ବିବାହ ମାନେ ଜନ୍ମ ଜନ୍ମ ଧରି ବନ୍ଧନରେ ବାନ୍ଧି ହୋଇ ରହିଯିବା । ବିବାହ ପରେ ବିବାହ ପୋଷାକ ପିନ୍ଧି ନବବଧୂ ନିଜ ସ୍ବାମୀଙ୍କ ସହ ଶାଶୁ ଘରକୁ ଯାଇଥା'ନ୍ତି । କିନ୍ତୁ, ଆନ୍ଧ୍ରପ୍ରଦେଶରେ ଏମିତି ଏକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଛି । ବିବାହର ମାତ୍ର ୩ ଘଣ୍ଟା ପରେ ରହିଥିଲା ପରୀକ୍ଷା । ତେଣୁ ବିବାହ ସାରି ପରୀକ୍ଷା ଦେଇଛନ୍ତି ଜଣେ କନ୍ୟା ।
ଜଣେ ଦମ୍ପତିଙ୍କର ସକାଳ ୬ଟାରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ନବବଧୂ ଜଣକ ଦିନ ୯ ଟାରେ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଯାଇଥିଲେ । ସମ୍ପୃକ୍ତ ଯୁବତୀଙ୍କର ପରୀକ୍ଷା କେନ୍ଦ୍ର ଠାରୁ ୨୦୦ କିଲୋମିଟର ଦୂରରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ଆନ୍ଧ୍ରପ୍ରଦେଶର ତିରୁପତି ବାସିନ୍ଦା ମମତା ଶାଶୁ ଘରକୁ ଯିବା ପରିବର୍ତ୍ତେ ବିବାହ ବେଶରେ ତିରୁପତିର ପଦ୍ମାବତୀ ଡ୍ରିଗ୍ରୀ କଲେଜରେ ପହଞ୍ଚିଥିଲେ ।
Also Read
ଏହାପରେ କଲେଜରେ ଉପସ୍ଥିତ ଥିବା ପରୀକ୍ଷାର୍ଥୀ ଏବଂ ଅଧ୍ୟାପକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ବିବାହ ବେଶଧାରୀ ମମତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କଲେଜ କର୍ତ୍ତୃପକ୍ଷ ବାରଣ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ଦିଆଯାଇଥିଲା । ଏହି ନବବଧୂଙ୍କର ତିରୁପତିର ପଦ୍ମାବତୀ ଡ୍ରିଗ୍ରୀ କଲେଜରେ ଗ୍ରୁପ 2 ପରୀକ୍ଷା ରହିଥିଲା । ଅନୁମତି ମିଳିବା ପରେ ସେ ଖୁସିର ସହ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇଥିଲେ ।
ପରୀକ୍ଷା ପାଇଁ ପହଞ୍ଚିଥିବା ଦମ୍ପତିଙ୍କୁ ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ୟପଟେ ମହିଳା ଜଣକ ଏଭଳି କରି ପ୍ରମାଣ କରିଦେଇଛନ୍ତି ମହିଳା ମାନେ ମଧ୍ୟ ଆଜିର ଦିନରେ ଉଚ୍ଚଭିଳାଷୀ ଏବଂ ଆତ୍ମନିର୍ଭରଶୀଳ । ସୋସିଆଲ ମିଡ଼ିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ନିଜ ବିବାହ ଦିନରେ ପରୀକ୍ଷା ଦେଇଥିବାରୁ ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ ।