Advertisment

Jhamu Jatra: ଏହି ଓଡ଼ିଆ ପରମ୍ପରାରେ ନାରୀ ବେଶରେ ସଜ ହୁଅନ୍ତି ପୁରୁଷ, ପିନ୍ଧନ୍ତି…

ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।

author-image
Sarojini Sankhua
History and speciality of odia tradition jhamu jatra

History and speciality of odia tradition jhamu jatra

ଓଡ଼ିଶାରେ ଚୈତ୍ରମାସରେ ମଧୁପାର୍ବଣ, ରାମନବମୀ, ଅଶୋକାଷ୍ଟମୀ ଆଦି ବିଭିନ୍ନ ଯାତ୍ରା ପର୍ବ ଅନୁଷ୍ଠିତ ହେଉଥିଲେ ମଧ୍ୟ ଝାମୁଯାତ୍ରା ଏକ ମୁଖ୍ୟସ୍ଥାନ ଅଧିକାର କରିଥାଏ। ଝାମୁଯାତ୍ରା ସବୁ ଅଞ୍ଚଳରେ ଗୋଟିଏ ଦିନରେ ପାଳନ କରାଯାଏ ନାହିଁ। ସବୁ ଅଞ୍ଚଳର ଝାମୁଯାତ୍ରା ଏକା ଭଳି ମନେ ହେଲେ ମଧ୍ୟ, ତା ମଧ୍ୟରେ ଅନେକ ଫରକ ପରିଲକ୍ଷିତ ହୋଇଥାଏ।

Advertisment

ମା ଶାରଳାଙ୍କ ଝାମୁଯାତ୍ରା

ଓଡ଼ିଶାର ଉପକୂଳ ଅଞ୍ଚଳରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ମାଆ ଶାରଳାଙ୍କ ଝାମୁଯାତ୍ରା ପ୍ରସିଦ୍ଧ। ଏହି ଯାତ୍ରା ଚୈତ୍ର ମାସର ପ୍ରଥମ ଦିନଠାରୁ ଆରମ୍ଭ ହୋଇ ବୈଶାଖ ପ୍ରଥମ ଦିନ ପର୍ଯ୍ୟନ୍ତ ହୋଇଥାଏ। ଚୈତ୍ର ମାସର ପ୍ରଥମ ବା ସଂକ୍ରାନ୍ତି ଦିନ ସକାଳେ କୁମ୍ଭକାର ଦଶଟି କୁମ୍ଭ ଦେଇଯାଏ। ଶାରଳା ଠାକୁରାଣୀଙ୍କର ବିଶେଷ ସେବକ ୧୦ ଜଣ ରାଉଳ, ଶାରଳାଙ୍କ ନିକଟସ୍ଥ କନକେଶ୍ଵର ମହାଦେବଙ୍କ ନିକଟକୁ ସେହି କୁମ୍ଭ ନେଇଥାନ୍ତି।

ଶାରଳାଙ୍କ ପାଖରେ ଗୁଆ ଚଢ଼ାଯାଇ ସେହ ଗୁଆକୁ ମଧ୍ୟ ସେଠାକୁ ନିଆଯାଏ। ସେଠାରେ କଳସ ମଧ୍ୟରେ ପାଣି ଭରି ତାହାର ବାହାରେ ହଳଦୀ, ଚୁଆ, ଚନ୍ଦନରେ ସଜ କରନ୍ତି। ସେହି କଳସ ବା ଘଟଟିକୁ ଏକ ସୁନ୍ଦର କାଠଦଣ୍ଡ ଉପରେ ରଖି ରାଉଳମାନେ ଏଭଳି ସଜାଇ ଥାନ୍ତି ଯାହା ଦ୍ବାରା ବାହାରକୁ ଘଟ ମୋଟେ ଦେଖାଯାଏ ନାହଁ।

Advertisment

ସୁଦୃଢ଼ କାଠଦଣ୍ଡ ଉପରେ ଯେଉଁଭଳି ଘଟ ରୁହେ ସେହିଭଳି, ଘଟର ଉପର ଭାଗରୁ ଫୁଲହାର ସଜାଯାଏ। ଲମ୍ବା ଝଣୁକା ଦଶଟି, ଅରଖ, ମନ୍ଦାର ଆଦି ଫୁଲରେ ବିଭୂଷିତ ହୋଇ ଫୁଲ ଦ୍ୱାରା ସଜା ହୋଇଥିବା ଘଟର ଚାରିପାଖରେ ଏଭଳି ଖୋସି ଦିଆଯାଏ, ଯାହାଦ୍ଵାରା ଦଶଟି ହାତ ଭଳି ମନେହୁଏ। ଶାରଳାଙ୍କ ପାଖରେ ଚଢ଼ା ହୋଇ ଆସିଥିବା ଗୁଆ, ପ୍ରତି ଘଟରେ ଦଶଟି କରି ରୁହେ।

ନାରୀ ବେଶରେ ସଜ ହୁଅନ୍ତି ପୁରୁଷ

ଘଟଟିକୁ ସଂପୂର୍ଣ୍ଣ ରୂପେ ସଜ କରି ୧୦ ଜଣ ରାଉଳ, ସ୍ତ୍ରୀଲୋକଙ୍କ ଭଳି ବେଶ ହୁଅନ୍ତି। ପାଦଠାରୁ ଅଣ୍ଟା ପର୍ଯ୍ୟନ୍ତ ଏକ କଳା ରଙ୍ଗର ନଳି ପାଇଜାମା ପିନ୍ଧନ୍ତି। ତା ଉପରେ କଳାଶାଢ଼ୀ କୁଞ୍ଚ କରି ଘାଘରା କରି ଏଭଳି ପିନ୍ଧନ୍ତି ଯାହାଦ୍ଵାରା ତଳର ପାଇଜାମା ଆଦୌ ଦେଖାଯାଏ ନାହିଁ। ଦେହରେ ମଧ୍ୟ କଳାରଙ୍ଗର କୁର୍ତ୍ତା ପିନ୍ଧନ୍ତି। ହାତରେ ବାଲା, ଚୁଡ଼ି ଖଡ଼ୁ ଆଦି ଗହଣା ଧାରଣ କରିଥାନ୍ତି। ମୁଣ୍ଡରେ ଯୁଡ଼ା ପାରିଥାନ୍ତି।

ସେହି ଯୁଡ଼ା କଳାଶାଢ଼ୀ ଦ୍ବାରା ଆବୃତ ହୋଇଥାଏ। ପୂର୍ବେ ଦେହରେ ଅଷ୍ଟ ଅଳଙ୍କାର ପିନ୍ଧୁଥିଲେ। ଏହଭଳି ବେଶ ହୋଇ କାଠ ଦଣ୍ଡ ଉପରେ ସଜା ହୋଇଥିବା ବିଚିତ୍ର ଘଟଗୁଡିକୁ ଧରି ସେମାନେ ସନ୍ଧ୍ୟା ପୂର୍ବରୁ ଶାରଳାଙ୍କ ମନ୍ଦିରକୁ ଆସିଥାନ୍ତି। ରତ୍ନସିଂହାସନ ଉପରେ ତନ୍ତ୍ରରେ ମହାଦେବୀ ଶାରଳା ବିଜେ କରିଛନ୍ତି। ସେହି ସିଂହାସନ ଉପରେ ବିଚିତ୍ର ଭାବେ ସଜା ହୋଇଥିବା ୧୦ଟି ଘଟ ଆସି ରହିଲା ପରେ, ଘଟ ପୂଜା ହୋଇଥାଏ।

ଏହି ପୂଜାଦ୍ଵାରା ସ୍ଵୀକୃତ ହୁଏ ଯେ ସ୍ଵୟଂ ମହାଦେବୀ ଶାରଳା ଏହି ଘଟ ମଧ୍ୟରେ ଅବସ୍ଥାନ କଲେ। ତା ପରେ ଠାକୁରୁଣୀଙ୍କୁ ସମର୍ପଣ ହୋଇ ରହିଥିବା ଦଶଟି ଶାଢ଼ୀ ଦଶଟି ଘରେ ଦିଆଯାଏ। ଏହାପରେ ସେମାନେ ଘଟ ଗୁଡିକୁ ବାହାରକୁ ନେଇଥାନ୍ତି ଓ ମନ୍ଦିର ପରିକ୍ରମା କରନ୍ତି। ମନ୍ଦିର ପରିକ୍ରମା ପରେ ଶାରଳାଙ୍କ ମନ୍ଦିର ବେଢ଼ା ମଧ୍ୟରେ ଠିକ୍ ଦେବୀଙ୍କ ସମ୍ମୁଖରେ ରାଉଳମାନେ ଘଟଟିକୁ ମୁଣ୍ଡ ଉପରେ ରଖି ନୃତ୍ୟ କରନ୍ତି।

କାକଟପୁର ମାଆ ମଙ୍ଗଳାଙ୍କ ଝାମୁଯାତ୍ରା

ଶାରଳାଙ୍କ ଝାମୁଯାତ୍ରା ଭଳି କାକଟପୁର ମଙ୍ଗଳାଙ୍କର ମଧ୍ୟ ଝାମୁଯାତ୍ରା ହୁଏ କିନ୍ତୁ ପଣା ସଂକ୍ରାନ୍ତି ଦିନ ନହୋଇ ଚୈତ୍ରମାସର ପ୍ରଥମ ମଙ୍ଗଳବାର ଠାରୁ ମଙ୍ଗଳାଙ୍କ ପାଖରେ ଝାମୁଯାତ୍ରା ଆରମ୍ଭ ହୁଏ । ସେଦିନ ଯାତ୍ରା ହେବ ବୋଲି ଖୁବ୍ ସକାଳୁ ମଙ୍ଗଳାଙ୍କ ମନ୍ଦିର ଖୋଲେ । ମଙ୍ଗଳାଙ୍କ ମାର୍ଜନା ପରେ ଦହି ,ଖଇ ଏବଂ କେଳେଇ ଭୋଗ ହୁଏ । ଅରୁଆ ଚାଉଳ , ଅଟା, ବିରିଚୂନାରେ ଏହି କେଳେଇ ପ୍ରସ୍ତୁତ ହୁଏ । ଏହାକୁ ବଲ୍ଲଭ ଭୋଗ କହନ୍ତି। ତା ପରେ ସକାଳ ଧୂପ ହୁଏ। ସକାଳ ଧୂପରେ ଖେଚେଡି, ଡାଲି, ତରକାରୀ, ଖିରି, ଭଜା ଲାଗି ହୋଇଥାଏ। ତା ପରେ, ଜଣେ ନିଯୋଗ ପକ୍ଷରୁ ଗୋଟିଏ ପତାକା ମିଳିଥାଏ। ସେହି ପତାକା ସହିତ ଅନ୍ୟମାନଙ୍କ ପତାକା ମିଶାଇ ଗୋଟିଏ ପିତଳ ଥାଳରେ ରଖି ଦେବୀଙ୍କ ପୂଜକ ଦୀକ୍ଷିତ ବ୍ରାହ୍ମଣମାନେ ମନ୍ଦିର ବେଢ଼ା ୩ ଥର ପ୍ରଦକ୍ଷିଣ କରଥାନ୍ତି। ତା ପରେ ପତାକା ଦେଉଳ ଉପରକୁ ଉଠିଥାଏ।

ବାଙ୍କୀର ମାଆ ଚର୍ଚ୍ଚିକାଙ୍କ ନିକଟରେ ଝାମୁଯାତ୍ରା

ବାଙ୍କୀର ଚର୍ଚ୍ଚିକାଙ୍କ ପାଖରେ ଶାରଳାଙ୍କ ଭଳି ଝାମୁ ହୋଇଥାଏ। ଓଡ଼ଶାର ଯେଉଁ କେତୋଟି ସ୍ଥାନରେ ସପ୍ତମାତୃକା ଅଛନ୍ତି, ସେଠାରେ ଗୁମୁଣ୍ଡା ଏକ ମାତୃକା ରୂପେ ଅବସ୍ଥାନ କରିଛନ୍ତି। ସପ୍ତମାତୃକା ପୀଠ ରୂପେ ପୁରୀ, ଯାଜପୁର, ବେଲଖଣ୍ଡି, ଟିଟିଲାଗଡ଼, ଖିଚିଂ, ଧର୍ମଶାଳା, ସେରଗଡ଼ ଇତ୍ୟାଦି ଓଡିଶା ପ୍ରସିଦ୍ଧ।

ଉତ୍ତର ଓଡ଼ିଶାରେ ଏହାକୁ ‘ପାଟୁଆ ଯାତ୍ରା’ କୁହାଯାଉଥିଲା ବେଳେ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଚ ଓ ଝାମୁଯାତ୍ରା ବୋଲି କୁହାଯାଏ। ପାଟୁଆ ଯାତ୍ରା, ଦଣ୍ଡଯାତ୍ରା ଓ ଝାମୁ ଯାତ୍ରା ମଧ୍ୟରେ ବିଶେଷ ପାର୍ଥକ୍ୟ ଦେଖା ଯାଉନଥିଲେ ମଧ୍ୟ ଏହି ତିନି ପ୍ରକାର ଯାତ୍ରାରେ ଅଳ୍ପ ଅଳ୍ପ ଆଞ୍ଚଳିକ ବୈଷମ୍ୟ ଦେଖାଦେଇଥାଏ। ଯଦିଓ ଏସବୁ କିଛିର ମୂଳ ଗୋଟିଏ ବୋଲି ଗ୍ରହଣ କରାଯାଏ।

ପାଟୁଆ ଯାତ୍ରା

ଶିବ ହେଉଛନ୍ତି ପାଟୁଆ ଯାତ୍ରାର ମୁଖ୍ୟ ଦେବତା। ଏହି ଯାତ୍ରାରେ ଭାଗ ନେଉଥିବା ଭକ୍ତମାନଙ୍କୁ ’ଭକ୍ତା’ ବୋଲି କୁହାଯାଇଥାଏ। ଏହି ‘ଭକ୍ତା’ମାନେ ନିଜକୁ ‘ଶିବପ୍ରିୟା ପାର୍ବତୀ’ ମନେକରି କଠିନ ସାଧନା ପୂର୍ବକ ଶିବକୃପା ଲାଭ କରିବାର ପ୍ରଚେଷ୍ଟା କରନ୍ତି। ସେଥିପାଇଁ ‘ଭକ୍ତା’ ନିଜକୁ ନାରୀ ଭାବେ ସଜାଇ ଏହିଯାତ୍ରାରେ ଅଂଶଗ୍ରହଣ କରିଥାଏ। ମାତ୍ର କୌଣସି ପ୍ରକୃତ ନାରୀ ଏଥିରେ ଭାଗ ନେଇପାରନ୍ତି ନାହିଁ। ଉତ୍ତର ଓଡ଼ିଶାର ବିଭିନ୍ନ ଶୈବକ୍ଷେତ୍ରରେ ପାଟୁଆ ଯାତ୍ରା ହେବାର ଲକ୍ଷ୍ୟ କରାଯାଏ।

ଅନେକ ସ୍ଥାନରେ ଶିବଙ୍କ ସହିତ ଶକ୍ତିକୁ ମଧ ଆରାଧନା କରାଯାଇଥାଏ। ମୂଖ୍ୟତଃ ଶିବ କୃପା ଲାଭ ନିମନ୍ତେ ଶକ୍ତିଙ୍କୁ ମାଧ୍ୟମ ରୂପେ ଗ୍ରହଣ କରି ନିଜ ମଧ୍ୟରେ ଶକ୍ତିଙ୍କର ସମାବେଶ ଘଟାଇବା ନିମନ୍ତେ ଭକ୍ତ ତାଙ୍କର ଶରଣ ପଶିଥାଏ। ବାଲେଶ୍ୱର ଜିଲ୍ଲାର ଚରମ୍ପା ‘ପାଟୁଆଯାତ୍ରା’, ମୟୂରଭଞ୍ଜର ‘ରରୁଆଁ’ ଓ ‘ଠାକୁରମୁଣ୍ଡା’ର, ପୁରୀ ଜିଲ୍ଲାର ‘କାକଟପୁର’, କଟକ ଜିଲ୍ଲାର ‘ବାଙ୍କୀ’, ‘ଝଙ୍କଡ଼’ ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ପାଟୁଆ ଯାତ୍ରାରେ ଆରାଧ୍ୟା ହେଉଛନ୍ତି ‘ଶକ୍ତି’।

Odia Tradition Jhamu Jatra Odia Parba Parbani Odisha
Advertisment
Advertisment