• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆଗକୁ ମାଣବସା ଗୁରୁବାର ଆସୁଛି। ସବୁ ଓଡ଼ିଆଙ୍କ ଘରେ କେତେ ପିଠା ପଣା ହେବ। ଛଣା ପିଠା, ସିଝା ପିଠା, ବରା ଆଦି କେତେ କ’ଣ ତିଆରି ହେବ ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ପାଇଁ। ଖାଲି ଓଷା ବ୍ରତ କ’ଣ, ଅନ୍ୟ ସମୟରେ ପାଟି ସୁଆଦ ପାଇଁ ବି ଆମେ ଘରେ ବିଭିନ୍ନ ଛଣା ପିଠା, ପକୁଡ଼ି, ବରା, ଆଳୁଚପ୍ ଇତ୍ୟାଦି ଛାଣୁ ଓ ଖୁସିରେ ସେ ସବୁକୁ ଖାଉ।

ତେବେ ଏତେ କଥା କହିବାର ମାନେ ହେଲା ଏହିସବୁ ଜିନିଷ ଆମେ କେଉଁ ତେଲରେ ଛାଣୁ ? ଆପଣଙ୍କ ଭିତରୁ ଅନେକ ଆଜିକାଲି ଟିଭିରେ ବିଜ୍ଞାପନ ଦେଖି କିଣୁଥିବା ବିଭିନ୍ନ ପ୍ରକାର ରିଫାଇନ୍ ତେଲ କଥା କହିବେ। ସନ୍‌ଫ୍ଲାୱର ତେଲ, ରାଇସ୍ ବ୍ରାନ୍, କ୍ୟାନୋଲା, ସୋୟାବିନ୍ ତେଲ ଆଦି ଅନେକ ପ୍ରକାର ତେଲ ଯାହା ତାପ ଦିଆଯାଇ ପ୍ରକ୍ରିୟାକରଣ ହୁଏ ଅର୍ଥାତ୍ ରିଫାଇନ୍ ହୋଇଥାଏ, ତାହା ଏବେ ସବୁ ଜାଗାରେ ଉପଲବ୍ଧ।

ଆମେ ସମସ୍ତେ କିଛି ବଡ଼ ବଡ଼ ଟିଭି ଷ୍ଟାର୍‌ଙ୍କ ଦ୍ୱାରା ପ୍ରସାରିତ ବିଜ୍ଞାପନ ଦେଖି ଭାବୁ ଏହା ହିଁ ପ୍ରକୃତରେ ପୁଷ୍ଟିକର ତେଲ ଯାହା ଆମେ ଛଣାଛଣି ପାଇଁ ବ୍ୟବହାର କରିପାରିବା। ହେଲେ ଏ ସବୁଥିରେ ବି କିଛି ଏମିତି ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।

ତେଲର ବ୍ୟବହାର:

ପ୍ରଥମେ ଜାଣିବା ଆମେ ତେଲକୁ ଖାଦ୍ୟରେ ମିଶାଇବା କାହିଁକି? ଆମ ଶରୀରକୁ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଓ ଭିଟାମିନ୍ ସବୁ ଆବଶ୍ୟକ ପରିମାଣରେ ଦରକାର ହୋଇଥାଏ। କୌଣସି କାରଣରୁ ଏଥିରୁ କେଉଁ ଗୋଟିଏରେ ଅନିୟମିତତା ଦେଖାଦେଲେ ପୁରା ଶରୀର ଖରାପ ହେବା ଆରମ୍ଭ କରେ ଓ ଆମକୁ ବାହ୍ୟ ଲକ୍ଷଣ ଦେଖାଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁସାରେ ଏକ ସୁସ୍ଥ ବ୍ୟକ୍ତି ଦିନକୁ ୨୦-୩୦ଗ୍ରା ଫ୍ୟାଟ୍ ବା ସ୍ନେହସାର ଖାଇବା ଆବଶ୍ୟକ କରେ। ଯଦି ଗର୍ଭବତୀ ହୋଇଥାନ୍ତି କିମ୍ୱା ଅନ୍ୟ କୌଣସି ଶାରୀରିକ ସମସ୍ୟା ଥାଏ ତେବେ ଏହି ପରିମାଣ କମ୍ ବେଶୀ ହୋଇଥାଏ।

ତେବେ ଏହା ହେଉଛି ସିଧାସଳଖ ଭାବେ ଆମେ ଖାଉଥିବା ଫ୍ୟାଟ୍ ଅର୍ଥାତ୍ ଖାଇବା ତେଲ, ଘିଅ, ମାଛ-ମାଂସ, କ୍ଷୀର ଜାତୀୟ ଖାଦ୍ୟ ଇତ୍ୟାଦି। ଏହା ବାଦ ଅନେକ ଖାଦ୍ୟ ଆମେ ଖାଉ ଯେଉଁଥିରେ ଫ୍ୟାଟ୍ ଥାଏ କିନ୍ତୁ ଆମେ ଜାଣି ନ ଥାଉ। ଏହି ଫ୍ୟାଟ୍ ବେଳେ ବେଳେ ଅପକାରୀ ହୋଇଥାଏ ଓ ଚର୍ବି ଭାବେ ଆମ ଶରୀରରେ ସଂଚିତ ହୋଇ ରହେ ଯାହା ପରେ ବିଭିନ୍ନ ପ୍ରକାର ରୋଗର କାରକ ହୁଏ।

ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଓ ଅନ୍‌ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଭାବେ ଫ୍ୟାଟ୍‌କୁ ଦୁଇ ଭାଗ କରାଯାଇଛି। ଏଥିରୁ ଅନ୍‌ସାଚୁରେଟେଡ୍ ଫ୍ୟାଟି ଏସିଡ୍ ହେଉଛି ଉପକାରୀ ଫ୍ୟାଟ୍ ଯାହା ଆଜିକାଲିର ରନ୍ଧା ତେଲରେ ଥିବା କୁହାଯାଉଛି। ଏଣୁ ତେଲକୁ ଆମେ ନିୟମିତ ଖାଇବାରେ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ।

କିପରି ପ୍ରକ୍ରିୟାକରଣ ହୁଏ ରିଫାଇନ୍ ତେଲ:

ଆଗରୁ ଘରେ ଘରେ ଘଣାରେ ପେଡ଼ା ହୋଇଥିବା ତେଲ ବ୍ୟବହାର ହେଉଥିଲା। ଏଥିରେ ସିଧାସଳଖ ତେଲ ଉତ୍ପାଦନକାରୀ ମଞ୍ଜିକୁ ଘଣାରେ ପକାଇ ପେଶା ଯାଇ ତେଲ ବାହାରୁଥିଲା। ଏହାର ବାସ୍ନା ଖୁବ ପ୍ରାକୃତିକ ଥିଲା ଓ ଅନେକ ଧୂଳି ଓ ଗୁଣ୍ଡ ଆଦି ମିଶି ରହୁଥିଲା। ସେତେବେଳେ ଛଣାଛଣି ପାଇଁ ସାଧାରଣତଃ ଚିନାବାଦାମ ତେଲ ବ୍ୟବହାର କରାଯାଉଥିଲା।

ଚିନାବାଦାମ ପ୍ରୋଟିନ୍ ଓ ଉପକାରୀ ଫ୍ୟାଟ୍‌ରେ ଭରପୂର ଥିବାରୁ ଏହି ତେଲ ଶରୀର ପାଇଁ ଭଲ ହୋଇଥାଏ। ହେଲେ ଧିରେ ଧିରେ ଏବେ କମ୍ ଖର୍ଚ୍ଚରେ ଅନେକ ମଞ୍ଜି ତେଲ ମିଳିବା ସହଜ ହୋଇଗଲାଣି। ସୋରିଷ ତେଲକୁ ସାଧାରଣ ଭାବେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରାୟତଃ ରୋଷେଇରେ ବ୍ୟବହାର କରାଯାଏ। ଏହା କମ୍ ଫ୍ୟାଟ୍‌ଯୁକ୍ତ ଓ ପୁଷ୍ଟିସାର ଥିବାରୁ ଖାଇବା ତେଲ ଭାବେ ଶରୀରରକୁ ଉପକାରୀ ହୋଇଥାଏ।

ଶୁଦ୍ଧ କଞ୍ଚା ସୋରିଷକୁ ଘଣାରେ ପେଶି ସୋରିଷ ତେଲ ବାହାରକରି ସେତେବେଳେ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ହେତୁ ଖର୍ଚ୍ଚ ଓ ସମୟ ବଞ୍ଚାଇବାକୁ ଯାଇ ଆମେ ରିଫାଇନ୍ ତେଲ ଖାଇବା ଆରମ୍ଭ କଲେ। ଏହି ପ୍ରକ୍ରିୟାରେ ମଞ୍ଜିକୁ ପେଶାଯାଇ ସେଥିରୁ ତେଲ ବାହାରିବା ପରେ ସେହି ତେଲରେ ପାଣି କିମ୍ୱା ଏସିଡ୍ ମିଶାଯାଇ ଏହାର ଚିକିଟା ଅଂଶକୁ କାଢ଼ିଦିଆଯାଏ।

ଏହା ପରେ ତେଲରୁ ଅପକାରୀ ଫ୍ୟାଟି ଏସିଡ୍, ଚର୍ବି, ମହମ ଜାତୀୟ ପଦାର୍ଥ ପରି ଅଦରକାରୀ ଦ୍ରବ୍ୟ କାଢ଼ିବାକୁ ଏହାକୁ ପାତନ ପ୍ରକ୍ରିୟାରେ କଷ୍ଟିକ୍ ସୋଡ଼ା ମିଶାଯାଇ ତାପ ପ୍ରୟୋଗ କରାଯାଏ। ଏହା ପରେ ଏଥିରୁ ବ୍ଲିଚିଂ ଦ୍ୱାରା ଅନ୍ୟ କେତେକ କେମିକାଲ ମିଶାଇ କ୍ଲୋରୋଫିଲ୍ ଓ ଏପରି ଅନ୍ୟ ବର୍ଣ୍ଣ ଲବକଗୁଡ଼ିକ ଅଲଗା କରାଯାଏ। ଏହା ପରେ ଏହାକୁ ଉଚ୍ଚ ଚାପରେ ରଖାଯାଏ ଯାହା ଏଥିରୁ ଖରାପ ଗନ୍ଧ ବାହାର କରିଥାଏ।

ପରେ ଏହି ତେଲରୁ ଫିଲ୍‌ଟର୍ କରି ସମସ୍ତ କଠିନ ମଇଳା ଉପାଦାନ କଢ଼ାଯାଏ ଓ ଭିଟାମିନ୍ ଆଦି ମିଶାଯାଇଥାଏ। ଏହାପରେ ପ୍ରସ୍ତୁତ ହୁଏ ରିଫାଇନ୍ ତେଲ। ହେଲେ ଏତେ ସବୁ ପ୍ରକ୍ରିୟାକରଣ ହୋଇ ବାହାରିବା ପରେ ଏଥିରୁ ଅନେକ ଉପକାରୀ ଫ୍ୟାଟ୍ ନଷ୍ଟ ହୋଇଯାଏ।

ଆମେ କରୁଥିବା ଭୁଲ:

ତେବେ ସାଧାରଣଭାବେ ଆମ ଘରମାନଙ୍କରେ ଥରେ ଛଣାଛଣି ସରିବା ପରେ ସେ ତେଲକୁ ଆମେ ରଖିଦେଉ ରୋଷେଇରେ ବ୍ୟବହାର କରିବା ପାଇଁ କିମ୍ୱା ଆଉଥରେ ଛାଣିବାକୁ। ଏମିତି ଚାଲେ ତେଲ ସରିବା ଯାଏଁ। କିନ୍ତୁ ଏହା କରିବା ଦ୍ୱାରା ଆମେ ତେଲ ଭାବରେ ନିହାତି ଅପକାରୀ ଚର୍ବି ଖାଇଥାଉ ଯାହା ଆମ ହୃତ୍‌ପିଣ୍ଡ ପାଇଁ ବିଷ ହୋଇଥାଏ।

ତେଲକୁ ବାରମ୍ୱାର ଗରମ କରିବା ଦ୍ୱାରା ଏଥିରେ ଥିବା ଫ୍ୟାଟି ଏସିଡ୍ ବା ଉପକାରୀ ଫ୍ୟାଟ‌୍‌ର ଉପାଦାନ ପରିବର୍ତ୍ତନ ହୁଏ। କାରଣ ତାପ ପ୍ରୟୋଗ ଦ୍ୱାରା ଏହି ମୁଖ୍ୟ ଉପାଦାନ ଭାଙ୍ଗି ସାଚୁରେଟେଡ୍ ଫ୍ୟାଟି ଏସିଡ୍‌ରେ ପରିଣତ ହୁଏ ଯାହା ଆମ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଣୁ ଯେତେଦୂର ସମ୍ଭବ ରିଫାଇନ୍ ଥରେ ଛଣାଛଣି କରିସାରିବା ପରେ ଆଉ ବ୍ୟବହାର କରନ୍ତୁନି।

ଯଦି ଆପଣ ଘିଅ ବ୍ୟବହାର କରୁଛନ୍ତି ତେବେ କିଛି ଅସୁବିଧା ନାହିଁ। ଘିଅରେ ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଥାଏ ଯାହା ତାପ ପ୍ରୟୋଗ ଦ୍ୱାରା ମଧ୍ୟ କୌଣସି ଭାବେ ବଦଳେ ନାହିଁ। ଅଳ୍ପ ପରିମାଣରେ ଏହା ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ। ଏଣୁ ବଟର୍ ଜାଗାରେ ଜଣେ ସୁସ୍ଥ ବ୍ୟକ୍ତି ଘିଅ ଖାଇପାରିବେ। ହେଲେ ଶୁଦ୍ଧ ଦେଶୀ ଘିଅ ଅପେକ୍ଷାକୃତ ଭାବେ ଅଧିକ ପୁଷ୍ଟିକର।

କେଉଁ ତେଲ ବ୍ୟବହାର କରିବେ:

ଯଦି ଆପଣଙ୍କ ପାଖରେ ଘଣାରେ ପେଶା ସୋରିଷ ତେଲ ମିଳୁଛି ତେବେ ତାହା ନିୟମିତ ରୋଷେଇରେ ଆପଣ ବ୍ୟବହାର କରିପାରିବେ। ତେଲ କିଣିବା ବେଳେ ଏଥିରେ ହେଉଥିବା ଅପମିଶ୍ରଣ ପ୍ରତି ଧ୍ୟାନ ରଖି ଭଲ ବ୍ରାଣ୍ଡ୍‌ର ଅପମିଶ୍ରିତ ହୋଇ ନ ଥିବା ତେଲ ହିଁ ଆଣନ୍ତୁ। ସନ୍‌ଫ୍ଲାୱାର ବା ସୂର୍ଯ୍ୟମୁଖୀ ତେଲ, ରାଇସ୍‌ବ୍ରାନ୍ ତେଲ ଆପଣ ନିୟମିତ ଖାଦ୍ୟ ରନ୍ଧାରେ ବ୍ୟବହାର କରିପାରିବେ।

ଯଦି ଆପଣଙ୍କ କୌଣସି ରୋଗଜନିତ ଲକ୍ଷଣ ଅଛି ତେବେ ତେଲ ବ୍ୟବହାର ସମ୍ୱନ୍ଧରେ କୌଣସି ଡାଏଟିସିଆନ୍‌ଙ୍କଠାରୁ ପରାମର୍ଶ ନିଅନ୍ତୁ। ଦୈନିକ ୩ରୁ ୪ ଛୋଟ ଚାମଚ ତେଲ ଜଣେ ଖାଇପାରିବେ। ଏଠାରେ କେତେକ ଅଲିଭ୍ ତେଲ ବ୍ୟବହାର କଥା କୁହନ୍ତି କାରଣ ଏହା ବିଲ୍‌କୁଲ୍‌ ଫ୍ୟାଟ୍ ମୁକ୍ତ ଓ ଭିଟାମିନ୍ ଇ ଯୁକ୍ତ ହୋଇଥାଏ।

ଏଠାରେ ଧ୍ୟାନ ଦେବା ଜରୁରୀ ଯେ ଭାରତୀୟ ମସଲାଯୁକ୍ତ ଖାଦ୍ୟ ଓ ଓଡ଼ିଶାର ବିଭିନ୍ନ ତରକାରୀ ଅଧିକ ସମୟ ଧରି ରନ୍ଧାହୁଏ ଏବଂ ଆମେ କିଛି ପ୍ରାକୃତିକ ମସଲା ନିହାତି ଖାଉ। ଏଣୁ ଏଥିପାଇଁ ଭାରତୀୟ ଖାଦ୍ୟ ରାନ୍ଧିବାରେ ଅଲିଭ୍ ତେଲ ଉପଯୁକ୍ତ ହୋଇ ନ ଥାଏ। ଏଥିରେ ଥିବା ଭିଟାମିନ୍ ଇ ଅଧିକ ତାପ ପ୍ରୟୋଗ ଦ୍ୱାରା ନଷ୍ଟ ହୋଇଯାଏ ଓ ସ୍ୱାଦ ମଧ୍ୟ ଦିଏ ନାହିଁ। ତେବେ ସାଧାରଣ ଭଜା, ଅମଲେଟ୍ ଆଦିରେ ଅଲିଭ୍ ତେଲ ବ୍ୟବହାର ହୋଇପାରିବ।

ଏଣୁ ଆଜିଠାରୁ ବଜାରରୁ ତେଲ କିଣିବା ବେଳେ ଟିଭି ବିଜ୍ଞାପନ ନ ଦେଖି ତେଲ ପ୍ୟାକେଟ୍‌ରେ ଥିବା ଅସଲି ବ୍ରାଣ୍ଡ୍‌ ଚେକ୍ କରନ୍ତୁ। ଯେତେ ସମ୍ଭବ ଚେଷ୍ଟା କରନ୍ତୁ ଘଣାରେ ପେଶା ତେଲ ଆଣିବା ପାଇଁ। ନିୟମିତ ଭାବେ ଅଳ୍ପ ଦେଶୀ ଘିଅ ଖାଦ୍ୟରେ ଖାଇବାକୁ ଚେଷ୍ଟା କରନ୍ତୁ। କୌଣସି ଶାରୀରିକ ସମସ୍ୟା ଥିଲେ କିମ୍ବା କୌଣସି ରୋଗର ଲକ୍ଷଣ ଥିଲେ ଆପଣଙ୍କ ନିକଟସ୍ଥ ଡାଏଟିସିଆନଙ୍କ ସହ ପରାମର୍ଶ କରି ତେଲ ବ୍ୟବହାର କରନ୍ତୁ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)