• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍ । ଭୁଲ୍ ହୋଇଗଲା ବିଜେଡିର ଅଙ୍କକଷା । ନିଜ ଗଡ଼ ରଖିବାକୁ ସମର୍ଥ ହୋଇଛି ବିଜେପି । ବାପାଙ୍କ ଠାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଦ୍ୱିତୀୟ ସ୍ଥାନରେ ବିଜେଡିର ଅବନ୍ତୀ ଦାସ ଥିବା ବେଳେ ବିଦ୍ରୋହୀ ସାଜିଥିବା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ରହିଛନ୍ତି ତୃତୀୟରେ ।

ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା । ସମସ୍ତଙ୍କ ହାତରେ ଫୁଟିଛି ପଦ୍ମ । ବାଣ ଫୁଟୁଛି, ମିଠା ବଣ୍ଟା ଚାଲିିଛି । ଡେବ୍ୟୁ ମ୍ୟାଚ୍‌ରେ ପ୍ରତିପକ୍ଷକୁ ମାତ୍ ଦେଇଛନ୍ତି ସୂରଜ । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୨୨ବର୍ଷର ଶାସନରେ ଥିବା ବିଜେଡିକୁ ପାଣି ପିଆଇ ଦେଇଛନ୍ତି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୂରଜ ।

ସକାଳୁ ଗଣତିରେ ଟ୍ରେଣ୍ଡରେ ଥିଲା ବିଜେପି । ସପକ୍ଷରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତିର ଫଳ ଆସୁଥିଲା, ଆଉ ବିଜେପି ଶିବିରରେ ଖେଳିଯାଉଥିଲା ଉତ୍ସାହ । କେଉଁ ରାଉଣ୍ଡରେ ୪ ଶହ ତ କେଉଁଠି ୭ ଶହ, ଆଗରେ ରହୁଥିଲେ ବିଜେପି ପ୍ରାର୍ଥୀ । ବଢିଚାଲିଥିଲା ଭୋଟ୍ ବ୍ୟବଧାନ । ଆଉ କର୍ମୀଙ୍କ ମଧ୍ୟରେ ଚଢିଯାଇଥିଲା ବିଜୟର ପାରା । ଉତ୍ସାହର ସୀମା ନଥିଲା । କର୍ମୀଙ୍କ ମୁହଁରେ ଥିଲା, ଇଏ ଧାମନଗର ନୁହେଁ ଧର୍ମନଗର । ଏଠାରେ ଟଙ୍କା ପାଇଁ ବିକ୍ରି ହୁଏନି ଭୋଟ୍ ।

 

ବିଜେପି କ୍ୟାମ୍ପରେ ସେଲିବ୍ରେସନ ତ ବିଜେଡିରେ ନିରାଶା । ଗୋଟିଏ ପଟେ ମିଠାବଣ୍ଟା-ନାଚ ଗୀତ, ଅନ୍ୟପଟେ ଖାଁ ଖାଁ ଦଳୀୟ ଶିବିର । ମାତ୍ର ୪ରୁ ୫ ରାଉଣ୍ଡ ଗଣତି ପରେ ନିରାଶ ପଡ଼ିଯାଇଥିଲେ ବିଜେଡି କର୍ମକର୍ତ୍ତା । ଚୌକି ଉଠାଇ ଚାଲିଯାଇଥିଲେ କର୍ମୀ । ଶୂନଶାନ ପଡିଯାଇଥିଲା ପୁରା ପରିବେଶ । ନା କୌଣସି ନେତା ଥିଲେ ନା କର୍ମୀଙ୍କ ଦେଖାଥିଲା । ସଂଖ୍ୟା ଗଣିତରେ ଆଉ ଫେରିବା ମୁସ୍‌କିଲ ବୋଲି ଜାଣିସାରିଥିଲା ଦଳ । 

ଧାମନଗରରୁ ରାଜଧାନୀ ଭୁବନେଶ୍ୱର, ଉତ୍ସାହ କାହିଁରେ କଣ । କମ୍ପିଥିଲା ବିଜେପି ପାର୍ଟି ଅଫିସ । ବାଜା, ବାଣ ସାଙ୍ଗକୁ ଜମିଥିଲା ନାଚ ଗୀତର ଆସର ।  ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ନେତା ଓ କର୍ମୀ । କୌଣସି ବଡ ପର୍ବ ଓ ଉତ୍ସବରୁ କମ୍ ନଥିଲା ଧାମନଗର ଉପନିର୍ବାଚନ ବିଜୟର ଉଲ୍ଲାସ ।

ଧାମନଗର ବାଇ-ଇଲେକ୍ସନ ବିଜୟ । ବିଜେପିରେ ଉତ୍ସାହ ଭରିଦେଇଥିବା ବେଳେ ବ୍ୟାକଫୁଟରେ ବିଜେଡି । ସେପଟେ ଗଣତି ପୂର୍ବରୁ ୨୦ ହଜାର ଭୋଟ ପାଇବାକୁ ଆଶା ରଖିଥିବା କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଧାମନଗର ବାସୀ । ବିଜେଡି ଛାଡି ସ୍ୱାଧୀନ ପ୍ରାର୍ଥୀ ସାଜିଥିବା ରାଜେନ୍ଦ୍ର ଦାସ ବି ବଡ କରିସ୍ମା ଦେଖାଇବାରେ ବିଫଳ ହୋଇଛନ୍ତି ।