• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ସମୟ ଯେତିକି ଗଡୁଛି, ସେତିକି ମଉଳୁଛି ଜୀବନ ଆଶା । ଇତିମଧ୍ୟରେ ୭୨ ଘଣ୍ଟା ବିତିଗଲାଣି । ଅନ୍ଧାରୀ ସୁଡ଼ଙ୍ଗ ଭିତରେ ଫସିରହିଛି ୮ ଜୀବନ । ଅନବରତ ଖୋଳା ଚାଲିଛି, ମାତ୍ର ସମ୍ଭବ ହୋଇପାରୁନି ଶ୍ରମିକଙ୍କ ସହ ଯୋଗାଯୋଗ । ସେନା ସମେତ କେନ୍ଦ୍ର, ରାଜ୍ୟର ୯ଟି ସଂସ୍ଥା ଏବଂ ୬ ରାଟ୍ ମାଇନର ଉଦ୍ଧାର କାର୍ଯ୍ୟରେ ଲାଗିଥିବାବେଳେ, ବଡ଼ ଚ୍ୟାଲେଞ୍ଜ ପାଲଟିଛି ଶେଷ ୪୦ ମିଟର । ଏହି ବାଟରୁ ମାଟି ଓ ପଥର ଅତଡ଼ା ହଟାଇବା ରେସ୍କ୍ୟୁ ଟିମ୍ ପାଇଁ ଭାରି କଷ୍ଟକର ହେଉଛି । 

ଅଧିକ ପଢ଼ନ୍ତୁ: ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଫଟା ସିଟ୍; ରାଗ ତମତମ ହୋଇ ଲେଖିଲେ ଏମିତି...

ଗତ ୨୨ ତାରିଖ ସକାଳୁ ଭୁଶୁଡ଼ିଥିଲା ତେଲେଙ୍ଗାନା ନଗରକୁର୍ଣ୍ଣୁଲ ଜିଲ୍ଲାର ନିର୍ମାଣାଧୀନ ଶ୍ରୀଶୈଲମ୍ ଟନେଲ । ନିର୍ମାଣାଧୀନ ଶ୍ରୀଶୈଲମ୍ ଲେଫ୍ଟ ବ୍ୟାଙ୍କ୍ କେନାଲ୍ ( SLBC) ହେଉଛି ବିଶ୍ବର ସବୁଠୁ ଲମ୍ବା ଇରିଗେସନ୍ ଟନେଲ୍ ବା ଜଳସେଚନ ପାଇଁ ଉଦ୍ଦିଷ୍ଟ ସୁଡ଼ଙ୍ଗ । ଅମ୍ରାବାଦ୍ ବ୍ୟାଘ୍ର ଅଭୟାରଣ୍ୟର ୪୦୦ ମିଟର ମାଟି ତଳ ଦେଇ ଏହା  ଶ୍ରୀଶୈଲମରୁ ଦେବରକୋଣ୍ଡା ଯାଏଁ ଲମ୍ବିଛି । ପ୍ରସ୍ତାବିତ ଟନେଲର ଦୈର୍ଘ୍ୟ ୪୪ କିଲୋମିଟର ହୋଇଥିବାବେଳେ, ସେଥିରୁ ୩୫ କିଲୋମିଟର ଖୋଳା ସରିଛି । 

ତେବେ ଗତ ଶନିବାର ଏକ ଲିକେଜ୍ ମରାମତି ପାଇଁ କିଛି ଶ୍ରମିକ ଓ କର୍ମଚାରୀ ଟନେଲ୍ ଭିତରକୁ ଯାଇଥିବା ବେଳେ ଘଟିଥିଲା ବଡ଼ ଅଘଟଣ । ପ୍ରବେଶ ପଥରୁ ୧୩ କିଲୋମିଟର ଭିତରେ ଟନେଲ ଛାତ ଭୁଶୁଡ଼ି ପଡ଼ିଥିଲା । ବହୁ ଶ୍ରମିକ ଓ କର୍ମଚାରୀ ଅଳ୍ପକେ ରକ୍ଷା ପାଇ ବାହାରକୁ ପଳାଇ ଆସିଥିବା ବେଳେ, ଟନେଲରେ ଫସି ଯାଇଥିଲେ ୪ ଜଣ ଶ୍ରମିକ ଓ କନଷ୍ଟ୍ରକ୍ସନ କମ୍ପାନୀର ୪ କର୍ମଚାରୀ । ୩ ଦିନ ହେଲାଣି ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି । ସମସ୍ତେ କେମିତି ଅଛନ୍ତି ଓ କ’ଣ କରୁଛନ୍ତି ଜାଣିବା ପାଇଁ ଭିତରକୁ ଇଣ୍ଡୋସ୍କୋପି କ୍ୟାମେରା ଓ ରୋବୋଟିକ୍ କ୍ୟାମେରା ପଠାଯିବ ବୋଲି ସୂଚନା ମିଳିଛି । ଏହାଦ୍ବାରା ସେମାନଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ । 

ଏହି ଘଟଣା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୨୪ ଘଣ୍ଟିଆ ନଜର ରଖିଥିବା ବେଳେ, ଘଟଣା ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫସିଥିବା ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜୋରଦାର୍ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦିନରାତି ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏପରିକି ଉତ୍ତରାଖଣ୍ଡ ଟନେଲ ଅଘଟଣ ସମୟରେ ଚମତ୍କାର ଦେଖାଇଥିବା ରାଟ୍ ମାଇନର୍ ମଧ୍ୟ ଅପରେସନରେ ସାମିଲ ହୋଇଛନ୍ତି ।  ହେଲେ ୭୨ ଘଣ୍ଟାରୁ ଅଧିକ ସମୟ ବିତିଲାଣି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସ୍ଥିତି ସ୍ପଷ୍ଟ ହୋଇପାରୁନି ।

ଏନେଇ ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି, ''ଫସିଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ ଏ ଯାଏଁ ଯୋଗାଯୋଗ ହୋଇପାରିନି । ଆମେ ଭାରତୀୟ ଜିଓଲୋଜିକାଲ ସର୍ଭେ ଏବଂ ଅନ୍ୟ କିଛି ବିଶେଷଜ୍ଞଙ୍କ ପରାମର୍ଶ ନେଉଛୁ । ଖନନ କାର୍ଯ୍ୟ ଜୋରଦାର ଚାଲିଛି । ହେଲେ ଉଦ୍ଧାର କାର୍ଯ୍ୟରେ ଶେଷ ୪୦-୫୦ ମିଟର ବାଧକ ସାଜିଛି ।'' 

ଅଧିକ ପଢ଼ନ୍ତୁ: ଆମେରିକୀୟ ବିମାନରେ ବୋମା ଆତଙ୍କ; ରୋମ୍‌ ଡାଇଭର୍ଟ ପରେ ପୁଣି ଦିଲ୍ଲୀ ଫେରିଲା

OTV is now on Whatsapp

Join and get latest news update delivered to you via whatsapp

Join Now