Advertisment

Telangana Tunnel Collapse: ତେଲେଙ୍ଗାନା ଟନେଲ୍ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ଶେଷ ୪୦ ମିଟର

ସଂକୀର୍ଣ୍ଣ ଟନେଲ ଭିତରକୁ ବଡ଼ ମେସିନ୍ ଯାଇପାରୁନଥିବାରୁ କେବଳ ଗୋଟିଏ ଛୋଟ ଏକ୍ସକାଭେଟର୍ ପଠାଯାଇଛି ଏବଂ ବାକି ଲୋକବଳ ଉପରେ ଆଶ୍ରା କରିବାକୁ ପଡ଼ିଛି । ଟନେଲ ଭିତରେ ଏତେ କାଦୁଅ ଜମା ହୋଇଛି ଯେ ଉଦ୍ଧାରକାରୀମାନେ ଆଗକୁ ଯିବା ପାଇଁ ରବର୍ ଟ୍ୟୁବ୍ ଓ କାଠ ପଟା ବ୍ୟବହାର କରୁଛନ୍ତି ।

author-image
Deviprasad Jena
undefined

Telangana Tunnel Collapse

ଦୁଇ ଦିନ ପରେ ବି ସରିବାର ନାଁ ଧରୁନି ତେଲେଙ୍ଗାନା ଶ୍ରୀଶୈଲମ୍ ଟନେଲ୍ ରେସ୍କ୍ୟୁ ଅପରେସନ୍ । ସୁଡ଼ଙ୍ଗର ୧୩ କିଲୋମିଟର ଭିତରେ ଫସିଥିବା ୮ ଜଣ ଶ୍ରମିକ ଓ କର୍ମଚାରୀଙ୍କ ବିଷୟରେ ୬୦ ଘଣ୍ଟା ପରେ ବି କିଛି ସୂଚନା ମିଳିପାରୁନାହିଁ । ସେନା ସମେତ କେନ୍ଦ୍ର ଓ ରାଜ୍ୟର ୯ଟି ସଂସ୍ଥା ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । କିନ୍ତୁ ,ଶେଷ ୪୦ ମିଟର ବାଟରୁ ମାଟି ଓ ପଥର ଅତଡ଼ା ହଟାଇବା ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

Advertisment

ଏସବୁ ଭିତରେ ତେଲେଙ୍ଗାନାରେ ପହଞ୍ଚିଛନ୍ତି ୨ ବର୍ଷ ତଳେ ଉତ୍ତରାଖଣ୍ଡରେ ଚମତ୍କାର ଦେଖାଇଥିବା ରାଟ୍ ମାଇନର୍ । ଗତ ୨୨ ତାରିଖ ସକାଳୁ ଭୁଶୁଡ଼ିଥିଲା ତେଲେଙ୍ଗାନା ନଗରକୁର୍ଣ୍ଣୁଲ ଜିଲ୍ଲାର ନିର୍ମାଣାଧୀନ ଶ୍ରୀଶୈଲମ୍ ଟନେଲ୍ । ଘଟଣାକୁ ୨ ଦିନ ବିତିଥିବା ବେଳେ ଉଦ୍ଧାରକାରୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ବାଟ ଓଗାଳିଛି ଶେଷ ୪୦ ମିଟର ବାଟ । ଯେଉଁଠି ପାଣି, କାଦୁଅ, ମାଟି ଓ ପଥର ଅତଡ଼ା ଜମା ହୋଇଛି । ଆଉ ତା ସହ ପ୍ରତିବନ୍ଧକ ସାଜିଥିବା ଏହି ବିଶାଳ ଟନେଲ୍ ବୋରିଂ ମେସିନକୁ ବି କାଟି ହଟାଇବାକୁ ପଡ଼ିବ । ସ୍ଥଳସେନା, ନୌସେନା, NDRF ଓ SDRF ସମେତ ମୋଟ ୯ଟି ଏଜେନ୍ସିର ୩ଶହ ଯବାନ ଦିନରାତି ରେସ୍କ୍ୟୁ ଅପରେସନରେ ଲାଗିଥିବା ବେଳେ, ସମୟ ସହ ଚାଲିଛି ଲଢ଼େଇ।

ସଂକୀର୍ଣ୍ଣ ଟନେଲ ଭିତରକୁ ବଡ଼ ମେସିନ୍ ଯାଇପାରୁନଥିବାରୁ କେବଳ ଗୋଟିଏ ଛୋଟ ଏକ୍ସକାଭେଟର୍ ପଠାଯାଇଛି ଏବଂ ବାକି ଲୋକବଳ ଉପରେ ଆଶ୍ରା କରିବାକୁ ପଡ଼ିଛି । ଟନେଲ ଭିତରେ ଏତେ କାଦୁଅ ଜମା ହୋଇଛି ଯେ ଉଦ୍ଧାରକାରୀମାନେ ଆଗକୁ ଯିବା ପାଇଁ ରବର୍ ଟ୍ୟୁବ୍ ଓ କାଠ ପଟା ବ୍ୟବହାର କରୁଛନ୍ତି । ଟନେଲ୍ ଛାତ ଏବେ ବି ଦୁର୍ବଳ ଥିବାରୁ ଏବଂ ଜାଗା ଜାଗାରେ କାନ୍ଥ ଫାଟି ପାଣି ବହୁଥିବାରୁ, ତାକୁ ମରାମତି କରି ଆଗକୁ ବଢ଼ିବାକୁ ପଡ଼ୁଛି ।

Advertisment

ଅଧିକ ପଢନ୍ତୁ: ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ

ଅପରପକ୍ଷରେ ଶେଷ ମୁହୂର୍ତ୍ତରେ ଆଜି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ୨୦୨୩ ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲ ଅପରେସନର ବହୁଚର୍ଚ୍ଚିତ ହିରୋ- ସେଇ ୬ ରାଟ୍ ହୋଲ୍ ମାଇନର୍ । ନିର୍ମାଣାଧୀନ ଶ୍ରୀଶୈଲମ୍ ଲେଫ୍ଟ ବ୍ୟାଙ୍କ୍ କେନାଲ୍- SLBC ହେଉଛି ବିଶ୍ବର ସବୁଠୁ ଲମ୍ବା ଇରିଗେସନ୍ ଟନେଲ୍ ବା ଜଳସେଚନ ପାଇଁ ଉଦ୍ଦିଷ୍ଟ ସୁଡ଼ଙ୍ଗ । ଅମ୍ରାବାଦ୍ ବ୍ୟାଘ୍ର ଅଭୟାରଣ୍ୟର ୪ଶହ ମିଟର ମାଟି ତଳ ଦେଇ ଏହା ଶ୍ରୀଶୈଲମରୁ ଦେବରକୋଣ୍ଡା ଯାଏଁ ଲମ୍ବୁଛି । ପ୍ରସ୍ତାବିତ ଟନେଲର ଦୈର୍ଘ୍ୟ ୪୪ କିଲୋମିଟର ହୋଇଥିବା ବେଳେ, ସେଥିରୁ ୩୫ କିଲୋମିଟର ଖୋଳା ସରିଛି ।

ତେବେ ଗତ ଶନିବାର ଏକ ଲିକେଜ୍ ମରାମତି ପାଇଁ କିଛି ଶ୍ରମିକ ଓ କର୍ମଚାରୀ ଟନେଲ୍ ଭିତରକୁ ଯାଇଥିବା ବେଳେ ପ୍ରବେଶ ପଥରୁ ୧୩ କିଲୋମିଟର ଭିତରେ ଟନେଲ ଛାତ ଭୁଶୁଡ଼ି ପଡ଼ିଥିଲା । ବହୁ ଶ୍ରମିକ ଓ କର୍ମଚାରୀ ଅଳ୍ପକେ ରକ୍ଷା ପାଇ ବାହାରକୁ ପଳାଇ ଆସିଥିବା ବେଳେ, ଫସି ରହିଛନ୍ତି ୪ ଜଣ ଶ୍ରମିକ ଓ କନଷ୍ଟ୍ରକ୍ସନ କମ୍ପାନୀର ୪ କର୍ମଚାରୀ । ସେମାନଙ୍କ ମଧ୍ୟରୁ ୪ଜଣ ଝାଡ଼ଖଣ୍ଡର, ୨ଜଣ ଉତ୍ତରପ୍ରଦେଶ ଏବଂ ଜଣେ ଲେଖାଏଁ ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରୁ ବୋଲି ଜଣାପଡ଼ିଛି ।

ଉଦ୍ଧାରକାରୀମାନେ ପ୍ରାୟ ୩ କିଲୋମିଟର ପାଣି-କାଦୁଅ ପାର୍ କରି ଭିତରକୁ ଯାଇଥିଲେ ବି, ୪୦ ମିଟର ଓସାରର ମାଟି ଓ ପଥର ଅତଡ଼ା ସେମାନଙ୍କ ବାଟ ଓଗାଳିଛି । ସେଠାରୁ ଉଦ୍ଧାରକାରୀମାନେ ଡାକ ଦେଇଥିଲେ ମଧ୍ୟ, ଅନ୍ୟପଟୁ କୌଣସି ଉତ୍ତର ଆସୁନି । ତେଣୁ ବିପନ୍ନଙ୍କ ସ୍ଥିତି ଜାଣିବାକୁ ଏଣ୍ଡୋସ୍କୋପିକ୍ ଓ ରୋବଟିକ୍ କ୍ୟାମେରା ବ୍ୟବହାର କରାଯାଉଛି।

ଏହି ଘଟଣା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୨୪ ଘଣ୍ଟିଆ ନଜର ରଖିଥିବା ବେଳେ, ଘଟଣା ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଆମେରିକୀୟ ବିମାନରେ ବୋମା ଆତଙ୍କ; ରୋମ୍‌ ଡାଇଭର୍ଟ ପରେ ପୁଣି ଦିଲ୍ଲୀ ଫେରିଲା

Hyderabad Indian Navy Rescue Operation Tunnel Collapsed
Advertisment
Advertisment