• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବାତ୍ୟା ବିଭୀଷିକା ଟଳିଲା, କିନ୍ତୁ ନାକେଦମ କଲା ଲଗାଣ ବର୍ଷା । ବାତ୍ୟା ଜଓ୍ୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ଗତକାଲିଠୁ ପ୍ରବଳ ବର୍ଷା ଫଳରେ ଗଲା ୪୮ ଘଣ୍ଟା ଧରି ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନଯାତ୍ରା । 

ସାମୁଦ୍ରିକ ଝଡ଼ ଜଓ୍ୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ । କିନ୍ତୁ  ଦୁଇ ଦିନ ଧରି ଭିଜୁଛି ଉପକୂଳ ଓଡ଼ିଶା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ବାତ୍ୟା ଜଓ୍ୱାଦ ପ୍ରଭାବରେ ସବୁଠୁ ଅଧିକ ବର୍ଷା ହୋଇଛି । ଫଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବର୍ଷା ପାଣିର ପ୍ରଖର ସୁଅ କେଉଁଠି ଚାଷୀର ଅମଳ ଧାନକୁ ଭସାଇ ନେଇଥିଲା ତ ଆଉ କେଉଁଠି ମୁଖ୍ୟ ରାସ୍ତାରେ ଛୁଟିଥିଲା ବର୍ଷା ପାଣିର ସୁଅ ।

ସେପଟେ ଜଓ୍ୱାଦ ପ୍ରଭାବରେ ଗତକାଲିଠୁ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଖାଁ ଖାଁ, ଜନଶୂନ୍ୟ ପରିବେଶ । ଏଣେ ତୁହାକୁ ତୁହା ମୁଷଳ ଧାରାରେ ବର୍ଷା । ଏଥିପାଇଁ ପରାଦୀପରେ ଠପ୍ ହୋଇଯାଇଥିଲା ଜାହାଜରୁ ମାଲ ପରିବହନ କାର୍ଯ୍ୟ । ସେହିଭଳି ଗଭୀର ସମୁଦ୍ରରେ ଦିଗହରା ହୋଇ ପାରାଦୀବ ବନ୍ଦରରେ ଆଶ୍ରୟ ନେଇଥିଲେ ୭୫ରୁ ଅଧିକ ଫିସିଂ ଟ୍ରଲର ।

ଏପଟେ ଲଗାତାର ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇପଡ଼ିଥିଲା ପର୍ଯ୍ୟଟନ ସହର କୋଣାର୍କର ସ୍ଥିତି । ଅବିରତ ବର୍ଷା ଯୋଗୁଁ ରାସ୍ତାଘାଟ ଶୁନଶାନ ହେବା ସହ ବର୍ଷାପାଣିରେ ବୁଡ଼ି ରହିଥିଲା ବ୍ଲାକ୍ ପାଗୋଡ଼ାର ଚତୁଃପାର୍ଶ୍ୱ । ସେହିଭଳି ପୁରୀ ସାତପଡ଼ା ଅଞ୍ଚଳରେ ଯଦିଓ ବର୍ଷାର ବିତ୍ପାତ ଦେଖିବାକୁ ମିଳିନଥିଲା, କିନ୍ତୁ ପବନର ବେଗ ଅଧିକ ଥିଲା । ସକାଳୁ ସନ୍ଧ୍ୟା ଯାଏଁ ଭରା ଚିଲିକାର ଜଳରାଶି ଅଥୟ ହେବାରୁ ଭୟଭୀତ ହୋଇପଡ଼ିଥିଲେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ।

ଏଣେ ବାତ୍ୟା ଜଓ୍ୱାଦ କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ପୁରୀ, ପାରାଦୀପ, ଚାନ୍ଦବାଲି ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଗତି କରୁଥିବାରୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମଳିଛି । ପଶ୍ଚିମବଙ୍ଗରେ ପହଞ୍ଚିବା ବେଳେ ଜୱାଦ୍ ଲଘୁଚାପରେ ପରିଣତ ହେବାକୁ ଥିବାରୁ ଏହାର ପ୍ରଭାବରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନ ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ସମୟରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।