• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

କ୍ୟାନ୍‌ସର୍‌ ନା ଶୁଣିଲେ ନିଶ୍ଚୟ ଅନେକଙ୍କ ମନରେ ଭୟ ଆସୁଥିବ କାଳେ ସେ କେବେ ଏଥିରେ ପିଡିତ ହେଇଯିବେ କି? ଯଦିଓ ଏହାର ଚିକିତ୍ସାରେ ଅନେକ ଅଗ୍ରଗତି ଆସିଛି ଓ କ୍ୟାନ୍‌ସର୍‌ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି, କିନ୍ତୁ ଏହି ରୋଗ ଆକ୍ରମଣରୁ ବଞ୍ଚିବାର ବାଟଟି ଏ ଯାଏଁ ବାହାରି ନାହିଁ।

ତେବେ ଏମିତି କିଛି କରିହେବ ଯାହା ଦ୍ୱାରା ଆମେ କେବେ ବି କ୍ୟାନସରର ଶିକାର ହେବା ନାହିଁ। ଆମେ ବର୍ତ୍ତମାନ ଯେପରି ଖାଦ୍ୟ ଖାଉଛେ ଓ ଆମର ଜୀବନଶୈଳୀ ଯେପରି ଅଛି ତାହା ନିଃସନ୍ଦେହରେ କ୍ୟାନସର ପାଇଁ ଅନୁକୂଳ। ଏଣୁ ଆମର ଜୀବନଶୈଳୀରେ କିଛି ପରିବର୍ତ୍ତନ ସହ ଆମ ଖାଦ୍ୟର ମାନ ଅନୁଯାୟୀ ଖାଇଲେ କ୍ୟାନସର ପରି ଦୁସାଃଧ୍ୟ ରୋଗ ଆମକୁ ପ୍ରଭାବିତ କରିପାରିବ ନାହିଁ। ତେବେ ଆସନ୍ତୁ ଆଜି ଆମେ ଏହି କ୍ୟାନ୍‌ସର୍‌ର ଡାଏଟ୍ ବିଷୟରେ ଜାଣିନେବା।

ତେବେ ପ୍ରଥମେ ଆସନ୍ତୁ ଜାଣିବା ଏହି କ୍ୟାନ୍‌ସର୍‌ ଆମ ଶରୀରକୁ ଆସେ କିପରି? ଏହା ହେଉଛି ଆମ ଶରୀରର କୋଷଗୁଡିକର ଅନିୟମିତ ବିଭାଜନର ଏକ ଅବସ୍ଥା। ଆମ ଶରୀରରେ କୋଷ ବିଭାଜନ ଅହରହ ଚାଲୁଛି। ନିତିଦିନ କିଛି ନା କିଛି ପୁରୁଣା କୋଷିକା ନଷ୍ଟ ହୁଏ ଆଉ ନୂଆ କୋଷିକାର ଜନ୍ମ ହୁଏ। ତେବେ ଏହା ଏକ ନିୟମିତ ହାରରେ ହୁଏ। ଯଦି କୌଣସି କାରଣରୁ ଏହି ବିଭାଜନ ହାର ବଢ଼ିଯାଏ ତେବେ ଅସୀମିତ ଭାବେ କୋଷ ବିଭାଜନ ହୁଏ।

କୌଣସି ଅଙ୍ଗରେ କୋଷବିଭାଜନ ଅନିୟମିତ ଭାବେ ବୃଦ୍ଧି ପାଇବା ଦ୍ୱାରା ଟ୍ୟୁମର ସୃଷ୍ଟିହୁଏ ଯାହା ବେଳେବେଳେ ସାଧାରଣ ହୋଇଥାଏ, କିନ୍ତୁ ଯେତେବେଳେ ଏହା କ୍ୟାନ୍‌ସର୍‌ କୋଷରୁ ତିଆରି ହୋଇଥାଏ, ଏହା ବହୁଶୀଘ୍ର ବଢ଼େ ଓ ଏହାକୁ ମାଲିଗ୍‌ନାଣ୍ଟ ବୋଲି କୁହାଯାଏ। ଏହି କୋଷଗୁଡ଼ିକୁ କାର୍ସିନୋଜେନିକ୍ ବା କ୍ୟାନ୍‌ସର୍‌ କାରକ କୋଷ କୁହାଯାଏ। ଏମାନଙ୍କର କ୍ରୋମୋଜମ୍ ସାଧାରଣ କୋଷର କ୍ରୋମୋଜମ୍‌ଠାରୁ ଅଧିକ ସଂଖ୍ୟକ ହୋଇଥାଏ।

ତେବେ ଥରେ ଏପରି କୋଷ ବିଭାଜିତ ହେବା ଆରମ୍ଭ କଲେ ସାରା ଶରୀରକୁ ବ୍ୟାପିଯିବାର ସମ୍ଭାବନା ଥାଏ। ଏହା ଆମର ରୋଗପ୍ରତିରୋଧକ ବ୍ୟବସ୍ଥାକୁ ମଧ୍ୟ ଅଚଳ କରିଦିଏ। ଏଣୁ ଯେକୌଣସି ଜାଗାରେ ଟ୍ୟୁମର ହେଲେ ପ୍ରଥମେ ଡାକ୍ତରଙ୍କୁ ଦେଖାଇବା ଜରୁରୀ।

କ୍ୟାନ୍‌ସର୍‌ ଚିହ୍ନଟ ହେବା ଦିନଠାରୁ ବିଭିନ୍ନ ପର୍ଯ୍ୟାୟରେ ହେଉଥିବା ଚିକିତ୍ସା ସମୟରେ ଶରୀରର ବିଭିନ୍ନ ପରିବର୍ତ୍ତନ ହୁଏ। କ୍ୟାନ୍‌ସର୍‌ର ସ୍ତରକୁ ଦେଖି ଏହାର ଚିକିତ୍ସା କରାଯାଏ। ଆଣ୍ଟିବାୟୋଟିକ୍, ଅପରେସନ୍ ଓ କେମୋଥେରାପି କିମ୍ୱା ରାଡ଼ିଏସନ୍ ଥେରାପି ଆଦି ଚିକିତ୍ସା ଚାଲିବା ବେଳେ ରୋଗୀର ଭୋକହେବା ପ୍ରକ୍ରିୟା, ଖାଦ୍ୟ ହଜମ ହେବା ପ୍ରକ୍ରିୟା, ଓଜନ କମିଯିବା ଆଦି ସମସ୍ୟା ସାଧାରଣ ଭାବେ ଦେଖାଯାଏ। ଏହି ସମୟରେ ରୋଗୀର ସ୍ୱାଦର କ୍ଷମତା ମଧ୍ୟ କମିଯାଏ।

କ୍ୟାନସର ଡାଏଟ୍:

ଭୋକ ନ ଲାଗିବା, ପାଟି ଶୁଖିଯିବା, ଡାଇରିଆ, ବାନ୍ତି ଲାଗିବା ଆଦି ସମସ୍ୟା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ। ତେବେ ଭୋକ ନ ଲାଗିବା ସମସ୍ୟା ଯୋଗୁଁ ଅଳ୍ପ ଅଳ୍ପ କରି ବାରମ୍ୱାର ଖାଇବାକୁ ହେବ। ଅଧିକ ପୁଷ୍ଟିସାର ଓ ଫାଇବର ଯୁକ୍ତ ଖାଦ୍ୟ ନେବା ଜରୁରୀ। ସରଳ ଭାବରେ ଅଧିକ ରନ୍ଧାଯାଇ ନଥିବା ଖାଦ୍ୟ ଖାଇବା ଜରୁରୀ।

ଚୋପାଛଡ଼ା ଫଳ, ଅଧିକ ଜଳୀୟ ଅଂଶ ରହୁଥିବା ଫଳ, କମ ମସଲାରେ ପ୍ରସ୍ତୁତ ମାଛ ବା ଅନ୍ୟ ପରିବା ଆଦି, ଦହି, ଛତୁଆ, ଡାଲି ପାଣି ଓ ସୁପ୍ ଆଦି, ଏହି ସମୟରେ ଖାଇଲେ ଉପଯୁକ୍ତ ପୋଷଣ ମିଳେ। ଯଦି ଚିକିତ୍ସା ସମୟରେ ଲାକ୍ଟୋଜ୍ ଇନ୍‌ଟଲେରାନ୍ସ ବା କ୍ଷୀରରେ ଥିବା ଲାକ୍ଟୋଜ୍ ଜନିତ ଅସହ୍ୟତା ଡେଭଲପ୍ ହୁଏ, ସେଠାରେ ସିଧା ସଳଖ କ୍ଷୀର ନ ଦେଇ ଦହି ଓ ଛେନା କିମ୍ୱା ସୋୟା କ୍ଷୀର ଜାତୀୟ ଖାଦ୍ୟ ଦିଆଯାଇପାରିବ।

ସର୍ଜରୀ ହୋଇଥିଲେ ନୋଜୋଗ୍ୟାଷ୍ଟ୍ରିକ୍ ବା ନାକ ଦେଇ କିମ୍ୱା ଏଣ୍ଟେରାଲ୍ ବା ସିଧା ପାକସ୍ଥଳୀକୁ ଟ୍ୟୁବ୍ ଯୋଗେ ଖାଦ୍ୟ ଦେବା କିମ୍ୱା ପ୍ୟାରେଣ୍ଟ୍ରାଲ୍ ନ୍ୟୁଟ୍ରିସନ୍ ବା ଟ୍ୟୁବ୍ ଯୋଗେ ରକ୍ତ ମଧ୍ୟକୁ ପୋଷଣ ଦେବା ପ୍ରକ୍ରିୟା ଆଦି ଦ୍ୱାରା ରୋଗୀକୁ ଉପଯୁକ୍ତ ପୋଷଣ ଦିଆଯାଏ।

କ୍ୟାନସର ରିସ୍କ ଡାଏଟ୍:

ଏବେ ଜାଣିବା କିଛି ଖାଦ୍ୟ ବିଷୟରେ ଯାହା ଖାଇବା ଦ୍ୱାରା କ୍ୟାନସର ହେବାର ରିସ୍କ ରୁହେ। ରିଫାଇନ୍ ସୁଗାର ବା ଚିନି, ଅତ୍ୟଧିକ ଶ୍ୱେତସାରଯୁକ୍ତ ଖାଦ୍ୟ ଯେପରି କି ମୂଳ ପରିବା ଯାହାର ସ୍ୱାଦ ମିଠା, ଅରୁଆ ଭାତ ଓ ଚର୍ବି ଯୁକ୍ତ ଖାଦ୍ୟ ଯେପରି ମଟନ୍ ଆଦି ଖାଇବା ଦ୍ୱାରା କ୍ୟାନସର କୋଷ ତିଆରି ହେବାର ଆଶଙ୍କା ରହିଥାଏ। ରକ୍ତରେ ଶର୍କରା ପରିମାଣ ବଢ଼ିବା ଓ ଇନ୍‌ସୁଲିନ୍ କମ୍ କ୍ଷରଣ ହେବା କ୍ୟାନ୍‌ସର୍‌ ସେଲ୍ ତିଆରିକୁ ପ୍ରଭାବିତ କରେ।

ଏହା ସହିତ ଦରକାର ଠାରୁ ଅଧିକ ରନ୍ଧା ହୋଇଥିବା, ଛଣା ଖାଦ୍ୟ, ବାରମ୍ୱାର ପ୍ରକ୍ରିୟାକୃତ ହୋଇ ପ୍ରିଜର୍ଭ ହୋଇ ରହୁଥିବା ଖାଦ୍ୟ ଯେରିକି ପିଜା, ବର୍ଗର ଓ ବିଭିନ୍ନ ନନ୍‌ଭେଜ୍ ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍‌ସର୍‌ର ଆଶଂକା ବଢ଼େ। ଡାଇବେଟିସ୍ ଥିବା ବ୍ୟକ୍ତିମାନଙ୍କର କୋଲୋନ୍ କ୍ୟାନ୍‌ସର୍‌ ହେବାର ରିସ୍କ ୨୨ ପ୍ରତିଶତ ଅଧିକା ଥାଏ। ମଟନ୍ ବା ଚିକେନ୍‌କୁ ବିଭିନ୍ନ ଉପାୟରେ ରାନ୍ଧି ଖାଇବା ଦ୍ୱାରା କ୍ୟାନ୍‌ସର୍‌ ସେଲ୍ ତିଆରି ହେବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି।

କ୍ୟାନ୍‌ସର୍‌ର ଅନ୍ୟାନ୍ୟ ରିକ୍ସ:

ଆଉ ଏକ କାରଣ ହେଉଛି ମୋଟାପଣ ବା ଅଧିକ ଓଜନ। ଦରକାରଠୁ ଅଧିକ ଓଜନ ରହିଲେ ଆମ ଶରୀରରେ ପ୍ରଦାହ ସୃଷ୍ଟି କରୁଥିବା ସାଇଟୋକାଇନ୍ ତିଆରି ହୁଏ ଯାହା କ୍ୟାନସର ସେଲ୍ ତିଆରିରେ ସହାୟକ ହୁଏ। ଏଥିସହିତ ସ୍ତ୍ରୀମାନଙ୍କର ମେନୋପଜ୍ ପରେ ମୋଟାପଣ ଯୋଗୁଁ ଅଧିକ ଇଷ୍ଟ୍ରୋଜେନ୍ କ୍ଷରଣ ହୁଏ ଯାହା ସ୍ତନ କର୍କଟ ଓ ଓଭାରୀ କର୍କଟ ସୃଷ୍ଟି ପାଇଁ ଦାୟୀ ହୋଇଥାଏ।

ଯଦି ଉପଯୁକ୍ତ ଖାଦ୍ୟ ଦ୍ୱାରା ମୋଟାପଣକୁ ଦୂର କରାଯାଏ ତେବେ କ୍ୟାନ୍‌ସର୍‌ ହେବାର ଆଶଂକା କମ୍ ହୋଇଥାଏ। ଏଥିସହିତ କୋଲ୍ଡ ଡ୍ରିଙ୍କସ ବା ଅନ୍ୟ ଥଣ୍ଡା ପାନୀୟ ଓ କୃତିମ ରଙ୍ଗ ଓ ଫ୍ଲେବର ଯୁକ୍ତ ଖାଦ୍ୟ ସେବନ ଦ୍ୱାରା ମଧ୍ୟ କ୍ୟାନ୍‌ସର୍‌ର ରିସ୍କ ବଢ଼ିଥାଏ।

କ୍ୟାନସର ବିରୋଧି ଖାଦ୍ୟ:

ଏବେ ଦେଖିବା କିଛି ଖାଦ୍ୟ ଯାହା ଖାଇବା ଦ୍ୱାରା ଆମେ କ୍ୟାନସର୍‌ ଠାରୁ ଦୂରରେ ରହିପାରିବା। କ୍ୟାନ୍‌ସର୍‌ ପାଇଁ ଯଦିଓ କୌଣସି ସୁପର୍‌ଫୁଡ୍ ନାହିଁ, ତେବେ ଆମେ ଏପରି କିଛି ଖାଦ୍ୟ ଖାଇବା ଦରକାର ଯାହା କ୍ୟାନ୍‌ସର୍‌ ହେବାର ରିସ୍କ କମ୍ କରିବ ବା କ୍ୟାନ୍‌ସର୍‌ କରାଉଥିବା କୋଷ ବିଭାଜନକୁ ରୋକିପାରିବ।

ବିଭିନ୍ନ ପ୍ରକାର ସବୁଜ ପନିପରିବା ଖାଇବା ଦ୍ୱାରା ଆଣ୍ଟିଅକ୍ସିଡାଣ୍ଟ ତିଆରି ହୁଏ ଯାହା କ୍ୟାନ୍‌ସର୍‌ କୋଷ ତିଆରିକୁ ରୋକେ। ନିୟମିତ ଫଳ ଖାଇବା ଦ୍ୱାରା ପାକସ୍ଥଳୀ କ୍ୟାନ୍‌ସର୍‌ ଆଶଂକା ୨୦ ପ୍ରତିଶତ କମିଯାଇଥାଏ। ପ୍ରତ୍ୟହ ୪ ଗ୍ରାମ୍ ହଳଦୀ ସେବନ ଦ୍ୱାରା କ୍ୟାନ୍‌ସର୍‌ ପ୍ରତିରୋଧ ହୋଇଥାଏ। ହଳଦୀ ଏକ ଉତ୍ତମ ଇମ୍ୟୁନିଟି ବୁଷ୍ଟର ବା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଏଣୁ ଏହା ନିୟମିତ ସେବନ ଦ୍ୱାରା କ୍ୟାନ୍‌ସର୍‌ ସେଲ୍ ତିଆରି ହୋଇ ନ ଥାଏ।

ବିଭିନ୍ନ ନଟସ୍ ଯେପରି ଆଲ୍‌ମୋଣ୍ଡ, ୱାଲ୍‌ନଟ୍ ଆଦି ଉପକାରୀ ସ୍ନେହସାର ଓ ଓମେଗା ୩ ରେ ଭରପୂର ଖାଦ୍ୟ ଯାହା କ୍ୟାନ୍‌ସର୍‌ ଆଶଂକା କମ୍ କରେ। କ୍ଷୀର ଜାତ ଦ୍ରବ୍ୟ ସେବନ ଦ୍ୱାରା କୋଲୋନ୍ କ୍ୟାନ୍‌ସର୍‌ର ଭୟ କମିଥାଏ କିନ୍ତୁ ଅଧିକ ପ୍ରକ୍ରିୟାକୃତ କ୍ଷୀର ଜାତ ଖାଦ୍ୟ କ୍ୟାନ୍‌ସର୍‌ ରିସ୍କ ବଢ଼ାଏ।

ପ୍ୟାକେଜ୍ କ୍ଷୀର ନ ଖାଇ ଦେଶୀ ଗାଈ କ୍ଷୀର ଖାଇବାରେ କ୍ୟାନସର ରୋକିବାରେ ଅଧିକ ସହାୟକ ହୋଇଥାଏ। ଆଜିକାଲି ଗାଈମାନଙ୍କଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଅନେକ ହରମୋନ୍ ଓ ଆଣ୍ଟିବାୟୋଟିକ୍ ଦିଆଯାଉଥିବାରୁ ସେମାନଙ୍କଠୁ ଆସୁଥିବା କ୍ଷୀର ଖାଇବା ଦ୍ୱାରା କ୍ୟାନ୍‌ସର୍‌ ସହିତ ଅନ୍ୟ କେତେକ ରୋଗ ହେବାର ଆଶଂକା ଥାଏ।

ଅଧିକ ପରିମାଣର ପ୍ରୋଟିନ୍ ବା ପୁଷ୍ଟିସାର ଯୁକ୍ତ ଖାଦ୍ୟ କ୍ୟାନ୍‌ସର୍‌ ଚିକିତ୍ସା ସମୟରେ ବି ନେଇହେବ ଏବଂ କ୍ୟାନ୍‌ସ୍‌ର ରୋକିବା ପାଇଁ ମଧ୍ୟ ଖାଇବା ଜରୁରୀ। ଅଧିକ ପରିମାମରେ ଉଦ୍ଭିଦଜାତ ଖାଦ୍ୟ ଯେପରି କି ଡାଲି, ଗଜା ମୁଗ ଓ ବୁଟ, ଫଳ ଓ ପନିପରିବା, ସୋୟା ଇତ୍ୟାଦି ଖାଇବା ଦ୍ୱାରା କ୍ୟାନ୍‌ସର୍‌ର ଆଶଂକା କମିଥାଏ। କେମୋ ସମୟରେ ଓଜନ ହ୍ରାସ ଓ ଡାଇରିଆରୁ ବଞ୍ଚିବାକୁ ଆମକୁ ଏକ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡ଼ିବ।

ବର୍ତ୍ତମାନ ବଜାରରେ ମିଳୁଥିବା ପ୍ରାୟ ସମସ୍ତ ଖାଦ୍ୟ ଦ୍ରବ୍ୟ ଔଷଧଯୁକ୍ତ ହୋଇଥିବା ବେଳେ ଆମେ ଚେଷ୍ଟାକରିବା କିଛି ଜୈବିକ ଉପାୟରେ ଫଳ ଓ ପନିପରିବା ଆମ ଛାତ ଉପରେ ଓ ବାଡ଼ିରେ ଉତ୍ପାଦନ କରିବା ଓ ନିୟମିତ ଖାଦ୍ୟର ଅଂଶ କରିବା। ଏହାଦ୍ୱାରା ମନ ଓ ଶରୀର ଉଭୟ ସୁସ୍ଥ ରହିବ। କ୍ୟାନସର ସମ୍ପୂର୍ଣ୍ଣ ଭଲ ହୋଇପାରୁ ନଥି ବା ରୋଗ ହୋଇଥିଲେ ମଧ୍ୟ ଏହିପରି କିଛି ଖାଦ୍ୟାଭ୍ୟାସ ଦ୍ୱାରା ଆମେ ଏହାର ଅତିଶୟ ଭୟଙ୍କର ରିସ୍କକୁ କମେଇପାରିବା ଓ କ୍ୟାନ୍‌ସର୍‌ ସହ ଲଢ଼ିପାରିବା।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)