• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାହାର ହେବ ପଦ୍ମପୁର ? କିଏ ମାରିବ ବାଜି ? ରେକର୍ଡ ମତଦାନ କାହାକୁ ସୁହାଇବ ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ, ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର ଏଜେଣ୍ଟ, ପଂଚାୟତ ସ୍ତରର ନେତା ଓ ଅବଜର୍ଭରମାନଙ୍କଠାରୁ ସଂଗ୍ରହ କରୁଛନ୍ତି ବୁଥ୍ଓ୍ୱାରି ରିପୋର୍ଟ । କେଉଁ ବୁଥ୍‌ରେ କେତେ ଭୋଟ୍ ପଡ଼ିଛି, କେଉଁଠି କିଏ ଲିଡ୍ ନେବାର ସମ୍ଭାବନା ଅଛି ସେସବୁର ଚାଲିଛି ମିଶାଣ ଫେଡ଼ାଣ ।

୨୦୧୯ ସାଧାରଣ ନିର୍ବାଚନରେ ପଦ୍ମପୁରରେ ପ୍ରାୟ ୭୯ ପ୍ରତିଶତ ଭୋଟ୍ ପଡ଼ିଥିଲା । ଏଥର ଉପନିର୍ବାଚନରେ କିନ୍ତୁ ପୋଲିଂ ରହିଛି ୮୧.୨୯ ପ୍ରତିଶତ । ତେଣୁ ବଢିଥିବା ଭୋଟ୍ ପ୍ରତିଶତକୁ ନେଇ ଅଧିକ ଅଙ୍କକଷା ଯାଉଛି । ତା ସହ କଂଗ୍ରେସ ଭୋଟ୍ ବିଭାଜନ ହୋଇଥିବା କୁହାଯାଉଥିବାରୁ ସେ ଭୋଟ୍ କାହାକୁ କେତେ ମିଳିଛି ତାର ବି ତର୍ଜମା ହେଉଛି । ଗ୍ରାଉଣ୍ଡ ଲେଭେଲ୍‌ରୁ ପୋଲିଂ ରିପୋର୍ଟ ପାଇବା ପରେ ଉଭୟ ବିଜେଡି ଓ ବିଜେପି ନିଜ ନିଜର ଜିତାପଟ୍ ନେଇ ବେଶ୍ ଆଶାବାଦୀ ।

ବିଜେଡି କହିଛି, ଅଧିକ ଭୋଟ୍‌ର ଫାଇଦା ଦଳକୁ ମିଳିବ । ଗତ ନିର୍ବାଚନର ମାର୍ଜିନ୍ ୫ ହଜାରଠାରୁ ଏଥର ଅଧିକ ରହିବ । ବିଜେପି ଦମ୍ଭୋକ୍ତି କରିଛି ଯେ, ପଦ୍ମପୁରରେ ସରକାର ବିରୋଧୀ ହାଓ୍ୱା ଥିଲା ପାଖାପାଖି ୧୦ ହଜାର ଭୋଟ୍ ବ୍ୟବଧାନରେ ଦଳ ଜିତିବ । ସେପଟେ କିନ୍ତୁ ରେଜଲ୍ଟ ଆସିବା ପୂର୍ବରୁ ହାତ ଟେକିଦେଇଛି ହାତ ଦଳ । ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଧାମନଗର ଉପନିର୍ବାଚନ ରେ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେଣୁ ପଦ୍ମପୁରରେ ଦଳ ଜି ଜାନ୍ ଲଗାଇ ଲଢ଼ିଛି । ୨୦୧୯ରେ ବିଜେଡି ଏଠାରେ ଜିତିଥିଲେ ମଧ୍ୟ ଏହାକୁ ବଜାୟ ରଖିବା ପାଇଁ ଦଳକୁ କିଛି କମ୍ ଝାଳ ବୁହାଇବାକୁ ପଡିନାହିଁ । କାହିଁକି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ପଦ୍ମପୁର ଫଳାଫଳ ଅନେକ କିଛି ସଙ୍କେତ ଦେବ । 

ପଦ୍ମପୁରରେ ଚାଷୀ ସମସ୍ୟାଠୁ ଆରମ୍ଭ କରି ରେଳ ପ୍ରକଳ୍ପ, ଦାଦନ, ଜିଲ୍ଲା ଗଠନ, ପାଇକମାଳକୁ ଏନ୍ଏସି ମାନ୍ୟତା ଭଳି ଅନେକ ସମସ୍ୟା ଉଠିଥିଲା । ଆଉ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ନେଇ ଛିଡ଼ା ହୋଇଥିଲା ଅନେକ ପ୍ରଶ୍ନ । ତେବେ ପଦ୍ମପୁରବାସୀ କାହାକୁ ଆଶୀର୍ବାଦ ଦେଇଛନ୍ତି ତାହା ଆଉ ଦିନକ ପରେ ସ୍ପଷ୍ଟ ହୋଇଯିବ ।