• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା । ପ୍ରେସ୍ମିଟ୍‌ରେ ଟାର୍ଗେଟ୍ କଲେ ଜନଜାତି ମୋର୍ଚ୍ଚା ସଭାପତି ରବି ନାଏକ । କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଥିଲେ ବି ବିକାଶରେ ବିଜେଡି ବାଧକ ସାଜିଛି କହିଲେ ରବି ନାଏକ । ନିତି ଆୟୋଗ ଦର୍ଶାଇଛନ୍ତି ଯେ ଆଦିବାସୀଙ୍କ ମଧ୍ୟରେ ପ୍ରତି ୩ରେ ଜଣେ ଗରିବ । ୨୨ ବର୍ଷର ଶାସନ କାଳରେ ଏଭଳି ସ୍ଥିତି ହଟେଇ ପାରିଲେନି ବିଜେଡି ସରକାର । ଡିଏମ୍ଏଫ୍ ଫଣ୍ଡ ଆଦିବାସୀଙ୍କ କ୍ଷେତ୍ରରେ ଖର୍ଚ୍ଚ ହେଉ ନାହିଁ କହିଲେ ରବି ନାଏକ । ରାଜ୍ୟର ୩୩ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ରବି ନାଏକ ।

ସୂଚନାଯୋଗ୍ୟ, ନିତି ଆୟୋଗ ରିପୋର୍ଟ କହୁଛି ଦେଶର ୧୦ ଗରିବ ରାଜ୍ୟ ଭିତରୁ ନବମ ସ୍ଥାନରେ ଥିବା ଓଡ଼ିଶାର ପ୍ରତି ୩ ଜଣରେ ଜଣେ ଗରିବ । ନିତି ଆୟୋଗଙ୍କ ରିପୋର୍ଟରେ ସବୁଠୁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ରାଜ୍ୟର ୩ ପଛୁଆ ଜିଲ୍ଲା ନବରଙ୍ଗପୁର, ମାଲାକାନଗିରି ଓ କୋରାପୁଟ । ନବରଙ୍ଗପୁରରେ ୫୯.୩୨, ମାଲକାନଗିରିରେ ୫୮.୭୧ ଓ କୋରାପୁଟରେ ୫୧.୧୪ ପ୍ରତିଶତ ଲୋକ ଗରିବୀରେ ସଢୁଛନ୍ତି । ଖାଲି ସେତିକି ନୁହେଁ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ଲୋକେ ଦାରିଦ୍ରତା ଭିତରେ କାଳାତିପାତ କରୁଥିବାରୁ ଏହା ରାଜ୍ୟ ସରକାରଙ୍କ ବିକାଶର ନାରାକୁ ପଦାରେ ପକାଇଛି ।

ଅପର୍ଯ୍ୟାପ୍ତ ଖଣିଜ ସମ୍ପଦ, ବିପୁଳ ମାନବସମ୍ବଳ ତା ସହିତ ପୁଳା ପୁଳା ଜନମଙ୍ଗଳ ଯୋଜନା ନେଇ ସରକାରଙ୍କ ପ୍ରଚାର । ଏହାସତ୍ତ୍ୱେ ବି ଓଡ଼ିଶାର ପିଛା ଛାଡୁନି ଗରିବୀ । ନିକଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଗରିବୀ ତାଲିକା, ଓଡ଼ିଶାରେ ଦାରିଦ୍ର୍ୟର ଉତ୍କଟସ୍ଥିତିକୁ ପୁଣି ସାମ୍ନା ଆଣିଛି । ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଭଳି ପଛୁଆ ଜିଲ୍ଲା ପାଇଁ ଅନେକ ଯୋଜନା କରୁଥିବା ନେଇ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ଏଠାରେ ସ୍ଥିତି ଯଥା ପୂର୍ବଂ, ତଥା ପରଂ । ଅନଟନ ଭିତରେ ପେଶି ହେଉଛନ୍ତି ଜିଲ୍ଲାବାସୀ । ତେବେ କଣ ପାଇଁ ଏ ଦୁର୍ଗତି ? କଣ ପାଇଁ ଏସବୁ ଜିଲ୍ଲାରେ ହୋଇପାରୁନି ଆର୍ଥିକ ବିକାଶ ?

୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି । ସେତେବେଳର କଳାହାଣ୍ଡି ଆଉ ଏବେକାର ନୂଆପଡ଼ା ଜିଲ୍ଲାର ନିପଟ ଗାଁରେ ରହୁଥିବା ଫାନସଙ୍କ ଅବସ୍ଥିତି ଦେଖିଲେ ଲାଗୁଛି ଦୀର୍ଘ ୩ ଦଶନ୍ଧି ପରେ ବଦଳିନି ତାଙ୍କ ଆର୍ଥିକ କି ସାମାଜିକ ସ୍ଥିତି ।

ଆଜିକୁ ୧୭ ବର୍ଷ ତଳେ ନବରଙ୍ଗପୁର ଝରିଗାଁ ବ୍ଲକ୍ ଡଙ୍ଗରିଗୁଡ଼ା ଗାଁରେ ଅପପୁଷ୍ଟି ପାଇଁ ୧୩ ଶିଶୁଙ୍କ ଜୀବନ ଯାଇଥିଲା । ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଏହି ଘଟଣାର ପ୍ରାୟ ଦୁଇ ଦଶନ୍ଧି ପରେ ବି ଗାଁକୁ ଯେମିତି ପହଞ୍ଚି ପାରିନି ବିକାଶ । ତେବେ ଖଣିଜ ସମ୍ପଦ ଭରା କେନ୍ଦୁଝର ଉପରେ ଯୋଡ଼ା ଖଣି ଅଞ୍ଚଳବାସୀଙ୍କ ଏପରି ଘର, ଦୁଆର ଓ ଚାଲିଚଳଣୀ ଦେଖିଲେ ଜଳଜଳ ଦିଶୁଛି ଏମାନଙ୍କ ଦାରିଦ୍ର୍ୟ ପଣିଆର ସ୍ୱଚ୍ଛ ଛବି । ଯାହା ପ୍ରତିଫଳିତ ହୋଇଛି ନିତି ଆୟୋଗର ସଦ୍ୟତମ ମଲ୍ଟି ଡାଇମେନ୍ସନାଲ ପଭର୍ଟି ରିପୋର୍ଟ ବା ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରେ ।