• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ ତ ଆଉ କିଏ ଏହି ରହସ୍ୟଜନକ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି । ସେପଟେ ବାରିପଦାରେ ବିଶ୍ୱରଂଜନଙ୍କ ଅନ୍ତିମ ସତ୍କାର ସରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଜିଲ୍ଲାପାଳ ମଧ୍ୟ ଖୋଳତାଡ଼ କରୁଛନ୍ତି ।

ସିମୁଳିଆର ବିଡ଼ିଓ ବିଶ୍ୱରଂଜନ ମହାନ୍ତି.. ପ୍ରମୋସନ୍ ପାଇ ବିଡ଼ିଓ ବନିଥିଲେ । ଦୀର୍ଘବର୍ଷ ଧରି ଶୃଙ୍ଖଳାର ସହ ଚାକିରି ପରେ ୨୦୨୫ ଜୁନରେ ହୁଏତ ଚାକିରି ଜୀବନରୁ ଅବସର ନେଇଥାନ୍ତେ । କିନ୍ତୁ ଦୁର୍ଭାଗ୍ୟ, ଇହଧାମରୁ ସବୁଦିନ ପାଇଁ ଅବସର ନେଇଗଲେ ବିଶ୍ୱରଂଜନ ।

ତାଙ୍କ ସହ ଏମିତି କ’ଣ ଘଟିଗଲା କେଜାଣି, କର୍ମକ୍ଷେତ୍ରରେ ହିଁ କାଲି ଅପରାହ୍ନରେ ମିଳିଲା ଅକାଳ ବିୟୋଗର ଖବର । ସରକାରୀ କ୍ୱାର୍ଟସରୁ ରହସ୍ୟଜନକ ଭାବେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ତା’ପରଠୁ ପତ୍ନୀ ନିବେଦିତା ରାଉତଙ୍କ ଆଖିରୁ ଶୁଖୁନି ଲୁହ । ଧୈର୍ଯ୍ୟ ରହୁନି ବୟସ୍କ ବାପାଙ୍କର .. ଭାଙ୍ଗିପଡ଼ିଛନ୍ତି ଆତ୍ମୀୟ ସ୍ୱଜନ ।

ସିମୁଳିଆରୁ ପରିବାର ଲୋକେ ମୃତଦେହକୁ ବାରିପଦା ନେବା ପରେ ସେଠାରେ ଆଜି ଅନ୍ତିମ ସତ୍କାର କରାଯାଇଛି । ଅଥଚ ଜଣେ ବି ସରକାରୀ ଅଧିକାର ଯୋଗ ନଦେବାରୁ ପତ୍ନୀ ନିବେଦିତା କ୍ଷୋଭ ପ୍ରକାଶ କରିଛନ୍ତି । କର୍ମକ୍ଷେତ୍ରରେ ଚାପ କିମ୍ବା କେହି ବ୍ଲାକମେଲ୍ କରିଥିବାରୁ ସ୍ୱାମୀ ଆତ୍ମହତ୍ୟା କରିଥାଇପାରନ୍ତି । ତଦନ୍ତ କଲେ ବି କିଛି ଲାଭ ହେବନି ।

ତେବେ ପ୍ରଶ୍ନ ଉଠେ ତାଙ୍କ ଉପରେ ଏମିତି କି ଚାପ ଥିଲା ଯେ, ଜୀବନ ହାରିବା ଯାଏଁ କଥା ଗଲା ? କେଉଁ କାର୍ଯ୍ୟକୁ ନେଇ ଏବଂ କାହାଦ୍ୱାରା ଚାପରେ ଥିଲେ ବିଶ୍ୱରଂଜନ ? ୨୦୨୩, ଅକ୍ଟୋବର ୨୫ । ପ୍ରମୋସନ ପାଇ ସିମୁଳିଆ ବିଡ଼ିଓ ଭାବେ ଯୋଗଦେଇଥିଲେ ବିଶ୍ୱରଂଜନ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଏକ ଭିଡ଼ିଓ କନଫରେନ୍ସରେ ଯୋଗଦେବାର ଥିଲା ସେ । ତେବେ ଅନୁପସ୍ଥିତ ରହିବାରୁ ତାଙ୍କୁ ଫୋନ୍ କରାଯାଇଥିଲା । କିନ୍ତୁ ସେ ଫୋନ୍ ରିସିଭ୍ ନକରିବାରୁ ଖୋଜାଖୋଜି କରାଯାଇଥିଲା । ଆଉ ଖୋଜୁ ଖୋଜୁ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ତାଙ୍କ ମୃତଦେହ ।

ବିଶ୍ୱରଂଜନଙ୍କୁ ଛୁଟି ମିଳୁନଥିବାରୁ ମାନସିକ ଚାପରେ ଥିବା କଥା ଗତକାଲି କହୁଥିଲେ ତାଙ୍କ ବାପା । ଏପରିକି ପତ୍ନୀ ନିବେଦିତା ହତ୍ୟା ଆଶଙ୍କା ବି କରୁଥିଲେ। ଏସବୁ ଭିତରେ ଆଜି ବିଶ୍ୱରଂଜନଙ୍କ ମାମୁଁ ନୂଆ ଅଭିଯୋଗ ଆଣି କହିଛନ୍ତି, ବିଶ୍ୱରଂଜନଙ୍କୁ କିଛିଦିନ ତଳେ ଏକ ଠିକାଦାର ଗୋଷ୍ଠୀ ବିଲ୍ ପାଇଁ ପାଟିତୁଣ୍ଡ କରିଥିଲେ । ଆଗକୁ ନିର୍ବାଚନ ଥିବାରୁ ଚାନ୍ଦା ପାଇଁ ବି ଚାପ ପଡ଼ିଥାଇପାରେ ।

ବିଡ଼ିଓଙ୍କ ମୃତ୍ୟୁର ଅନେକ ଅସମାହିତ ପ୍ରଶ୍ନ ଭିତରେ ବାରିପଦା ବିଧାୟକ କହିଛନ୍ତି, ରଥ ପରିକ୍ରମାଠୁ ଆରମ୍ଭ କରି ନୁଆ ‘ଓ’ ଯାଏଁ, ପ୍ରତ୍ୟେକ କାର୍ଯ୍ୟକ୍ରମ ନାଁରେ ବିଡ଼ିଓ, ଯନ୍ତ୍ରୀଙ୍କ ଠାରୁ ଚାନ୍ଦା ଆଦାୟ କରାଯାଉଛି । କାର୍ଯ୍ୟର ଚାପ ବି ପଡୁଛି । ସେଥିପାଇଁ ବିଶ୍ୱରଂଜନ ପ୍ରାଣ ହରାଇଛନ୍ତି । ତେବେ ସିମୁଳିଆ ପୋଲିସ ସବୁ ଦିଗକୁ ଧରି ଏବଂ GPEO ମୃତ୍ୟୁଞ୍ଜୟ ନାୟକଙ୍କୁ ସ୍କାନରରେ ରଖି ତଦନ୍ତ କରୁଛି । ଅନ୍ୟପଟେ ଏ ସଂପର୍କରେ ମୁହଁ ଖୋଲିବାକୁ ନାରାଜ GPEO ।

  • Reported by:
  • RASHMIRANJAN DAS , MANIK Lal PANI , Niranjan Behera