Advertisment

Sports: ଭାରତରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି

ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବା ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ମାଟିରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍‌?

author-image
Biswajit Mohanty
ଅଦ୍ୟତନ ହୋଇଛି
Will England's 'bazball' strategy fail in India?

Will England's 'bazball' strategy fail in India?

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭ୍ରମଣକାରୀ ଟିମ୍‌ର ‘ବାଜ୍‌ବଲ୍‌’ (ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ) ରଣନୀତିକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ପ୍ରଶ୍ନ ଉଠୁଥିଲା ଯେ ଭାରତୀୟ ବୋଲର୍‌ମାନେ ତାହାର ମୁକାବିଲା କରିପାରିବେ କି? ଆୟୋଜକ ଟିମ୍‌କୁ ଏଥିରେ କେତେ ସଫଳତା ମିଳିବ?

Advertisment

ତେବେ ପ୍ରଥମ ଦୁଇ ଟେଷ୍ଟ ପରେ ଏହାକୁ ନେଇ ଚିତ୍ର ଅନେକାଂଶରେ ସ୍ପଷ୍ଟ ହୋଇଛି। ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍‌?

ଭାରତୀୟ ଟିମ୍ ହାଇଦରାବାଦ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୯୦ ରନ୍‌ର ପ୍ରଥମ ଇନିଂସ୍ ଅଗ୍ରଣୀ ସତ୍ତ୍ୱେ ୨୮ ରନ୍‌ରେ ମ୍ୟାଚ୍ ହାରିଯାଇଥିଲା। ଏହା ଏକ ଅପ୍ରତ୍ୟାଶିତ ପରାଜୟ ଥିଲା।

Advertisment

କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ବୋଲର୍ ବ୍ରେଣ୍ଡନ୍ ମ୍ୟାକୁଲମ୍‌ଙ୍କ ‘ବାଜ୍‌ବଲ୍‌’ ରଣନୀତିକୁ ବିଫଳ କରିଦେଇଥିଲେ। ଆୟୋଜକ ଟିମ୍ ୧୦୬ ରନ୍‌ରେ ମ୍ୟାଚ୍ ଜିତିଥିଲା ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ସମାନ ସ୍ଥିତିକୁ ଚାଲିଆସିଥିଲା।

ଏବେ ଆଉ ତିନିଟି ମ୍ୟାଚ୍ ବାକି ଅଛି। ଅନ୍ୟପଟେ, ଟିମ୍ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ଓ ‘ବାଜ୍‌ବଲ୍‌’ର ଦୃଢ଼ ଦମନ ଇଂଲଣ୍ଡ ଶିବିରରେ ଚିନ୍ତା ବଢ଼ାଇ ଦେଇଛି।

ଭାରତୀୟ ବୋଲର୍‌ମାନେ ଅବଶ୍ୟ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତିକୁ ଫଳପ୍ରଦ ହେବାକୁ ଦେଇ ନ ଥିଲେ, କିନ୍ତୁ ଦ୍ୱିତୀୟ ଇନିଂସ୍‌ରେ ସେମାନଙ୍କୁ ସଫଳତା ମିଳି ନ ଥିଲା। ବିଶେଷକରି ଓଲି ପୋପ୍‌ଙ୍କ ରଣନୀତି ରଣନୀତି ଅନ୍ତର୍ଗତ ଅଣ-ପାରମ୍ପରିକ ଶୈଳୀର ବ୍ୟାଟିଂ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା।

ପ୍ରଥମ ଇନିଂସ୍‌ରେ ୨୫୦ ରନ୍ କରିପାରି ନ ଥିବା ଟିମ୍ ଦ୍ୱିତୀୟ ଇନିଂସ୍‌ରେ ୪୨୦ ରନ୍ କରିଥିଲା, ଅଥଚ ପ୍ରଥମ ଇନିଂସ୍‌ରେ ୪୩୬ ରନ୍ କରିଥିବା ଟିମ୍ ଇଣ୍ଡିଆ ୨୦୨ ରନ୍‌ରେ ସୀମିତ ରହିଥିଲା।

ପୋପ୍‌ଙ୍କ ଇନିଂସ୍‌ରେ ସ୍ୱିପ୍‌, ରିଭର୍ସ ସ୍ୱିପ୍ ଓ ରିଭର୍ସ ସ୍କୁପ୍ ସଟ୍ ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟାଟିଂ ଆଗରେ ଭାରତୀୟ ସ୍ପିନର୍ - ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ସତେ ଯେମିତି ନିଷ୍ପ୍ରଭ ଜଣାପଡ଼ୁଥିଲେ।

ଖୋଦ୍ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ମ୍ୟାଚ୍ ଶେଷରେ ସ୍ୱୀକାର କରିଥିଲେ ଯେ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟଙ୍କୁ ‘ବାଜ୍‌ବଲ୍‌’ର ମୁକାବିଲା କରିବାକୁ ହେବ। ତାଙ୍କ କହିବାନୁଯାୟୀ ଗୁଣାତ୍ମକ ସ୍ପିନର୍‌ଙ୍କ ଆଗରେ କେହି ଏଭଳି ନିରନ୍ତର ଭାବେ ଅଣ-ପାରମ୍ପରିକ ସଟ୍ ଖେଳିବା ସେ ପୂର୍ବରୁ କେବେ ଦେଖି ନ ଥିଲେ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ଚେତାବନୀ ଦେଇ କହିଥିଲେ ଯେ ହାଇଦରାବାଦ ଟେଷ୍ଟରେ ପରାଜୟ ଭାରତୀୟ ଟିମ୍ ପାଇଁ ସତର୍କଘଣ୍ଟି ହେବା ଆବଶ୍ୟକ, କାରଣ ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି ଧିମା ପିଚ୍‌ରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ।

ହୁସେନ୍ ‘ସ୍କାଏ ସ୍ପୋର୍ଟ୍ସ’ ପାଇଁ ନିଜ ସ୍ତମ୍ଭରେ ଲେଖିଥିଲେ ଯେ ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ୧୯୦ ରନ୍‌ରେ ପଛରେ ରହିଥିଲା। କିନ୍ତୁ ଏତେ ଦକ୍ଷ ସ୍ପିନର୍‌ଙ୍କ ଆଗରେ ଓଲୀ ପୋପ୍ ଏକ ସ୍ମରଣୀୟ ଇନିଂସ୍ ଖେଳିଥିଲେ।

ତେବେ ବିଶାଖାପାଟଣା ଠାରେ ଆୟୋଜିତ ଦ୍ୱିତୀୟ ଟେଷ୍ଟରେ ଦୃଶ୍ୟପଟ ଭିନ୍ନ ଥିଲା। ଇଂଲଣ୍ଡ ଟିମ୍ ଆକ୍ରମଣାତ୍ମକ ଶୈଳୀରେ ୩୯୯ ରନ୍ ବିଜୟଲକ୍ଷ୍ୟର ପିଛା କରିଥିଲେ ବି ବହୁ ଦୂରରେ ରହିଯାଇଥିଲା, ଅଥଚ ଟିମ୍ ପାଖରେ ପାଖାପାଖି ଦେଢ଼ ଦିନର ସମୟ ଥିଲା। ସେଠାରେ ‘ବାଜ୍‌ବଲ୍‌’ ଫ୍ଲପ୍ ହୋଇଥିଲା।

ଭାରତୀୟ ଟିମ୍ ପ୍ରଥମ ଇନିଂସ୍‌ରେ ୩୯୬ ରନ୍ କରିଥିଲା, ଜବାବରେ ଇଂଲଣ୍ଡ ଟିମ୍ ୨୫୩ ରନ୍ କରି ୧୪୩ ରନ୍ ପଛରେ ରହିଥିଲା। ଦ୍ୱିତୀୟ ଇନିଂସ୍‌ରେ ରୋହିତ ଶର୍ମାଙ୍କ ଟିମ୍ ୨୫୫ ରନ୍‌ରେ ସୀମିତ ରହିଥିବା ବେଳେ ବେନ୍ ଷ୍ଟୋକ୍ସଙ୍କ ଟିମ୍ ୨୯୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ନା ପୋପ୍ କିଛି କରିପାରିଥିଲେ ନା ଅଧିନାୟକ ଷ୍ଟୋକ୍ସ। ମ୍ୟାଚ୍‌ରେ ଭାରତୀୟ ପେସର୍ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୯ ୱିକେଟ୍ ନେଇଥିବା ବେଳେ ତିନି ସ୍ପିନର୍ ମୋଟ୍ ୯ ୱିକେଟ୍ ପାଇଥିଲେ।

ମ୍ୟାକୁଲମ୍ ଓ ‘ବାଜ୍‌ବଲ୍‌’ ରଣନୀତି:

୨୦୨୨ ମସିହା କଥା। ସେତେବେଳେ ଜୋ’ ରୁଟ୍‌ଙ୍କ ଅଧିନାୟକତ୍ୱ ପ୍ରଶ୍ନଘେରକୁ ଚାଲିଆସିଥିଲା। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ଟିମ୍ ପୂର୍ବ ୧୭ ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତିପାରିଥିଲା। ସେ ବ୍ୟାଟିଂରେ ମଧ୍ୟ ବିଶେଷ ଯୋଗଦାନ ଦେଇପାରି ନ ଥିଲେ। ଏହି କାରଣରୁ ରୁଟ୍ ଅଧିନାୟକତ୍ୱ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ।

ଏହାପରେ ଇଂଲଣ୍ଡ ଟିମ୍‌ର ନୂଆ ଅଧିନାୟକ ହେଲେ ବେନ୍ ଷ୍ଟୋକ୍ସ। ଏହା ସହିତ ଇଂଲଣ୍ଡ ଟିମ୍‌ରେ ଏଭଳି ଜଣେ ଗୁରୁଙ୍କ ପ୍ରବେଶ ହେଲା, ଯିଏ ଟିମ୍‌ର ଦିଶା ଓ ଦଶା ବଦଳାଇ ଦେଇଥିଲେ। ସେ ଥିଲେ ନ୍ୟୁଜିଲାଣ୍ଡର ପୂର୍ବତନ ବିସ୍ଫୋରକ ବ୍ୟାଟର୍ ବ୍ରେଣ୍ଡନ୍ ମ୍ୟାକୁଲମ୍।

ଇଏସ୍‌ପିଏସନ୍ କ୍ରିକ୍‌ଇନ୍‌ଫୋ ୟୁକେର ସମ୍ପାଦକ ଆଣ୍ଡ୍ର‌୍ୟୁ ମିଲର୍ ୨୦୨୨ ଇଂଲିଶ୍ କ୍ରିକେଟ୍ ସିଜନ୍ ସମୟରେ ‘ବାଜ୍‌ବଲ୍‌’ର ନାମକରଣ କରିଥିଲେ, ଯାହା ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳ ଶୈଳୀକୁ ଦର୍ଶାଉଥିଲା। ୨୦୨୨ ମେ’ରେ ମ୍ୟାକୁଲମ୍ ଟେଷ୍ଟ ଟିମ୍‌ର ମୁଖ୍ୟ କୋଚ୍ ଓ ଷ୍ଟୋକ୍ସ ଅଧିନାୟକ ନିଯୁକ୍ତ ହେବା ପରେ ଏହି ଖେଳ ଶୈଳୀ ବିକଶିତ ହୋଇଥିଲା।

କୁହାଯାଏ, ‘ବାଜ୍‌ବଲ୍‌’ ରଣନୀତି ଅନୁଯାୟୀ ଖେଳିବା ବେଳେ ସକାରାତ୍ମକ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯାଇଥାଏ। କ୍ଷିପ୍ର ରନ୍ ହାର ଟିମ୍‌କୁ ଆଗୁଆ ଇନିଂସ୍ ସମାପ୍ତି ଘୋଷଣା କରିବା ଓ ଫଳାଫଳ ପାଇଁ ପ୍ରୟାସ କରିବାର ଅନୁମତି ଦେଇଥାଏ।

ମ୍ୟାକୁଲମ୍‌ଙ୍କ କ୍ଷିପ୍ର ମସ୍ତିଷ୍କ ଓ ଷ୍ଟୋକ୍ସଙ୍କ କ୍ରିକେଟ୍ କୌଶଳ ବଳରେ ଇଂଲଣ୍ଡ ଟିମ୍ ଏଭଳି ପଥରେ ଚାଲିଲା, ଯାହା ଲକ୍ଷ୍ୟସ୍ଥଳରେ ଯାଇ ଅଟକୁଥିଲା। ସେଠାରେ ସାଧାରଣତଃ ଡ୍ର’ର ସ୍ଥାନ ନ ଥିଲା।

ଇଂଲଣ୍ଡ ଟେଷ୍ଟ ଟିମ୍‌ର କୋଚ୍ ହେବା ପୂର୍ବରୁ ମ୍ୟାକୁଲମ୍ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍‌ର ଅଧିନାୟକ ମଧ୍ୟ ଥିଲେ। ତାଙ୍କ ନେତୃତ୍ୱରେ କିୱି ଟିମ୍ ୨୦୧୫ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌ରେ ସ୍ଥାନ ପାଇଥିଲା। ସେ ସବୁବେଳେ ଧୂଆଁଦାର ବ୍ୟାଟିଂ ପାଇଁ ଖ୍ୟାତ ଥିଲେ।

ସୀମିତ ଓଭର୍ ହେଉ ବା ଟେଷ୍ଟ, ମ୍ୟାକୁଲମ୍ ପଡ଼ିଆକୁ ଆସୁ ଆସୁ ରନ୍ ବର୍ଷା ଆରମ୍ଭ କରିଦେଉଥିଲେ। ତାଙ୍କ ତୁଣୀରରେ ସବୁ ତୀର ଥିଲା, ଯାହା ବିରୋଧୀ ଟିମ୍‌କୁ ଧରାଶାୟୀ କରିପାରିବ। ସେ ନିଜ ଦମ୍‌ରେ ଟିମ୍‌କୁ ଅନେକ ମ୍ୟାଚ୍ ଜିତାଇଥିଲେ। ‘ବାଜ୍‌’ ତାଙ୍କ ଡାକ ନାଁ।

ଏହି ପୂର୍ବତନ ବ୍ୟାଟର୍ ତାଙ୍କ ସମୟରେ ଯେଉଁଭଳି ଖେଳୁଥିଲେ, ସେହି ମନ୍ତ୍ର (ବାଜ୍‌ବଲ୍‌) ଇଂଲଣ୍ଡ ଟେଷ୍ଟ ଟିମ୍‌କୁ ଶିଖାଇଥିଲେ। ଟିମ୍ ନିଜ ବ୍ୟାଟିଂ ପ୍ରଦର୍ଶନରେ ଆକ୍ରମଣାତ୍ମକତା ଦେଖାଇ ଟେଷ୍ଟ କ୍ରିକେଟ୍‌ର ସଂଜ୍ଞା ବଦଳାଇ ଦେଇଥିଲା। ପିଚ୍ ଯେଉଁଭଳି ହେଉ ପଛେ, ଦ୍ରୁତ ଗତିରେ ସ୍କୋର୍ କରି ବିପକ୍ଷ ଦଳର ମନୋବଳ ଭାଙ୍ଗିବା ‘ବାଜ୍‌ବଲ୍‌’ର ମୁଖ୍ୟ ଉଦ୍ଦେଶ୍ୟ।

ମ୍ୟାକୁଲମ୍‌-ଷ୍ଟୋକ୍ସ ଯୁଗରେ ଇଂଲଣ୍ଡ ଟିମ୍ ୨୧ ଟେଷ୍ଟ ଖେଳି ୧୪ ମ୍ୟାଚ୍ ଜିତିଥିବା ବେଳେ ୬ ମ୍ୟାଚ୍‌ରେ ପରାଜିତ ହୋଇଛି। କେବଳ ଗୋଟିଏ ମ୍ୟାଚ୍ ଡ୍ର’ ରହିଛି।

ଦ୍ୱିତୀୟ ମ୍ୟାଚ୍ ହାରିବା ସତ୍ତ୍ୱେ ଇଂଲଣ୍ଡ ଟିମ୍ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ‘ବାଜ୍‌ବଲ୍‌’ ରଣନୀତି ଜାରି ରଖିବାକୁ ପ୍ରୟାସ କରିବ, କାରଣ ଏହି ରଣନୀତି ଟିମ୍‌କୁ ଅଧିକ ସଫଳତା ଦେଇଛି। ଆଗକୁ ଟିମ୍ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିପାରେ। ତେଣୁ ଟିମ୍ ଇଣ୍ଡିଆ ସତର୍କ ରହିବା ଜରୁରୀ। ‘ବାଜ୍‌ବଲ୍‌’ ଚାଲେଞ୍ଜ୍ ଶେଷ ହୋଇ ନାହିଁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket Indian Cricket India-England Test Match Indian Cricket Team
Advertisment
Advertisment