• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ’ଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ ? ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବ୍ରିଫକେସ୍‌ରୁ କ’ଣ ବାହରିବ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ କଣ ଆସିବ ଲୋଭନୀୟ ସ୍କିମ୍ ? ଏସବୁକୁ ନେଇ ଚର୍ଚ୍ଚା ଭିତରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ହେବାର ସମ୍ଭାବନା ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ମିଳିଛି ଅନୁମୋଦନ ।

ଗତ ବର୍ଷ ରାଜ୍ୟ ବଜେଟ୍ ପରିମାଣ ଥିଲା ୨ ଲକ୍ଷ କୋଟି । ନୂଆ ବଜେଟ୍‌ରେ ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଉପରେ ବେଶି ଗରୁତ୍ୱ ଦେଇପାରନ୍ତି ରାଜ୍ୟ ସରକାର । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ, ଜଳସେଚନ, କ୍ରୀଡା, ଯୁବ ବ୍ୟାପର, ମିଶନ ଶକ୍ତି, ଆବାସ ଯୋଜନା ପାଇଁ ରହିପାରେ ସ୍ୱତନ୍ତ୍ର ଫୋକସ୍ । ନିର୍ବାଚନ ପାଖଉ ଥିବାରୁ ସବୁ ବର୍ଗକୁ ଖୁସ୍ କରିବାକୁ ଏହି ବଜେଟ୍‌ରେ ଉଦ୍ୟମ କରାଯିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ପ୍ରକଳ୍ପ ସମେତ ମନ୍ଦିର ବିକାଶ ଯୋଜନା ପାଇଁ ସ୍ୱତନ୍ତ୍ର ଅନୁଦାନ ହୋଇପାରେ । ବିରୋଧୀ କିନ୍ତୁ ବଜେଟ୍ ଆଗତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ।

ସେପଟେ ଆଜି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଖୋଲିଛି ରାଜ୍ୟରେ ବିକାଶର ବାସ୍ତବ ଚିତ୍ର । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଇଛି । କୋଭିଡ୍ ସତ୍ତ୍ୱେ ୨୦୨୧- ୨୨ରେ ଏହା ୧୧.୫ ପ୍ରତିଶତ ଥିଲା । ଏପାଖେ ରାଜ୍ୟର ମୁଣ୍ଡପିଛା ଆୟ ନିରାଶଜନକ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

୨୦୨୨-୨୩ରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ଛୁଇଁବ, ଯାହାକି ଜାତୀୟ ମୁଣ୍ଡପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ତୁଳନାରେ ପ୍ରାୟ ୨୦ ହଜାର ଟଙ୍କା କମ୍ । ତେବେ ଅର୍ଥନୀତି ବିଶାରଦଙ୍କ ମତ, ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସରକାର ଏକ ପ୍ରଗତିଶୀଳ ବଜେଟ୍ ଆଣିବେ । ଆଗକୁ ନିର୍ବାଚନ ଥିବାରୁ ସମାଜର ନିମ୍ନ ସ୍ତରରେ ଥିବା ଲୋକ, ମହିଳା, ଚାଷୀଙ୍କ ପାଇଁ ମଧ୍ୟ ନୂଆ ଯୋଜନା ଆଣିବାର ସମ୍ଭାବନା ରହିଛି। 

ଶୁକ୍ରବାର ଅପରାହ୍ନରେ ଖୋଲିବ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବଜେଟ୍ ପେଡ଼ି । ଏ ବଜେଟ୍ ପେଡ଼ି କାହା ପାଇଁ କ’ଣ ଆଣୁଛି, ତା’କୁ ହିଁ ଅପେକ୍ଷା ।