/odishatv-khabar/media/post_attachments/uploadimage/library/16_9/16_9_0/congress_1743173699.jpg)
congress
ନାରୀଙ୍କୁ ନ୍ୟାୟ ପାଇଁ କଂଗ୍ରେସରବିଧାନସଭା ଘେରାଉ ବେଳେ ହିଂସାକୁ ନେଇ ତୀବ୍ର ହୋଇଛି ରାଜନୈତିକ ବାକଯୁଦ୍ଧ। ଚେୟାର, ଅଣ୍ଡା, ଟମାଟୋ ଓ ଢେଲା ମାଡ଼ କରିଥିବା ଦୁର୍ବୃତ୍ତ କଂଗ୍ରେସ ଦଳର ନୁହଁନ୍ତି ବୋଲି ପିସିସି ସଭାପତି କହିବା ପରେ କଡ଼ା ସମାଲୋଚନା କରିଛି ବିଜେପି। ଆଇନମନ୍ତ୍ରୀ କହିଛନ୍ତି, ଏହା କଂଗ୍ରେସର ଜେନେଟିକ୍ ପ୍ରୋବ୍ଲେମ। କିଛି କ୍ରିମିନାଲ୍ ମାଇଣ୍ଡସେଟ୍ ଲୋକ ଭିତରକୁ ପଶି ଆସି ଏମିତି କାଣ୍ଡ କଲେ ବୋଲି ଭକ୍ତ ଦାସ କହିଥିଲେ। ଘଟଣାସ୍ଥଳର ଦୃଶ୍ୟ ଓ ପିସିସି ସଭାପତିଙ୍କ ବୟାନ ପରେ ପୂରା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
କଂଗ୍ରେସର ବିଧାନସଭା ଘେରାଉ ବେଳେ କାହିଁକି ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି ? ପିସିସି ସଭାପତିଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆହ୍ବାନ ସତ୍ତ୍ବେ ହିଂସାତ୍ମକ ଘଟଣା କାହିଁକି ଘଟିଲା ? ଏମିତି କଣ ହେଲା ଯେ ହଠାତ୍ ଆନ୍ଦୋଳନକାରୀ ଉଗ୍ର ଓ ହିଂସ୍ର ହୋଇଉଠିଲେ ? ଗତକାଲିର କିଛି ଦୃଶ୍ୟ କଂଗ୍ରେସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରାର ଧଜିଆ ଉଡାଇବା ସହ ପ୍ରଶ୍ନର ପାହାଡ଼ ବି ଠିଆ କରିଛି। ଚେୟାର ଫିଙ୍ଗୁଥିବା, ଢେଲା ମାରୁଥିବା ଓ ଚକଲେଟ୍ ପ୍ୟାକେଟରେ ଅଣ୍ଡା ଆଣି ମାଡ କରୁଥିବା ଦୁର୍ବୃତ୍ତମାନେ କିଏ ? କୁହାଯାଉଛି ଅଣ୍ଡା ମାଡ କରୁଥିବା ଏହି ବ୍ୟକ୍ତି ହେଲେ କଂଗ୍ରେସ କର୍ମୀ।
କିନ୍ତୁ ପିସିସି ସଭାପତି କହୁଛନ୍ତି, କିଛି କ୍ରିମିନାଲ୍ ମାଇଣ୍ଡ ସେଟ୍ ଲୋକ ଭିତରକୁ ପଶି ଆସିଥିଲେ। ଯେଉଁମାନେ ଏପରି କାଣ୍ଡ କଲେ। ସେମାନେ କଂଗ୍ରେସ ଦଳର ନୁହନ୍ତି। ତେବେ ଏଠି ପ୍ରଶ୍ନ, ଯେଉଁମାନେ ଚେୟାର, ଢେଲା, ଅଣ୍ଡା, ଟମାଟୋ ମାଡ଼ କରିଥିଲେ ସତରେ କଣ କଂଗ୍ରେସ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ? ନା କଠୋର ଆକ୍ସନ ଚେତାବନୀ ପରେ ବ୍ୟାକଫୁଟକୁ ଯାଇ କଥା ବାଆଁରଉଛନ୍ତି ପିସିସି ସଭାପତି ? ଏତେ ସଂଖ୍ୟାରେ ଅପରାଧିକ ମାନସିକତା ଲୋକ ଆସିଲେ କୁଆଡୁ ? ସେମାନଙ୍କୁ କିଏ ଆଣିଥିଲା ନା ନିଜେ ନିଜେ ଆସିଥିଲେ ? ହିଂସା ଭିଆଇବାକୁ ପ୍ରାକ୍ ପ୍ରସ୍ତୁତି ସହ ଆସି ନଥିଲା ତ କଂଗ୍ରେସ ? ଦୁର୍ବୃତ୍ତ ହାତରେ ଅଣ୍ଡା, ଟମାଟୋ ଓ ଚକୋଲେଟ୍ ଖୋଳରେ ଢେଲା ପଥର ଲୁଚାଇ ରଖିଥିଲେ ବି ଆନ୍ଦୋଳନସ୍ଥଳରେ ଉପସ୍ଥିତ କଂଗ୍ରେସର ବରିଷ୍ଠ ଓ ଛାମୁଆ ନେତା କାହା ଆଖିକୁ କିଛି ଦେଖାଗଲାନି କେମିତି ?
ହିଂସା ଘଟାଇଥିବା ଲୋକ କଂଗ୍ରେସର ନୁହନ୍ତି କହିବା ପରେ ପିସିସି ସଭାପତିଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏହା କଂଗ୍ରେସର ଜେନେଟିକ୍ ପ୍ରୋବ୍ଲେମ। ଅତୀତରେ ଯାହା କରୁଥିଲେ, ଏବେ ବି କରୁଛନ୍ତି। ଯେତେ ବାହାନାବାଜି କଲେ ବି ଅସଲ ଚେହେରା ସାରା ରାଜ୍ୟବାସୀ ଦେଖିଛନ୍ତି। ନିଜକୁ ଅଖା ପକେଇକି ଯେତେ ଘୋଡ଼ାଇଲେ ବି ଘୋଡ଼ାଇ ପାରିବେ ନାହିଁ। ବିଜେପି ଅଭିଯୋଗର ଜବାବ ଦେବାକୁ ଯାଇ ତାରା ବାହିନୀପତି କହିଛନ୍ତି, ଆମେ ହିଂସାରେ ବିଶ୍ବାସ କରୁନା। କଂଗ୍ରେସ ଜିନରେ ନାହିଁ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି।
ପୋଲିସ ଡିଜି କହିଛନ୍ତି, ହିଂସାକାରୀଙ୍କୁ ଛଡ଼ା ଯିବ ନାହିଁ। ଖୋଜି ଖୋଡି ଧରିବ ପୋଲିସ। ସିସିଟିଭି ଫୁଟେଜ୍, ବିଭିନ୍ନ ଗଣମାଧ୍ୟମରେ କଏଦ ଭିଡିଓ ଓ ଫଟୋ ଆଧାରରେ ହିଂସାରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ନୂଆ ଘଟଣା ନୁହେଁ। ତେବେ ଲଗାତାର ତଳକୁ ଖସିବା ପରେ ରାଜ୍ୟ ରାଜନୀତିରେ ଆଗକୁ ବଢିବାକୁ ଚେଷ୍ଟା କରୁଥିବା କଂଗ୍ରେସ ପାଇଁ ଏଥରର ଗଣ୍ଡଗୋଳ ତଣ୍ଟିରେ କଣ୍ଟା ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)