/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747147007.jpg)
ରାମକୃଷ୍ଣ ଦୀଘା ମନ୍ଦିର ଟ୍ରଷ୍ଟି !
ଇସ୍କନ ଧରାଇଲା, ଦୀଘାକୁ ଧାମ ଆଖ୍ୟା ଦେଇ ମୁହଁ ଭୁରୁଡ଼ି ମାରୁଥିବା ଦିଦିଙ୍କ ମିଛ । ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଦେଇ ଇସ୍କନ ଲେଖିଛି- ଦୀଘାକୁ ଜଗନ୍ନାଥ ଧାମ ଭାବେ ନାମିତ କରାଯିବା ପଛରେ କେବଳ ପଶ୍ଚିମବଙ୍ଗ ସରକାର, ଆମର କୌଣସି ହାତ ନାହିଁ । ତେଣୁ ଧାମ ବିବାଦ ପ୍ରସଙ୍ଗରେ କେବଳ ମମତା ସରକାର ହିଁ ତଥ୍ୟ ଦେଇ ପାରିବେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶ୍ରୀମନ୍ଦିର ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସ ମହାପାତ୍ର ବା ରାଜେଶ ଦଇତାପତି ମଧ୍ୟ ଦୀଘା ମନ୍ଦିରର ଜଣେ ଟ୍ରଷ୍ଟି ବୋଲି ଚିଠିରୁ ସାମ୍ନାକୁ ଆସିଛି । ଏସବୁ ଭିତରେ ଆଜି ପୁରୀରେ ଆୟୋଜିତ ହୋଇଥିଲା ପୁରୀ ହିଁ ଜଗନ୍ନାଥ ଧାମ ଶୀର୍ଷକ ଆଲୋଚନାଚକ୍ର ।
ହାତ ଝାଡ଼ିଦେଲା ଇସ୍କନ । ଧରାଇଦେଲା ଦିଦିଙ୍କ ମିଛ । କହିଲା- ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପଛରେ ଆମ ଭୂମିକା ଶୂନ୍ । ସବୁ ପଶ୍ଚିମବଙ୍ଗ ସରକାରଙ୍କ ଡିସିସନ୍ । ଦୀଘା ମନ୍ଦିରକୁ ମମତା ସରକାର ଜଗନ୍ନାଥ ଧାମ ଆଖ୍ୟା ଦେବାକୁ ନେଇ ଚାଲିଥିବା ମହା ବିବାଦର ଘଣ୍ଟାଚକଟା ଭିତରେ ଇସ୍କନ ରଖିଛି ଏଭଳି ବଡ଼ ବୟାନ । ଦୀଘା ଜଗନ୍ନାଥ ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି କେମିତି ରହିଲେ ? ଏହାର କାରଣ ଜାଣିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗତ ୭ ତାରିଖରେ ଲେଖିଥିବା ଚିଠିର ଉତ୍ତର ରଖି ମାୟାପୁର ସ୍ଥିତ ଇସ୍କନ ଗଭର୍ଣ୍ଣିଂ ବଡି କମିଶନ୍ ସୋସାଇଟି ଅଧ୍ୟକ୍ଷ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି- ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗ ସରକାରଙ୍କର, ଏଥିରେ ଆମର କୌଣସି ହାତ ନାହିଁ ।
ଅଧିକ ପଢ଼ନ୍ତୁ: ଟ୍ରମା ଡମ୍ପିଂ କାହିଁକି ଘଟେ ଏବଂ ଅନ୍ୟମାନଙ୍କୁ ଆଘାତ ନ ଦେଇ ଏଥିରୁ ସୁସ୍ଥ ହେବେ କିପରି?
ସେହିପରି ସେଇ ମନ୍ଦିର ପରିଚାଳନା ପାଇଁ ଯେଉଁ ଟ୍ରଷ୍ଟ ଗଠନ କରାଯାଇଛି ସେଥିରେ ଇସ୍କନରୁ ମାତ୍ର ଜଣେ ସଦସ୍ୟ ଅଛନ୍ତି। ଇସ୍କନକୁ କେବଳ ସେଠି ସେବାପୂଜା ଦାୟିତ୍ବ ଦିଆଯାଇଛି । ଶ୍ରୀମନ୍ଦିର ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସ ମହାପାତ୍ର ବା ରାଜେଶ ଦଇତାପତି ମଧ୍ୟ ଦୀଘା ମନ୍ଦିରର ଜଣେ ଟ୍ରଷ୍ଟି । ପୁରୀରୁ କାଠରେ ଦିଅଁ ନିର୍ମାଣ କରି ସେ ଦୀଘା ଆଣି ପ୍ରାଣ ପ୍ରତିଷ୍ଠା କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଶିଷ୍ୟା ବୋଲି ମଧ୍ୟ କହିଥିଲେ। ଯେହେତୁ ଦୀଘାକୁ ଧାମ ନାମକରଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗ ସରକାରଙ୍କର, ତେଣୁ ଏ ସଂକ୍ରାନ୍ତରେ ମମତା ସରକାରଙ୍କୁ ପଚାରିଲେ ସେ ହିଁ ସଠିକ୍ ଉତ୍ତର ଦେଇପାରିବେ ବୋଲି ଚିଠିରେ ଉଲ୍ଲେଖ କରିଛି ଇସ୍କନ ।
ସେପଟେ ପୁରୀରେ ଶ୍ରୀଜଗନ୍ନାଥ ଚେତନା ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ପୁରୀ ହିଁ ଜଗନ୍ନାଥ ଧାମ’ ଶୀର୍ଷକ ଆଲୋଚନାଚକ୍ରରେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଯେମିତି କେହି ଜଗନ୍ନାଥ ଧାମରେ ନାମିତ କରି ପାରିବେ ନାହିଁ, ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନ ଆଣିବାକୁ ପରାମର୍ଶ ଦିଆଯାଇଛି। ଯଦି ପଶ୍ଚିମବଙ୍ଗ ସରକାର ତାଙ୍କ ଜିଦ୍ରୁ ନଓହରନ୍ତି ତାହାଲେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବାକୁ ଓଡ଼ିଶା ସରକାରଙ୍କ ମାଧ୍ୟମରେ ନିବେଦନ କରାଯିବ ବୋଲି ମତ ପ୍ରକାଶ ପାଇଛି । ଏଣେ ଆଜି ରାଜ୍ୟପାଳଙ୍କୁ ଭେଟି ଏକ କଡ଼ା ସ୍ମାରକପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା। ଏହାର ଆବାହକ କହିଛନ୍ତି- ଶ୍ରୀମନ୍ଦିର ସେବାୟତ ଥାଇ ସେଠି ଠାକୁରଙ୍କ ପ୍ରାଣ ପ୍ରତିଷ୍ଠା କରି ବିବାଦକୁ ଆସିଥିବା ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଗିରଫ କରାଯାଉ। ତେବେ ଏ ନେଇ ରାମକୃଷ୍ଣ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଏବେ ଦେଖିବାର କଥା ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେଇ ଆକ୍ରୋଶ ଘେରକୁ ଆସିଥିବା ଥିବା ମମତା ସରକାର, କେବେ ବଦଳାଉଛନ୍ତି ନିଷ୍ପତ୍ତି, ନା ଓଡ଼ିଶା ସରକାରଙ୍କୁ ଆଇନଗତ ଲଢ଼େଇ ଲଢ଼ିବାକୁ ପଡୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)