• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଯଦି ବାପା ମାଆ ବଞ୍ଚିଥାନ୍ତେ.. ହୁଏତ ଦି ଓଳି ପେଟ ପୂରା ଗଣ୍ଡେ ଖାଇବାକୁ ମିଳିଥାନ୍ତା । ସ୍କୁଲ, କଲେଜ ଯାଇ ପାଠ ପଢିପାରିଥାନ୍ତେ । ବାପା ମା ଯଦି ଥାନ୍ତେ, ମୂଲ ମଜୁରୀ ଖଟି ହେଉ ପଛେ ପାଳି ପୋଷି ବଡ଼ ତ କରିଥାନ୍ତେ । କିନ୍ତୁ ବିଧାତା ସେମାନଙ୍କୁ ଅନାଥ କରିଦେଲା । ବୁଢା ଜେଜେ ବାପା ମାଆଙ୍କ ବଙ୍କା କାନ୍ଧରେ ଚାରି ଚାରିଟି କଅଁଳ ଜୀବନର ଦାୟିତ୍ୱ ବୋଝେଇ ଦେଲା ।

ଗୋଟିଏ ପଖାଳ କଂସାରେ ଦୁଇ ଭଉଣୀଙ୍କ ଆଖି । ହେଲେ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦିଏ । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦିଏ । ବେଳେ ବେଳେ ଏତକ ବି ଏଇ ଦୁଇ ଭଉଣୀଙ୍କୁ ସାତ ସପନ । ଜେଜେ ମାଆ ହାଣ୍ଡିଆ ବିକିଲେ ଘରେ ଚୁଲି ଜଳେ । ସରକାରୀ ମାଗଣା ଚାଉଳକୁ ଭାଗ ବାଣ୍ଟି ଗଣ୍ଡିଏ ଗଣ୍ଡିଏ ଖାଆନ୍ତି ୫ ପ୍ରାଣୀ କୁଟୁମ୍ବ । ସେମାନଙ୍କ ଦୁଃଖ ଦେଖିଲେ ପଥର ବି କାନ୍ଦି ଉଠିବ ।

ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ପାତେପାଣି ଗାଁର ବାସିନ୍ଦା କୁନି ହେମ୍ବ୍ରମ । ବୟସ ୭୦ । ନା ଆଖିକୁ ଠିକ୍ ସେ ଦେଖା ଯାଉଛି, ନା କାନକୁ ଠିକରେ ଶୁଭୁଛି । ବୟସର ଅପରାହ୍ନରେ ଗୋଡ଼ ଦିଇଟା ବି ଦୁର୍ବଳ ହୋଇପଡ଼ିଛି । ଅଣ୍ଟା ନଇଁ ଗଲାଣି । ହେଲେ ଦଇବ ଦେଇଥିବା ଦାୟିତ୍ୱର ବୋଝକୁ ସେ ବୋହି ଚାଲିଛନ୍ତି ।  ଟିକେ ବି ଉଁ କି ଚୁଁ ହେଉନାହାନ୍ତି ।

ଖରା, ବର୍ଷା ଓ ଶୀତ କାକରକୁ ଖାତିର ନ କରି ସବୁଦିନ ସକାଳୁ ଘରଠାରୁ ପ୍ରାୟ ଦେଢ କିଲୋମିଟର ରିକ୍ସା ଠେଲା ଟାଣି ଟାଣି ଯାଉଛନ୍ତି ୨୨୦ ନମ୍ବର ଜାତୀୟ ରାଜପଥକୁ । ରାସ୍ତା କଡ଼ରେ ଲୋକଙ୍କୁ ଚାତକ ଭଳି ଅନାଇ ରହୁଛନ୍ତି । କେହି ହାଣ୍ଡିଆ କିଣିଲେ ତାଙ୍କ ପରିବାର ଚଳିବ ।

କୁନିଙ୍କ ପୁଅ ସୁନାରାମଙ୍କ ବିବାହ ପରେ ସମସ୍ତେ ହସ ଖୁସିରେ ଥିଲେ । ହେଲେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପୁଅ ଆଖିବୁଜିଦେଲା । ପରେ ପରେ ବୋହୂ ଚମ୍ପା ବି ୪ ଛୁଆଙ୍କୁ ଅନାଥ କରି ଆରପାରିକୁ ଚାଲିଗଲା । ବାପା ମାଆ ଛେଉଣ୍ଡ ୪ ପିଲାଙ୍କ ଦାୟିତ୍ୱ ମୁଣ୍ଡାଇଲେ କୁନି । ଏପଟେ ବୟସ୍କ ସ୍ୱାମୀ ବି ଘରେ ପଡ଼ିଛନ୍ତି । ୮୫ ବର୍ଷ ବୟସରେ ତାଙ୍କ ଅଣ୍ଟାରେ ଖଟିବାକୁ ଆଉ ବଳ ନାହିଁ । ତାଙ୍କୁ ସେବା ଶୁଶ୍ରୁଷା ଆବଶ୍ୟକ ।

କଅଁଳ ଛୁଆ ଗୁଡ଼ାକ ଏମିତି ଅବସ୍ଥାରେ ବଞ୍ଚିବେ କେମିତି ! ଗାଁ ଲୋକ ସାହିପଡିଶା ସହଯୋଗ କରି ପିଏମ୍ ଆବାସ ଘର ଖଣ୍ଡିଏ ସିନା କରିଦେଲେ ହେଲେ ଏ ପରିବାରର ୬ଟି ଜୀବନ ଖାଇବ କଣ, ପିନ୍ଧିବ କଣ ଆଉ ଜୀବନ ଜୀଇଁବେ କେମିତି ! ସମସ୍ତଙ୍କ ପେଟରେ ଦାନା ଆଉ ଦେହକୁ କନା ଯୋଗାଇବାକୁ କୁନି ଝାଲମୁଢୀ ଆଉ ହାଣ୍ଡିଆ ବିକ୍ରି କରି ପରିବାର ପୋଷିବାକୁ ନିଷ୍ପତ୍ତି ନେଲେ ।

ଜେଜେମାଆଙ୍କୁ ସବୁ କାମରେ ଝିଅମାନେ ସାହାଯ୍ୟ କରୁଛନ୍ତି । ରୋଷେଇ ପାଇଁ ଜଙ୍ଗଲରୁ କାଠ ଆଣି ଦେଉଛନ୍ତି । ଜେଜେମା ସାଙ୍ଗେ ହାଣ୍ଡିଆ, ଝାଲମୁଢି ବିକିବାକୁ ବି ଯାଉଛନ୍ତି । ଦରକାର ପଡ଼ିଲେ ରିକ୍ସା ଠେଲା ବି ଟାଣୁଛନ୍ତି । ଯୋଉ ଦିନ ଜେଜେମାର ଦେହ ଖରାପ ହୁଏ ଏଇ କୁନି ଝିଅ ଦୁଇ ଜଣ ପର ଘରେ କାମ କରିବାକୁ ଯାଆନ୍ତି ।

ହାଣ୍ଡିଆ, ଝାଲମୁଢି ବେପାର ତ ସବୁବେଳେ ହୁଏନି । ଯୋଉ ଦିନ ଦି ପଇସା ମିଳିଲା ଘରେ ଟିକିଏ ତରକାରୀ ହୁଏ । ପିଲାମାନେ ବସ ଟିକେଟ୍ କରି ପାଠ ପଢିବାକୁ ମଧ୍ୟ ଯାଆନ୍ତି । ହେଲେ ରୋଜଗାର ନ ହେଲେ ଦି ଓଳା ପେଟ ପୂରା ଖାଦ୍ୟ ବି ମିଳେନି । ଏମିତି ଅବସ୍ଥାରେ ପାଠ କେମିତି ପଢିବେ ଆଉ ଭବିଷ୍ୟତ କେମିତି ଗଢିବେ ।

ଗରିବୀ, ଅଭାବ, ଅନାଟନ ଭିତରେ ଏଇ କଅଁଳ ଜୀବନ ଗୁଡ଼ାକ ପେଷି ହେଇଗଲେଣି । ସେପଟେ ଜେଜେମାଆ ବାପାଙ୍କ ଅବସ୍ଥା ବି ଦୟନୀୟ । ସରକାର ଏବଂ ପ୍ରଶାସନ ସହଯୋଗର ହାତ ବଢାଇ ନିଜର କର୍ତ୍ତବ୍ୟ ସାଧନ କରୁ । ପିଲାମାନେ ଖାଦ୍ୟ, ଶିକ୍ଷା ଆଉ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାର ପାଆନ୍ତୁ ।