କୌଣସି ରେଷ୍ଟୁରାଣ୍ଟକୁ ଖାଇବାକୁ ଗଲାବେଳେ ଏହାର ମେନୁରେ ଇଣ୍ଡିଆନ୍, ଚାଇନିଜ୍, ଇଟାଲିଆନ୍ ଆଦି ପ୍ରକାର ଖାଦ୍ୟ ତାଲିକା ଦେଖିଥିବେ। ତେବେ ଏହି ଭିନ୍ନ ଭିନ୍ନ ଦେଶର ଖାଇବାର ପ୍ରିଫରେନ୍ସ ବା ଚାହିଦା ଅନୁଯାୟୀ ଅଲଗା ଅଲଗା ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ ହୁଏ, ଖାଦ୍ୟର ଉପାଦାନ ମଧ୍ୟ ଅଲଗା ହୋଇଥାଏ।
କେବେ ଭାବିଛନ୍ତି, ଆମେ ଭାତ ଓ ରୁଟି ସହ କିଛି ତରକାରୀ ଖାଇବା ବେଳେ ଇଟାଲୀରେ କେକ୍ ଓ ପାଉଁରୁଟି ତଥା ମଇଦାରୁ ତିଆରୁ ବିଭିନ୍ନ ବେକରୀ ଆଇଟମ୍ରେ କିପରି ପେଟ ପୂରିଯାଏ? ଚାଇନାରେ ଭାତ ଓ ନୁଡଲ୍ ସହ କେବଳ ସିଝା ପରିବା ଖାଇ କେମିତି ରୁହନ୍ତି? ଏ ସବୁ ପଛରେ ଥାଏ ଭୌଗୋଳିକ ଅବସ୍ଥିତି ଅନୁଯାୟୀ ଖାଦ୍ୟ ଦ୍ରବ୍ୟ ଉତ୍ପାଦନର କାରଣ।
ପୁରାତନ କାଳରୁ ମନୁଷ୍ୟ ନିଜର ଆବଶ୍ୟକତା ଅନୁଯାୟୀ ଯେତେବେଳେ ଚାଷକରିବା ଆରମ୍ଭ କଲା ଭୌଗୋଳିକ ସ୍ଥିତିକୁ ନେଇ ବିଭିନ୍ନ ସ୍ଥାନଗୁଡିରେ ଭିନ୍ନ ଭିନ୍ନ ଖାଦ୍ୟଶସ୍ୟ ଚାଷ କଲା। ସେହି ଅନୁଯାୟୀ ଆମର ଖାଦ୍ୟର ଚାହିଦା ବା ପସନ୍ଦ ମଧ୍ୟ ଆମ ଦେଶ ବା ସ୍ଥାନ ଅନୁଯାୟୀ ଅଲଗା ଅଲଗା ହେଲା।
ଆମ ଶରୀରକୁ ବିଭିନ୍ନ କାର୍ଯ୍ୟ କରିବା ଲାଗି ଶକ୍ତି ଆବଶ୍ୟକ ଯାହା ଆମକୁ ଖାଦ୍ୟରୁ ମିଳେ। ଏହା ହେଉଛି ଆମେ ଖାଦ୍ୟ ଖାଇବାର ପ୍ରକୃତ ଆବଶ୍ୟକତା। ମଣିଷ ସହ ସମସ୍ତ ଜୀବଜନ୍ତୁ ଏହି ନିୟମାଧୀନ। ହେଲେ ଏବେ ଆମ ପାଇଁ ଖାଦ୍ୟ କେବଳ ଏକ ଆବଶ୍ୟକତା ହୋଇ ନାହିଁ, ବରଂ ଏକ ସଉକ ପାଲଟିଯାଇଛି।
Also Read
ଆମେ ଖାଲି ପେଟ ପୂରିବା ପାଇଁ ଖାଉନେ, ବରଂ ସ୍ୱାଦ ପାଇଁ ମଧ୍ୟ ଖାଉଛେ। ଆମ ଶରୀରର ସ୍ନାୟୁତନ୍ତ୍ର ଆମକୁ ନିର୍ଦ୍ଦିଷ୍ଟ କୌଣସି ଖାଦ୍ୟର ସ୍ୱାଦ ବିଷୟରେ ସକରାତ୍ମକ ସଂକେତ ଦେଲେ ଆମେ ପୁଣି ସେହି ଖାଦ୍ୟକୁ ଦେଖିଲେ ଖାଇବାକୁ ଇଛା ହୁଏ। ଆମ ଭାରତୀୟମାନଙ୍କ ପାଇଁ ତ ଖାଦ୍ୟ ଏକ ପ୍ରକାର ଭାବନାତ୍ମକ ଜିନିଷ। ଭୋକ ଲାଗୁ କି ନ ଲାଗୁ, ଜେଜେମା, ଜେଜେବାପା ଡାକିବେ ମାନେ ଆମେ ତାଙ୍କ ସହ ବସିପଡ଼ୁ। ଘରକୁ ଅତିଥି ଆସିଲେ ତାଙ୍କ ପାଇଁ ସ୍ୱତନ୍ତ୍ର ଖାଇବା ତିଆରି ହୁଏ।
ଆମ ଭାରତ ପୃଥିବୀର ନାତିଶୀତୋଷ୍ଣ ଅଞ୍ଚଳରେ ଅବସ୍ଥିତ। ଅର୍ଥାତ୍ ଏହାର ତାପମାତ୍ରା ବେଶୀ ଗରମ ନୁହେଁ କି ଅତ୍ୟଧିକ ଥଣ୍ଡା ନୁହେଁ। ଏଣୁ ଆମର ଖାଇବା ମୁଖ୍ୟତଃ ଭାତ ଓ ରୁଟି ଅର୍ଥାତ୍ ଶ୍ୱେତସାର ଆମ ଖାଦ୍ୟରେ ଅଧିକ ଥାଏ। କାରଣ ଧାନ ଓ ଗହମ ପାଇଁ ଆମ ଭୌଗୋଳିକ ସ୍ଥିତି ଉନ୍ନତ। ଏଥିସହ ବିଭିନ୍ନ ପ୍ରକାର ମସଲା ଦ୍ରବ୍ୟ ଯେପରି ହଳଦୀ, ଡାଲଚିନି, ଧନିଆ ଆଦି ଭାରତରେ ସହଜରେ ହୁଏ।
ଏଣୁ ଆମ ଖାଇବାରେ ସେହି ଅନୁଯାୟୀ ଭାତ, ରୁଟି, ତରକାରୀ ଆଦି ରହିଥାଏ। ସେହିପରି ପାଶ୍ଚାତ୍ୟ ଦେଶ ଯେପରି ଉତ୍ତର ଆମେରିକା ଓ ୟୁରୋପରେ ମୁଖ୍ୟ ଖାଦ୍ୟ ମାଂସ ଓ ବ୍ରେଡ୍ ଜାତୀୟ ଖାଦ୍ୟ ହୋଇଥାଏ। କଞ୍ଚା ଖାଇହେଉଥିବା ପରିବା ଯେପରିକି, ବ୍ରୋକୋଲି, ଗାଜର, ମୂଳା, ଅଲିଭ୍ ଫଳ, କ୍ୟାପ୍ସିକମ୍ ଇତ୍ୟାଦି ସେମାନେ ଅଳ୍ପ ଗ୍ରିଲ୍ କରି ଖାଆନ୍ତି। କାରଣ ଅତ୍ୟଧିକ ଥଣ୍ଡା ହେତୁ ଶ୍ୱେତସାର ଜାତୀୟ ଖାଦ୍ୟଶସ୍ୟ ସହଜରେ ହୁଏ ନାହିଁ ଏବଂ ଏପରି ଫାଇବର ଯୁକ୍ତ ଖାଦ୍ୟ ଶରୀରରେ ପାଚନ ପାଇଁ ସମୟ ନିଏ, ଯାହା ଥଣ୍ଡା ଜଳବାୟୁରେ ସେମାନଙ୍କୁ ଫିଟ୍ ରଖେ।
ଆମ ମଣିଷମାନଙ୍କ ଜିଭରେ ଥିବା ଏକ ପ୍ରକାର ସ୍ୱାଦ ବାରିବା ବଡ୍ ବା ଟେଷ୍ଟ୍ ବଡ୍ ଥାଏ ଯାହା ସ୍ୱାଦ ଚାଖିବା ପାଇଁ ଦାୟୀ। ଆମ ସ୍ନାୟୁତନ୍ତ୍ର ମଧ୍ୟ ଏହା ସହ ସଂଯୁକ୍ତ। ଆମ ମସ୍ତିଷ୍କ ପରି ଖାଦ୍ୟ ଚାହିଦାକୁ ଆମ ଖାଦ୍ୟତନ୍ତ୍ର ପରଖି ପାରୁଥିବାରୁ ଆମ ଖାଦ୍ୟନଳୀ ବା ଗଟ୍କୁ ଦ୍ୱିତୀୟ ମସ୍ତିଷ୍କ କୁହାଯାଏ।
ବର୍ତ୍ତମାନ ଜଗତୀକରଣ ବା ଗ୍ଲୋବାଲାଇଜେସନ୍ ପ୍ରଭାବରେ ପୃଥିବୀର ସବୁ ଜାଗାରେ ସବୁ ପ୍ରକାର ଖାଦ୍ୟ ମିଳୁଥିଲେ ମଧ୍ୟ ଖାଦ୍ୟ ପସନ୍ଦ କରିବାର ପ୍ରବୃତ୍ତି ଆମକୁ ଆମ ପୂର୍ବ ପିଢିରୁ ଜିନ୍ ଯୋଗେ ସଂଚରଣ ହୋଇଥାଏ। ତେଣୁ ଆମେ ଆମେରିକାରେ ରହିଲେ ମଧ୍ୟ ଆମ ଖାଦ୍ୟ ଭାତ ଓ ରୁଟି ଆମର ପ୍ରଥମ ପସନ୍ଦ ହୋଇଥାଏ।
ଗର୍ଭାବସ୍ଥାରେ ମାଆର ସ୍ୱାଦର ପସନ୍ଦ ଅନୁଯାୟୀ ଛୁଆର ସ୍ୱାଦ ଚାହିଦା ତିଆରି ହୋଇଥାଏ। ତେବେ ଗୋଟିଏ ଦେଶର ବା ସ୍ଥାନର ଖାଦ୍ୟ ଯେତେବେଳେ ଅନ୍ୟ ଦେଶ ବା ସ୍ଥାନରେ ପ୍ରସାର ହୁଏ ସେତେବେଳେ କିଛି ମାତ୍ରାରେ ଏହାର ମୌଳିକତାରେ ପରିବର୍ତ୍ତନ ଦେଖିବାକୁ ମିଳେ, ଯେପରିକି ଚାଇନିଜ୍ ଖାଇବା ନୁଡଲସ୍ ଓ ଫ୍ରାଏଡ୍ ରାଇସ୍ ପରି ଖାଦ୍ୟ ଭାରତରେ ପ୍ରସ୍ତୁତ ହେବା ବେଳେ ଭାରତୀୟ ମସଲାର ଫ୍ଲେବର ମିଳେ।
ସେହିପରି ଇଟାଲିଆନ୍ ପିଜ୍ଜା ଓ ବର୍ଗର ଆଦି ଭାରତୀୟ ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ହେବା ବେଳେ କିଛି ମାତ୍ରାରେ ଭାରତୀୟ ଚାହିଦା ଅନୁସାରେ ପନୀର, ମକ୍କା, ଧନିଆ ଆଦି ବ୍ୟବହୃତ ହୁଏ। ଆମେରିକାର ଜଳବାୟୁ କଫି ପାଇଁ ଉପଯୁକ୍ତ ହେତୁ ସେଠାରେ ମୂଳତଃ କଫି ପିଆଯାଉଥିଲା, ପରେ ଭାରତୀୟମାନଙ୍କ ଦ୍ୱାରା ଚା’ର ପ୍ରସାର ହୋଇଥିଲା।
ବିଭିନ୍ନ ଅନ୍ତର୍ଜାତୀୟ ଖାଦ୍ୟ କମ୍ପାନୀ ଯେପରି କେଏଫ୍ସି, ନେସଲେ, ମ୍ୟାକଡୋନାଲ୍ଡ ଆଦି ମଧ୍ୟ ଆଞ୍ଚଳିକ ଚାହିଦା ଅନୁଯାୟୀ ନିଜର ଖାଦ୍ୟର ଉପାଦାନରେ କିଛି ପରିବର୍ତ୍ତନ ଆଣିଛନ୍ତି। ଏଣୁ ଭୌଗୋଳିକ ସ୍ଥିତି ଅନୁଯାୟୀ ଲୋକମାନଙ୍କର ଖାଇବାର ଚାହିଦା ଓ ପସନ୍ଦ ପରିବର୍ତ୍ତନ ହୋଇଥାଏ।
ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରସାର ଫଳରେ ଏବେ ପୃଥିବୀ ଖୁବ ଛୋଟ ହୋଇଯାଇଛି। ଆମର ଖାଦ୍ୟପେୟ, ସଂସ୍କୃତି ଓ ପୋଷାକ ପରିଚ୍ଛେଦ ଯେତେ ବାହ୍ୟ ପ୍ରସାର ଦ୍ୱାରା ପ୍ରଭାବିତ ହେଲେ ମଧ୍ୟ ଆମର ମୌଳିକତା ଆମର ଜିନ୍ରେ ରହିଛି। ଏଣୁ ଆମ ନିଜ ଦେଶର ଖାଦ୍ୟରେ ଆମ ସଂସ୍କୃତି ଓ ଲୋକମାନଙ୍କ ଭାବର ଝଲକ ଥିବା ହେତୁ ଆମ ଶରୀର ତାହାକୁ ସହଜରେ ଗ୍ରହଣ କରିନିଏ।
ଆମ ପାରମ୍ପାରିକ ଖାଦ୍ୟଗୁଡ଼ିକ ପ୍ରତି ଖାଦ୍ୟତନ୍ତ୍ରରେ ଥିବା ସ୍ୱାସ୍ଥ୍ୟକର ବ୍ୟାକ୍ଟେରିଆମାନ ସହନଶୀଳ ଓ ଏହାକୁ ସହଜରେ ହଜମ କରିହୁଏ। ସେଥିପାଇଁ ନିୟମିତ ଭାବେ ଆମେ ଆମ ପାରମ୍ପାରିକ ଖାଦ୍ୟକୁ ପ୍ରାଧାନ୍ୟ ଦେବା ଉଚିତ। ସମୟ ସମୟରେ ଅନ୍ୟ ଦେଶର ଖାଦ୍ୟ ଓ ସଂସ୍କୃତିକୁ ଅନୁସରଣ କଲେ ମଧ୍ୟ ଆମ ମୌଳିକ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିବ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)