• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଛି । ଦିଲ୍ଲୀ ଏଆଇସିସି ମୁଖ୍ୟାଳୟ ସମେତ ସମସ୍ତ ରାଜ୍ୟର ପିସିସି କାର୍ଯ୍ୟାଳୟରେ ଭୋଟ୍ ଦେଇଛନ୍ତି ୯ ହଜାର କଂଗ୍ରେସ ସଦସ୍ୟ । ବେଙ୍ଗାଲୁରୁରେ ମଲ୍ଲିକାର୍ଜୁନ୍ ଖଡ଼ଗେ, ଥିରୁଅନନ୍ତପୁରମରେ ଶଶି ଥରୁର୍ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ୍ ବକ୍ସରେ ସିଲ୍ ହୋଇଯାଇଛି । ସୋନିଆ ଓ ପ୍ରିୟଙ୍କା ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ପି.ଚିଦାମ୍ବରମ ପ୍ରମୁଖ ବି ଭୋଟ୍ ଦେଇଛନ୍ତି ।

ତେବେ ଏହାରି ଭିତରେ ଜି-୨୩ ନେତାଙ୍କ ଦାବି ଏବଂ ଗାନ୍ଧି ପରିବାରରୁ ପାରମ୍ପରିକ ଧାରାରେ ସଭାପତି ହେବା ପ୍ରସଙ୍ଗ ଏଡାଇବା ପାଇଁ ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏପଟେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଖଡଗେଙ୍କ ପ୍ରତି ଗାନ୍ଧି ପରିବାରର ପରୋକ୍ଷ ସମର୍ଥନ ଥିବା କୁହାଯାଉଥିବା ବେଳେ ଶଶି ଥରୁରଙ୍କ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।

ଥରୁରଙ୍କ ଟ୍ୱିଟ୍ ରାଜନୈତିକ ବାତାବରଣକୁ ଉଷ୍ମ ରଖିଛି । ଅଣଗାନ୍ଧି ପରିବାରର ସଦସ୍ୟ ଆଗାମୀ ଦିନରେ ନୂଆ ସଭାପତି ହେବାକୁ ଯାଉଥିବା ବେଳେ ଥରୁରଙ୍କ ଟ୍ୱିଟ୍ ପରୋକ୍ଷରେ ସଭାପତି ପଦବୀକୁ ନେଇ ଉଠାଇଛି ପ୍ରଶ୍ନ । ବର୍ତ୍ତମାନ ସମୟରେ କିଛି ଲଢ଼େଇ ଏଥିପାଇଁ କରିବାକୁ ପଡେ, ଯାହା ଇତିହାସ ହୋଇ ରହିବ । ଥରୁରଙ୍କ ଏଭଳି ଏକ ଟ୍ୱିଟ୍ ଯାହା ପରୋକ୍ଷରେ ଅନ୍ୟ କିଛି ଆଡକୁ ଇଙ୍ଗିତ କରୁଛି ।

ମଲ୍କିକାର୍ଜୁନଙ୍କୁ ଯଦି ବା ସିଧାସଳଖ ଭାବେ ଗାନ୍ଧି ପରିବାରର ସମର୍ଥକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନି, ତଥାପି ଗାନ୍ଧି ପରିବାରର ସମର୍ଥନ ରହିଛି । ଆଉ ଏଥିପାଇଁ ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଖଡଗେଙ୍କ ପ୍ରତି ଥିବା ଜଣାପଡିଛି । ଏପଟେ ସୋନିଆ ହିଁ କି-ପ୍ଲେୟାର ବୋଲି ପୂର୍ବରୁ କହିସାରିଛନ୍ତି ଖଡଗେ । ଏପଟେ ଥରୁରୁ ସିଧାସଳଖ ଗାନ୍ଧି ପରିବାରକୁ ଆକ୍ଷେପ କରିନଥିଲେ ବି ପ୍ରଚାର ବେଳେ ଅନେକ ପିସିସି ମୁଖ୍ୟ ଏବଂ ବରିଷ୍ଠ ନେତାଙ୍କ ଦେଖାନଥିବା ଅଭିଯୋଗ ଉଠାଇଥିଲେ ।

ଅନେକ ରାଜ୍ୟରେ ଖଡଗେଙ୍କୁ ପିସିସି ସଦସ୍ୟ ସ୍ୱାଗତ କରୁଥିବା ବେଳେ ତାଙ୍କୁ ଅଣଦେଖା କରାଯାଉଥିବା ଥରୁରୁ ଅଭିଯୋଗ ଉଠାଇଥିଲେ । ଏପଟେ କଂଗ୍ରେସ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରେ ବୋଲି କହିଛନ୍ତି ଅନେକ ଦଳୀୟ ନେତା । ସେପଟେ କଂଗ୍ରେସର ଲୋକତନ୍ତ୍ର ବୋଲି କିଛି ନାହିଁ ବୋଲି ଅଭିଯୋଗ ଉଠାଇଛି ବିଜେପି ।

୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧି ହିଁ ଦଳର ପରବର୍ତ୍ତୀ ମୁଖ୍ୟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହି ବର୍ଷ ଅଗଷ୍ଟ ମାସରେ ସୋନିଆ ମୁଖ୍ୟ ପଦବୀରୁ ଓହରି ଯିବା ପରେ ଦଳୀୟ ନେତାଙ୍କ ଚାପରେ ଅନ୍ତରୀଣ ସଭାପତି ଭାବେ ଏପର୍ଯ୍ୟନ୍ତ ଅଛନ୍ତି । ଏପଟେ ସଭାପତି ପଦବୀକୁ ରାହୁଲ ବାରମ୍ବାର ଅଗ୍ରାହ୍ୟ କରିଆସୁଥିଲା ବେଳେ ଅନେକ ବରିଷ୍ଠ ନେତା ମନାଇବାକୁ ଚେଷ୍ଟା କରି ହୋଇଥିଲେ ବିଫଳ ।

ବର୍ତ୍ତମାନ ସମୟରେ ଭାରତ ଯୋଡ଼ୋ ଯାତ୍ରା ରେ ମଙ୍ଗ ଧରିଥିବା ରାହୁଲ ସଭପତି ପଦବୀକୁ ନାଁ କରିଆସିଛନ୍ତି । ତେଣୁ ସଭାପତି ପଦବୀ ପାଇଁ ନିର୍ବାଚନ ହିଁ ଏକମାତ୍ର ଉପାୟ ବୋଲି ଦଳୀୟ ନେତୃତ୍ୱ ମନେ କରିଥିଲେ । ଏମିତିକି କଂଗ୍ରେସରେ ଜଣେ ନିର୍ବାଚିତ ସଭାପତି ହେବା ଓ ସାଂଗଠନିକ ନିର୍ବାଚନ ଲାଗି ଦଳର ବରିଷ୍ଠ ନେତାମାନେ ଦାବି କରି ଆସୁଥିଲେ । ଏନେଇ ୨୦୨୦ରେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ୨୩ ଜଣ ଦଳର ଅଧ୍ୟକ୍ଷ ସୋନିଆଗାନ୍ଧିଙ୍କୁ ଚିଠି ଲେଖିଥିଲେ ।

ଏହାପରେ ସେମାନଙ୍କୁ ଜି-୨୩ ବୋଲି କୁହାଯାଉଥିଲା । ଜି-୨୩ ନେତାଙ୍କ ଦାବି ଶୁଣାନଯିବାରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ିଥିଲେ । ଏମିତିକି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ମଧ୍ୟ ଦଳ ଛାଡ଼ିଛନ୍ତି । ତେଣୁ କଂଗ୍ରେସର ସଙ୍ଗଠନକୁ ମଜଭୁତ ସହ ଗାନ୍ଧି ପରିବାରରୁ ପାରମ୍ପରିକ ଧାରାରେ ସଭାପତି ହେବା ପ୍ରସଙ୍ଗ ଏଡାଇବା ପାଇଁ ଏଭଳି ନିର୍ବାଚନର ଆବଶ୍ୟକତା ଥିଲା ବୋଲି ଚର୍ଚ୍ଚା ହେଉଛି ।