• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜସ୍ୱ ବଢୁଛି, ନା ଖର୍ଚ୍ଚ କରୁ ନାହାନ୍ତି ସରକାର ? ରାଜସ୍ୱ ବଳକା ରାଜ୍ୟରେ ଓଡିଶା ୧ ନମ୍ବର ହେବା ପରେ ସମସ୍ତଙ୍କ ମନରେ ଏବେ ଏମିତି ପ୍ରଶ୍ନ । କାହିଁକିନା, ସରକାରଙ୍କ ବିରୋଧରେ ଅସନ୍ତୋଷ ଜଳ ଜଳ । ଚାଷୀଠୁ ଆରମ୍ଭ କରି ସରକାରୀ ଚାକିରିଆ, ସମସ୍ତଙ୍କର ସମସ୍ୟା ବି ମାଳମାଳ । ତେଣୁ ଯଦି ରାଜସ୍ୱ ବଳକା ରହୁଛି ତାହେଲେ କାହିଁକି ତାକୁ ବିନିଯୋଗ କରୁନାହାନ୍ତି ସରକାର ? ଯାହାକୁ ନେଇ ତେଜିଛି ରାଜନୀତି ।

ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ । କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି...ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଆଉ ଏପଟେ ଓଡିଶା ବଳକା ରାଜସ୍ୱ ରାଜ୍ୟ କହି ଶାସକ ଦଳ ନେତାଙ୍କ ପ୍ରଚାର ପ୍ରସାର । ଏଠି ପ୍ରଶ୍ନ କେମିତି ରାଜସ୍ୱ ବଳକା ରାଜ୍ୟ ହେଲା ଓଡିଶା ? ରାଜସ୍ୱ ବଢୁଛି ନା ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରୁନାହାନ୍ତି ସରକାର ?

ନିକଟରେ ବଜେଟ୍ ଅଫ୍ ଇଣ୍ଡିଆନ୍ ଷ୍ଟେଟ୍‌ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରାଜସ୍ୱ ବଳକା ରାଜ୍ୟରେ ଦେଶର ଏକ ନମ୍ବରରେ ଅଛି ଓଡିଶା । ୨୦୨୧-୨୨ରେ ସର୍ବାଧିକ ୪୩ ହଜାର ୪୭୧ କୋଟି ଟଙ୍କା ବଳକା ରଖିଛନ୍ତି ରାଜ୍ୟ ସରକାର । ମାନେ ବିଭିନ୍ନ ସୂତ୍ରରୁ ଆୟ ଯେତିକି, ବ୍ୟୟ ତାଠୁ କମ୍ । ଓଡ଼ିଶା ପରେ ଦ୍ୱିତୀୟରେ ଉତ୍ତର ପ୍ରଦେଶ ଆଉ ତୃତୀୟରେ ରହିଛି ଦିଲ୍ଲୀ । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ରାଜସ୍ୱ ବଳିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଜନ ମଙ୍ଗଳକାରୀ ଯୋଜନା ସବୁର ବ୍ୟାପକତା ତାଠୁ ବେଶି ଗୁରୁତ୍ୱ ରଖେ ।

ଏହି ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ପ୍ରଚାରପ୍ରସାର ପରେ ଶାସକ ଦଳକୁ କଟାକ୍ଷ କରିଛି ବିଜେପି । ପ୍ରଶ୍ନ କରିଛି, ଯଦି ଓଡିଶା ରାଜସ୍ୱ ବଳକା ରାଜ୍ୟ ତାହେଲେ ଓଡିଶା ବାସୀ ଦରିଦ୍ର କାହିଁକି ? ୫ ବର୍ଷରେ ପ୍ରାୟ ଦେଢ଼ ଲକ୍ଷ କୋଟି ରାଜ୍ୟ ବଜେଟ୍ ଖର୍ଚ୍ଚ ହୋଇନଥିବା ଦର୍ଶାଇ ଥିଲେ ସିଏଜି । ତେଣୁ ଖର୍ଚ୍ଚ ନକରି ବଳକା ରାଜସ୍ୱ ଦେଖାଇ ଗର୍ବ କରିବା ଗୁଡ୍ ଗଭର୍ଣ୍ଣାନ୍ସର ଲକ୍ଷଣ ନୁହେଁ ବୋଲି ଅଭିଯୋଗ କରିଛି ଦଳ । ସମାନ ଢଙ୍ଗରେ ସମାଲୋଚନା କରି କଂଗ୍ରେସ କହିଛି ଓଡିଶାର ପ୍ରାକୃତିକ ସମ୍ପତ୍ତିକୁ ବିକି ବଳକା ଦେଖାଇ ବାହାବା ନେଉଛନ୍ତି ରାଜ୍ୟ ସରକାର । ଯାହାର ଜବାବ୍ ଦେଇଛି ବିଜେଡି ।

ମୁଖ୍ୟତଃ ଖଣି ଓ ଅବକାରୀ ରାଜସ୍ୱ ବୃଦ୍ଧି ଏବଂ ଜିଏସ୍‌ଟି ଯୋଗୁଁ ବଳକା ରାଜସ୍ୱ ରାଜ୍ୟରେ ପରିଣତ ହୋଇଛି ଓଡିଶା । ୧୦ ବର୍ଷରେ ଅବକାରୀ ରାଜସ୍ୱ ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ପାଇ ୬ ହଜାର ୪୫୮ କୋଟିରେ ପହଞ୍ଚିଛି । ଆଉ ଖଣିରୁ ମଧ୍ୟ ପ୍ରାୟ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ପାଉଛି ଓଡିଶା । ତେଣୁ କ୍ରମାଗତ ରାଜ୍ୟର ନିଜସ୍ୱ ରାଜସ୍ୱ ବୃଦ୍ଧି ହେବା ସହ କେନ୍ଦ୍ରରେ ମୋଦି ସରକାରକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ବଢିଛି । ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଭାବେ ଗତ ୯ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଛି ।

 

  • Reported by:
  • SOUMYA RANJAN SAHOO , ATULYA BOUT