Advertisment

Sports: ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଚେତେଶ୍ୱର ପୂଜାରା

ଚଳିତ ରଣଜୀ ସିଜନ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍‌? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?

author-image
Biswajit Mohanty
ଅଦ୍ୟତନ ହୋଇଛି
Will Cheteshwar Pujara return to the Indian Test team?

Will Cheteshwar Pujara return to the Indian Test team?

ଭାରତର ସିନିଅର୍ ବ୍ୟାଟର୍ ଚେତେଶ୍ୱର ପୂଜାରା ଚଳିତ ରଣଜୀ ସିଜନ୍‌ରେ ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି। ଖାଲି ସେତିକି ନୁହେଁ, ସେ ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ଚତୁର୍ଥ ଭାରତୀୟ ଭାବେ ୨୦,୦୦୦ ରନ୍ ପୂରଣ କରିଛନ୍ତି। ଏହା ଫଳରେ ଭାରତୀୟ ଟିମ୍‌କୁ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

Advertisment

ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍ ପାଇଁ ତାଙ୍କୁ ଟିମ୍‌ରେ ଚୟନ କରାଯାଇ ନାହିଁ। ଏପରିକି ବିରାଟ କୋହଲି ଏହି ଦୁଇ ମ୍ୟାଚ୍‌ରୁ ବ୍ୟକ୍ତିଗତ କାରଣରୁ ଓହରିଯିବା ସତ୍ତ୍ୱେ ତାଙ୍କ ବଦଳ ଖେଳାଳି ଭାବରେ ମଧ୍ୟ ପୂଜାରାଙ୍କୁ ନିଆଯାଇ ନାହିଁ।

ମଧ୍ୟପ୍ରଦେଶର ରଜତ ପାଟିଦାରଙ୍କୁ ଅଗ୍ରାଧିକାର ଦିଆଯାଇ ଟିମ୍‌ରେ ସାମିଲ କରାଯାଇଛି, ଯିଏ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ ଅପେକ୍ଷାରେ ଅଛନ୍ତି। ତେବେ ପୂଜାରାଙ୍କ ପାଇଁ ସୁଯୋଗ ଶେଷ ହୋଇ ନାହିଁ। ସିରିଜ୍‌ର ଅବଶିଷ୍ଟ ତିନି ମ୍ୟାଚ୍ ପାଇଁ ତାଙ୍କ ଚୟନ ହୋଇପାରେ।

Advertisment

ଚଳିତ ରଣଜୀ ସିଜନ୍‌ରେ ପ୍ରଦର୍ଶନ:

ପୁଣି ଥରେ ଟେଷ୍ଟ ଟିମ୍‌ରେ ଖେଳିବା ଲକ୍ଷ୍ୟରେ ପୂଜାରା ରଣଜୀ ଟ୍ରଫିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ସୌରାଷ୍ଟ୍ର ଟିମ୍ ପକ୍ଷରୁ ଖେଳିଆସୁଛନ୍ତି। ଝାଡ଼ଖଣ୍ଡ ବିପକ୍ଷରେ ଅପରାଜିତ ଦ୍ୱିଶତକ ସହ ସେ ଦମ୍‌ଦାର ଢଙ୍ଗରେ ରଣଜୀ ସିଜନ୍ ଆରମ୍ଭ କରିଥିଲେ। ଏହା ତାଙ୍କର ଫର୍ମକୁ ଫେରିବାର ସଙ୍କେତ ଥିଲା।

ଏହି ଦ୍ୱିଶତକ ପରଠାରୁ ସେ ୪୯, ୪୩, ୪୩ ଓ ୬୬ ରନ୍‌ର ଇନିଂସ୍ ଖେଳିଛନ୍ତି। ସେ ତିନି ମ୍ୟାଚ୍‌ରେ ୧୧୧ ଆଭରେଜ୍‌ରେ ୪୦୦ରୁ ଅଧିକ ରନ୍ କରିଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ତାଙ୍କୁ ନିରନ୍ତରତା ବଜାୟ ରଖିବାକୁ ହେବ, ଯାହା ଫଳରେ ତାଙ୍କ ଦାବିଦାର ଆହୁରି ମଜଭୁତ ହୋଇପାରିବ।

ପୂଜାରା ଏ ଯାବତ ୨୬୦ ପ୍ରଥମ-ଶ୍ରେଣୀ ମ୍ୟାଚ୍ ଖେଳି ୫୧.୯୮ ଆଭରେଜ୍‌ରେ ୨୦,୦୧୩ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୬୧ ଶତକ ରହିଛି। ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ୩୫୨ ରନ୍।

ଡବ୍‌ଲ୍ୟୁଟିସି ଫାଇନାଲ୍ ପରଠୁ ଖେଳି ନାହାନ୍ତି ଟେଷ୍ଟ କ୍ରିକେଟ୍:

ଇଂଲଣ୍ଡ ସିରିଜ୍ ଶେଷ ହେବା ପରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୪ ଆୟୋଜିତ ହେବ। ଏହାପରେ ଭାରତୀୟ ଟିମ୍ ଜୁନ୍‌ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ।

ଟିମ୍ ଇଣ୍ଡିଆ ତା’ର ପରବର୍ତ୍ତୀ ଟେଷ୍ଟ ସିରିଜ୍ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଖେଳିବ। ତେଣୁ ଯଦି ଇଂଲଣ୍ଡ ବିପକ୍ଷରେ ପୂଜାରାଙ୍କୁ ସୁଯୋଗ ନ ମିଳେ, ତା’ହେଲେ ଭାରତୀୟ ଟିମ୍‌କୁ ତାଙ୍କ ପ୍ରତ୍ୟାବର୍ତ୍ତନର ପ୍ରତୀକ୍ଷା ଆହୁରି ବଢ଼ିଯିବ।

ସୀମିତ ଓଭର୍ ଟିମ୍‌ରେ ତାଙ୍କୁ ସୁଯୋଗ ମିଳୁ ନାହିଁ। ଆଗକୁ ମଧ୍ୟ ସମ୍ଭାବନା ନାହିଁ। ଫଳରେ ଟେଷ୍ଟ ଟିମ୍ ହିଁ ତାଙ୍କ ପାଇଁ ଏକମାତ୍ର ଭରସା। ଟେଷ୍ଟ ଟିମ୍‌କୁ ଫେରିବା ପାଇଁ ତାଙ୍କୁ ରଣଜୀ ଟ୍ରଫି ଭଳି ପ୍ରଥମ-ଶ୍ରେଣୀ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ ବଜାୟ ରଖିବାକୁ ହେବ।

ଗୋଟିଏ ସମୟରେ ପୂଜାରାଙ୍କୁ ଖ୍ୟାତନାମା କ୍ରିକେଟର୍ ରାହୁଲ ଦ୍ରାବିଡ଼ (ଏବେ ଟିମ୍ ଇଣ୍ଡିଆର କୋଚ୍‌)ଙ୍କ ସହ ତୁଳନା କରାଯାଉଥିଲା। ଭାରତୀୟ ଟେଷ୍ଟ ଟିମ୍‌ର ‘ନୂଆ ପ୍ରାଚୀର’ ଆଖ୍ୟା ଦିଆଯାଉଥିଲା। କ୍ରିକେଟ୍‌ର ସବୁଠାରୁ ଲମ୍ବା ଫର୍ମାଟ୍‌ରେ ସେ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରି ୧୦୩ ମ୍ୟାଚ୍‌ରେ ୪୩.୬୦ ଆଭରେଜ୍‌ରେ ୭,୧୯୫ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୯ ଶତକ ଓ ୩୫ ଅର୍ଦ୍ଧଶତକ ରହିଛି।

ତେବେ ସବୁବେଳେ ଫର୍ମ ଓ ଫିଟ୍‌ନେସ୍ ବଜାୟ ରଖିବା ସହଜ ହୋଇ ନ ଥାଏ। ଏହି ଦୁଇ ମାନଦଣ୍ଡରୁ ଗୋଟିଏର ବି ଅଭାବ ଥିଲେ, ଟିମ୍‌ର ଅଭିନ୍ନ ଅଙ୍ଗ ବି ଅଲୋଡ଼ା ହୋଇଯାଇଥାଏ।

ଏହି ପୂର୍ବତନ କାମଚଳା ଉପ-ଅଧିନାୟକ ପ୍ରଥମେ ୨୦୨୨ ଆଦ୍ୟଭାଗରେ ଟେଷ୍ଟ ଟିମ୍‌ରୁ ବାଦ୍ ପଡ଼ିଥିଲେ। ପରେ ସେହି ବର୍ଷ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ଡକରା ହୋଇଥିଲା ଏବଂ ବର୍ଷେ ଧରି ସେ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିପାରିଥିଲେ।

କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ ଦୁର୍ବଳ ପ୍ରଦର୍ଶନ କରିବା ଯୋଗୁଁ ସେ ଟିମ୍‌ରୁ ବାଦ୍ ପଡ଼ିଥିଲେ। ସେବେଠାରୁ ସେ ଆଉ ଟିମ୍‌କୁ ଫେରି ନାହାନ୍ତି।

ଡବ୍‌ଲ୍ୟୁଟିସିର ନୂଆ ଚକ୍ରରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଦୁଇ ଲେଖାଏଁ ମ୍ୟାଚ୍ ଖେଳିଥିଲା। ଏବେ ଟିମ୍ ଘରେ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳୁଛି। ଡବ୍‌ଲ୍ୟୁଟିସି ଦୃଷ୍ଟିରୁ ଏହି ସିରିଜ୍ ଭାରତ ପାଇଁ ଯଥେଷ୍ଟ ଗୁରୁତ୍ୱ ରଖେ। ପୂଜାରାଙ୍କ ପାଇଁ ମଧ୍ୟ ଏହି ସିରିଜ୍ ଖେଳିବା ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅଭିଜ୍ଞତା ଟିମ୍‌ର କାମରେ ଆସିବ।

ଯୁବ ଖେଳାଳି ଶୁବମନ ଗିଲ୍ ଟେଷ୍ଟ ଟିମ୍‌ରେ ତିନି ନମ୍ବର ସ୍ଥାନରେ ଖେଳୁଛନ୍ତି, ଯେଉଁ ସ୍ଥାନରେ ପୂଜାରା ଖେଳନ୍ତି। କିନ୍ତୁ ଗିଲ୍ ହ୍ୱାଇଟ୍‌-ବଲ୍ କ୍ରିକେଟ୍‌ରେ ଯେମିତି ଖେଳୁଛନ୍ତି, ରେଡ୍‌-ବଲ୍ କ୍ରିକେଟ୍‌ରେ ସେମିତି ଖେଳିପାରୁ ନାହାନ୍ତି। ଏହା ଚିନ୍ତାର ବିଷୟ ମଧ୍ୟ। ଗିଲ୍ ଯଦି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌ରେ ବ୍ୟାଟିଂରେ ବିଫଳ ହୁଅନ୍ତି, ତା’ହେଲେ ଚୟନକାରୀମାନେ ଫର୍ମରେ ଥିବା ଅଭିଜ୍ଞ ପୂଜାରାଙ୍କ କଥା ବିଚାରକୁ ନେଇପାରନ୍ତି।

ତେବେ ୩୬ବର୍ଷୀୟ ପୂଜାରା ଏ କଥା ମନେ ରଖିବା ଆବଶ୍ୟକ ଯେ ସୁଯୋଗ ମିଳିବା ସ୍ଥଳେ ତାହାର ଫାଇଦା ଉଠାଇବାକୁ ହେବ । ଅନ୍ୟଥା ଅନେକ ଯୁବ ବ୍ୟାଟର୍ କ୍ୟୁରେ ଅଛନ୍ତି, ଯେଉଁମାନେ ତାଙ୍କ ସ୍ଥାନ ପୂରଣ କରିପାରିବେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket Indian Cricket Team Cheteshwar Pujara India-England Series
Advertisment
Advertisment