• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାନ ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ? ଆମ ଭାରତୀୟ ସଭ୍ୟତାରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହାର ବୈଜ୍ଞାନିକ ନାଁ ହେଲା – ପାଇପର ବିଟଲ । ଆୟୁର୍ବେଦ ଶାସ୍ତ୍ର ଅନୁସାରେ, ପାନର ବ୍ୟବହାର ପ୍ରାୟ ଖ୍ରୀ.ଅ ୭୫ରୁ ଖାଇବା ପରର ଖାଦ୍ୟ ଭାବେ ଚାଲିଆସିଛି । ପୂର୍ବରୁ ଚୀନ୍‌ରେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଉଥିଲା ।

କ୍ୟାନସର ନିରୋଧୀ, ପ୍ରଦାହ ବା ଇନଫ୍ଲେମେସନ୍ ନିରୋଧୀ ତଥା ହୃଦ୍‌ରୋଗର ଔଷଧରେ ପାନର ରସ ବ୍ୟବହୃତ ହେଉଥିଲା । ପାନ ଖାଇବା ଦ୍ୱାରା କ୍ୟାନ୍‌ସର୍‌ ହେବାର କୌଣସି ପ୍ରମାଣ ମିଳେ ନାହିଁ । ସମୟ କ୍ରମେ ପାନ ସହ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ସୁଗନ୍ଧିତ ଦ୍ରବ୍ୟ, ରଙ୍ଗ, ଜର୍ଦ୍ଦା, ଧୂଆଁପତ୍ର ଆଦି ପକାଇବାରୁ ଏହା ମାରାତ୍ମକ ହୋଇଯାଉଛି ।

ପାନପତ୍ର ଆମର ପାଟିରେ ଥିବା ସାଲାଇଭା ବା ହଜମକାରୀ ଲାଳର କାର୍ଯ୍ୟକାରିତା ବଢ଼ାଏ । ଏଣୁ ଏହା ଖାଦ୍ୟ ପାଚନ ପାଇଁ ଖୁବ ଉପକାରୀ ହୋଇଥାଏ । ପାନପତ୍ରରେ ଅନେକ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯେପରିକି ଥାୟାମିନ୍, କ୍ୟାରୋଟିନ୍, ରାଇବୋଫ୍ଲୋବିନ୍ ଆଦି ରହିଛି । ଏହା ଆମ ପାକସ୍ଥଳୀ ପିଏଚ୍ ସ୍ତରକୁ ନିୟନ୍ତ୍ରଣରେ ରଖେ ।

ଏହାର ଆଣ୍ଟିସେପ୍ଟିକ୍ ବା କ୍ଷତ ଶୁଖାଇବା ଗୁଣ ମଧ୍ୟ ରହିଛି । ଏହା ଆମ ମାଢ଼ିକୁ ସୁସ୍ଥ ରଖିବା ସହ ଆମ ମୁଖ ବ୍ୟାକ୍ଟେରିଆକୁ ପ୍ରତିରୋଧ କରେ । ପାନପତ୍ରକୁ ଖାଲି ଚୋବାଇ ଖାଇବା ଦ୍ୱାରା ଏହା ଆସ୍‌ଥମା ଓ ଶ୍ୱାସନଳଜନିତ ସମସ୍ୟା ପାଇଁ ଫଳପ୍ରଦ ହୋଇଥାଏ । ଏଥିରେ ଥିବା ବାୟୋଆକ୍ଟିଭ୍ କମ୍ପାଉଣ୍ଡ୍ ବା ଜୈବ-ସକ୍ରିୟ ପଦାର୍ଥ ଔଷଧ ଶିଳ୍ପ ପାଇଁ ଅତ୍ୟନ୍ତ ଦରକାରୀ ।

ଏହାର ପତ୍ରରେ କ୍ୟାଟାଲେଜ୍ ଓ ଡାଇଆଷ୍ଟେଜ୍ ପରି ଉପାଦେୟୀ ଏନ୍‌ଜାଇମ୍ ରହିଛି ଯାହା ଆମ ଗ୍ୟାଷ୍ଟ୍ରିକ୍ ବ୍ୟବସ୍ଥାକୁ ଠିକ ରଖେ । ଏଥିରେ ଲାଇସିନ୍, ହିଷ୍ଟିଡିନ୍ ପରି ଅନେକ ଦରକାରୀ ଆମିନୋ ଏସିଡ୍ ମଧ୍ୟ ରହିଛି । ଯାହା ଆମ ଶରୀର ପାଇଁ ବେଶ୍‌ ଭଲ । ପାନପତ୍ରରେ ଆଣ୍ଟି ଫଙ୍ଗାଲ ବା ଫଙ୍ଗସ୍‌ଜନିତ ଇନ୍‌ଫେକସନ୍‌କୁ ରୋକିବାର ଗୁଣ ରହିଛି ।

ଆସ୍‌ପେରିଜିଲସ୍, କ୍ୟାଣ୍ଡିଡା, ଟ୍ରାଇକୋଫାଇଟନ୍ ପରି ଫଙ୍ଗସ୍ ବୃଦ୍ଧି ରୋକିବାରେ ଏହା କାମ ଦିଏ । ଏଣୁ ଏହା ବିଭିନ୍ନ ଚର୍ମ ଔଷଧରେ ମଧ୍ୟ ବ୍ୟବହୃତ ହୋଇଥାଏ । ପାନର ଅନେକ ଉପାଦେୟତା ସତ୍ତ୍ୱେ ଏଥିରେ କୃତ୍ରିମ ରଙ୍ଗ ଆଦି ମିଶାଇ ଏହାର ଉପକାରୀ ଗୁଣକୁ ନଷ୍ଟ କରିଦିଆଯାଉଛି । ପାନକୁ ଉପଯୁକ୍ତ ପ୍ରକ୍ରିୟାରେ ସଂରକ୍ଷିତ ରଖିବା ମଧ୍ୟ ଆବଶ୍ୟକ । ମୁଖ୍ୟତଃ ଏସିଆରେ ଏହାର ବ୍ୟବହାର ଅଧିକ ।

ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ ଏହାକୁ ପାଣିରେ ପକାଇ ଖାଇବା ପରେ ମୁଖଶୋଧନ ପାଇଁ ଦିଆଯାଏ । ମାଲେସିଆରେ ଦାନ୍ତ ସମ୍ବନ୍ଧୀୟ ସମସ୍ୟା ତଥା ଆଣ୍ଠୁଗଣ୍ଠି ଦରଜ ଉପଶମ ପାଇଁ ଏହାର ପତ୍ରକୁ ବ୍ୟବହାର କରାଯାଏ । ତେବେ ଅନେକ ଉପାଦେୟତା ଥିବା ଏହି ପାନପତ୍ର ଚାଷ ଅନେକ ଯତ୍ନ ଦରକାର କରେ । ଅତ୍ୟଧିକ ତାପମାତ୍ରା ସହ୍ୟ କରିପାରୁ ନ ଥିବା ପାନ ଲତା ସାଧାରଣତଃ ବଢ଼ିବାକୁ ୪-୬ ମାସ ନେଇଥାଏ । ଆଜିକାଲି ପାନରେ ଅନେକ ପ୍ରକାର ରାସାୟନିକ ଦ୍ରବ୍ୟର ବହୁଳ ବ୍ୟବହାର ପ୍ରତି ସଚେତନ ନ ରହିଲେ ଏହା କ୍ୟାନ୍‌ସର୍‌ ପରି ମାରାତ୍ମକ ରୋଗ ସୃଷ୍ଟି କରିବ ।

OTV is now on Whatsapp

Join and get latest news update delivered to you via whatsapp

Join Now