ଶୋଇ ରହିଛି ଓଡ଼ିଶା ମାଡ଼ି ବସିଲାଣି ପଡ଼ିଶା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ମାଲକାନଗିରିର ଜୁମଡାଙ୍ଗ ଗାଁ । ଆମରି ଗାଁ, ହେଲେ ଆମରି ମାଟିରେ, ଆମରି ପିଲାଏ ଓଡ଼ିଆ ନୁହେଁ, ପଢୁଛନ୍ତି ତେଲୁଗୁ ଭାଷାରେ ପାଠ । ପରିଣାମ ଏହା ଯେ କୁନି କୁନି ପିଲା ଆଉ ଓଡ଼ିଆ ଭାଷା ବୁଝିବା ସ୍ଥିତିରେ ବି ନାହାନ୍ତି ।
ଖଣ୍ଡି ଓଡ଼ିଆରେ ସ୍ବାଭିମାନ ଅଞ୍ଚଳ ଭିତରେ ଆସୁଥିବା ଏ ଜୁମଡାଙ୍ଗ ବାସିନ୍ଦା କହିଛନ୍ତି,’ଆନ୍ଧ୍ର ସବୁ ଦେଇଛି...ଟିକେ ଟିକେ ଓଡ଼ିଆ କହି ପାରୁଛୁ...ସବୁ ତେଲୁଗୁ’ । ଲୋକଙ୍କ ଅଭିଯୋଗ, ଓଡ଼ିଶା ପକ୍ଷରୁ ସେମାନଙ୍କ ପାଇଁ କିଛି ସୁବିଧା ନଥିଲା ବେଳେ ଆନ୍ଧ୍ର ଏଠି ସବୁ ଦେଇଛି । ପ୍ରତି ଘରକୁ ମାଗଣାରେ ବିଜୁଳି ଦେଇଛି, ଝରଣା ପାଣିକୁ ଗାଁ ଯାଏ ଆଣି ଟାଙ୍କି ବସାଇ ଘରକୁ ଘର ପିଇବା ପାଣି ଯୋଗାଇଛି, ଆବାସ ଘର ବି ଦେଲାଣି ।
Also Read
ଏଠାରେ ଚାଲିଥିବା ଆବାସ କାମ ଗୁଡ଼ିକ ଆନ୍ଧ୍ର ଟଙ୍କାରେ ଚାଲିଛି । ଆନ୍ଧ୍ର ସରକାର ଜୁମୁଡାଙ୍ଗ ଗାଁର ୧୨ଟି ପରିବାରକୁ ଆବାସ ଯୋଜନାରେ ସାମିଲ କରି ୩ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦେଉଛି । ତେଣୁ କିଛି ଲୋକ କାର୍ଯ୍ୟ ଆରମ୍ଭ କରି କିସ୍ତି ମଧ୍ୟ ପାଇ ସାରିଲେଣି । କଥା ଏତିକିରେ ସରିନି ।
ଗାଁରେ ପ୍ରତ୍ୟେକଙ୍କ ପାଖରେ ଦୁଇଟି ରାଜ୍ୟର ପରିଚୟ ପତ୍ର । ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ମାଗଣାରେ ୩୫କିଲୋ ଲେଖାଏଁ ଚାଉଳ ଦିଆଯିବା ସହ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୪ହଜାର ଲେଖାଏଁ ଟଙ୍କା ବି ଯୋଗାଇ ଦିଆଯାଉଛି । ଗ୍ରାମବାସୀଙ୍କୁ ସବୁ ସୁବିଧା ସୁଯୋଗ ଦେଇ ନିଜ ପଟିଆ କରି, ମନ ଜିଣି ଗାଁ ଉପରେ ନିର୍ବାଧାରେ ନିଜ କବ୍ଜା ଜାହିର କରି ଚାଲିଛି ଆନ୍ଧ୍ର ସରକାର ।
ଯେଉଁଥିପାଇଁ ଗାଁର ସମସ୍ତେ ଆନ୍ଧ୍ର ମୁହାଁ । କିନ୍ତୁ ଓଡ଼ିଶା ପକ୍ଷରୁ କେବଳ ଗାଁକୁ ସଂଯୋଗୀକରଣ ପାଇଁ ରାସ୍ତାଟିଏ ଏବଂ କେବେଠୁ ଅଧାଗଢ଼ା ଅବସ୍ଥାରେ ଥିବା ଏ ଅଙ୍ଗନବାଡ଼ି ଗୃହ ଛଡ଼ା ଯେମିତି ଆଉ କିଛିର ଚିହ୍ନବର୍ଣ୍ଣ ନାହିଁ । ହେଲେ ବିଡ଼ମ୍ବନା, ୟା ଭିତରେ ଆନ୍ଧ୍ର ପୂରା ଗାଁକୁ ନିଜ କବଜାକୁ ନେଇ ସାରିଥିଲା ବେଳେ ଏ ଖବର କିନ୍ତୁ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ଆମଠୁ ଖବର ସଂପର୍କରେ ଜାଣି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।