• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନୋର ଚିତାଙ୍କୁ କଲରାପତରିଆ ବିପଦ । ଖାଦ୍ୟ ପାଇଁ ମୁହାଁମୁହିଁ ହୋଇପାରନ୍ତି ଦୁଇ ଶିକାରୀ ଜନ୍ତୁ । ଆଫ୍ରିକୀୟ ଚିତାଙ୍କୁ ମାରି ଦେଇପାରେ କଲରାପତରିଆ । ମଧ୍ୟପ୍ରଦେଶର କୁନୋ ଜାତୀୟଉଦ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଛଡ଼ାଯାଇଥିବା ୮ଟି ଆଫ୍ରିକୀୟ ଚିତାଙ୍କୁ ଏବେ ଏନ୍‌କ୍ଲୋଜର ବା ଖୁଆଡ଼ରେ ରଖାଯାଇଛି ।

ତେବେ କିଛି ମାସ ପରେ ଯେତେବେଳେ ସେମାନଙ୍କୁ ୭୪୮ ବର୍ଗ କିଲୋମିଟର ଜଙ୍ଗଲରେ ଅବାଧ ଶିକାର ପାଇଁ ମୁକ୍ତ କରିଦିଆଯିବ, ସେତେବେଳେ ସେହି ଜଙ୍ଗଲରେ କାଳ କାଳରୁ ରହିଆସୁଥିବା କଲରାପତରିଆ ବାଘଙ୍କ ସହ ସେମାନଙ୍କର ମୁହାଁମୁହିଁ ସ୍ଥିତି ଉପୁଜିବ । ଏଭଳି ସ୍ଥିତିରେ ଚିତାଙ୍କ ପ୍ରତି କଲରାପତରିଆ ବିପଦ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରୁଛନ୍ତି ବନ୍ୟଜନ୍ତୁ ବିଶେଷଜ୍ଞ ।

ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି । ହେଲେ ଏଠି କଲରାପତରିଆର ପଲ୍ଲା ଆହୁରି ଭାରି ରହିପାରେ । କାରଣ କୁନୋ ଜଙ୍ଗଲରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି । ସେମାନେ ସେଠାକାର ସ୍ଥାନୀୟ ଜନ୍ତୁ । ଅନ୍ୟପକ୍ଷରେ ଚିତା କୁନୋରେ ସ୍ୱଳ୍ପ ସଂଖ୍ୟାରେ ଥିବା ବେଳେ, ସେମାନେ ନାମିବ୍ୟାରୁ ଆସି ନୂଆ ଜଙ୍ଗଲ ସହ କେତେ ଖାପ ଖୁଆଇ ପାରୁଛନ୍ତି, ସେନେଇ ଏବେଠୁ କିଛି କହିହେବନି ।

ବନବିଭାଗର ସୂଚନା ଅନୁସାରେ, କୁନୋରେ ପ୍ରତି ଶହେ ବର୍ଗ କିଲୋମିଟର ଅଞ୍ଚଳରେ ହାରାହାରି ୯ଟି ଲେଖାଏଁ କଲରାପତରିଆ ବାଘ ଅଛନ୍ତି । ମୋଟ ସଂଖ୍ୟା ୯୮ । ତେଣୁ କଲରାପତରିଆ ସହ ପ୍ରତିଯୋଗିତା କରି ଚିତା ନିଜ ଶିକାର ଯୋଗାଡ଼ କରିପାରିବ କି ନାହିଁ ଏବଂ ଦୁଇ ଶିକାରୀ ଜନ୍ତୁ ମୁହାଁମୁହିଁ ହେଲେ କିଏ ଜିତିବ, କିଏ ହାରିବ ତାହା ସମୟ ହିଁ କହିବ ।

ଚିତା ପ୍ରତି କଲରାପତରିଆ ବିପଦ ଥିବାରୁ ସେଥିପାଇଁ ବହୁ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି କୁନୋ କର୍ତ୍ତୃପକ୍ଷ । ଖୁଆଡ଼ର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହିତ କଲରାପତରିଆଙ୍କୁ ଘଉଡ଼ାଇବା ପାଇଁ ସତପୁରା ବ୍ୟାଘ୍ର ପ୍ରକଳ୍ପରୁ ୨ଟି ହାତୀକୁ ଅଣାଯାଇଛି । ଚିତାବାଘ ଖୁଆଡ଼ ଆଖପାଖ ଅଞ୍ଚଳରେ ଥିବା ୨୫ଟି କଲରାପତରିଆକୁ ଧରି ଦୂର ଜଙ୍ଗଲରେ ଛଡ଼ାଯାଇଛି ଓ ସେମାନଙ୍କ ଗତିବିଧି ଜାଣିବାକୁ ରେଡିଓ କଲାର୍ ଲଗାଯାଇଛି ।

ତେବେ ଚିତାକୁ କେବଳ କଲରାପତରିଆଙ୍କ ଠାରୁ ବିପଦ ନାହିଁ । ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ମତରେ ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ହେଟା, କୁକୁର, ଏପରିକି ରନ୍ଥାବରରୁ ଆସୁଥିବା ମହାବଳ ବାଘଙ୍କ ଠାରୁ ବି ବିପଦ ଅଧିକ ରହିଛି । ଅନ୍ୟପକ୍ଷରେ କୁନୋରେ ଚିତାର ମୁଖ୍ୟ ଖାଦ୍ୟ କୃଷ୍ଣସାର ମୃଗ ଓ ଚିଙ୍କାରା ଆଦି କମ୍ ଅଛନ୍ତି । କେବଳ ହରିଣ ଅଧିକ ଅଛନ୍ତି । ହେଲେ ସେଗୁଡ଼ିକ ଜଙ୍ଗଲରେ ସହଜରେ ଲୁଚି ଯାଇପାରିବେ । ଅର୍ଥାତ୍ କହିବାକୁ ଗଲେ ସେଠାରେ ଚିତାଙ୍କ ପାଇଁ ଖାଦ୍ୟ କମ୍, ଶତ୍ରୁ ଅଧିକ ରହିଛନ୍ତି । ବନବିଭାଗ ତତ୍ପର ନରହିଲେ ଶିକାରୀ ଓ ସ୍ଥାନୀୟ ବାସିନ୍ଦା ବି ଚିତାଙ୍କ ଜୀବନ ପ୍ରତି ବିପଦ ସାଜିପାରନ୍ତି ।

ଏସବୁ ବ୍ୟତୀତ ଆଉ ଏକ ସମସ୍ୟା ହେଲା, କଲରାପତରିଆ ଜଙ୍ଗଲରେ ଲୁଚି ଶିକାର କରୁଥିବା ବେଳେ ଚିତା ଗୋଡ଼ାଇ ଗୋଡ଼ାଇ ଶିକାର ଧରିଥାଏ । ଆଫ୍ରିକାରେ ତୃଣଭୂମି ଅଧିକ ରହିଥିବାରୁ ଚିତାଙ୍କୁ ଶିକାର କରିବା ପାଇଁ କିମ୍ବା ଶତ୍ରୁଙ୍କ ପଞ୍ଝାରୁ ନିଜକୁ ରକ୍ଷା କରିବା ପାଇଁ ଦ୍ରୁତ ଗତିରେ ଦଉଡ଼ିବାର ସୁଯୋଗ ମିଳିଥାଏ । ହେଲେ କୁନୋରେ ତୃଣଭୂମି ଅପେକ୍ଷା ଜଙ୍ଗଲ ଅଧିକ ରହିଛି । ତେଣୁ ଚିତା ସହଜରେ ଫୁଲ୍ ସ୍ପିଡ୍‌ରେ ଦୌଡ଼ି ପାରିବ ନାହିଁ । ଏହା ମଧ୍ୟ ଏକ ବଡ଼ ସମସ୍ୟ । ତେବେ ଏସବୁ ପ୍ରତିକୂଳତାର ସାମ୍ନା କରି ଚିତା କିଭଳି ବଞ୍ଚି ରହୁଛି ଓ ନିଜ ବଂଶ ବୃଦ୍ଧି କରୁଛି, ତା ଉପରେ ନଜର ।