• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ମୌସୁମୀ ନଆସୁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ । ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି, ସେ ମଧ୍ୟରେ ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସମୟ ସୁଦ୍ଧା ରାଜ୍ୟରେ ୧୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ CDMOଙ୍କୁ କୁହାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି ।

ଏ ନେଇ ହସ୍ପିଟାଲଗୁଡିକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯, ମାଲକାନଗିରି ୧୭, ପୁରୀରୁ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସହରରେ ଡେଙ୍ଗୁ ଅଧିକ ହେଉଥିବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଚଳିତ ବର୍ଷ ଏଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି।

ଅଧିକ ପଢ଼ନ୍ତୁ: ପ୍ରାଣଘାତୀ ସାଜିଛି ଅଂଶୁଘାତ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ !

ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ପାଇଁ ଅନୁକୂଳ ସ୍ଥିତି ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ଜଣା ପଡ଼ିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନ ପାରେ ମୌସୁମୀ । ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି, ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଅନୁଭୂତି ହୋଉଛି ।

୫ ଦିନ ଉତ୍ତର ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ଆକଳନ ରହିଛି । ସେପଟେ ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ରହିବ । ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ସକ୍ରିୟ ହେବ । ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ଆସିଛି ମୌସୁମୀ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତକାଲି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । କିଛିଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଛୁଇଁବ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଯାଜପୁର, ମାଲକାନଗିରି, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡାରେ ବର୍ଷା ହୋଇଛି । ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳ ଛୁଇଁଥିଲା ମନସୁନ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now