂଯୋଗ । ଡିବିରି ଆଲୁଅରେ କଟୁଥିଲା ଲୋକଙ୍କ ଜୀବନ । ଏହି ଖବର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଯାହାଫଳରେ ତୁରନ୍ତ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଉପରବେଡ଼ାର ଡୁଙ୍ଗୁରିସାହିରେ ବିଜୁଳି ପହଞ୍ଚିବାର ବ୍ୟବସ୍ଥା କରାଯାଇଥିଲା । ରାତିଅଧିଆ ଖୁଣ୍ଟ ପୋତି ଶୀଘ୍ର ବିଜୁଳି ସଂଯୋଗ ଦେବାକୁ ତତ୍ପର ହୋଇଥିଲା ବିଦ୍ୟୁତ୍ ବିଭାଗ ।

୯. ବଦଳିଗଲା ମନ୍ତ୍ରିମଣ୍ଡଳ

୨୦୨୨ରେ ପାୱାର କରଡରର ନିକଟତର ତଥା ରାଜ୍ୟ ରାଜନୀତିର କିଛି ବଡ଼ ମୁଣ୍ଡ ବଳି ପଡ଼ିଥିବା ଦେଖାଯାଇଛି । ରାଜନୀତି କ୍ୟାରିୟରରେ ଉତ୍ତମ ପ୍ରଦର୍ଶନ କରିଥିଲେ ମଧ୍ୟ ସେମାନଙ୍କୁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିରାଶ କରିଥିଲେ । ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ବିଦା କରିଥିବା ବେଳେ ପାୱାରଫୁଲ ନେତା ତଥା ସାଇଲେଣ୍ଟ ଷ୍ଟ୍ରାଟେଜି ମେକର ଅରୁଣ ସାହୁଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବିଦା କରିଥିଲେ ନବୀନ । ଖାଲି ସେତିକି ନୁହେଁ ଖଣ୍ଡପଡ଼ା ବିଧାୟକଙ୍କୁ ମଧ୍ୟ ଦଳର ସମସ୍ତ ପଦପଦବୀରୁ ହଟାଇଥିଲେ ନବୀନ । ଯାହାକି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅନ୍ୟପଟେ ୨୦୨୨ରେ ଅତନୁ ସବ୍ୟସାଚୀ ନାୟକ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ବିଦା ହେବା ପରେ ହିଁ ସଞ୍ଜୟଙ୍କ ମୁହଁରୁ ବିଦ୍ରୋହର ଶବ୍ଦ ଶୁଣିବାକୁ ମିଳିଥିଲା ।

୧୦. ବିବାଦରେ ପ୍ରଶାନ୍ତ ଜଗଦେବ

ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କୁ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକାର ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ । ଲୋକ ବିରୋଧ କରିବାରୁ ତାଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ । ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଓ ବିଜେପି କର୍ମୀ ବିଧାୟକ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ । ଏଭଳି କାରନାମା ପାଇଁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା । ପ୍ରଶାନ୍ତଙ୍କ ଭଳି ଲୋକର ସ୍ଥାନ କେବଳ ଜେଲ୍‌ରେ ବୋଲି କହିଥିଲା ବିଜେପି । 

ପ୍ରଶାନ୍ତଙ୍କ ଏହି କାଣ୍ଡ ଦୀର୍ଘ ଦିନ ଧରି ଖବର କାଗଜର ବଡ଼ ଷ୍ଟୋରି ହୋଇ ରହିଥିଲା । କାରଣ ଏହି ଘଟଣାକୁ ନେଇ ଯେତିକି ରାଜନୀତି ହେଉଥିଲା ପୋଲିସର ପାରିବା ପଣିଆ ଓ ଦୋମୁହାଁ ନୀତି ସେତିକି ସାମ୍ନାକୁ ଆସୁଥିଲା । ପ୍ରଶାନ୍ତଙ୍କ ଭୁଲ ଚାପିବା ପାଇଁ ପୋଲିସ ନାନା ଫନ୍ଦିଫିକର କରିଥିଲା । ବାଣପୁରର ଏହି ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସଥିଲା ।  

ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । କୁହାଯାଉଥିଲା ଗାଡ଼ିର ଇନ୍‌ସ୍ୟୁରାନ୍ସ ପାଇଁ ପୋଲିସ ଫନ୍ଦି କରିଥିଲା । ଗୋଟିଏ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, କିନ୍ତୁ ରିପୋର୍ଟରେ ଅନ୍ୟ ଏକ ଗାଡ଼ିର ନମ୍ବର ଲେଖାଯାଇଥିଲା । ଦୁର୍ଘଟଣା ପରେ ଯେଉଁ ଗାଡ଼ିର ନମ୍ବରକୁ ନେଇ ମାମଲା ରୁଜୁ ହୋଇଥିଲା, ସେହି ନମ୍ବରରେ ଥିବା ଅନ୍ୟ ଏକ ଗାଡ଼ି ମିଳିଥିଲା ନୟାଗଡ଼ରୁ । ଅର୍ଥାତ ଲୋକଙ୍କୁ ଗାଡ଼ି ମଡ଼ାଇବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବ୍ୟବହାର କରିଥିବା ଡିସ୍କଭରି ଗାଡ଼ିର ନମ୍ବରରେ ହୋଇଥିଲା ଜାଲିଆତି । 

ଦୁର୍ଘଟଣା ଘଟାଇଥିବା ଡିସ୍କଭରି ଗାଡ଼ିକୁ ଦେଖିଲେ ଗୋଟିଏ ନମ୍ବର ହେଉଛି OD 25 K 5775 । ଆଉ ଏକ ନମ୍ବର ହେଉଛି OD 02 AY 5775 । ଏହି ଦୁଇଟି ନମ୍ବର ଭିତରେ ଦ୍ୱନ୍ଦ୍ୱ ବଢ଼ିଥିଲା । କାରଣ ପୋଲିସ ପକ୍ଷରୁ ରୁଜୁ ମାମଲାରେ ଧକ୍କା ଦେଇଥିବା ଗାଡି ଡିସ୍କଭରି ଏବଂ ଗାଡି ନମ୍ବର OD 02 AY 5775 ବୋଲି ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ବିଧାୟକଙ୍କ ଜଣେ ସମର୍ଥକ ଏକ ଏତଲାରେ ଦର୍ଶାଯାଇଥିଲା ଯେ, ଦୁର୍ଘଟଣା ଘଟାଇଥିବା ଗାଡି ନମ୍ବର OD 25K 5775 ।

ତଦନ୍ତରୁ ଜଣାପଡ଼ିଥିଲା, OD 02 AY 5775 ନମ୍ବର ହେଉଛି ଗୋଟିଏ କ୍ରେଟା ଗାଡ଼ିର । ନୟାଗଡ଼ରେ ରହିଛି ସେହି ଗାଡ଼ି । ଆଉ ଆରଟିଓରୁ ମିଳିଥିବା ରିପୋର୍ଟରେ, OD 25 K 5775 ନୟାଗଡ଼ର ଆଉ ଜଣଙ୍କ ନାଁରେ ରହିଥିଲା । ଏଭଳି ଜାଲିଆତି ଜଣାପଡ଼ିବା ପରେ ଖୋର୍ଦ୍ଧା ପୋଲିସ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରିଥିବା କରିଥିଲା ।

୧୧. ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗ । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ଘଟଣା ସନ୍ଦେହ ଘେରକୁ ଆସିଥିଲା । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଯାଇଛି ।

ଏହି ଘଟଣା ସାରା ରାଜ୍ୟରେ ହଇଚଇ ଯେତିକି ସୃଷ୍ଟି କରିଥିଲା । ତାଠାରୁ ଅଧିକ ହଇଚଇ ସୃଷ୍ଟି କରିଥିଲା ଧର୍ମେନ୍ଦ୍ରଙ୍କ ଫୋନ୍‌କଲ ଅଡିଓ ରେକର୍ଡିଂ । ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ଫୋନ କରିଥିଲେ । ଆଉ ତାଙ୍କ ମୃତ୍ୟୁ ହେଲେ ସମୀର ଦାସ ଦାୟୀ ବୋଲି କହିଥିଲେ । ପ୍ରାୟ ଦୀର୍ଘ ସମୟ ଧରି ନିଜ ବନ୍ଧୁଙ୍କୁ ସବୁ ଦୁଃଖ ଜଣାଇବା ସହ ପରିବାର ଲୋକଙ୍କ କଥା ବି କହିଥିଲେ ଧର୍ମେନ୍ଦ୍ର । ଏମିତିକି ତାଙ୍କ ପତ୍ନୀ ଓ ଶଶୂରଙ୍କ କ’ଣ ଭୂମିକା ରହିଛି ସେନେଇ ମଧ୍ୟ କହିଥିଲେ । ନିଜ ଆତ୍ମହତ୍ୟା ପାଇଁ ଧର୍ମେନ୍ଦ୍ର ୫ ଜଣଙ୍କ ନାଁ କହିଥିଲେ । ସେଥିରେ ତତ୍କାଳିନ ମନ୍ତ୍ରୀ ସମୀର ଦାସ ଓ ତାଙ୍କ ପତ୍ନୀ ଓ ଶ୍ୱଶୂରଙ୍କ ନାଁ ମଧ୍ୟ ରହିଛି । ସେହି ଅଡିଓ ବିଭିନ୍ନ ଗଣମାଧ୍ୟମରେ ବାଜିଥିଲେ ମଧ୍ୟ ପୋଲିସ ସେନେଇ କ’ଣ କାର୍ଯ୍ୟାନୁଷ୍ଠାନ ନେଲା ତାହା କେହି କିଛି ଜାଣିପାରିଲେ ନାହିଁ । ରାଜ୍ୟ ସରକାର ମଧ୍ୟ ଏହି ଘଟଣା ନେଇ ନିଦା ବିଷ୍ଣୁ ପାଲଟିଥିଲେ ।