• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ୟାପରୁ ବାହାରୁଛି ହଳଦିଆ ରଙ୍ଗର ପାଣି । ତାହା ପୁଣି ଲୁଣି ପାଣି । ଆଉ କେଉଁଠି ଷ୍ଟାଣ୍ଡ ପୋଷ୍ଟ ଅଛି, ହେଲେ ପାଣି ଆସୁନି । କିଛି କିଛି ସ୍ଥାନରେ ପାଇପ ଫାଟିଗଲାଣି । ପୁଣି କେଉଁଠି ଭଙ୍ଗାରୁଜା ଅବସ୍ଥାରେ ରହିଛି । ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ କୋରଣା ପଞ୍ଚାୟତର ପଦାସାହି ସମେତ ଆଖପାଖ ଅଞ୍ଚଳରେ ।

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ଆଉ ଏଥିପାଇଁ ପୁଣି ପାଣି ଭଳି ଖର୍ଚ୍ଚ କରୁଛନ୍ତି ବିଜ୍ଞାପନରେ । ହେଲେ ବାସ୍ତବରେ ଲୋକେ କେତେ ଲାଭବାନ ହେଉଛନ୍ତି ଏଭଳି ସରକାରୀ ଯୋଜନାରେ । ଲୋକଙ୍କୁ କ’ଣ ମିଳୁଛି ଫାଇଦା । କାରଣ ସରକାରଙ୍କ ଟଙ୍କା ଖର୍ଚ୍ଚ ହେବା ପରେ ଲୋକଙ୍କ ଅସୁବିଧା ଦୂର ହେଉନି । ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଚାଲିଛି କାର୍ଯ୍ୟ । 

ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହେଲା । ଏଥିପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରାଗଲା ।  ହେଲେ ଲୋକେ ଏଥିରୁ ଟଙ୍କାକର ବି ସୁବିଧା ପାପାରୁ ନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ଓଭରହେଡ୍ ଟାଙ୍କି ମଧ୍ୟ ରହିଛି, ହେଲେ ଏହା ଅଚଳ । ଫଳରେ ଜଳକଷ୍ଟ ଭୋଗୁଛନ୍ତି ସ୍ଥାନୀୟ ଏଠାକାର ବାସିନ୍ଦା । ଥରେ କି ଦୁଇ ଥର ପାଣି ଛଡାଯାଇଥିଲା କିନ୍ତୁ ପାଣି ଲୁଣି ପଡିବାରୁ ତାହା ପିଇବା ଯୋଗ୍ୟ ହେଲା ନାହିଁ । ଅନ୍ୟପଟେ ଗାଁରେ ଥିବ ସରକାରୀ ନଳକୂପ ମଧ୍ୟ ଅଚଳ ହୋଇପଡିଛି ।

ତେବେ କୋରଣା ପଂଚାୟତର ପାଞ୍ଚଟି ଗାଁର ତିନି ହଜାରରୁ ଅଧିକ ଲୋକଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିଲା । ୨୦୧୯ରେ ୭୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଆରଡବ୍ଲ୍ୟୁଏସଏସ ବିଭାଗ ପକ୍ଷରୁ ଭୂତଳ ଜଳ ନମୁନା ପରୀକ୍ଷା ପରେ ପଦାସାହିଠାରେ ଏକ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇଥିଲା । ଭୂତଳ ଜଳ ଖାରିଆ ଓ ଆଇରନ ଯୁକ୍ତ ଥିବାରୁ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଲେ । ଏପଟେ ପାଣିର ନମୁନା ସଂଗ୍ରହ କରି ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ କହିଥିଲେ । 

ପ୍ରଶ୍ନ ଉଠୁଛି  ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ପୂର୍ବରୁ ଭୂତଳ ଜଳର ମାନ ପରୀକ୍ଷା କେବଳ କାଗଜ ପତ୍ରରେ ସୀମିତ ଥିଲା କି ?

 

(ରିପୋର୍ଟ- ସଂଜୟ ପତି, କୋଣାର୍କ)