• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆବର୍ଷରେ ଦେଶକୁ ନୂଆ ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ ତଥା ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ ।

ଏହାକୁ PSLV-C 58 ରକେଟ ଲଞ୍ଚିଂର ପ୍ରାୟ ୨୨ ମିନିଟ ପରେ ପୃଥିବୀ ପୃଷ୍ଠରୁ ପ୍ରାୟ ୬୫୦ କିଲୋମିଟର ଉଚ୍ଚତାରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରିବ । ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ବବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ଏକ୍ସପୋସାଟ୍ ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ ।

ଏହି ସାଟେଲାଇଟ କୋଟି କୋଟି ଆଲୋକବର୍ଷ ଦୂରରେ ଥିବା ବ୍ଲାକହୋଲ୍, ନ୍ୟୁଟ୍ରନ୍ ଷ୍ଟାର୍, ପଲ୍ସର ୱିଣ୍ଡ ନେବୁଲା ସମେତ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଏହିସବୁ ମହାଜାଗତିକ ଉତ୍ସରୁ ନିର୍ଗତ ଏକ୍ସ-ରେ ବା ରଞ୍ଜନ ରଶ୍ମି ସଂଗ୍ରହ କରି, ସେସବୁର ସଂରଚନା ଜାଣିବାରେ ବୈଜ୍ଞାନିକଙ୍କୁ ସହାୟତା କରିବ ଏକ୍ସପୋସାଟ୍ ।

ଏଥିରେ ଲାଗିଛି ୨ଟି ପେଲୋଡ୍ ପଲିକ୍ସ ଏବଂ ଏକ୍ସପେକ୍ଟ । ଏକ୍ସପୋସାଟ୍ ୫ ବର୍ଷ ପାଇଁ କାର୍ଯ୍ୟ କରିବ । ୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ଏହି ମିଶନ ପାଇଁ ୨୦୧୭ରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେପଟେ ଉତକ୍ଷେପଣ ପୂର୍ବରୁ ତିରୁପତି ସ୍ଥିତ ଶ୍ରୀ ଚେଙ୍ଗଲ୍ଲାମ୍ମା ପରମେଶ୍ବରୀ ଅମ୍ମା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ।

ଏଥିସହ କହିଛନ୍ତି, ୨୦୨୩ ଅପେକ୍ଷା ୨୦୨୪ରେ ଅଧିକ ସଂଖ୍ୟକ ମିଶନ ଲଞ୍ଚ୍ କରିବ ଇସ୍ରୋ ।