/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744418836.jpg)
Rourkela’s Commissionerate Status
କେବେ କମିଶନରେଟ୍ ବ୍ୟବସ୍ଥାରେ ସାମିଲ ହେବ ରାଉରକେଲା ? ଘୋଷଣାକୁ ବର୍ଷ ପରେ ବର୍ଷ ବିତୁଥିବାବେଳେ ସାକାର ହୋଇପାରୁନି ଇସ୍ପାତନଗରବାସୀଙ୍କ ସ୍ବପ୍ନ । ରାଜ୍ୟରେ ଖାଲିପଡ଼ିଥିବା ପୋଲିସ ପଦବୀ ପୂରଣ ହେବାପରେ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଜିପି । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ରାଉରକେଲାକୁ କମିଶନରେଟ୍ ବ୍ୟବସ୍ଥାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି, ଶୀଘ୍ର ନିଷ୍ପତ୍ତି ନେବେ ।
ରାଉରକେଲାରେ କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍ ? ଘୋଷଣା ପରେ ବି କାହିଁକି ଲାଗୁ ହେଉନି କମିଶନରେଟ୍ ବ୍ୟବସ୍ଥା ? ଷ୍ଟିଲ୍ ସିଟି ରାଉରକେଲା। ଓଡ଼ିଶାର ଦ୍ବିତୀୟ ସ୍ମାର୍ଟସିଟି। ଛୋଟ ବଡ କମ୍ପାନୀଠୁ ଆରମ୍ଭ କରି ଏନଆଇଟି ଭଳି ଜାତୀୟସ୍ତରୀୟ ଅନୁଷ୍ଠାନ ରହିଛି। ଜନସଂଖ୍ୟା ବଢୁଛି, ସହର ଲମ୍ବୁଛି। ସେହି ଅନୁସାରେ ଅପରାଧ ବି ଉପରମୁହାଁ। କେତେବେଳେ ରାସ୍ତା ଉପରେ ଫାୟାରିଂ ତ ଆଉ କେତେବେଳେ ମର୍ଡର୍ । ହେଲେ ସ୍ଥିତିକୁ ତାଳଦେଇ ମଜବୁତ ହୋଇପାରୁନି ପୋଲିସ । କମିଶନରେଟ ତାଲିକାରେ ରାଉରକେଲା ସାମିଲ୍ ହେବା ଘୋଷଣାକୁ ବର୍ଷ ପରେ ବର୍ଷ ବିତୁଛି । କିନ୍ତୁ ସମସ୍ତ ପ୍ରକାର ଆବଶ୍ୟକୀୟ ଭିତ୍ତିଭୂମି ଥାଇ ବି ଲାଗୁ ହୋଇପାରୁନି କମିଶନରେଟ୍। ଯାହାକୁ ନେଇ ଇସ୍ପାତ ନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ : ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା
ରାଉରକେଲାରେ କମିଶନରେଟ୍ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି । ପୋଲିସକୁ ଅଧିକ କ୍ରିୟାଶୀଳ କରିବାକୁ କମିଶନରେଟ୍ ଆବଶ୍ୟକ ଥିବା ବିଧାୟକ ମତ ରଖିଥିବାବେଳେ ପୂର୍ବତନ ବିଧାୟକ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି। ସେପଟେ ଆଇନମନ୍ତ୍ରୀ କହିଛନ୍ତି, କମିଶନରେଟ୍ ବାବଦରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଅବଗତ । ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।
ନଜର ପକାନ୍ତୁ, ରାଉରକେଲାରେ ସଦ୍ୟ ଘଟିଥିବା କିଛି ହାଇପ୍ରାଫାଇଲ୍ କ୍ରାଇମ୍ ଉପରେ । ୨୦୨୪ ନଭେମ୍ବର ୪ ତାରିଖ ସକାଳ ୯ଟା- ଜନଗହଳିପୂର୍ଣ୍ଣ ଟ୍ରାଫିକ ଗେଟରେ ହୋଇଥିଲା ଫାୟାରିଂ, ୨୦୨୫ ଫେବୃୟାରୀ ୨୩ ତାରିଖ ସେକ୍ଟର ୪ ଅଞ୍ଚଳରେ ଫୁଟିଥିଲା ଗୁଳି । ପୁଣି ମାର୍ଚ୍ଚ ମାସ ୨୭ ତାରିଖରେ ଦେଓଗାଁଠାରେ ଫାୟାରିଂ କରିଥିଲେ ଦୁର୍ବୃତ୍ତ । ଏସବୁ ମାମଲାରେ ଏଯାଏଁ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିପାରିନି ପୋଲିସ । ଏଭଳି ଅନେକ ମାମଲା ରହିଛି ଯାହାର ଆଜିଯାଏଁ ପର୍ଦ୍ଦାଫାସ୍ ହୋଇପାରିନି । ସେପଟେ ଡିଜିପି କହିଛନ୍ତି, ଓଡ଼ିଶା ପୋଲିସରେ ଅନେକ ପଦବୀ ଖାଲି ପଡ଼ିଛି । ଏସବୁ ପୂରଣ ହେଲେ ଆଗକୁ ରାଉରକେଲାକୁ କମିଶନରେଟ୍ କରାଯିବା ନେଇ ପଦକ୍ଷେପ ନିଆଯିବ । ଦେଖିବାକୁ ବାକି ରହିଲା, କଟକ-ଭୁବନେଶ୍ବର ଭଳି କେବେ କମିଶନରେଟ୍ ତାଲିକାରେ ସାମିଲ ହେଉଛି ଷ୍ଟିଲ୍ ସିଟି ରାଉରକେଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)