Advertisment

Earthquake: ତାସ ପତ୍ତା ଭଳି ଭୁଶୁଡ଼ିଲା କୋଠା, ମିଆଁମାର ଓ ଥାଇଲାଣ୍ଡରେ ୭.୭ ତୀବ୍ରତାର ଭୂମିକମ୍ପ

ଭାରତର ପଡ଼ୋଶୀ ଦେଶ ମିଆଁମାର ବା ବର୍ମାରେ ବଡ଼ ବିପର୍ଯ୍ୟୟ। ସର୍ବାଧିକ ୭.୭ ତୀବ୍ରତାର ଭୂକଂପରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ, ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏବେବି ଧ୍ବଂସାବଶେଷ ତଳେ ଅନେକ ବିପନ୍ନ ଚାପି ରହିଥିବା ଆଶଙ୍କା କରାଯାଉଛି।

author-image
Saroj Kumar Jena
earthquake

earthquake

ଭାରତର ପଡ଼ୋଶୀ ଦେଶ ମିଆଁମାର ବା ବର୍ମାରେ ବଡ଼ ବିପର୍ଯ୍ୟୟ। ସର୍ବାଧିକ ୭.୭ ତୀବ୍ରତାର ଭୂକଂପରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ, ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏବେବି ଧ୍ବଂସାବଶେଷ ତଳେ ଅନେକ ବିପନ୍ନ ଚାପି ରହିଥିବା ଆଶଙ୍କା କରାଯାଉଛି। ସେପଟେ ଥାଇଲାଣ୍ଡର ବ୍ୟାଙ୍କକରେ ବି ପଡ଼ିଛି ଏହି ଝଟକାର ପ୍ରଭାବ। ଏପଟେ ଭାରତ ଉଭୟ ଦେଶକୁ ସବୁ ପ୍ରକାର ସହାୟତା ଲାଗି ପ୍ରସ୍ତୁତ ଥିବା ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ବିଶ୍ବ ଦେଖିଲା ବିପର୍ଯ୍ୟୟର ପୁଣି ଏକ କରାଳ ଚିତ୍ର । ଖାଲି ମାଟି ଥରିଲାନି... ସତେ ଯେମିତି ଛିଡ଼ି ପଡ଼ିଲା ଆକାଶ। ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଲା ବଡ଼ ବଡ଼ କୋଠା, ଧୂଳିସାତ ହୋଇଗଲା ସୁଉଚ୍ଚ ବିଲ୍ଡିଂ। ଆଖି ପିଛୁଳାକେ ନଦୀଗର୍ଭରେ ଗଳି ପଡ଼ିଲା ବିରାଟ ସେତୁ। ଦୋହଲିଲା ଟ୍ରେନ୍, ରଦ୍ଦ ହୋଇଗଲା ବିମାନ ଉଡ଼ାଣ । ଚାରିଆଡ଼େ ଖାଲି ଆତଙ୍କ, ଆଉ ଆତଙ୍କ। ଚିତ୍କାର ଓ ଧାଁ ଦୌଡ଼। ଘର ଭିତରେ ଓ ରାସ୍ତା ମଝିରେ ବିରାଟ ବିରାଟ ଫାଟ। ଆଜି ମିଆଁମାରରେ ଦିନ ୧୨ଟା ୫୦ ବେଳକୁ ତାଣ୍ଡବ ରଚିଥିଲା ଶକ୍ତିଶାଳୀ ଭୂମିକଂପ। ଗୋଟିଏ ନୁହେଁ, ଗୋଟାକ ପରେ ଗୋଟିଏ। ମିଆଁମାରକୁ ଆଫ୍ଟରସକକୁ ମିଶାଇ ଅତି କମରେ ୩ଥର ଭୂକଂପ ଝଟକା ଲାଗିଥିବା ବେଳେ, ରିକ୍ଟର ସ୍କେଲରେ ସବୁଠୁ ଶକ୍ତିଶାଳୀ ଥିଲା ୭.୭ ତୀବ୍ରତାର ପ୍ରଥମ ଝଟକା।

ମିଆଁମାରର ମାଣ୍ଡାଲେୟରେ ମାଟି ତଳେ ୧୦ କିଲୋମିଟର ଗୀଭରତାରେ ଭୂକଂପର କେନ୍ଦ୍ରସ୍ଥଳ ଥିବା ବେଳେ, ସବୁଠୁ ଅଧିକ ପ୍ରଭାବିତ ହୋଇଛି ସାଗାଇଙ୍ଗ୍ ଅଞ୍ଚଳ। ମାଣ୍ଡାଲେୟ ଇରାୱାଡ଼ି ନଦୀର ପ୍ରସିଦ୍ଧ ଏଭା ବ୍ରିଜ୍ ଓ ସ୍ବର୍ଣ୍ଣଖଚିତ ମହାମୁନୀ ପଗୋଡ଼ା ଭୁଶୁଡ଼ି ପଡ଼ିଛି। ଏହି ବିପର୍ଯ୍ୟୟରେ ବ୍ୟାପକ କ୍ଷୟକ୍ଷତି ସହ ଅନେକ ଜୀବନ ଯାଇଛି । ଗୋଟିଏ ହଜାରେ ଶଯ୍ୟାବିଶିଷ୍ଟ ହସ୍ପିଟାଲ ଓ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଧରାଶାୟୀ ହୋଇଥିବା ବେଳେ, ସେଠାରେ ସବୁଠୁ ଅଧିକ ମୃତାହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଶକ୍ତିଶାଳୀ ଭୂମିକଂପର ଝଟକା କେବଳ ମିଆଁମାର ନୁହେଁ, ଥାଇଲାଣ୍ଡ୍, ବାଂଲାଦେଶ, ଚୀନ, ଏପରିକି ଭାରତର ମଣିପୁର, ମେଘାଳୟ ଆଦିରେ ବି ଅନୁଭୂତ ହୋଇଛି। ଏଭଳି ଶକ୍ତିଶାଳୀ ଭୂମିକଂପ ପରେ ମିଆଁମାର ଓ ବ୍ୟାଙ୍କକରେ ଜରୁରୀ ସ୍ଥିତି ଘୋଷଣା ହୋଇଥିଲେ ବି, କୌଣସି ସୁନାମୀ ଆଲର୍ଟ ଜାରି ହୋଇନାହିଁ ।

Advertisment

ଅଧିକ ପଢନ୍ତୁ: ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

ପ୍ରାୟ ପ୍ରତ୍ୟେକ ବର୍ଷ ଛୋଟବଡ଼ ଭୂକଂପର ସାମ୍ନା କରେ ମିଆଁମାର। ବେଳେ ବେଳେ ଏହା ନିଏ ଅତି ଭୟଙ୍କର ରୂପ। କିନ୍ତୁ କାହିଁକି ? କାହିଁକି ଏତେ ଭୂମିକଂପ ପ୍ରବଣ ମିଆଁମାର ? କାହିଁକି ଅତି ଅସ୍ଥିର ମିଆଁମାର ମାଟି ? ନଜର ପକାନ୍ତୁ, ଏଇ ଗାର ଉପରେ। ମିଆଁମାର ମାଟି ତଳେ ଲମ୍ବିଛି ୧୨ଶହ କିଲୋମିଟରର ଏକ ବିରାଟ ଫାଟ। ଏହାକୁ କୁହାଯାଉଛି ସାଗାଇଙ୍ଗ୍ ଫଲ୍ଟ। ଆଜି ଯେଉଁ ସଗାଇଙ୍ଗ ଅଞ୍ଚଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାରି ଅନୁସାରେ ନାମିତ ହୋଇଛି ଏହି ଫଲ୍ଟ ବା ପୃଥିବୀର ବାହ୍ୟସ୍ତରରେ ଥିବା ଫାଟ। ସେଠାରେ ପରସ୍ପର ସହ ଘଷି ହୋଇ ବିପରୀତ ଦିଗରେ ଘୁଞ୍ଚୁଛି ଦୁଇଟି ଭୂଖଣ୍ଡ ବା ଟେକଟୋନିକ୍ ପ୍ଲେଟ୍। ବର୍ଷକୁ ୧୧ରୁ ୧୮ ମିଲିମିଟର ହାରରେ ଘୁଞ୍ଚୁଛି ଇଣ୍ଡିଆନ୍ ପ୍ଲେଟ୍ ଓ ବର୍ମା ମାଇକ୍ରୋ ପ୍ଲେଟ୍। ଯାହା ଫଳରେ ସେଠାରେ ସୃଷ୍ଟି ହେଉଥିବା ଅତ୍ୟଧିକ ଚାପ ପୁଞ୍ଜିଭୂତ ହୋଇ ରହୁଛି, ଏବଂ ବେଳେ ବେଳେ ତାହା ଏକା ଥରେ ବାହାରୁଛି ଭୂମିକୁ ଥରାଇ ଦେଉଛି। କେବଳ ଏତିକି ନୁହେଁ, ଭୂକଂପ ପ୍ରବଣ ଆଲ୍ପିଡ୍ ବେଲ୍ଟ ଉପରେ ବି ରହିଛି ମିଆଁମାର । ପୂର୍ବରେ ଜାଭା-ସୁମାତ୍ରାରୁ ପଶ୍ଚିମରେ ଆଟଲାଣ୍ଟିକ୍ ଯାଏଁ ଲମ୍ବିଥିବା ୧୫ ହଜାର କିଲୋମିଟର ଦୀର୍ଘ ଆଲ୍ପିଡ୍ ବେଲ୍ଟ ହେଉଛି, ପାସିଫିକ୍ ରିଙ୍ଗ୍ ଅଫ୍ ଫାୟାର୍ ପରେ ପୃଥିବୀର ଦ୍ବିତୀୟ ସର୍ବାଧିକ ଭୂକଂପ ପ୍ରବଣ ଅଞ୍ଚଳ।

ମିଆଁମାର ଓ ଥାଇଲାଣ୍ଡରେ ଶକ୍ତିଶାଳୀ ଭୂକଂପ ପରେ ଷ୍ଟାଣ୍ଡବାଏ ମୋଡ୍ ରେ ଭାରତ । ଉଭୟ ଦେଶରେ ବିପର୍ଯ୍ୟୟ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଏବଂ ଉଭୟ ଦେଶର ସରକାର ସହ ସଂପର୍କରେ ରହିବାକୁ ବୈଦେଶିକ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୋଦି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେପଟେ ଥାଇଲାଣ୍ଡରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଏମର୍ଜେନ୍ସି ନମ୍ବର +66 618819218 ଜାରି କରିଛି ବ୍ୟାଙ୍କକ୍ ସ୍ଥିତ ଭାରତୀୟ ଦୂତାବାସ। ଦୂତାବାସ ପକ୍ଷରୁ ଥାଇଲାଣ୍ଡ୍ କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଏପର୍ଯ୍ୟନ୍ତ ଭାରତୀୟ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିନାହିଁ । ବ୍ୟାଙ୍କକ୍ ସ୍ଥିତ ଏମ୍ବାସି ଓ ଚାୟାଙ୍ଗ୍ ମେ ସ୍ଥିତ କନସୁଲେଟର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି ବୋଲି ସ୍ପଷ୍ଟ କରାଯାଇଛି। ସୂଚନା ଯୋଗ୍ୟ ଯେ, ପଡ଼ୋଶୀ ମିଆଁମାରରେ ପ୍ରାୟ ୨୦ ଲକ୍ଷ ଓ ଥାଇଲାଣ୍ଡରେ ୬୫ ହଜାର ଭାରତୀୟ ସ୍ଥାୟୀ ଭାବେ ବସବାସ କରନ୍ତି।

ଅଧିକ ପଢନ୍ତୁ: ସୁଟକେସରୁ ଝିଟିପିଟି, କଇଁଛ ସମେତ ୧୦୯ ପ୍ରାଣୀ ଉଦ୍ଧାର : ଥାଇଲାଣ୍ଡରେ ଦୁଇ ଭାରତୀୟ ମହିଳା ଗିରଫ

Earthquake
Advertisment
Advertisment