Special story
ପଶୁ ଚୋରା ଚାଲାଣ ପାଇଁ ଥାଇଲାଣ୍ଡରେ ଦୁଇ ଭାରତୀୟ ମହିଳା ଗିରଫ । ସୋମବାର ଥାଇଲାଣ୍ଡ କର୍ତ୍ତୃପକ୍ଷ ଦୁଇ ଜଣ ଭାରତୀୟ ମହିଳାଙ୍କୁ ବ୍ୟାଙ୍କକ୍ ସ୍ୱର୍ଣ୍ଣଭୂମୀ ବିମାନବନ୍ଦରରୁ ଗିରଫ କରିଛନ୍ତି । ସେମାନଙ୍କ ଲଗେଜରେ ୧୦୯ ଜୀବନ୍ତ ପଶୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଉଭୟ ମହିଳାମାନଙ୍କ ସୁଟକେସକୁ ଏକ୍ସ-ରେ ଯାଞ୍ଚ ସମୟରେ ୧୦୯ଟି ଜୀବ ଓ ଶରିଶୃପ ମିଳିଥିବା ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଥାଇଲ୍ୟାଣ୍ଡର ଜାତୀୟ ଉଦ୍ୟାନ, ବନ୍ୟଜନ୍ତୁ ଏବଂ ଉଦ୍ଭିଦ ସଂରକ୍ଷଣ ବିଭାଗ । ସେମାନଙ୍କ ସୁଟକେସରୁ ଦୁଇଟି ଝିଙ୍କ , ୩୫ଟି କଇଁଛ, ୫୦ଟି ଝିଟିପିଟି ଏବଂ ୨୦ଟି ସାପ ଆଦି ଉଦ୍ଧାର କରାଯାଇଛି ।
ଥାଇଲାଣ୍ଡର ଜଣେ ଅଧିକାରୀ କହିଛନ୍ତି , ସୁଟକେସ୍ ଦୁଇଟି ଭାରତୀୟ ମହିଳା ନିତ୍ୟା ରାଜା ଏବଂ ଜାକିଆ ସୁଲତାନା ଇବ୍ରାହିମଙ୍କର । ସେମାନେ ଚେନ୍ନାଇରୁ ଥାଇଲାଣ୍ଡକୁ ଉଡ଼ାଣ ଭରିଥିଲେ । ଜୀବନ୍ତ ପଶୁ ଉଦ୍ଧାର ପରେ ଜଙ୍ଗଲୀ ଜନ୍ତୁ ସଂରକ୍ଷଣ ଓ ଉଦ୍ଧାର ଆଇନ୍ ୨୦୧୯ ଅନୁସାରେ ଉଭୟଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ୨୦୧୭ର କଷ୍ଟମ୍ ଆକ୍ଟ ଉଲ୍ଲଂଘନ କରିଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ତେବେ ଉଦ୍ଧାର ପଶୁଜନ୍ତୁ ଗୁଡ଼ିକ ଭାରତରୁ ନେଇକି ଯାଉଥିଲେ, ନା ଅନ୍ୟ କେଉଁଠାରୁ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସିଏନ୍ଏନ୍ ଅନୁଯାୟୀ, ବିମାନ ମାଧ୍ୟମରେ ପଶୁ ଚୋରା ଚାଲାଣ ଦୀର୍ଘ ଦିନ ଧରି ଚାଲିଆସୁଛି । ୨୦୧୯ରେ ମଧ୍ୟ ବ୍ୟାଙ୍କକରୁ ଚେନ୍ନାଇ ଆସୁଥିବା ଜଣେ ବ୍ୟକ୍ତି ବିମାନବନ୍ଦର କଷ୍ଟମ୍ସ ବିଭାଗ ଦ୍ୱାରା ଧରାଯାଇଥିଲେ । ତାଙ୍କ ଲଗେଜରୁ ଏକ ମାସର ଚିତା ଛୁଆ ଧରାପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)