• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ନିର୍ବାଚନରେ ନୂଆ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢୁଛି ଅସନ୍ତୋଷ । ପଛୁଆବର୍ଗକୁ ବାଦ୍ ଦେଇ ସଂରକ୍ଷଣ ତାଲିକା ପ୍ରକାଶ ପରେ ଓଲଟପାଲଟ ହୋଇଛି ସଂରକ୍ଷଣ ଗଣିତ । କାରଣ ପ୍ରଥମ ତୁଳନାରେ ନୂଆ ତାଲିକାରେ ହୋଇଛି ଅନେକ ପରିବର୍ତ୍ତନ । ସାଧାରଣବର୍ଗ ସ୍ଥାନରେ ଅନୂସୂଚିତ ଜାତି ଓ ଅନୂସୂଚିତ ଜାତି ସ୍ଥାନରେ ସାଧାରଣ ବର୍ଗଙ୍କ ଲାଗି ସଂରକ୍ଷଣ କରାଯାଇଥିବାରୁ ତେଜିଛି ରାଜନୀତି । ସଂରକ୍ଷଣ ତାଲିକା ବଦଳାଇବା ବିଜେଡି ପାଇଁ ବୁମେରାଂ ହେବ ବୋଲି ବିରୋଧୀ କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ । ଯେମିତି ସାଲେପୁର ଚନ୍ଦ୍ରାଦେଇପୁର ସରପଞ୍ଚ ପଦ ସାଧାରଣ ବର୍ଗ ଲାଗି ସଂରକ୍ଷିତ ଥିଲା, ହେଲେ ଏବେ ଏହା ଅନୂସୂଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଫଳରେ ନିରାଶ ହୋଇଛନ୍ତି ଅନେକ ଆଶାୟୀ ।

ବାଲେଶ୍ୱର ଭୋଗରାଇ ବ୍ଲକ ନହର ପଞ୍ଚାୟତରେ ବି ସମାନ୍  ସ୍ଥିତି ପ୍ରଥମ ତାଲିକାରେ ଏଠିକାର ସମିତି ସଭ୍ୟ ଆସନ ପଛୁଆ ବର୍ଗ ଲାଗି ସଂରକ୍ଷିତ ଥିଲା । ନୂଆ ତାଲିକାରେ ଏହା ଅନୂସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଛି । ଯାହାକୁ ନେଇ ଖପ୍ପା ଆଶାୟୀ । ଗଂଜାମରୁ ବାଲେଶ୍ୱର, କଟକରୁ କଳାହାଣ୍ଡି ସାରା ରାଜ୍ୟରେ ନୂଆ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୋଷ ତୀବ୍ର ହେଉଛି ।

ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀ ପୋଷ୍ଟର, ବ୍ୟାନର ମାରିଥିଲେ । ଘର ଘର ବୁଲି ପ୍ରଚାର ବି ଆରମ୍ଭ କରି ଦେଇଥିଲେ । ମାତ୍ର ସଂରକ୍ଷଣ ତାଲିକା ବଦଳିବା ପରେ ସେମାନେ ବେଶି ନିରାଶ ହୋଇଛନ୍ତି । ଏହା ବିଜେଡି ପାଇଁ ବୁମେରାଂ ହେବ ବୋଲି କହି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ ।

ସେପଟେ ପଛୁଆବର୍ଗ ଆସନ ସଂରକ୍ଷଣରୁ ବାଦ୍ ପଡିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦଳୀୟ ଟିମ୍ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି । ଠିକ୍ ସେହିଭଳି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପଛୁଆବର୍ଗକୁ ସଂରକ୍ଷଣ ଦେବାକୁ ଦାବି କରିଛି । ରାଜ୍ୟର ୫୪ ପ୍ରତିଶତ ପଛୁଆବର୍ଗଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ଦର୍ଶାଇ ପ୍ରଥମେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ପରେ ନିର୍ବାଚନ କରାଇବାକୁ ଦାବି କରିଛି ଦଳ । ତେବେ କୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣ କରାଯାଇଥିବା ବିଜେଡି କହିଛି ।

ଫେବୃୟାରୀ ମାସରେ ପଞ୍ଚାୟତ ନିର୍ବାଚନ ହେବା ସମ୍ଭାବନା ଭିତରେ ସଂରକ୍ଷଣ ତାଲିକାରେ ପରିବର୍ତ୍ତନ ଓ ପଛୁୁଆ ବର୍ଗ ବାଦ୍ ପଡିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।