ଆମେରିକାର ସଂଘୀୟ ତଦନ୍ତକାରୀ ବ୍ୟୁରୋ (FBI) ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ସେ ଯେଉଁଭଳି ଅନ୍ଦାଜରେ ଶପଥ ନେଇଛନ୍ତି, ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ 'ଗୀତା' ଛୁଇଁ FBIର ନୂଆ ନିର୍ଦ୍ଦେଶକ ଭାବେ ଶପଥ ନେଇଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ସେ ଯେତେବେଳେ ଶପଥ ନେବାକୁ ପହଞ୍ଚିଥିଲେ, ତାଙ୍କ ହାତରେ ଶ୍ରୀମଦ୍ ଭଗବଦ୍ ଗୀତା ଥିଲା । ସେ ଗୀତା ଉପରେ ହାତ ରଖି ଶପଥ ପାଠ କରିଥିଲେ ।
ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ
ଆମେରିକାର ଆଟର୍ଣ୍ଣି ଜେନେରାଲ ପାମ୍ ବୋଣ୍ଡି କାଶ୍ ପଟେଲଙ୍କୁ ହ୍ୱାଇଟ୍ ହାଉସ୍ କ୍ୟାମ୍ପସସ୍ଥିତ ଆଇଜେନହୋୱର ଇକ୍ଜିକ୍ୟୁଟିଭ ବିଲ୍ଡିଂରେ ଶପଥ ପାଠ କରାଇଥିଲେ । ପଟେଲ ଖ୍ରୀଷ୍ଟୋଫର୍ ରେ'ଙ୍କ ସ୍ଥାନ ନେଇଛନ୍ତି । ଏହାସହିତ ସେ FBIର ନବମ ନିର୍ଦ୍ଦେଶକ ହୋଇଛନ୍ତି । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ୪୪ ବର୍ଷୀୟ କାଶ୍ ପଟେଲ ଏହି ଦାୟିତ୍ୱ ତୁଲାଇବେ ।
ଭାରତ ସହ କାଶ୍ ପଟେଲଙ୍କ ସମ୍ପର୍କ:
କାଶ୍ ପଟେଲ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ ସମର୍ଥକ । ତାଙ୍କର ମୂଳ ଘର ଗୁଜୁରାଟ ଆନନ୍ଦ ଜିଲ୍ଲା ଅନ୍ତର୍ଗତ ଭଦ୍ରାନ ଗ୍ରାମରେ । ସେ ପଟିଦାର ସମ୍ପ୍ରଦାୟର ଅଟନ୍ତି । ୭୦-୮୦ ବର୍ଷ ତଳେ ତାଙ୍କର ପୁରା ପରିବାର ଭାରତ ଛାଡି ଉଗାଣ୍ଡା ଚାଲିଯାଇଥିଲେ ।
କିଛି ପଟିଦାର ନେତାଙ୍କ କହିବା ଅନୁସାରେ, କାଶ୍ ପଟେଲଙ୍କ ସମସ୍ତ ପରିବାର ସଦସ୍ୟ ବିଦେଶରେ ରହୁଛନ୍ତି । ସମସ୍ତେ ଆଫ୍ରିକା ପଳାଇଯିବା ପରେ ଭଦ୍ରାନ ଗାଁରେ ଥିବା ନିଜ ପୈତୃକ ଘର ଓ ଜମିକୁ ବିକି ଦେଇଥିଲେ । ୧୯୭୧ରେ ଇଦି ଆମିନ ଉଗାଣ୍ଡାର ଶାସନ କ୍ଷମତା ହାତକୁ ନେବା ପରେ ୧୯୭୨ରେ ଏଠାରେ ବସବାସ କରୁଥିବା ସମସ୍ତ ଭାରତୀୟଙ୍କୁ ଆଫ୍ରିକା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ କାଶ୍ ପଟେଲଙ୍କ ପରିବାର ଉଗାଣ୍ଡାରୁ ଯାଇ କାନାଡାରେ ରହିଥିଲେ । ପରବର୍ତ୍ତୀ ସମୟରେ ସେଠାରୁ ସେମାନେ ଆମେରିକା ଚାଲିଯାଇଥିଲେ । ନ୍ୟୁୟର୍କରେ ପଟେଲଙ୍କ ଜନ୍ମ ।