• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆଗୁଆ ସତର୍କ କରାଇଛି ୟୁରୋପୀୟ ସଂଘ ।  ଆଗାମୀ ଦିନରେ ହୋଇପାରେ ତୃତୀୟ ବିଶ୍ବଯୁଦ୍ଧ। ଯଦି ତୃତୀୟ ବିଶ୍ବଯୁଦ୍ଧ ହୁଏ, ତେବେ ଏଥିରେ ପାଖାପାଖି ୪୫ କୋଟି ନାଗରିକ ସିଧାସଳଖ ପ୍ରଭାବିତ ହେବେ।  ରିପୋର୍ଟ ମୁତାବକ, ୟୁରୋପୀୟ ସଂଘ ଏହି ୪୫ କୋଟି ଲୋକଙ୍କୁ ଅତି କମରେ ୭୨ ଘଣ୍ଟା ପାଇଁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ମହଜୁଦ ରଖିବାକୁ ଆଗୁଆ ସୂଚନା ଦେଇଛି। ଏହି ଚେତାବନୀ ପରେ ୟୁରୋପୀୟ ଦେଶମାନଙ୍କରେ ଚିନ୍ତା ବଢ଼ିଯାଇଛି।  ଆଶଙ୍କାରେ ରହିଛନ୍ତି କୋଟି କୋଟି ଜନସାଧାରଣ।  ବିଶ୍ବର କିଛି ନେତାସମୂହଙ୍କ ଅହଂକାର ପାଇଁ ବଳିପଡ଼ିବାକୁ ଯାଉଛି ଏମାନଙ୍କ ଜୀବନ। ସେପଟେ ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଅନେକ ନାଟୋ ଦେଶ ଯୁଦ୍ଧ ପାଇଁ ଆରମ୍ଭ କରିସାରିଛନ୍ତି  ପ୍ରସ୍ତୁତି।  

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇରାନ

Also Read

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରୁ ବୋମାବର୍ଷଣର ଧମକ ପରେ ଏବେ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ସହରରେ ଥିବା ସମସ୍ତ ଲଞ୍ଚରଗୁଡ଼ିକୁ ପ୍ରସ୍ତୁତ କରିସାରିଛି । କ୍ଷେପଣାସ୍ତ୍ରଗୁଡ଼ିକୁ ଲଞ୍ଚରରେ ଲୋଡ୍ କରାଯାଇଛି ଏବଂ ଇରାନ ସମସ୍ତ ଭୂତଳ କ୍ଷେପଣାସ୍ତ୍ର ସହରରେ ନିକ୍ଷେପ କରିବାକୁ ପ୍ରସ୍ତୁତ ଅଛି ।  ଇରାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଛି। ଏଥିରେ ଯୁଦ୍ଧ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ଦିଆଯିବା ସହିତ କ୍ଷେପଣାସ୍ତ୍ର ରହିଛି ବୋଲି କୁହାଯାଇଛି।  ଯଦି ତତ୍‌କ୍ଷଣାତ ଯୁଦ୍ଧ ହେଲା, ତେବେ ଏହାର ପ୍ରଭାବ ବିଶ୍ବର ସମସ୍ତ ରାଷ୍ଟ୍ରର ଅର୍ଥନୀତିକୁ ଦୁର୍ବଳ କରିପକାଇବ।  

ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢ଼ୁଛି

ଆମେରିକା ଇରାନ ସହିତ ପରମାଣୁ ବୋମାକୁ ନେଇ ଚୁକ୍ତି କରିବାକୁ ଚାହୁଁଛି। ହେଲେ ଇରାନ ଏଥିପାଇଁ ଆଦୌ ରାଜି ହେଉ ନାହିଁ। ଏନେଇ ଟ୍ରମ୍ପ ଇରାନ ସର୍ବୋଚ୍ଚ ନେତାଙ୍କୁ ନିକଟରେ ଏକ ଚିଠି ପଠାଇଥିଲେ। ହେଲେ ତେହରାନର କୌଣସି ନେତା ସିଧା ସଳଖ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଫଳରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏପରିକି ଇରାନ ଆମେରିକା ସହିତ ସିଧାସଳଖ ଏ ନେଇ ଆଲୋଚନା କରିବାକୁ ମନା କରିଦେଇଥିଲା। ଆମ ଦେଶ ଏହାର ପରମାଣୁ ସଂକ୍ରାନ୍ତୀୟ କୌଣସି ଆଲୋଚନା ଆମେରିକା ସହିତ ସିଧାସଳଖ କରିବ ନାହିଁ ବୋଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଖୋଲାଖୋଲି କହିଛନ୍ତି।

ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଟ୍ରମ୍ପ ୨୦୧୮ରେ ଇରାନ ଏବଂ ବିଶ୍ବର ଅନ୍ୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିରୁ ଆମେରିକାକୁ ବାହାର କରି ନେଇଥିଲେ। ଏହି ଚୁକ୍ତିନାମାରେ ଆର୍ଥିକ କଟକଣାକୁ କୋହଳ କରିବା ବଦଳରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର କଟକଣା ଲାଗୁ କରିବାକୁ ସର୍ତ୍ତ ରହିଥିଲା। ଚୁକ୍ତିରୁ ଓହରିଯିବା ପରେ ଟ୍ରମ୍ପ ଇରାନ ଉପରେ ଏକାଧିକ କଠୋର କଟକଣା ଲାଗୁ କରିଥିଲେ। ଏହା ପରଠାରୁ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

ତୃତୀୟ ବିଶ୍ବଯୁଦ୍ଧ ପାଇଁ ସଜ ହେଲେଣି ଲେବାନନ୍‌ ଆଉ ଇସ୍ରାଏଲ୍‌

ଲେବାନନ୍ ଏବଂ ଗାଜାରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇସ୍ରାଏଲର ଆକ୍ରୋଶ ସତ୍ତ୍ୱେ ଦୀର୍ଘ ଦିନ ଧରି ସଂଯମତା ରକ୍ଷା କରି ଶାନ୍ତି ବଜାୟ ପାଇଁ ପ୍ରୟାସ କରୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ନିରବତା ଭଙ୍ଗ କରି ଇରାନ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିବା ଆରମ୍ଭ କରିଥିଲା। ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ରାଗରେ ଜର୍ଜରିତ ହୋଇ ଇରାନ୍‌ ଉପରେ ପ୍ରତିଶୋଧ ନେବାକୁ ପଣ କରିଛନ୍ତି। ଇସ୍ରାଏଲ୍ ଯଦି ଏପରି ପଦକ୍ଷେପ ହେବ, ଯାହା କେବଳ ବିବାଦକୁ ବଢ଼ାଇବ ତାହା ନୁହେଁ, ବରଂ ବିଶ୍ବକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ନେଇଯିବ ବୋଲି ଆଶଙ୍କା ଦୃଢ଼ୀଭୂତ ହୋଇଛି।

ଆଣବିକ ଅସ୍ତ୍ର ହାସଲ କରିବା ଇରାନର ପୁରୁଣା ଖୋଇ। ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ ବିବାଦ ବଢ଼ିଯାଏ ତେବେ ପାଶ୍ଚାତ୍ୟ ଦେଶ ମଧ୍ୟ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି। ସେପଟେ ରୁଷିଆ ବିରୁଦ୍ଧରେ ଲଢୁଥିବା ୟୁକ୍ରେନକୁ ପାଶ୍ଚାତ୍ୟର ମଧ୍ୟ ଦୃଢ଼ ସମର୍ଥନ ରହିଛି। ଏବେ ଯେଉଁଭଳି ସ୍ଥିତି ଉପୁଜିଛି, ସେଥିରୁ ସ୍ପଷ୍ଟ ମନେ ହେଉଛି ଯେ, ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇସାରିଛି। ମାତ୍ର ଏହାର ରୂପରଙ୍ଗ ଅଲଗା ବୋଲି ବିଶ୍ଲେଷକ ମତ ଦେଇଛନ୍ତି। ଏହି ପରଦା ପଛର ଯୁଦ୍ଧକୁ ‘ହାଇବ୍ରିଡ୍ ଯୁଦ୍ଧ’ କୁହାଯାଉଛି। ଏଥିରେ ଗୁପ୍ତ ସାମରିକ କାର୍ଯ୍ୟ, ଅନ୍ୟ ସୀମାରେ ହସ୍ତକ୍ଷେପ, ବିଚ୍ଛିନ୍ନତା, ନିର୍ବାଚନରେ ହସ୍ତକ୍ଷେପ ଏବଂ ହ୍ୟାକିଂ ଭଳି ଉପାଦାନ ମାଧ୍ୟମରେ ଯୁଦ୍ଧକୁ ତୀବ୍ରତର କରାଯାଉଛି।

ଇସ୍ରାଏଲ ନିଜକୁ ବେଶ୍‌ ସୁରକ୍ଷିତ ରଖିବାକୁ ଏସବୁ କରୁଛି। ଏବେ ଇସ୍ରାଏଲ ସମସ୍ତଙ୍କୁ ହଟାଇ ଏକତରଫା ସବୁ କିଛି କରିବାକୁ ଚାହୁଁଛି। ତେବେ ଏଥିରେ ବାଧକ ସାଜିଛନ୍ତି ପଡୋଶୀ ରାଷ୍ଟ୍ର। ଇସ୍ରାଇଲର ଏହି ଆକ୍ରମଣ ଲେବାନନ୍ ଏବଂ ପାଲେଷ୍ଟାଇନ ପାଇଁ ବିପଦ ସୃଷ୍ଟି କରିଛି। ଅର୍ଥନୈତିକ ବିପଦ ସହିତ ଏଠାକାର ଜନସାଧାରଣ ମଧ୍ୟ ଭୟଭୀତ ରହିଛନ୍ତି। ଏହାର ପ୍ରଭାବ କେବଳ ଏହି ଅଞ୍ଚଳରେ ନୁହେଁ ବିଶ୍ବସ୍ତରରେ ମଧ୍ୟ ଦେଖିବାକୁ ମିଳିଲାଣି।

‘ୟୁକ୍ରେନ୍ ସହ ଚୁକ୍ତି ନକଲେ ୫୦% ଶୁଳ୍କ ଲାଗିବ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ୍‌ରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାକୁ ପାଇଁ କିଭ ସହିତ ଏକ ଚୁକ୍ତି କରିବାରେ ଯଦି ଅସମର୍ଥ ହୁଏ, ତେବେ ରୁଷ ତେଲ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଯିବ। ଏହାର ପରିଣାମ ରୁଷ୍‌କୁ ହିଁ ଭୋଗିବାକୁ ପଡ଼ିବ। ଟ୍ରମ୍ପଙ୍କ ପୂର୍ବରୁ ଥିବା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ଋଷର ୟୁକ୍ରେନ୍‌ ଆକ୍ରମଣ ପରେ ଫେବୃଆରୀ ୨୦୨୨ ରେ ରୁଷର ତୈଳ ଆମଦାନୀ ଉପରେ ନିଷେଧାଦେଶ ଲଗାଇଥିଲେ। ୨୦୨୩ରେ ଆମେରିକାକୁ ମାତ୍ର ୧୦, ୦୦୦ ବ୍ୟାରେଲ ରୁଷର ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରାଯାଇଥିଲା।

ରୁଷ ୨୪ ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ୟୁକ୍ରେନ ଦେଶରେ ସାମରିକ ଆଇନ ଘୋଷଣା କରିଛି। ତେଣୁ ସେହି ସମୟ ମଧ୍ୟରେ ଦେଶରେ କୌଣସି ନିର୍ବାଚନ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ସେପଟେ ଟ୍ରମ୍ପ ତାଙ୍କ ରାଷ୍ଟ୍ରପତି ହେବା ପାଇଁ ନିଜର ନିର୍ବାଚନ ପ୍ରଚାର ସମୟରେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ପୁଟିନଙ୍କ ସହ ଚଳିତ ସପ୍ତାହରେ ଆଲୋଚନା କରିବେ ଟ୍ରମ୍ପ। ଜାନୁଆରୀ ୨୦ରେ ଦାୟିତ୍ବ ଗ୍ରହଣ କରିବା ପରେ ଏ ନେଇ କାର୍ଯ୍ୟକ୍ରମ ସେ ଗ୍ରହଣ କରିଛନ୍ତି। ଏହି ଯୁଦ୍ଧ ବନ୍ଦ ହେଲେ ବିଶ୍ବ ଅର୍ଥନୀତି ଉପରେ ସୁପ୍ରଭାବ ପଡ଼ିବା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ପାଇଁ ଏହା ମଙ୍ଗଳ ହେବ। ତେବେ ସମୟ ହିଁ କହିବ ଯୁଦ୍ଧର ମୋଡ଼ କେଉଁଆଡ଼କୁ ଯିବ।

Email id : : serveforthenation@gmail.com