• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାଜଧାନୀର ରାମମନ୍ଦିର ଆଗରୁ ଅପହୃତ ଦେଢ ବର୍ଷର ଶିଶୁ ମିଳିଲା । ଦୁଇ ଦିନ ପରେ ଦୃଷ୍ଟିବାଧିତ ମାଆ କୋଳକୁ ଫେରିଛି ପୁଅ । ୪ଟି ସ୍ବତନ୍ତ୍ର ଟିମ୍, ଭୁବନେଶ୍ବରରୁ ବାଲେଶ୍ବର ଯାଏ ୫ ଶହରୁ ଅଧିକ ସିସିଟିଭି ଯାଂଚ୍ କରି ପିଲା ଚୋର ପାଖରେ ପହଁଚିଛି ପୋଲିସ । ଅପହରଣକାରୀ କେଦାରସନ ପଣ୍ଡା ଗିରଫ ହୋଇଥିବା ବେଳେ ଶିଶୁଟିକୁ ଚୋରି କରି ଅନ୍ୟ ଜଣେ ମହିଳାଙ୍କୁ ଦେଇଥିବା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ସେପଟେ ପୁଅକୁ ପାଇବା ଆଶା ରଖିନଥିବା ମାଆ, ପୋଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

ଦି ଦିନ ପରେ ମୁହଁରେ ହସ ଫୁଟିଛି । ବନ୍ଦ ହୋଇଛି ଆଖିରୁ ଅନବରତ ଝରୁଥିବା ଲୁହ। ଦେଖିନପାରିଲେ କ’ଣ ହେଲା, ସ୍ପର୍ଶ କରି ପୁଅକୁ ଅନୁଭବ କରିପାରୁଛି । କୁନି ପୁଅକୁ କୋଳରେ ପାଇ ଆତ୍ମହରା ମାଆ । ଚୁଟିକୁ ଧରୁଛି.. ମୁହଁକୁ ଛୁଉଁଛି.. ଗେହ୍ଲ କରିପକାଉଛି । ଅପହରଣର ୪୮ ଘଣ୍ଟା ପରେ ମା କୋଳକୁ ଫେରିଛି ଦେଢ ବର୍ଷର କଅଁଳ ଶିଶୁ । ଆଉ ପୁଅକୁ ପାଖରେ ପାଇ ମାଆର ଖୁସି କହିଲେ ନସରେ ।

ଗତ ଶନିବାର ମଧ୍ୟରାତ୍ରି । ରାଜଧାନୀର ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ଜୟନ୍ତୀଙ୍କ ପାଖରୁ ଦେଢବର୍ଷର ପୁଅକୁ ଟେକି ନେଇଥିଲା କେଦାରସନ । ସିଧା ଯାଇଥିଲା ରେଳ ଷ୍ଟେସନ । ସେଠାରୁ ଟ୍ରେନରେ ବାଲେଶ୍ବର, ପରେ ସୋର । ଏହାପରେ ଚୋରି ଶିଶୁକୁ ବଢାଇ ଦେଇଥିଲା ଜଣେ ମହିଳାଙ୍କ କୋଳକୁ । ପରେ ଉଭୟେ ମିଶି ବାହାରିଥିଲେ ଅଟୋରେ । ପିଲାକୁ ନେଇ କିଛି ଦୂର ଯିବା ପରେ ବଦଳାଇଥିଲେ ଗାଡି । ବାଇକକୁ ମାଗିଥିଲେ ଲିଫ୍ଟ । ପୁଅର ଦେହ ଖରାପ ଅଛି କହି ସିଧା ଯାଇଥିଲେ ନିଜ ଗାଁ ବୋଇତା ଅଭିମୁଖେ । ୪୮ ଘଣ୍ଟା ମଧ୍ୟରେ ୪ଟି ଟିମ୍ କରି ୫ଶହରୁ ଅଧିକ ସିସିଟିଭି ଘାଣ୍ଟି ପିଲା ଚୋର ପାଖରେ ପହଁଚିଥିଲା ପୋଲିସ । ପର୍ଦ୍ଦାଫାସ କରିଥିଲା ପୁରା ଘଟଣାର।

କେଦାରସନ ପଣ୍ଡା ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଛୁଆକୁ ଝାମ୍ପି ନେଇ ଟେକି ଦେଇଥିଲା ଅନ୍ୟ ଜଣେ ମହିଳାଙ୍କ କୋଳକୁ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, କେଦାର ବେଙ୍ଗାଳୁରୁରେ ଫୁଡ୍ ଡେଲିଭରି ବୟ ଭାବେ କାମ କରୁଥିଲା । କିଛି ଦିନ ସିକ୍ୟୁରିଟି ଗାର୍ଡ ବି ଥିଲା । ସେଇଠି କେଦାରର ପରିଚୟ ହୋଇଥିଲା ସଂପୃକ୍ତଙ୍କ ମହିଳାଙ୍କ ସ୍ବାମୀ ସହ । ପରିବାର ସହ ବନ୍ଧୁତା ଭିତରେ ପୁଅ ଗୁରୁତର ରୋଗରେ ପୀଡିତ ଥିବା କହିଥିଲେ ମହିଳା । ଏଇଠୁ ଆରମ୍ଭ ହୋଇଥିଲା ପିଲା ଚୋରିର ପ୍ଲାନ୍ । ବେଙ୍ଗାଳୁରୁରୁ ଭୁବନେଶ୍ବର ଆସି ରାମ ମନ୍ଦିର ପାଖରେ ଦୃଷ୍ଟିବାଧିତ ଜୟନ୍ତୀଙ୍କ କୋଳରେ ଦେଢ ବର୍ଷର ପୁଅଟିକୁ ଦେଖିଥିଲେ । ଭିଡିଓ କଲ୍ କରି ମହିଳାଙ୍କୁ ସେହି ପୁଅକୁ ଦେଖାଇଥିଲା କେଦାର । ପରେ ଉଠାଇନେଇଥିଲା ମାଆ କୋଳରୁ। କେଦାର ଗୋଟିଏ ବାଇକ୍ ଚୋର ଏବଂ ତା ନାଁରେ ପୂର୍ବରୁ ୩ଟି ମାମଲା ରହିଛି । ତେବେ ଦେଢବର୍ଷର ପୁଅଟିକୁ ପାଳିବାକୁ ନେଇଥିଲା ବୋଲି କହିଛି କେଦାରସନ।

ପୋଲିସ କେଦାର, ସଂପୃକ୍ତ ମହିଳା ଏବଂ ପିଲାକୁ ନେଇଥିବା ବାଇକ୍ ଚାଳକକୁ ଅଟକ ରଖି ପଚରାଉଚରା କରୁଛି । ବାଇକ ଚାଳକ କେବଳ ସାହାଯ୍ୟ କରିଥିଲେ ନା ଅପହରଣରେ ସାମିଲ ଥିଲେ, ସେନେଇ ତଦନ୍ତ ଜାରି ରହିଛି । ପ୍ରଶ୍ନ ଉଠୁଛି, ଶିଶୁ ଅପହରଣ ପଛରେ ହୋଇଛି କି ଟଙ୍କା କାରବାର ? ଶିଶୁଟିକୁ କେଦାର ପାଳିବାକୁ ନେଇଥିଲେ ନା ବିକ୍ରି କରିବାକୁ? ଅପହରଣ ପଛରେ ଆଉ କିଛି କାରଣ ଥିଲା କି ?

ଅଧିକ ପଢ଼ନ୍ତୁ: ୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ, ଖୋଜି ଆଣିଲେ ମୋହନ ସରକାର

  • Reported by:
  • CHANDAN PAIKRAY