Advertisment

Sports: ଟି-୨୦ ବିଶ୍ୱକପ୍ ଟିମ୍‌ରେ ସୁଯୋଗ ପାଇବେ ବି ଶିବମ୍ ଦୁବେ

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ଭାରତର ଶିବମ୍ ଦୁବେ। ଏବେ ପ୍ରଶ୍ନ ଉଠିଛି ଯେ ଜୁନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌?

author-image
Biswajit Mohanty
ଅଦ୍ୟତନ ହୋଇଛି
Shivam Dube will get a chance or not in the T-20 World Cup team

Shivam Dube will get a chance or not in the T-20 World Cup team

ଭାରତର ସିନିଅର୍ କ୍ରିକେଟ୍‌ରେ ଏବେ ଶିବମ୍ ଦୁବେଙ୍କୁ ନେଇ ବେଶ୍ ଚର୍ଚ୍ଚା। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଶିବମ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ପରେ ପ୍ରଶ୍ନ ଉଠିଛି ଯେ ଜୁନ୍‌ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌?

Advertisment

ଶିବମ୍ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭାବ ପୂରଣ କରିଛନ୍ତି, ଯିଏ ଫିଟ୍ ନ ଥିବାରୁ ଏବେ କ୍ରିକେଟ୍‌ରୁ ଦୂରରେ ଅଛନ୍ତି। ହାର୍ଦ୍ଦିକ ବିଶ୍ୱକପ୍ ବେଳକୁ ଫିଟ୍ ନ ହେଲେ ଅଥବା ହାର୍ଦ୍ଦିକ ଫେରିବା ସ୍ଥଳେ ମଧ୍ୟ ଶିବମ୍‌ଙ୍କୁ ବିଶ୍ୱକପ୍ ଟିମ୍‌ରେ ସାମିଲ୍ କରାଯାଇପାରେ।

ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପୂର୍ବରୁ ୩୦ବର୍ଷୀୟ ଶିବମ୍‌ଙ୍କୁ ନେଇ ସେଭଳି ସମ୍ଭାବନା ବ୍ୟକ୍ତ କରାଯାଉ ନ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ୍‌ରେ ସେ ଭାରତୀୟ ଟିମ୍‌ର ଅଂଶବିଶେଷ ଥିଲେ ବି ଖେଳିବାର ସୁଯୋଗ ପାଇ ନ ଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତାଙ୍କ ଚୟନ ହୋଇ ନ ଥିଲା।

Advertisment

ପୂର୍ବରୁ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ୍‌ଙ୍କ ଭଳି ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍‌ଙ୍କ କଥା ବିଚାର କରାଯାଉଥିଲା। କିନ୍ତୁ ଏବେ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ଭାବେ ଦୁବେଙ୍କ ଅଭ୍ୟୁଦୟ ଚୟନକାରୀମାନଙ୍କୁ ନୂତନ ଭାବେ ବିଚାର କରିବା ପାଇଁ ବାଧ୍ୟ କରିଛି।

ଏହା ସହିତ ଏକ ପ୍ଲସ୍ ପଏଣ୍ଟ ହେଉଛି ସେ ଜଣେ ବାମହାତି ବ୍ୟାଟର୍। ଏହା ଟିମ୍‌ରେ ବିବିଧତା ଆଣୁଛି ଏବଂ ବିଶ୍ୱକପ୍‌ରେ ଭାରତର ସମ୍ଭାବନାକୁ ମଧ୍ୟ ଉଜ୍ଜ୍ୱଳ କରୁଛି।

ଆଫଗାନିସ୍ତାନ ବିପକ୍ଷରେ ଶିବମ୍‌ଙ୍କ ଧମାକା:

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ଶିବମ୍ କେବଳ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ନ ଥିଲେ, ଟିମ୍‌ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମୋହାଲି ଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସେ ନିଜର ଅଲ୍‌ରାଉଣ୍ଡ୍ ସାମର୍ଥ୍ୟର ପ୍ରଦର୍ଶନ କରିଥିଲେ।

ଅଧିନାୟକ ରୋହିତ ଶର୍ମା ତାଙ୍କୁ ଦୁଇ ଓଭର୍ ବୋଲିଂ କରିବାକୁ ଦେଇଥିଲେ। ଏଥିରେ ସେ ୯ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଆଫଗାନିସ୍ତାନ ଟିମ୍ ୧୫୯ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ଶିବମ୍‌ଙ୍କ ୬୦ (୪୦ ବଲ୍‌ରୁ) ରନ୍‌ର ଅପରାଜିତ ଇନିଂସ୍ ବଳରେ ଭାରତ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା।

ଦୁଇ ଓପନର୍ - ରୋହିତ ଶର୍ମା (୦) ଓ ଶୁଭମନ ଗିଲ୍ (୨୩) ଚାରି ଓଭର୍ ମଧ୍ୟରେ ପାଭିଲିଅନ୍ ଫେରିଥିଲେ । ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ୍ ତୃତୀୟ ୱିକେଟ୍ ପାଇଁ ତିଲକ ବର୍ମାଙ୍କ ସହ ମିଶି ୪୪, ଚତୁର୍ଥ ୱିକେଟ୍ ପାଇଁ ଜିତେଶ ଶର୍ମାଙ୍କ ସହ ୪୫ ଏବଂ ପଞ୍ଚମ ୱିକେଟ୍ ପାଇଁ ରିଙ୍କୁ ସିଂହଙ୍କ ସହ ଅପରାଜିତ ୪୨ ରନ୍‌ର ଭାଗୀଦାରୀ କରିଥିଲେ।

ଶିବମ୍ ୧୫୦ ଷ୍ଟ୍ରାଇକ୍ ରେଟ୍‌ରେ ଖେଳି ପାଞ୍ଚ ଚୌକା ଓ ଦୁଇ ଛକା ମାରିଥିଲେ ଏବଂ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ। ସୁରେଶ ରାଇନା, ଆକାଶ ଚୋପ୍ରା, ଇରଫାନ୍ ପଠାନ୍‌ଙ୍କ ଭଳି ପୂର୍ବତନ କ୍ରିକେଟର୍ ତାଙ୍କ ପ୍ରଶଂସା କରିବାକୁ ପଛାଇ ନ ଥିଲେ।

ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ଭାରତ ବିପକ୍ଷରେ ତା’ର ସର୍ବାଧିକ ସ୍କୋର୍ (୧୭୨ ରନ୍‌) କରିଥିଲା। ବୋଲିଂରେ ଶିବମ୍ ପ୍ରଭାବିତ କରିପାରି ନ ଥିଲେ ବି ଗୋଟିଏ ୱିକେଟ୍ ପାଇଥିଲେ।

ତେବେ ବ୍ୟାଟିଂରେ ସେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଲଗାଇଥିଲେ, ଯାହା ଥିଲା ପୂର୍ବଠାରୁ ଅଧିକ ବିସ୍ଫୋରକ। ଓପନର୍ ଯଶସ୍ୱୀ ଜୟସ୍ୱାଲ ଓ ଶିବମ୍ ତୃତୀୟ ୱିକେଟ୍ ପାଇଁ ୪୨ ବଲ୍‌ରୁ ୯୨ ରନ୍‌ର ଭାଗୀଦାରୀ କରି ବିଜୟକୁ ସହଜସାଧ୍ୟ କରିଦେଇଥିଲେ।

ଯଶସ୍ୱୀ ୩୪ ବଲ୍‌ରୁ ୬୮ ରନ୍‌ର ଇନିଂସ୍ ଖେଳିଥିଲେ । ଶିବମ୍ ୩୨ ବଲ୍‌ରୁ ୬୩ ରନ୍ କରି ଅପରାଜିତ ଥିଲେ। ତାଙ୍କ ଇନିଂସ୍‌ରେ ପାଞ୍ଚ ଚୌକା ଓ ଚାରି ଛକା ଥିଲା। ସେ ୧୯୬.୮୮ ଷ୍ଟ୍ରାଇକ୍ ରେଟ୍‌ରେ ଖେଳିଥିଲେ।

ଶିବମ୍ ଏ ଯାବତ ୨୦ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ର ୧୩ ଇନିଂସ୍ ଖେଳି ୧୪୯.୪ ଷ୍ଟ୍ରାଇକ୍ ରେଟ୍‌ରେ ୨୭୫ ରନ୍ କରିଥିବା ବେଳେ ୮ ୱିକେଟ୍ ନେଇଛନ୍ତି।

ଟି-୨୦ ବିଶ୍ୱକପ୍ ପାଇଁ ଆଇପିଏଲ୍ ହୋଇପାରେ ଚୟନର ମାନଦଣ୍ଡ:

ଏବେ ଶିବମ୍ ନିଜ ପ୍ରଦର୍ଶନ ଯୋଗୁଁ ଚୟନକାରୀମାନଙ୍କ ନଜରକୁ ଆସିଛନ୍ତି। ସେ ସମ୍ପ୍ରତି ନିଜ କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟ୍ ଖେଳୁଛନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଟିମ୍‌କୁ ଫେରିବା ପରେ ଟି-୨୦ ଟିମ୍‌ରେ ସ୍ଥାନ ପାଇବା ଶିବମ୍‌ଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରେ। ଫିନିଶର୍ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ବି ହୋଇଛି।

୨୦୨୨ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ଆସିବା ପରେ ଶିବମ୍ ନିଜ ଖେଳକୁ ଉଚ୍ଚ ସୋପାନକୁ ନେଇଛନ୍ତି। ଆଇପିଏଲ୍ ୨୦୨୩ରେ ସେ ଗୋଟିଏ ସିଜନ୍‌ରେ ଚେନ୍ନାଇ ପକ୍ଷରୁ ଛକା ମାରିବାରେ ମିଳିତ ଶୀର୍ଷ ସ୍ଥାନରେ ରହିଥିଲେ। ସେ ୩୫ ଛକା ମାରିଥିଲେ।

୨୦୨୨ ପରଠାରୁ ଶିବମ୍‌ଙ୍କ ଆଇପିଏଲ୍ ଛକା ସଂଖ୍ୟା ୫୧ରେ ପହଞ୍ଚିଛି। କୌଣସି ଭାରତୀୟ ବ୍ୟାଟର୍ ଏହାଠାରୁ ଅଧିକ ଛକା ମାରି ନାହାନ୍ତି। ଏହି ସମୟରେ ସେ ଲିଗ୍‌ରେ ୧୫୭.୪୬ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରିଥିଲେ। ଏହା ଭାରତୀୟଙ୍କ ମଧ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ଷ୍ଟ୍ରାଇକ୍ ରେଟ୍ ଥିଲା।

ବଡ଼ ସଟ୍ ମାରିବା ଓ ସ୍ପିନ୍ ବିପକ୍ଷରେ ଦୃଢ଼ ଭାବେ ଖେଳିବାର ସାମର୍ଥ୍ୟ ସହ ମିଡିଲ୍ ଓଭର୍‌ରେ ଇନିଂସ୍‌ର ମୋଡ଼ ବଦଳାଇ ଦେବାର ବୈଶିଷ୍ଟ୍ୟ ଯୋଗୁଁ ଶିବମ୍‌ଙ୍କ ଗୁରୁତ୍ୱ ବଢ଼ିଯାଇଛି। ତେବେ ବାଉନ୍ସ ବଲ୍ ଓ ୱାଇଡ୍‌-ଲାଇନ୍ ୟର୍କର ଖେଳିବା ବେଳେ ସେ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଛି। ଏ ଦିଗ ପ୍ରତି ତାଙ୍କୁ ଗୁରୁତ୍ୱ ଦେବାକୁ ହେବ।

ଏତଦ୍‌ଭିନ୍ନ, ବୋଲିଂ ଦିଗକୁ ଶାଣିତ କରିବା ପାଇଁ ସେ ଅଧିକ ଓଭର୍ ପକାଇବା ଆବଶ୍ୟକ। ଆଇପିଏଲ୍ ୨୦୨୩ରେ ସେ ଗୋଟିଏ ବି ଓଭର୍ ବୋଲିଂ କରି ନ ଥିଲେ। ଏହା ପୂର୍ବ ସିଜନ୍‌ରେ ସେ ମାତ୍ର ଦୁଇ ଓଭର୍ ପକାଇଥିଲେ।

ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ଷୁଦ୍ରତମ ଫର୍ମାଟ୍‌ରେ ଭାରତ ପାଇଁ ଆଉ ଆନ୍ତର୍ଜାତିକ ସିରିଜ୍ ନାହିଁ। ଆଇପିଏଲ୍ ୨୦୨୪ ଭାରତୀୟ ଖେଳାଳିଙ୍କ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଶେଷ ସୁଯୋଗ ହେବ। ଟିମ୍ ଚୟନ ପାଇଁ ଏହି ଲିଗ୍ ଚୟନର ମାନଦଣ୍ଡ ହୋଇପାରେ।

ଟି-୨୦ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବା ପାଇଁ ଶିବମ୍ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବା ଜରୁରୀ। ତାଙ୍କୁ ଆଇପିଏଲ୍‌ରେ ଚମକପ୍ରଦ ପ୍ରଦର୍ଶନ ବଜାୟ ରଖିବାକୁ ହେବ।

ଶିବମ୍‌ଙ୍କ ବ୍ୟାଟିଂରେ କେହି କେହି ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହଙ୍କ ଝଲକ ଦେଖୁଛନ୍ତି। ଏହା ଭଲ କଥା। ତେବେ ଆଗକୁ ତାଙ୍କ ପାଇଁ ଅନେକ ଆହ୍ୱାନ ରହିଛି। ମଧ୍ୟକ୍ରମର ଜଣେ ଦୃଢ଼ ବ୍ୟାଟର୍ ହେବା ସହ ନିଜକୁ ଜଣେ ନିର୍ଭରଯୋଗ୍ୟ ବୋଲର୍ ଭାବେ ବିକଶିତ କରିପାରିଲେ, ଟିମ୍‌ରେ ତାଙ୍କ ସ୍ଥାନ ସୁରକ୍ଷିତ ରହିପାରିବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India Indian Cricket Indian Cricket Team T20 World Cup
Advertisment
Advertisment