• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମା’ ମୋର ଚକୋଲେଟ୍‌ ଖାଇ ଦେଉଛି । ତାକୁ ଜେଲରେ ଭର୍ତ୍ତି କର । ସେ ମୋତେ ନିର୍ଯାତନା ଦେଉଛି । ’ ନିଜ ମା’ ବିରୋଧରେ ଥାନାରେ ଅଭିଯୋଗ କଲା ୩ ବର୍ଷର କୁନି ପୁଅ । ମଧ୍ୟପ୍ରଦେଶରୁ ଏଭଳି ଏକ ମଜାଦାର ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଫଟୋରେ ଦେଖିବାକୁ ମିଳୁଛି, ଜଣେ ମହିଳା ସବ୍-ଇନ୍ସପେକ୍ଟର ପିଲାଟିର ଅଭିଯୋଗ ଲେଖୁଛନ୍ତି । ଆଉ ପାଖକୁ ଲାଗି ମା’ ବିରୋଧରେ ଅଭିଯୋଗର ଫର୍ଦ୍ଦ ଗଣାଇ ଚାଲିଛି ପିଲାଟି । ତେବେ ଶିଶୁଟିର ଜିଦ୍ ଦେଖି ମହିଳା SI ଜଣକ ବାଧ୍ୟ ହୋଇ ଅଭିଯୋଗ ରଖିଛନ୍ତି ।

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା ଠାରୁ ପ୍ରାୟ ୭୦ କିଲୋମିଟର ଦୂର ସ୍ଥିତ ଦେଢ଼ତଲାଇ ଗାଁରୁ ଏପରି ଏକ ମଜାଦାର ମାମଲା ସାମ୍ନାକୁ ଆସିଛି । ବାପାଙ୍କୁ ସାଥୀରେ ଧରି ପିଲାଟି ମା’ ବିରୋଧରେ ଥାନାରେ ଅଭିଯୋଗ କରିଛି । ପ୍ରକୃତ କଥା ହେଲା କୁନି ପିଲାଟିକୁ ତା’ ମା’ ଗାଧୋଇ ଦେଉଥିଲେ । ଆଉ ପାଣି ଭିତରେ ପିଲାଟି ବଦମାସି କରୁଥିଲା । ମଗ୍‌ରେ ପାଣି ଧରି ଏପଟେ ସେପଟେ ଫିଙ୍ଗିବା ପରେ ମା’ ତାକୁ ଏକ ଚାପୁଡ଼ା ମାରିଥିଲେ । ମାଡ଼ ଖାଇବା ପରେ ପିଲାଟି କାନ୍ଦି କାନ୍ଦି ପ୍ରଥମେ ବାପାଙ୍କ ନିକଟରେ ଅଭିଯୋଗ କରିଥିଲା । ଆଉ ତା’ପରେ ତିନି ବର୍ଷର କୁନି ପୁଅଟି ବାପାଙ୍କୁ ଟାଣି ଟାଣି ଥାନା ନେଇଯାଇଥିଲା । ଆଉ ସେଠାରେ ଖନି ଖନି ହୋଇ ମା’ର ନିର୍ଯାତନାର କାହାଣୀ ବଖାଣିଥିଲା ।

ପ୍ରଥମେ ପିଲାଟିର ଅଭିଯୋଗ ଶୁଣି ଏଏସଆଇ ପ୍ରିୟଙ୍କା ନାୟକ ହସି ହସି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପିଲାଟି ତାଙ୍କର କୌଣସି କଥା ମାନି ନଥିଲା । ଶେଷରେ ମହିଳା ଏସଆଇଙ୍କୁ ପିଲାଟିର ଅଭିଯୋଗ ଲେଖିବାକୁ ପଡିଥିଲା ।

ପିଲାଟି ଅଭିଯୋଗରେ ଲେଖିଛି 'ମା’ ମୋତେ ସବୁବେଳେ ମାରୁଛି । ଡରାଇବା ସହ, ମୋତେ ଖେଳିବାକୁ ମଧ୍ୟ ଦେଉନି । ମୋର ସମସ୍ତ ଜିନିଷ, ଚକୋଲେଟ୍, ବିସ୍କୁଟ ଇତ୍ୟାଦି ଚୋରି କରି ନିଜେ ଖାଇ ଦେଉଛି । ମୁଁ ଏତେ ବଡ଼ ହେଲିଣି ହେଲେ କେବେ ମୋତେ ଟଙ୍କାଟିଏ ବି ଦିଏନି । ବାପା ଯାହା ଟଙ୍କା ଦିଅନ୍ତି, ସବୁ ନିଜେ ରଖିନିଏ । ଏପରି ଅଭିଯୋଗ ପରେ ମହିଳା ଏଏସଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇ ପିଲାଟିକୁ ବାପା ସହ ପଠାଇ ଦେଇଛନ୍ତି । ତେବେ ଏହି ଅଭିଯୋଗ ସମ୍ପର୍କରେ ଯିଏ ବି ଶୁଣୁଛି, ସିଏ ହସି ହସି ଗଡ଼ି ଯାଉଛି ।