Advertisment

Kiit Suicide: କିଟ୍ କାଣ୍ଡର ସାଂଘାତିକ ସତ, କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ

କିଟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ନେପାଳୀ ଛାତ୍ରୀ। ଜାତୀୟ ମାନବାଧିକାର କମିଶନଙ୍କ ସରଜମିନ୍ ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଆହୁରି ବଢ଼ିଲା କିଟର ଅଡୁଆ। ଏନଏଚଆରସି ଛାତ୍ରୀ ଆତ୍ମହତ୍ୟା ଏବଂ ଏହା ପରବର୍ତ୍ତୀ କାଣ୍ଡ ପାଇଁ କିଟ୍ ମ୍ୟାନେଜମେଣ୍ଟକୁ ଖାଲି ଦାୟୀ କରିନାହାନ୍ତି ବରଂ ମୁଖ୍ୟସଚିବ, ନାକ୍ ଓ ୟୁଜିସିଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି।

author-image
Saroj Kumar Jena
KIIT

KIIT

କିଟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ନେପାଳୀ ଛାତ୍ରୀ। ଜାତୀୟ ମାନବାଧିକାର କମିଶନଙ୍କ ସରଜମିନ୍ ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଆହୁରି ବଢ଼ିଲା କିଟର ଅଡୁଆ। ଏନଏଚଆରସି ଛାତ୍ରୀ ଆତ୍ମହତ୍ୟା ଏବଂ ଏହା ପରବର୍ତ୍ତୀ କାଣ୍ଡ ପାଇଁ କିଟ୍ ମ୍ୟାନେଜମେଣ୍ଟକୁ ଖାଲି ଦାୟୀ କରିନାହାନ୍ତି ବରଂ ମୁଖ୍ୟସଚିବ, ନାକ୍ ଓ ୟୁଜିସିଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ଆଉ କମିଶନଙ୍କ ଏଭଳି ଆଦେଶନାମା ପରେ ଆଇନମନ୍ତ୍ରୀ ବି କହିଛନ୍ତି ନିର୍ଦ୍ଦେଶ ଆଧାରରେ ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ। ହେଲେ ଏସବୁ ଭିତିରେ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ରିପୋର୍ଟ କୁଆଡ଼େ ଗଲା ତାକୁ ନେଇ ବି ପ୍ରଶ୍ନ ଉଠିଛି।

Advertisment

ସରଜମିନ୍ ତଦନ୍ତ ପରେ ନିଜ ଆଦେଶନାମାରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ କିଟ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି ଏନଏଚଆରସି। ଇଏ ହେଉଛି ସେଇ ଡିରେକ୍ସନ୍। ଯେଉଁଥିରେ ପୀଡ଼ିତା ଛାତ୍ରୀଙ୍କୁ ଆତ୍ମହତ୍ୟା ଲାଗି କିଟ୍ କର୍ତ୍ତୃପକ୍ଷଙ୍କ ସାଂଘାତିକ ଅବହେଳାକୁ ଦାୟୀ କରାଯାଇଛି। ଏଥିରେ କୁହାଯାଇଛି କିଟର ଆନ୍ତର୍ଜାତିକ ସମ୍ପର୍କ ଅଧିକାରୀ ବା ଆଇଆରଓ, ଶୃଙ୍ଖଳାଗତ କମିଟି, କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅଣଦେଖା କାରଣରୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଥିଲେ। କେବଳ ସେତିକି ନୁହେଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଟର ମୁଖା ବି ଖୋଲି ଦେଇଛନ୍ତି ଏନ୍ଏଚ୍ଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ। କହିଛନ୍ତି କମିଶନଙ୍କ ତଦନ୍ତରୁ ଜଣାପଡ଼ିଛି ଯେ ଆତ୍ମହତ୍ୟାର 11 ମାସ ପୂର୍ବରୁ ପୀଡ଼ିତା ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଅଦ୍ବିକ ଶ୍ରୀବାସ୍ତବ ବିରୋଧରେ କିଟ୍ ମ୍ୟାନେଜମେଣ୍ଟ ପାଖରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଅଦ୍ବିକ ତାଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକମେଲିଂ କରୁଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ। କିଟ୍ ମ୍ୟାନେଜମେଣ୍ଟ ଏହି ଅଭିଯୋଗର ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ଥିବା ବି ଜାଣିଥିଲେ।

ଆଉ ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜି ମାମଲାକୁ ଚାପି ଦେବାର ଉଦ୍ୟମ କରିଥିଲେ। ସଂଗୀନ ମାମଲା ହୋଇଥିଲେ ବି ନା ପୋଲିସକୁ ଜଣାଇଥିଲେ ନା ନିଜ ତରଫରୁ କୌଣସି ପଦକ୍ଷେପ ନେଇଥିଲେ। ସେମାନେ ଏହାର ରିପୋର୍ଟକୁ ପୋଲିସକୁ ଦେଇ ନ ଥିଲେ କି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ବି ନେଇ ନଥିଲେ। ଯେଉଁଥିପାଇଁ ନିର୍ଯାତନା ଏବଂ ମାନସିକ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଶେଷରେ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ ସଂପୃକ୍ତ ଛାତ୍ରୀ ।

Advertisment

କେବଳ ପୀଡ଼ିତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରି ନଥିଲେ, ପରବର୍ତ୍ତୀ ସମୟରେ ନିଜ ସହପାଠୀଙ୍କ ମୃତ୍ୟୁରେ ପ୍ରତିକ୍ରିୟାଶୀଳ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ କର୍ତ୍ତୃପକ୍ଷଙ୍କ ଅତ୍ୟନ୍ତ ନିର୍ଦ୍ଦୟ ଓ ଅମାନବୀୟ ଆଚରଣକୁ ବି ସେତେବେଳେ ଦେଖିଛି ସାରା ଦୁନିଆ। ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ବାଉନ୍ସର ଓ ସିକ୍ୟୁରିଟି ଗାର୍ଡ ଲଗାଇ ମା଼ଡ଼ ମାରିବା, ହଷ୍ଟେଲ ଭିତରେ ଜାତିଆଣ ଭାବର ଚରମ ନିଦର୍ଶନ ସହ ଦେଶ ନାଁ ନେଇ ନେପାଳୀ ଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ, କେବଳ ନେପାଳୀ ପିଲାଙ୍କ ପାଇଁ ସାଇନ୍-ଏ-ଡାଏ ଘୋଷଣା କରି ସେମାନଙ୍କୁ ଜୋର ଜବରଦସ୍ତ ରେଳ ଷ୍ଟେସନରେ ଛାଡ଼ି ଦିଆଯିବା, ଏପରିକି ରାତି ଅଧରେ ଛାତ୍ରୀମାନଙ୍କୁ ହଷ୍ଟେଲ୍ ରୁ ବାହାର କରିଦେବା ଭଳି ଅପରିଣାମଦର୍ଶୀ ଘଟଣା ସାରା ବିଶ୍ବରେ ଓଡ଼ିଶାର ଛବିକୁ ଧୂମିଳ କରିଥିଲା।

ଏନ୍ଏଚ୍ଆରସି ମଧ୍ୟ ନିଜ ଆଦେଶନାମାରେ କହିଛନ୍ତି, ୧୮୦ ଛାତ୍ରୀଙ୍କ ସହ ପ୍ରାୟ ୧ ହଜାରରୁ ୧୧ ଶହ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଥିବା କଥାକୁ କିଟ୍ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। କିନ୍ତୁ ଛାତ୍ରୀଙ୍କ ସହ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲେ ବି ସେମାନଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ନଦେଇ ସେମାନଙ୍କୁ ଯେଭଳି ନିର୍ଦ୍ଦୟ ଭାବେ କ୍ୟାମ୍ପସରୁ ଫିଙ୍ଗି ଦିଆଗଲା ଏବଂ ପଚରାଉଚରା ସମୟରେ ଏ ଅଭିଯୋଗକୁ ସ୍ବୀକାର କରିବା ବଦଳରେ ଏହାର ଆଦୌ ଭିତ୍ତି ନଥିବା ନେଇ ଉତ୍ତର ଦେବା କର୍ତ୍ତୃପକ୍ଷଙ୍କ ଚରମ ସମ୍ବେଦନହୀନତାକୁ ଦର୍ଶାଉଥିବା ଉଲ୍ଲେଖ କରିଛନ୍ତି ଏନ୍ଏଚଆରସି। ଏଣୁ ପୂରା ମାମଲାରେ କିଟ୍ ମ୍ୟାନେଜମେଣ୍ଟର ତ୍ରୁଟି ଅତ୍ୟନ୍ତ ସ୍ପଷ୍ଟ ଥିବାରୁ ପୋଲିସ ଏନେଇ ଏଫ୍ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିବା ଉଚିତ ବୋଲି କହିଛନ୍ତି ଏନଏଚ୍ଆରସି ସଦସ୍ୟ।

କେବଳ ସେତିକି ନୁହେଁ ଏହି ଘଟଣାରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ସେନେଇ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି। ଏନେଇ ଇନ୍ଫୋସିଟି ଥାନାରେ ହୋଇଥିବା ମାମଲାରେ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ ଲାଗି ଭୁବନେଶ୍ବର-କଟକ ପୋଲିସ କମିଶନରଙ୍କୁ କୁହାଯାଇଥିବା ବେଳେ କିଟ୍ ଦ୍ବାରା ନିୟମରେ ହୋଇଥିବା ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ୟୁଜିସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିି। ସେହିପରି କମିଶନଙ୍କ ତଦନ୍ତ ଆଧାରରେ ଘଟଣାର ଯାଞ୍ଚ ପାଇଁ ନାକକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି। ଆଇନ ମନ୍ତ୍ରୀ କହିଛନ୍ତି, ଏନ୍ଏଚ୍ଆରସିଙ୍କ ନିର୍ଦ୍ଦେଶ ଆଧାରରେ ଯାହା ପଦକ୍ଷେପ ନିଆଯିବା କଥା ତାହା ନିଆଯିବ।

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଏନ୍ଏଚ୍ଆରସି ତଦନ୍ତର ବହୁ ପୂର୍ବରୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଏପରିକି ଏହି କମିଟି କିଟ୍ ପ୍ରତିଷ୍ଠାତାଙ୍କ ସମେତ ବହୁ କିଟ୍ ଅଧିକାରୀଙ୍କୁ ଜେରା କରିଥିଲେ ହେଁ, ଏଯାଏଁ ରିପୋର୍ଟ ଦାଖଲ କରିନଥିବା ନେଇ ନିକଟରେ ବିଧାନସଭାରେ ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ତେବେ କାହିଁକି ଓ କେଉଁଠି ଅଟକିଛି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ, ତାକୁ ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢନ୍ତୁ: ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

Girl Suicide KIIT KIIT University
Advertisment
Advertisment