Advertisment

Nutrients: ପିଲାଙ୍କ ବୃଦ୍ଧିରେ ବାଧକ ରେଡି-ଟୁ-ଇଟ୍ ଖାଦ୍ୟ ଓ ହେଲ୍‌ଥ ଡ୍ରିଙ୍କ୍

ଛୁଆକୁ ଉତ୍ତମ ଭାବେ ଘରେ ପ୍ରସ୍ତୁତ ସୁଷମ ଖାଦ୍ୟ ଦେବା ଯଦିଓ ଏକ ଚ୍ୟାଲେଞ୍ଜ୍, କିନ୍ତୁ ଅସମ୍ଭବ ନୁହେଁ। ଆଜିକାଲି ବାପା-ମାଆ ପ୍ରାୟତଃ ଚାକିରି କରୁଛନ୍ତି ଓ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ସେମାନେ ରେଡି ଟୁ ଇଟ୍ ଖାଇବା ଛୁଆଙ୍କୁ ଦିଅନ୍ତି। ଆସନ୍ତୁ ଜାଣିବା ଏହା କେତେ କ୍ଷତିକାରକ…

author-image
Jyotsna Mohapatra
ଅଦ୍ୟତନ ହୋଇଛି
Ready-to-eat foods and health drinks restrict child growth

Ready-to-eat foods and health drinks restrict child growth

ଛୁଆମାନଙ୍କର ସାଧାରଣତଃ ପାଞ୍ଚ ବର୍ଷ ଯାଏଁ ମାନସିକ ସ୍ତରରେ କ୍ଷୀପ୍ର ବୃଦ୍ଧି ହୋଇଥାଏ। ଏହି ସମୟରେ ଉତ୍ତମ ଖାଦ୍ୟ ଓ ପରିବେଶ ଯୋଗାଇଦେଲେ ଏହା ତାଙ୍କର ସର୍ବାଙ୍ଗୀନ ବିକାଶରେ ସାହାଯ୍ୟ କରେ। ପରିବେଶ ତ ପରିବାର ଓ ସାଇ ପଡ଼ିଶାଙ୍କ ଉପରେ ନିର୍ଭର କରେ। କୌଣସି ଜାଗା ଭଲ ନ ଲାଗିଲେ ଆମେ ସାଙ୍ଗେ ସାଙ୍ଗେ ଛୁଆ ପାଇଁ ଘର ପରିବର୍ତ୍ତନ କରିଦେଉ। ଛୁଆର ପାଠପଢ଼ା, ଖେଳକୁଦ ଆଦି ବିଭିନ୍ନ ସୁବିଧା ପାଇଁ ଆମେ ଅନେକ ପଦକ୍ଷେପ ନେଉଥିବା ବେଳେ ଛୁଆର ମୁଖ୍ୟ ଆବଶ୍ୟକତା ସୁଷମ ଖାଦ୍ୟ କଥା ଆମେ ଭୁଲିଯାଇଥାଉ।

Advertisment

ଟିଭି ଆଡ୍ ଦେଖି ଆମେ ବିଭିନ୍ନ ପ୍ୟାକ୍ ହୋଇଥିବା ଖାଦ୍ୟ ଆଣୁ ଯେପରିକି କର୍ଣ୍ଣଫ୍ଲେକସ୍, ଚକୋସ୍, ଅନେକ କ୍ରିମ୍‌ଦିଆ ଓ ଫ୍ଲେବର ଥିବା ବିସ୍କୁଟ୍, ଲୋଜ୍, କୁର୍‌କୁରେ ଆଦି ସ୍ନାକ୍ସ ଏହିସବୁ ଦେଉ। ହେଲେ କେବେ ଭାବିଛନ୍ତି କି, ଶିଶୁର ଠିକ ଏହି ମସ୍ତିଷ୍କ ବିକାଶ ସମୟରେ ଆମେ ତାକୁ ଏହି ସବୁ ଖାଦ୍ୟ ଯାହା ଦେଉ ତାହା ସତରେ କେତେ ପୋଷଣ ଦେଉଛି, ସତରେ କେତେ ଦରକାରୀ ବା ଅଦରକାରୀ ଜିନିଷ ତା’ ଭିତରେ ରହିଛି। କେବେ ଚିନ୍ତା କରିଛନ୍ତି?

ଖୁବ୍ କମ୍ ସମୟ ମନରେ ଏହା ଆସିଥିବ, ପୁଣି ଆପଣ ଅଣଦେଖା କରିଦେଇଥିବେ ଏହା ଭାବି ଯେ, ସବୁବେଳେ କ’ଣ ଖାଉଛି କି, ସବୁ ପିଲା ତ ପୁଣି ଖାଉଛନ୍ତି, କିଛି ତ ହେଉନି। ଆସନ୍ତୁ ଏବେ ଜାଣିବା ସତରେ କ’ଣ ରହିଛି ଏସବୁ ହେଲ୍‌ଥ ଡ୍ରିଙ୍କ୍ ଓ ପ୍ୟାକେଟ୍‌ରେ ଥିବା ଖାଦ୍ୟରେ।

Advertisment

ଛୁଆକୁ ଉତ୍ତମ ଭାବେ ଘରେ ପ୍ରସ୍ତୁତ ସୁଷମ ଖାଦ୍ୟ ଦେବା ଯଦିଓ ଏକ ଚ୍ୟାଲେଞ୍ଜ୍, କିନ୍ତୁ ଅସମ୍ଭବ ନୁହେଁ। ଆଜିକାଲି ବାପା-ମାଆ ପ୍ରାୟତଃ ଚାକିରି କରୁଛନ୍ତି ଓ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଏଣୁ ସେମାନେ ଚାହୁଁଛନ୍ତି ଯେତେ ଶୀଘ୍ର ପାରିବେ ଘର କାମ ସାରି ଅଫିସ୍ ଯିବେ। ଏଥିପାଇଁ ସେମାନେ ରେଡି ଟୁ ଇଟ୍ ଖାଇବା ବା ପୂର୍ବ ପ୍ରସ୍ତୁତ ଖାଦ୍ୟ, ଜୁସ୍, ହେଲ୍‌ଥ ଡ୍ରିଙ୍କ୍ ଆଦି ନିଜେ ପିଅନ୍ତି ଓ ଛୁଆଙ୍କୁ ବି ଦିଅନ୍ତି।

କ୍ଷତିକାରକ ପ୍ୟାକେଜ୍ ଖାଦ୍ୟ:

ହେଲେ ଥରେ ଏହି ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକ ଆଣିବା ବେଳେ ଏହା ଉପରେ ଥିବା ପୋଷକ ତାଲିକା ବା ଲେବଲ୍ ଚେକ୍ କରିଛନ୍ତି କି? ଥରେ ଦେଖନ୍ତୁ, ତା’ ପରେ ଆପଣ ଜାଣିପାରିବେ ହେଲ୍‌ଥ ଡ୍ରିଙ୍କ୍ ନାଁ ରେ ଆମେ ଛୁଆକୁ କ’ଣ ଦେଉଛେ। ବଜାରରେ ଉପଲବ୍ଧ ଏହି ପରି ପ୍ୟାକେଜ୍ ଖାଇବା ଓ ହେଲ୍‌ଥ ଡ୍ରିଙ୍କ୍‌ରେ କମ୍ପାନୀ ଦାବି କରୁଥିବା ଭିଟାମିନ୍ ଅପେକ୍ଷା ବେଶୀ ଥାଏ ଶର୍କରା ବା ସୁଗାର।

ସିଧାସଳଖ ଭାବେ ଆମେ ଚାମଚ ପରେ ଚାମଚ ଚିନି ଛୁଆମାନଙ୍କୁ ହେଲ୍‌ଥ ଡ୍ରିଙ୍କ୍ ଓ ଜୁସ୍ ଆଦି ମାଧ୍ୟମରେ ଦେଉଛେ। ରେଡିମେଡ୍ ଖାଇବାରେ ଅତ୍ୟଧିକ ଫ୍ୟାଟ୍ ବା ଅଦରକାରୀ ସ୍ନେହସାର, ଶର୍କରା, ମଇଦା ଆଦି ରହୁଛି। ଏହା ସହ ବିଭିନ୍ନ କୃତ୍ରିମ ରଙ୍ଗ, ଫ୍ଲେବର ଓ ବହୁ ଦିନ ରହିବା ପାଇଁ ପ୍ରିଜର୍‌ଭେଟିଭ୍ ବା ସଂରକ୍ଷକ ଦିଆଯାଉଛି ଯାହା ନିୟମିତ ଖାଇବା ଦ୍ୱାରା ଆମ ଛୁଆର ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଲକ୍ଷ ହୁଏ।

ଚକୋଲେଟ୍, କମଳା, ଆମ୍ୱ, ଷ୍ଟ୍ରବେରୀ, ଭାନିଲା ଆଦି ବିଭିନ୍ନ ଫ୍ଲେବର ଦେଇ ପ୍ରସ୍ତୁତ ହେଉଥିବା ଏହି ଜିନିଷରେ ଏହବି ଫଳର ଏକ ପ୍ରତିଶତ ବି ନଥାଏ ବୋଲି ଆପଣ ସେହି ଖାଦ୍ୟର ପ୍ୟାକେଟ୍‌ରେ ଥିବା ଲେବଲ୍ ଦେଖିଲେ ଜାଣିପାରିବେ। ଏହି ସବୁ ଖାଇବା ଦ୍ୱାରା ୨ରୁ ୫ ବର୍ଷ ଯାଏଁ ପିଲାମାନଙ୍କର ବ୍ୟବହାରଗତ ପରିବର୍ତ୍ତନ, ପାଠ ପଢ଼ାରେ ଏକାଗ୍ରତା ନ ଆସିବା, ବିଚଳିତ ହେବା ଓ ଅତ୍ୟଧିକ ମୋଟା ହେବା ପରି ଲକ୍ଷଣ ଏବେ ବହୁ ଛୁଆମାନଙ୍କଠାରେ ଦେଖାଯାଉଛି।

ବିଶେଷ କରି ସହରରେ ରହୁଥିବା ବାପାମାଆମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜିକାଲି ଟିଭି ଓ ଅନ୍ୟାନ୍ୟ ସୋସିଆଲ୍ ମିଡିଆରୁ ବଡ଼ ବଡ଼ ଷ୍ଟାର୍‌ଙ୍କ ଦ୍ୱାରା ବିଜ୍ଞାପନ ଦେଖି ଆମେ ଏହିସବୁ ଖାଦ୍ୟ କିଣି ଥାଉ। ହେଲେ ଆମେ ଜାଣୁନା ଯେ ସେହିସବୁ ବିଜ୍ଞାପନର କୌଣସି ସତ୍ୟତା ନ ଥାଏ। ଏଥି ସହ ଏସବୁ ଖାଇବା ବା ପିଇବା ଦ୍ୱାରା ଛୁଆମାନଙ୍କର ଇମ୍ୟୁନିଟି ନଷ୍ଟ ହୋଇଥାଏ। ଖୁବ୍ କମ୍ ବ୍ୟବଧାନରେ ଦେହ ଖରାପ ହୁଏ ଓ ଅନେକ ଔଷଧ ଖାଇବାକୁ ପଡ଼େ ଯାହା ଦ୍ୱାରା ବଡ଼ ହେଲେ ତାକୁ ଅନେକ ପ୍ରକାର ଶୀରୀରିକ ସମସ୍ୟା ଭୋଗିବାକୁ ପଡ଼େ।

ଏହାକୁ ଏଡ଼େଇବାକୁ କ’ଣ କରିପାରିବା:

ଆମର ପାରମ୍ପରିକ ଖାଦ୍ୟକୁ ପିଲାଙ୍କୁ ଦେବା ନିହାତି ଦରକାର, ଯାହାଦ୍ୱାରା ସେମାନଙ୍କର ବୁଦ୍ଧିର ସଠିକ ବିକାଶ ହେବ। ଜଲ୍‌ଦି ତିଆରି ହୋଇପାରୁଥିବା ପରି ଅନେକ ଖାଦ୍ୟ ଆମ ରୋଷେଇ ଘରେ ରହିଛି ଯାହା ଆମେ କେବେ ଦେଖିବାକୁ ଚେଷ୍ଟା କରିନେ। ଚୁଡ଼ା, କଦଳୀ, ଛେନା, ଗୁଡ଼ ପକାଇ ଆପଣ ଛୁଆବେଳେ କେତେ ଖାଇଥିବେ। ଭାବିଲେ ସକାଳୁ ଏହା ଖାଇ ସ୍କୁଲ୍ ଗଲା ପରେ ଆପଣ ମଧ୍ୟାହ୍ନ ଭୋଜନ ଯାଏଁ ଭୋକ ଅନୁଭବ କରନ୍ତି ନି।

ଚଣା, ଗହମ, ଚୁଡ଼ା, ବାଦାମ, କାଜୁ ପ୍ରଭୃତି ଅଳ୍ପ ଭଜା ହୋଇ ଗୁଣ୍ଡ ହୋଇ ଛତୁଆ ତିଆରି କରି ଆପଣ ରଖିଦେଇ ପାରିବେ। ଚକୋସ୍ ବା କର୍ଣ୍ଣ ଫ୍ଲେକ୍‌ସ୍ ପରି କ୍ଷୀରରେ ଗୋଳେଇ କେଇ ସେକେଣ୍ଡ ମଧ୍ୟରେ ଆପଣଙ୍କ ଛୁଆକୁ ଦେଇପାରିବେ ଏହି ହେଲ୍‌ଦି ଆଉ ଟେଷ୍ଟି ଖାଇବା।

ମ୍ୟାଗି ଚାଓମିନ୍ ବଦଳରେ ଆମେ ଚୁଡ଼ା ବା ସୁଜିର ଉପମା ବନେଇପାରିବା ଯାହା ଖୁବ୍ କମ୍ ସମୟରେ ତିଆରି ହୁଏ। ମୁଗ, ବୁଟ ଆଦିର ଗଜା ପ୍ରସ୍ତୁତ କରି ସେଥିରେ ଲେମ୍ୱୁ ଲୁଣ ଆଦି ପକାଇ ସ୍ୱାଦିଷ୍ଟ ଚାଟ୍ କରି ପିଲାଙ୍କୁ ଦେଇପାରିବେ। ମୁଢ଼ି, ଚୁଡ଼ାଭଜା, ବାଦାମ ଭଜା ଆଦି ସ୍ନାକ୍ସ ଘରେ ତିଆରି କରି ରଖି ପିଲାଙ୍କୁ ଦିଅନ୍ତୁ। ଏବେ ମିଲେଟ୍ ଖାଇବା ନେଇ ସଚେତନ କରାଯାଉଥିବା ବେଳେ ଆପଣ ବି ପିଲାକୁ ମିଲେଟ୍ ତିଆରି ଖାଇବା ଦିଅନ୍ତୁ। ମ୍ୟାଗି ବଦଳରେ ମାଣ୍ଡିଆ, କାଙ୍ଗୁ, ସୁଆଁ ଆଦିରେ ପ୍ରସ୍ତୁତ ନୁଡଲ୍ସ ଓ ସିମେଇ ଆଦି ଦିଅନ୍ତୁ।

ସମସ୍ତ ପ୍ରକାର ମିଲେଟ୍‌ର ଚୁଡ଼ା ମଧ୍ୟ ବଜାରରେ ଉପଲବ୍ଧ। ଏହା ମଧ୍ୟ ଆପଣ କ୍ଷୀର ସହ ଫଳ ମିଶାଇ ଛୁଆକୁ ଦେଇ ପାରିବେ। ହେଲ୍‌ଥ ଡ୍ରିଙ୍କ୍ ଭାବେ ବାଦାମ, କାଜୁ ଓ ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ଭାଜି ଗୁଣ୍ଡ କରି କ୍ଷୀରରେ ଗୋଳି ଦେଇପାରିବା। ଓଟସ୍, ଖଜୁରୀ, ବିଭିନ୍ନ ଫଳ ଓ କ୍ଷୀର ପକାଇ ବିଭିନ୍ନ ସେକ୍ ବା ସ୍ମୁଦି ଘରେ କରିଦେଇପାରିବେ।

ଘରେ ବିଭିନ୍ନ ଫଳରୁ ଜୁସ୍ ପ୍ରସ୍ତୁତ କରିପାରିବେ। ଖରାଦିନେ ଥଣ୍ଡା ପାନୀୟର ଟେଟ୍ରାପ୍ୟାକ୍ ବଦଳରେ ମିଶ୍ରି ପାଣିରେ ପାନମହୁରୀ, ଚିଆସିଡ୍ ବା ନାଣ୍ଡିବଗୁଲି ମଞ୍ଜି ପକାଇ ପାନୀୟ ପ୍ରସ୍ତୁତ କରିପାରିବେ। ସବୁବେଳେ ଚକୋଲେଟ୍ ନ ଦେଇ ଘରେ କିଛି କ୍ୟାଣ୍ଡି ବନେଇ ରଖିପାରିବେ ଯାହା ଛୁଆ ପସନ୍ଦ କରିବ।

ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣିବାକୁ ଆପଣ କୌଣସି ଡାଏଟିସିଆନ୍ ବା ପୋଷଣ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରନ୍ତି। ସବୁଠାରୁ ମୁଖ୍ୟ କଥା ହେଲା ଆପଣ ଛୁଆକୁ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ। ଏହା ଦ୍ୱାରା ତା’ର ଶରୀର ସମସ୍ତ ପ୍ରକାର ଖାଦ୍ୟକୁ ଚିହ୍ନି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିବ।

ଛୁଆର ପ୍ରଥମ ୫ ବର୍ଷ ଅତ୍ୟନ୍ତ ଜରୁରୀ ସମୟ ହୋଇଥାଏ ମସ୍ତିଷ୍କ ବିକାଶ ପାଇଁ। ଏଣୁ ଏହି ସମୟରେ ବାକି ସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ତା’ର ଖାଦ୍ୟ ପେୟ ଠିକ ରଖିବା ଅତ୍ୟନ୍ତ ଜରୁରୀ। ତେବେ ଆମେ ଏକ ସ୍ୱାସ୍ଥ୍ୟବାନ୍ ଓ ବୁଦ୍ଧିମାନ୍ ନାଗରିକ ଆମ ସମାଜକୁ ଦେଇପାରିବା।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Healthy Food Nutrients From Child Care Home
Advertisment
Advertisment