Advertisment

Sports: ଟିମ୍ ଇଣ୍ଡିଆ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ ୨୦୨୪

୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍‌ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?

author-image
Biswajit Mohanty
ଅଦ୍ୟତନ ହୋଇଛି
How challenging 2024 will be for Team India

How challenging 2024 will be for Team India

ଭାରତର ବରିଷ୍ଠ ପୁରୁଷ କ୍ରିକେଟ୍ ଟିମ୍‌କୁ ୨୦୨୩ରେ ମିଶ୍ରିତ ଫଳାଫଳ ମିଳିଥିଲା । ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ କ୍ରମାଗତ ଦ୍ୱିତୀୟ ଥର ପରାଜିତ ହୋଇଥିଲା । ସେହିପରି ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍ ଯାଏଁ ଯାଇଥିଲେ ବି ଟ୍ରଫି ଜିତିପାରି ନ ଥିଲା । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ୍ ବିଜୟର ସ୍ୱପ୍ନ ଅଧୁରା ରହିଯାଇଥିଲା।

Advertisment

ଏହାସତ୍ତ୍ୱେ ଟିମ୍‌ର ପ୍ରଦର୍ଶନକୁ ନେଇ ବିଶେଷ ଅଙ୍ଗୁଳି ଉଠି ନାହିଁ, କାରଣ ଡବ୍‌ଲ୍ୟୁଟିସି ହେଉ ବା ଦିନିକିଆ ବିଶ୍ୱକପ୍ - ଟିମ୍ ଫାଇନାଲ୍ ଯାଏଁ ଯିବା ଛୋଟ ଉପଲବ୍‌ଧି ନ ଥିଲା । ଦିନିକିଆ ବିଶ୍ୱକପ୍‌ରେ ଭାରତ ତା’ର ଫାଇନାଲ୍ ପଥରେ ଅପରାଜେୟ ରହିଥିଲା।

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ୫୦-ଓଭର୍ ଫର୍ମାଟ୍‌ରେ ଖେଳାଯାଇଥିବା ଏସିଆ କପ୍ ଜିତିଥିଲା । ବିଶ୍ୱ ମାନ୍ୟତାର ସବୁ ଫର୍ମାଟ୍‌ରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଥିଲା । ଏତଦ୍‌ଭିନ୍ନ, ଅନେକ ଦ୍ୱିପାକ୍ଷିକ ସିରିଜ୍‌ରେ ଟିମ୍‌କୁ ସଫଳତା ମିଳିଥିଲା।

Advertisment

ଟି-୨୦ ଫର୍ମାଟ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେତୃତ୍ୱ ମିଳିଥିଲା । ପ୍ରୟୋଗ ସଫଳ ବି ହୋଇଥିଲା । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରେ ଅଷ୍ଟ୍ରେଲିଆକୁ ୪-୧ରେ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌କୁ ୧-୧ରେ ଟାଇ କରିଥିଲା।

ଏବେ ପ୍ରଶ୍ନ ଉଠୁଛି ଯେ ୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍‌ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?

୨୦୨୪ରେ ମଧ୍ୟ ଏକ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ଟୁର୍ଣ୍ଣାମେଣ୍ଟ ହେବ । ଜୁନ୍‌ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଚଳିତ ବର୍ଷ ଏହା ଟିମ୍ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ।

ଭାରତୀୟ ଟିମ୍ ଅନେକ ଟେଷ୍ଟ ସିରିଜ୍ ଖେଳିବ, ଯାହା ୨୦୨୫ରେ ହେବାକୁ ଥିବା ଡବ୍‌ଲ୍ୟୁଟିସି ଫାଇନାଲ୍ ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରୁ ଭାରତ ଫାଇନାଲ୍‌କୁ ଯିବ କି ନାହିଁ, ତାହା ଆପାତତଃ ସ୍ଥିର ହେବ।

ଏତଦ୍‌ଭିନ୍ନ, ଭାରତର ୧୯ ବର୍ଷରୁ କମ୍ ଟିମ୍ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ୍ ଖେଳିବ, ଯାହାକି ଜାନୁଆରୀ ୧୯ରୁ ଫେବ୍ରୁଆରୀ ୧୧ ଯାଏଁ ଆୟୋଜିତ ହେବ । ସେହିପରି ସେପ୍ଟେମ୍ବରରେ ବାଂଲାଦେଶ ଠାରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିବ।

୧୭ ବର୍ଷ ପରେ ଟିମ୍ ଜିତିପାରିବ କି ଟି-୨୦ ବିଶ୍ୱକପ୍‌:

ଭାରତୀୟ ଟିମ୍ ୨୦୧୩ ପରଠାରୁ ଆଉ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ଶେଷ ଥର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଧୋନିଙ୍କ ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ହାତକୁ ନେତୃତ୍ୱ ଯାଇଥିଲା, ହେଲେ କେହି ବି ଟିମ୍‌କୁ ଆଇସିସି ଟ୍ରଫି ଜିତାଇପାରି ନାହାନ୍ତି।

ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଜିତିଥିଲା । ତାହା ବି ଧୋନିଙ୍କ ନେତୃତ୍ୱରେ । ଏହି ସଫଳତାକୁ ୧୬ ବର୍ଷ ପୂରିଗଲାଣି । ପରବର୍ତ୍ତୀ ଟି-୨୦ ବିଶ୍ୱକପ୍‌ରେ କିଏ ନେତୃତ୍ୱ ନେବେ, ତାହା ଏବେଠାରୁ କହି ହେବ ନାହିଁ । ରୋହିତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟକତ୍ୱ ମିଳିପାରେ । ତେବେ ଭାରତ ପୁନର୍ବାର ଏହି ମୁକୁଟ ହାସଲ କରିପାରିବ କି?

ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା ସରିଲାଣି । ଜୁନ୍ ୧ରୁ ୨୯ ଯାଏଁ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଟିମ୍ ଇଣ୍ଡିଆ ମଧ୍ୟ ତା’ର ପ୍ରସ୍ତୁତି ଚଳାଇଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ତା’ର ଶେଷ ସିରିଜ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିବ, ଯାହାକି ଜାନୁଆରୀ ୧୧ରୁ ଆରମ୍ଭ ହେବ।

ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ । ଏହି ସିରିଜ୍ ସରିବା ପରେ ଆଇପିଏଲ୍ ଆରମ୍ଭ ହୋଇଯିବ । ପ୍ରାୟ ଦୁଇ ମାସ ଧରି ହେବାକୁ ଥିବା ଏହି ଲିଗ୍ ଟି-୨୦ ମହାମୁକାବିଲା ପୂର୍ବରୁ ଖେଳାଳିଙ୍କ ପ୍ରସ୍ତୁତି ପାଇଁ ଭଲ ମଞ୍ଚ ହେବ।

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ବଡ଼ ଆହ୍ୱାନ:

୨୦୨୩ ଜୁନ୍‌ରେ ଡବ୍‌ଲ୍ୟୁଟିସି ଫାଇନାଲ୍ ପରେ ଚାମ୍ପିଅନ୍‌ସିପ୍‌ର ନୂଆ ଚକ୍ର ଆରମ୍ଭ ହୋଇଥିଲା । ଭାରତ ୨୦୨୩-୨୫ ଚକ୍ରରେ ଏ ଯାବତ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଉଭୟ ଦେଶରେ ଟିମ୍ ଇଣ୍ଡିଆ ଦୁଇ ଲେଖାଏଁ ଟେଷ୍ଟ ଖେଳିଥିଲା।

ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍‌ରେ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଅନ୍ୟ ମ୍ୟାଚ୍‌କୁ ଡ୍ର’ ରଖିଥିଲା । ସେହିପରି ଦକ୍ଷିଣ ଆଫ୍ରିକାରେ ରୋହିତ ଶର୍ମାଙ୍କ ଟିମ୍ ଗୋଟିଏ ମ୍ୟାଚ୍ ଜିତିଥିଲା ଓ ଗୋଟିଏ ମ୍ୟାଚ୍ ହାରିଥିଲା।

୨୦୨୪ରେ ଭାରତ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଟେଷ୍ଟ ଖେଳିଥିଲା । ଏହି ବର୍ଷ ଟିମ୍ ଆଉ ୧୫ ଟେଷ୍ଟ ଖେଳିବ । ଟିମ୍ ଇଣ୍ଡିଆ ଘରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ, ଯାହାକି ଜାନୁଆରୀ ୨୫ରୁ ଆରମ୍ଭ ହେବ।

ଭାରତ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଦୁଇ ଟେଷ୍ଟ ଓ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟେଷ୍ଟ ଆୟୋଜନ କରିବ । ଏହାପରେ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏସବୁ କାର୍ଯ୍ୟସୂଚୀ ଜାରି କରାଯାଇ ନାହିଁ।

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ବଡ଼ ଆହ୍ୱାନ ହେବ । ଉଭୟ ଶକ୍ତିଶାଳୀ ଟିମ୍ । ଅବଶ୍ୟ ଏହା ଭିନ୍ନ କଥା ଯେ ଅଷ୍ଟ୍ରେଲିଆ ୧୦ ବର୍ଷ ହେଲା ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିପାରି ନାହିଁ ।

ଟି-୨୦ ବିଶ୍ୱକପ୍ ପରେ ହୋଇପାରେ ପରିବର୍ତ୍ତନ:

ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍‌ରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ଫର୍ମାଟ୍‌ରେ ଟିମ୍‌କୁ ଏକ ସ୍ଥାୟୀ ଅଧିନାୟକ ମିଳିବାର ସମ୍ଭାବନା ରହିଛି । ଏଠାରୁ କ୍ଷୁଦ୍ରତମ ଫର୍ମାଟ୍‌ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇପାରେ।

ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟି-୨୦ ଟିମ୍‌ର ସ୍ଥାୟୀ ଅଧିନାୟକ ହୋଇପାରନ୍ତି । ଏମିତି ବି ଚର୍ଚ୍ଚା ହେଉଛି ଯେ ବିଶ୍ୱକପ୍‌ରେ ସେ ଟିମ୍‌ର ନେତୃତ୍ୱ ନେଇପାରନ୍ତି । ତେବେ ଆଇପିଏଲ୍ ୨୦୨୪ ଟିମ୍ ଓ ଅଧିନାୟକ ଚୟନ ପାଇଁ ମୁଖ୍ୟ ଆଧାର ହେବ ବୋଲି କୁହାଯାଉଛି।

ଏତଦ୍‌ଭିନ୍ନ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଟି-୨୦ ବିଶ୍ୱକପ୍ ୨୦୨୪ ଯାଏଁ ଟିମ୍ ସହିତ ରହିବେ । ଏହାପରେ ପ୍ରଦର୍ଶନ ଆଧାରରେ ତାଙ୍କ କାର୍ଯ୍ୟକାଳକୁ ପୁନର୍ବାର ବଢ଼ାଯାଇପାରେ, ଅନ୍ତତଃ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଓ ଡବ୍‌ଲ୍ୟୁଟିସି ଫାଇନାଲ୍ ଯାଏଁ । ଯଦି ଦ୍ରାବିଡ଼ ରାଜି ନ ହୁଅନ୍ତି କିମ୍ବା ତାଙ୍କ କାର୍ଯ୍ୟକାଳକୁ ବଢ଼ା ନ ଯାଏ, ତା’ହେଲେ ଜୁଲାଇରୁ ଭାରତୀୟ ଟିମ୍ ନୂଆ ମୁଖ୍ୟ କୋଚ୍ ପାଇବ।

୨୦୨୩ ଭଳି ୨୦୨୪ରେ ମଧ୍ୟ ଭାରତୀୟ ଟିମ୍ ଚର୍ଚ୍ଚାରେ ରହିବ । ପ୍ରାୟ ସବୁ ଫର୍ମାଟ୍‌ରେ ଟିମ୍ ଇଣ୍ଡିଆ ଭଲ ଫର୍ମରେ ରହିଛି । ଯୁବ ଖେଳାଳିମାନେ ଚମକପ୍ରଦ ପ୍ରଦର୍ଶନ କରୁଛନ୍ତି । ଏ ବର୍ଷ ଟି-୨୦ ବିଶ୍ୱକପ୍ ସହିତ ଟେଷ୍ଟ ମୁକାବିଲା ମଧ୍ୟ ରୋମାଞ୍ଚ ବଢ଼ାଇବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ICC Indian Cricket Indian Cricket Team Indian Cricketer
Advertisment
Advertisment