Advertisment

Nutrients: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ

ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Gestational Diabetes Meals Plan

What should be the diet of pregnant women with diabetes

ବର୍ତ୍ତମାନ ଡାଇବେଟିସ୍ ବା ମଧୁମେହଜନିତ ସମସ୍ୟା ଖୁବ୍ ସାଧାରଣ ହୋଇଯାଇଛି। ଏପରିକି କିଛି ଛୁଆଙ୍କ ଠାରେ ମଧ୍ୟ ଡାଇବେଟିସ୍‌ର ଲକ୍ଷଣ ଦେଖିବାକୁ ମିଳୁଛି। ଖୁବ୍ କମ୍ ବୟସରେ ଡାଇବେଟିସ’ର ଲକ୍ଷଣ ଦେଖାଯାଉଛି, କାରଣ ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ।

Advertisment

ଏନେଇ ଆମକୁ ମୂଳରୁ ହିଁ ଖାଦ୍ୟପେୟରେ ଧ୍ୟାନ ରଖିବାକୁ ପଡ଼ିବ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ। ଯେହେତୁ ଗର୍ଭାବସ୍ଥା ନାରୀ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅବସ୍ଥା ତେଣୁ ଏ ସମୟରେ ସୁଷମ ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ।

ଅଧିକ ପଢ଼ନ୍ତୁ: କ୍ୟାନ୍‌ସର୍‌ ବିପଦକୁ ଏଡାଇବା ପାଇଁ କ’ଣ ଖାଇବେ, କ’ଣ ଖାଇବେନି

ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ:

ଯଦି ଜଣେ ଡାଇବେଟିସ୍ ମହିଳା ଗର୍ଭଧାରଣ କରିବାକୁ ଇଛାକରନ୍ତି ତେବେ ପ୍ରଥମେ ତାଙ୍କୁ ନିଜର ସମସ୍ତ ପ୍ରକାର ମେଡିକାଲ୍‌ ଟେଷ୍ଟ୍‌ କରାଇନେବା ଜରୁରୀ ହୋଇଥାଏ। କାରଣ ଗର୍ଭଧାରଣର ପ୍ରଥମ ତିନି ଚାରି ମାସରେ ହିଁ ଶର୍କରା ସ୍ତର ଅନିୟମିତ ଭାବେ ବଢ଼ିବାରେ ଲାଗେ ଓ ଇନ୍‌ସୁଲିନ୍ କ୍ଷରଣ ଖୁବ କମିଯାଏ। ପରେ ଧିରେ ଧିରେ ଶରୀରର ହରମୋନ କ୍ଷରଣ ନିୟମିତ ହେବା ସହ ଇନ୍‌ସୁଲିନ୍ ପୂର୍ବ ପରି ନିୟମିତ କ୍ଷରଣ ହୁଏ।

Advertisment

ତେବେ ଏହି ସମସ୍ୟାଜନିତ କୌଣସି ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ନ ପଡ଼ିବାକୁ ଓ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ।

ଦୁଇଗୁଣା କ୍ୟାଲୋରୀ:

ସାଧାରଣ ଭାବେ ଗର୍ଭାବସ୍ଥାରେ ଜଣେ ମହିଳା ନିୟମିତ କ୍ୟାଲୋରୀର ଆବଶ୍ୟକତା ଠାରୁ ଦୁଇଗୁଣ ଅଧିକ କ୍ୟାଲୋରୀ ନେବା ଦରକାର ହୋଇଥାଏ। କାରଣ ତାଙ୍କୁ ତାଙ୍କର ଓ ତାଙ୍କ ଗର୍ଭସ୍ଥ ଶିଶୁର ଶୀରିରୀକ ବିକାଶ ପାଇଁ ଯତ୍ନବାନ ହେବାକୁ ହୋଇଥାଏ। ଏଥିପାଇଁ ସାଧାରଣଭାବେ ମହିଳାଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ, ଯେପରି କି ଭାତ, ଡାଲି, ଫଳ ଓ ପନିପରିବା ଏବଂ ଉଚ୍ଚ ସ୍ନେହସାର ଯୁକ୍ତ ଖାଦ୍ୟ।

ଉଚ୍ଚ କ୍ୟାଲେରୀ ଖାଦ୍ୟ ସଚେତନତା:

ତେବେ ଡାଇବେଟିସ୍ ଥିବା ମହିଳା ଉଚ୍ଚ କ୍ୟାଲେରୀ ଖାଦ୍ୟ ଖାଇବାରେ କେତେକ ସତର୍କତା ଅବଲମ୍ୱନ କରିବା ଆବଶ୍ୟକ। ଏଥିପାଇଁ ଦରକାରୀ ଶ୍ୱେତସାର ଜାତୀୟ ଖାଦ୍ୟ ଯେପରିକି ରୁଟି, ଓଟସ୍ ଇତ୍ୟାଦି ହୋଲ୍‌ଗ୍ରେନ୍ ଜାତୀୟ ଖାଦ୍ୟ ଖାଇବା ଜରୁରୀ। ଯେହେତୁ ଶ୍ୱେତସାର ଶରୀରରେ ରକ୍ତ ଶର୍କରାକୁ ଜଲ୍‌ଦି ବଢ଼ାଇଥାଏ ତେଣୁ ଏହା ସହ ଆପଣଙ୍କୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ଓ ଫାଇବର ଥିବା ଖାଦ୍ୟ ଖାଇବାକୁ ପଡ଼ିଥାଏ। ଏହି ସମୟରେ ଫଳ ରସ, ଚକୋଲେଟ୍, ଥଣ୍ଡା ପାନୀୟ ଓ ମିଠା ପଡ଼ିଥିବା ରେଡିମେଡ୍‌ ପ୍ୟାକେଜ୍ଡ ଖାଦ୍ୟ ଖାଇବା ମନା ହୋଇଥାଏ।

ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାକୁ ଟିପ୍ସ:

  • ଖାଦ୍ୟ ଖାଇବା ବେଳେ ପୌଷ୍ଟିକ ଅଦଳବଦଳ କରନ୍ତୁ, ଯେପରିକି ପ୍ରଥମେ ପ୍ରୋଟିନ୍ ଖାଇବା, ତା’ ପରେ ସାଲାଡ୍ ଆଦି ଫାଇବର୍ ଜାତୀୟ ଖାଦ୍ୟ ଓ ପରେ ଶ୍ୱେତସାର ବା କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ ଖାଇବେ। ଏହା କଲେ ଆପଣ କମ୍ ଶ୍ୱେତସାର ଗ୍ରହଣ କରିବେ ଓ ପ୍ରୋଟିନ୍ ଆଦି ଅଧିକ ଖାଇପାରିବେ।
  • ସର୍ବଦା ଧ୍ୟାନ ରଖିବା ଜରୁରୀ ଯେ ଖାଦ୍ୟର ପରିମାଣ କମ୍ କରି ଅଧିକ ଥର ଖାଇବାକୁ। ଅର୍ଥାତ୍ ଯଦି ଆପଣ ଶହେ ଗ୍ରାମ୍ ଖାଦ୍ୟ ଥରକେ ଖାଉଛନ୍ତି ତେବେ ତାହାକୁ ଭାଗ କରି ଦୁଇ ଥରରେ କିଛି ସମୟ ବ୍ୟବଧାନରେ ଖାଆନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପେଟ ଖାଲି ରହିବନି ଓ ଶର୍କରା ନିୟନ୍ତ୍ରଣରେ ରହିବ।
  • ସବୁବେଳେ ଗହମ ଅଟାର ରୁଟି ନ ଖାଇ କିଛି ମିଲେଟ୍ ତିଆରି ରୁଟି ଖାଆନ୍ତୁ, ଯେପରିକି ବାଜରା ରୁଟି, ପନିପରିବା ମିଶି ଚକଟା ଯାଇଥିବା ଅଟାରେ ପ୍ରସ୍ତୁତ ରୁଟି। ଏହା ଛଡ଼ା ସୁଆଁ, କାଙ୍ଗୁ ଆଦି ମିଲେଟ୍ ଆପଣ ସପ୍ତାହକୁ ଥରେ ଉପମା କିମ୍ୱା ବିନା ମିଠା ଖିରି ବା ଖେଚୁଡ଼ି କରି ଖାଇପାରିବେ। ମିଲେଟ୍ ଫାଇବର୍ ଓ ପ୍ରୋଟିନ୍‌ରେ ଭରପୂର ଥିବାରୁ ଏହା ଆପଣଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବ।
  • କଞ୍ଚା ଫଳ ଓ ପନିପରିବା ଯେତେ ସମ୍ଭବ ଖାଆନ୍ତୁ। ଏହା ଆପଣଙ୍କ ଶିଶୁ ପାଇଁ ମଧ୍ୟ ଏକ ଉତ୍ତମ ଖାଦ୍ୟ ହୋଇଥାଏ। ପ୍ରତିଦିନ ଅଳ୍ପ ପରିମାଣର ପିଜୁଳି ଓ ସେଓ ଆଦି ନେବାକୁ ଭୁଲନ୍ତୁ ନାହିଁ। କିନ୍ତୁ ଅଧିକ ଶର୍କରା ଜାତୀୟ ଫଳ ଯେପରିକି ଆମ୍ୱ, ଫଣସ, ସପୁରୀ, ଡାଳିମ୍ୱ ଆଦିରୁ ଦୂରେଇ ରୁହନ୍ତୁ।
  • ବାହାର ଖାଇବା ଯେପରିକି, ପ୍ୟାକେଟ୍‌ରେ ଥିବା ଜୁସ୍, ଛଣାଛଣି ଆଦି ଖାଆନ୍ତୁ ନାହିଁ। କ୍ୟାଲସିୟମ୍, ଆଇରନ୍ ଓ ଭିଟାମିନ୍ ସି ଥିବା ଖାଦ୍ୟ ଯେପରିକି ଶାଗ, ଅଁଳା, କ୍ଷୀର, ଛେନା, ଦହି ଇତ୍ୟାଦି ଖାଆନ୍ତୁ। ଏଥି ସହ ପ୍ରଚୁର ପାଣି ପିଅନ୍ତୁ ଯାହା ଆପଣଙ୍କ ଶରୀରର ଜଳୀୟ ଅଂଶକୁ ନିୟନ୍ତ୍ରଣରେ ରଖିବ।
  • ଭଲ ସ୍ନେହସାର ଖାଦ୍ୟ ଯେପରିକି ଆଲ୍‌ମଣ୍ଡ, ୱାଲ୍‌ନଟ୍ ଆଦି ନଟ୍‌ସ୍, ଫ୍ଲାକ୍ସସିଡ୍, ରାଶି ଲଡ଼ୁ, ଖୁବ୍ କମ୍ ପରିମାଣର ଦେଶିଘିଅ ଇତ୍ୟାଦି ଖାଆନ୍ତୁ।
  • ଏଥିସହିତ ଚେଷ୍ଟା କରନ୍ତୁ ସମସ୍ତ ଖାଦ୍ୟ ସମ୍ୱନ୍ଧୀୟ ଜ୍ଞାନ ପାଇଁ ଡାଏଟିସିଆନ୍ ସହ ଆଲୋଚନା କରିବାକୁ। ଡକ୍ଟର ଦେଉଥିବା ପୋଷଣଜନିତ ଔଷଧଗୁଡ଼ିକ ମଧ୍ୟ ନିୟମିତ ଖାଇବା ଜରୁରୀ ହୋଇଥାଏ। ଏଣୁ ଆପଣଙ୍କ ଡାକ୍ତର ଓ ଡାଏଟିସିଆନ୍‌ଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଡାଇବେଟିସ୍‌ରେ ରାମବାଣ ପରି କାମ କରେ ମିଲେଟ୍

ଗର୍ଭାବସ୍ଥାରେ ଇନସୁଲିନ୍‌ର ପ୍ରଭାବ:

ସାଧାରଣତଃ ଗର୍ଭାବସ୍ଥାରେ ଇନସୁଲିନ୍ କ୍ଷରଣରେ ଅନିୟମିତତା ଯୋଗୁଁ ଡାଇବେଟିସ୍ ଦେଖାଯାଏ, ଯାହାକୁ ଗେଷ୍ଟେସନାଲ୍ ଡାଇବେଟିସ୍ କୁହାଯାଏ। ଏହା ଛୁଆ ଜନ୍ମ ହେବା ପରେ ପୁଣି ଭଲ ହୋଇଯାଏ। କିନ୍ତୁ ଆଗରୁ ଡାଇବେଟିସ୍ ଥିବା ଜଣେ ମହିଳା ଗର୍ଭଧାରଣ କରିଲେ ତାଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ଓ ଖାଦ୍ୟପେୟର ଆବଶ୍ୟକତା ହୋଇଥାଏ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Diabetes Nutrients Gestational Diabetes Food For Healthy Life
Advertisment
Advertisment