କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ। ବେଙ୍ଗଲୁରୁରୁ ଗୌହାଟି ଯାଉଥିବା ଏହି ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହେବାରୁ ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି 3 ଜଣ ଆହତ ହୋଇ କଟକ SCB ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅଧା ବାଟରେ ଫସିଥିବା ଯାତ୍ରୀଙ୍କୁ ଏକ ସ୍ବତନ୍ତ୍ର ଟ୍ରେନରେ ଗନ୍ତବ୍ୟ ସ୍ଥଳକୁ ପଠାଇଛି ଇଷ୍ଟ-କୋଷ୍ଟ ରେଲୱେ। ଦୁର୍ଘଟଣାସ୍ଥଳରେ ତୁରନ୍ତ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରି ଦେଇଥିଲେ। ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି।
ପୁଣି ଟ୍ରାକ୍ରୁ ଖସିଲା ଟ୍ରେନ୍ । କଟକ ନିକଟରେ କାମାକ୍ଷା ଏକ୍ସପ୍ରେସର ୧୧ ବଗି ଡିରେଲ୍ । ସମୟ ଦିନ ପ୍ରାୟ ୧୧ଟା ୫୪। ବେଙ୍ଗଳୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ କଟକ ଷ୍ଟେସନ ଛାଡ଼ି ଗନ୍ତବ୍ୟ ପଥରେ ଆଗେଇବାର ମାତ୍ର ୧୦ ମିନିଟ୍ ପରେ ହଠାତ୍ ମଙ୍ଗୁଳି-ଚୌଦ୍ବାର ପାସେଞ୍ଜର ହଲ୍ଟ ନିକଟରେ ହୋଇଥିଲା ଡିରେଲ୍। ପଛକୁ ପଛ ହୋଇ ରେଳ ଧାରଣାରୁ ଖସି ଯାଇଥିଲା ଗୋଟିଏ ପରେ ଗୋଟିଏ କରି ୧୧ଟି ଏସି ବଗି। ଭିତରେ ଥିବା ଯାତ୍ରୀମାନେ ହଠାତ୍ କିଛି ବୁଝି ନପାରି ଚିତ୍କାର କରିଥିଲେ। ଅପର୍ ବର୍ଥରେ ବସିଥିବା ଅନେକ ଯାତ୍ରୀ ତଳକୁ ଦୁଲ୍ ଦାଲ୍ ହୋଇ ଖସି ପଡ଼ିଥିଲେ, ସାମାନପତ୍ର ସବୁ ଭୁସ୍ ଭାସ୍ ହୋଇ ଖସୁଥିଲା। ମିନିଟ୍ଏ କି ଦୁଇ ମିନିଟ୍ ପରେ ଟ୍ରେନ୍ ସ୍ଥିର ହେବା ଜାଣି, ଜୀବନ ବିକଳରେ ବଗି ଭିତରୁ ସମସ୍ତେ ବାହାରି ଆସିଥିଲେ। ଆଉ ଛାତିଥରା ଅନୁଭୂତି ବଖାଣିଥିଲେ।
Also Read
ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର
ଟ୍ରେନ୍ ଦୁର୍ଘଟଣା ଖବର ଶୁଣି ପ୍ରଥମେ ଘଟଣାସ୍ଥଳକୁ ଦୌଡ଼ିଥିଲେ ସ୍ଥାନୀୟ ମଙ୍ଗୁଳି ଗାଁର ଲୋକେ। ଯାତ୍ରୀଙ୍କୁ ଓହ୍ଲାଇବାରେ ସାହାଯ୍ୟ କରିବା ସହ ପାଣି ପିଇବାକୁ ଦେଇଥିଲେ। ଏହା ପରେ ଅଗ୍ନିଶମ ବିଭାଗ ଓ NDRF ଟିମ୍ ବି ପହଞ୍ଚିଥିଲେ ସେଠାରେ। ତତକ୍ଷଣାତ୍ ଆରମ୍ଭ ହୋଇଥିଲା ରେସ୍କୁ ଅପରେସନ। ଫସିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଆହତମାନଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ସେଠୁ ସିଧା ସେମାନଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଥିଲା। ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶୁଭଙ୍କର ରାୟ ନାମକ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ଅନେକ।
କାମାକ୍ଷା ଏକ୍ସପ୍ରେସ୍ ଡିରେଲ୍ ପରର। ଟ୍ରାକ୍ରୁ ଖସି ଭାଙ୍ଗି ପଡିଛି ଚକ, ତ ବଗି ଭିତରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି ସାମାନ ପତ୍ର ଓ ଖାଦ୍ୟ ସାମଗ୍ରୀ। ଦୁର୍ଘଟଣାରୁ ପାଖାପାଖି ୫ଶହ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଧୁ ଧୁ ଖରାରେ ଅନେକ ଯାତ୍ରୀ ଛୁଆ ପିଲା ଧରି ରେଳ ଲାଇନ୍ କଡ଼ରେ ଲଗେଜ ପତ୍ର ଧରି ବସି ରହି ହନ୍ତସନ୍ତ ହୋଇଥିଲେ। ରୋଗୀ ଓ ଅସୁସ୍ଥ ଯାତ୍ରୀଙ୍କୁ ତୁରନ୍ତ ସେଇଠି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। କିଛି ଯାତ୍ରୀ ଓ ରୋଗୀଙ୍କୁ ଏମିତି ଅବସ୍ଥାରେ ସାଲାଇନ୍ ମଧ୍ୟ ଲଗା ଯାଇଥିଲା। ଅପେକ୍ଷାରତ ଯାତ୍ରୀମାନଙ୍କୁ ବ୍ୟସ୍ତ ନହେବାକୁ ଡାକବାଜି ଯନ୍ତ୍ରରେ ଅପିଲ୍ କରାଯିବା ସହ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ସେମାନଙ୍କ ଲାଗି ଅନ୍ୟ ଟ୍ରେନ୍ର ବ୍ୟବସ୍ଥା ହେଉଥିବା ଘୋଷଣା କରା ଯାଇଥିଲା ଭୁବନେଶ୍ବରରୁ ବାହାରିଥିବା ସ୍ପେଶାଲ ଟ୍ରେନ୍ ଅପରାହ୍ନ ପ୍ରାୟ ୪ଟାରେ ମଙ୍ଗୁଳି-ଚୌଦ୍ବାର PHରେ ପହଞ୍ଚିବା ପରେ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ। ସେଠାରୁ ପ୍ରାୟ ୪ଟା ୪୦ରେ ଗନ୍ତବ୍ୟସ୍ଥଳ ଗୌହାଟୀ ଅଭିମୁଖେ ଯାତ୍ରା କରିଥିଲା।
ଏଣେ ଯାତ୍ରୀମାନଙ୍କୁ ପଠାଯିବା ପରେ ଡାଉନ୍ ଲାଇନରେ ପୁନରୁଦ୍ଧାର କାମକୁ ଜୋରଦାର କରାଯାଇଛି। ଅପ୍ ଲାଇନରେ ସବୁ ଟ୍ରେନ୍ ଠିକ୍ ଠାକ୍ ଚାଲିଥିବା ସୂଚନା ଦେଇଛନ୍ତି ସିପିଆରଓ। ଡାଉନ ଲାଇନରେ କୌଣସି ଏକ୍ସପ୍ରେସ କିମ୍ବା ମେଲ୍କୁ ବାତିଲ କରାନଯାଇ ନାହିଁ। ଧଉଳି, ନୀଳାଚଳ ଓ ପୁରୁଲିଆ ସୁପରଫାଷ୍ଟ ଆଦି ଟ୍ରେନର ଗତିପଥ ବଦଳିଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ରେନ୍ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଉଦ୍ଧାର ଏବଂ ରିଷ୍ଟୋରେସନ କାର୍ଯ୍ୟ ଚାଲିଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଯାତ୍ରୀଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରିବାକୁ ଓଡ଼ିଶା ସରକାର ଓ ରେଲୱେ ସହ ସଂପର୍କରେ ଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି।