ଖୋଲିପାରେ ପୂର୍ବ ସରକାର ସମୟରେ ମିଶ୍ରଣ ପାଇଁ ବନ୍ଦ ପଡ଼ିଥିବା ସ୍କୁଲର ତାଲା । ଏନେଇ ସରକାରଙ୍କ ନୀତିଗତ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ ଅଞ୍ଚଳରୁ ନିବେଦନ ଆସିବ ସେଠାରେ ଜିଲ୍ଲା କମିଟି ଓ ରାଜ୍ୟ କମିଟି ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଚୂଡାନ୍ତ ଅନୁମତି ଦେବ । କିନ୍ତୁ, ଏଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସର୍ବନିମ୍ନ ପିଲାଙ୍କ ସଂଖ୍ୟା ୨୦ ଏବଂ ଅଣ ସଂରକ୍ଷିତ ଅଞ୍ଚଳ ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ ହେବା ଆବଶ୍ୟକ । ଏହି ସୂଚନା ସହ ବିଗତ ସରକାରକୁ ବି ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ବିଗତ ସରକାର ତରବରିଆ ଭାବେ ୫ ହଜାର ୬୩୨ଟି ସ୍କୁଲକୁ ମିଶ୍ରଣ କରିଛନ୍ତି । ୧୦୦ ମିଟର ବ୍ୟବଧାନରେ ଥିବା ୨ ହଜାର ୧୫୨ଟି ସାଟେଲାଇଟ ସ୍କୁଲକୁ ମିଶ୍ରଣ କରାଯାଇଛି । ଅପରପକ୍ଷେ ମନ୍ତ୍ରୀଙ୍କ ଉତ୍ତରକୁ ବିଭ୍ରାନ୍ତିକର କହିଛି ବିଜେଡି ।
Also Read
୨୦୧୯-୨୦ ଶିକ୍ଷା ବର୍ଷରେ ତତ୍କାଳୀନ ସରକାର ୨୦ରୁ କମ୍ ପିଲା ରହିଥିବା ସ୍କୁଲଗୁଡିକୁ ବନ୍ଦ କରିଦେଇଥିଲେ । ଏହି କ୍ରମରେ ନବରଙ୍ଗପୁର ୧୦ଟି ବ୍ଲକର ୧୧୦ଟି ସ୍କୁଲ ବନ୍ଦ ହୋଇଯିବାରୁ ଏହାର ପ୍ରଭାବ ପଡ଼ିଥିଲା ୧୮ ଶହ ପିଲାଙ୍କ ଉପରେ। ଆଉ ବନ୍ଦ ପଡ଼ିଥିବା ସ୍କୁଲ ସବୁ ପାଲଟିଥିଲା ଅସାମାଜିକ ତତ୍ତ୍ବଙ୍କ ଆଡ୍ଡା ।
ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ଡିଏନକେ ଏସଟି କଲୋନି ପ୍ରାଥମିକ ବିଦ୍ୟାଳୟରେ । ସବୁ ଭିତ୍ତିଭୂମି ଥିବା ସତ୍ତ୍ବେ ପିଲା କମ୍ ଦର୍ଶାଇ ସ୍କୁଲଟିକୁ ହଠାତ୍ ବନ୍ଦ କରିଦିଆଯାଇଥିଲା । ଫଳରେ ଦୂର ସ୍କୁଲକୁ ପାଠ ପଢିବାକୁ ଯିବାରେ ବହୁ ସମସ୍ୟାରେ ପଡ଼ିଲେ ଗରିବ ଶ୍ରେଣୀର ପିଲା । କେହି କେହି ପଢ଼ା ବି ଛାଡ଼ିଦେଲେ ।
ଠିକ୍ ସମାନ ଚିତ୍ର ରାୟଗଡ଼ା ଗୁଣୁପୁର ବାଘଶଳା ପଞ୍ଚାୟତ ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟର । ଗାଁ ସ୍କୁଲ ବନ୍ଦ ହେବା ପରଠୁ ତିନି କିଲୋମିଟର ଜଙ୍ଗଲି ରାସ୍ତା ପାର ହୋଇ ବାଘଶଳା ସ୍କୁଲ ଯାଉଛି ଗାଁର ଖତକୁଡ଼ି ଶବରଙ୍କ ପୁଅ । ଯାଆସରେ ସମସ୍ୟାରୁ କେବେ ଯାଉଛି ତ କେବେ ଯାଇପାରୁନି ।
ତେଣୁ ଏବେ ବନ୍ଦ ପଡ଼ିଥିବା ବିଦ୍ୟାଳୟ ଗୁଡ଼ିକ ପାଇଁ ସରକାରଙ୍କ ନିଷ୍ପତ୍ତିରେ ଏମାନେ ଭାରି ଖୁସି । ମୋହନ ସରକାର ଆସିବା ପରେ ସବୁଠୁ ଅଧିକ ଗୁରୁତ୍ବ ଶିକ୍ଷାକ୍ଷେତ୍ରକୁ ଦିଆଯାଉଛି । ଏବେସୁଦ୍ଧା ୧୮ ହଜାର ଶିକ୍ଷକ ନିଯୁକ୍ତ ହୋଇସାରିଲେଣି । ଡ୍ରପ୍ ଆଉଟ ହାର ବି କମିଛି ।
ଏହାକୁ ଆହୁରି କମାଇବାକୁ ମଧ୍ୟାହ୍ନ ଭୋଜନ ଶିଶୁ ବାଟିକାଠୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏଁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଆଉ ଏବେ କମ୍ ଉପସ୍ଥାନ ପାଇଁ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନିଷ୍ପତ୍ତି ଡ୍ରପ୍ ଆଉଟ ବେଗରେ ବ୍ରେକ୍ ଲଗାଇବାରେ ଯଥେଷ୍ଟ ସହାୟକ ହେବ ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ: ବଢିଲା କିଟ୍ ଅଡୁଆ, ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ କଲେ NHRC