ଓଡିଶାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୩ ତାରିଖ ସୋମବାର ଠାରୁ ଦେଶର ଚତୁର୍ଥ ତଥା ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମତଦାନକୁ ନେଇ ଦୁଇଟି ଗୁତୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ହେଉଛି ସହରୀ ଶିକ୍ଷିତ ସମାଜରେ ମତଦାନ ହାର କମିବା ଏବଂ ଦ୍ୱିତୀୟଟି ହେଉଛି ଗ୍ରାମାଂଚଳରେ ଲୋକଙ୍କ ଭୋଟ ବର୍ଜନ।
ଏଥିପାଇଁ ଦାୟୀ କିଏ? ବିକାଶର ବାର୍ତ୍ତାକୁ ବ୍ୟାପକ ପ୍ରଚାର କରୁଥିବା ଦୀର୍ଘ ବର୍ଷର ଏକ ସ୍ଥାୟୀ ସରକାର ଏଥିପାଇଁ ଉତ୍ତରଦାୟୀ ନୁହଁନ୍ତି କି? ଲୋକଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାରେ ବିରୋଧୀଦଳ ଦୁର୍ବଳ କି?
ଅନେକ ସଚେତନତା ଓ ପ୍ରଚାର ସତ୍ତ୍ୱେ ସହରୀ ମତଦାନ ଗ୍ରାମାଂଚଳଠାରୁ କମୁଛି। ରାଜନୀତି ଓ ନିର୍ବାଚନ ସମ୍ପର୍କରେ ଆଲୋଚନା, ସମାଲୋଚନା କରୁଥିବା ଅନେକ ଶିକ୍ଷିତ ଭୋଟର ଭୋଟ ଦେଲା ବେଳକୁ କିନ୍ତୁ କାହିଁକି ଯେ ଅମଙ୍ଗ ହେଉଛନ୍ତି ବୁଝିବା ବାହାରେ! ଓଡ଼ିଶାରେ ପ୍ରଥମ ଚରଣରେ ବ୍ରହ୍ମପୁର, ନବରଂଗପୁର, କୋରାପୁଟ ଓ କଳାହାଣ୍ଡି; ଏହି ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହୋଇଛି।
Also Read
ତେବେ ଅନ୍ୟ ୩ଟି ଲୋକସଭା କ୍ଷେତ୍ର ତୁଳନାରେ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ମତଦାନ ହାର କମ ରହିଥିବା ଦେଖାଯାଇଛି। ୨୦୧୯ ନିର୍ବାଚନରେ ରାଜ୍ୟରେ ସର୍ବାଧିକ ୮୧.୧ ପ୍ରତିଶତ ମତଦାନ କରିଥିବା ଡାବୁଗାଁ ଚଳିତ ୨୦୨୪ ନିର୍ବାଚନରେ ୮୫.୨୦ ପ୍ରତିଶତ ଭୋଟିଂ ହୋଇଛି। ସେହିଭଳି ଗଲା ନିର୍ବାଚନରେ ନବରଙ୍ଗପୁର ୭୯.୪, ଝରିଗାଁ ୭୯.୬, କୋଟପାଡ ୮୦.୫ ପ୍ରତିଶତ ମତଦାନ ହୋଇଥିବାବେଳେ ଚଳିତ ନିର୍ବାଚନରେ ଯଥାକ୍ରମେ ୮୫.୬୧, ୮୪.୨୨, ୮୩.୯୨ ପ୍ରତିଶତ ମତଦାନ ହୋଇଛି। ଅର୍ଥାତ୍ ୨୦୧୯ ନିର୍ବାଚନଠାରୁ ଚଳିତ ୨୦୨୪ରେ ଅଧିକ ଭୋଟିଂ ହୋଇଛି।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ କମ ମତଦାନ ହୋଇଥିବା ନିର୍ବାଚନମଣ୍ଡଳୀ ମଧ୍ୟରେ ରହିଛି ବ୍ରହ୍ମପୁର-୫୪.୧୪ (୨୦୧୯ରେ ୫୫.୮), ଛତ୍ରପୁର୬୩.୨୦ (୨୦୧୯ରେ ୬୫.୦), ଦିଗପହଣ୍ଡି ୬୨.୭୩(୨୦୧୯ରେ ୬୩.୫) ଏବଂ ଗୋପାଳପୁରରେ ୬୦.୪୧ (୨୦୧୯ରେ ୬୨.୩) ପ୍ରତିଶତ ମତଦାନ ହୋଇଛି। କେବଳ ବ୍ରହ୍ମପୁର ଆସନକୁ ଛାଡିଦେଲେ ଅନ୍ୟସବୁ ଆସନରେ ପୂର୍ବ ନିର୍ବାଚନରୁ ମତଦାନ ପ୍ରତିଶତ କମିଥିବା ଜଣାପଡିଛି।
ତେବେ ତା’ଠାରୁ ଅଧିକ ଗମ୍ଭୀର ଓ ଚିନ୍ତାଜନକ ବିଷୟ ହେଉଛି ଗ୍ରାମାଞ୍ଚଳରେ ଲୋକେ ଭୋଟ ବର୍ଜନ କରିବା! ୨୦୨୪ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ଓଡ଼ିଶାର ବିଭିନ୍ନ ଗ୍ରାମର ହଜାର ହଜାର ଭୋଟର ଏଥର ମତଦାନ କରିବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି।
ଏହା ପଛର କାରଣ ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ! କାରଣ କୌଣସି ଅପୂରଣୀୟ ବଡ ଧରଣର ଦାବି ନୁହେଁ, ସାମାନ୍ୟ ଟୋପାଏ ପିଇବା ପାଣି, ଗାଁକୁ ସଡକ ଓ ସ୍କୁଲ ନିର୍ମାଣ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଏ ଦେଶର ନାଗରିକ ଭୋଟ ବର୍ଜନ କରିବା ଘଟଣା ରାଜ୍ୟ ସରକାର ଓ ପ୍ରଶାସନ ପାଇଁ ପ୍ରଶ୍ନବାଚୀ ନୁହେଁ କି?
କେବଳ ମତଦାନ ସମୟରେ ନୁହେଁ, ବରଂ ଏହାର ବହୁ ପୂର୍ବରୁ ରାଜ୍ୟର ତମାମ ଗ୍ରାମାଂଚଳଗୁଡିକରେ ପିଇବା ପାଣି ପାଇଁ ଲୋକେ କିଭଳି ସଂଘର୍ଷ କରୁଥିଲେ ତା’ର ଚିତ୍ର ବିଭିନ୍ନ ଗଣମାଧ୍ୟମ ଜରିଆରେ ବିସ୍ତାର ହୋଇଥିଲା। ସେହି ସମୟରେ ମଧ୍ୟ ଲୋକେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ।
ହେଲେ ସରକାର ଏହାକୁ ଗୁରୁତ୍ୱର ସହିତ ଧ୍ୟାନ ଦେଇ ନ ଥିଲେ କି ବିରୋଧୀ ଦଳ ଏହି ପ୍ରସଙ୍ଗକୁ ସେଭଳି ଢଙ୍ଗରେ ଉତ୍ଥାପିତ କରିବାରେ ବିଫଳ ହୋଇଥିଲେ। ଏହାକୁ ପ୍ରଶାସନୀକ ଏବଂ ରାଜନୈତିକ ବିଫଳତା ବୋଲି ମଧ୍ୟ କୁହାଯାଇପାରେ।
ତେବେ ଭୋଟ ବର୍ଜନ କରିବାରେ ସବୁଠାରୁ ବଡ ଅଂଶ ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ମୌଳିକ ସୁବିଧାରୁ ବଞ୍ଚିତ ତଥା ଜଙ୍ଗଲ ଅଧିକାର ଆଇନର ଉଲଂଘନ ହେଉଥିବା ସହିତ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବିରେ ଏହି ଜିଲ୍ଲାର ରାଇଘର, ତେନ୍ତୁଳିଖୁଂଟା ଏବଂ ଝରିଗାଁ ବ୍ଲକ୍ ଅଧିନ ୧୦ଟି ଗ୍ରାମ ଭୋଟ ବର୍ଜନ କରିଥିବା ଜଣାପଡିଛି। ଯେତେ ବୁଝାସୁଝା କରିଥିଲେ ବି ସେମାନଙ୍କୁ ମନାଇବାରେ ପ୍ରଶାସନ ବିଫଳ ହୋଇଥିଲା। ମତଦାନ ସମୟ ସରିଗଲା, ହେଲେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଭୋଟ ଦେଲେ ନାହିଁ।
କେବଳ ନବରଙ୍ଗପୁର କାହିଁକି, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ନଂ ବୁଥ୍ରୁ ମଧ୍ୟ ସମାନ ଖବର ସାମ୍ନାକୁ ଆସିଛି। ନାରାୟଣପାଟଣା ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା କୁକ୍ରାଝୋଲା ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ରୋଗୀଙ୍କୁ ଅନେକ ସମୟରେ ଖଟିଆରେ ବୋହି ନେବାକୁ ପଡେ। ପିଇବା ପାଣିର ସୁବିଧା ମଧ୍ୟ ନାହିଁ।
ସୋମବାର ମତଦାନ ଗ୍ରହଣ ହେବା ପୂର୍ବରୁ ହଜାର ହଜାର ଗ୍ରାମବାସୀ ଲମ୍ବା ଧାଡି ଲଗାଇ ବୁଥ୍କୁ ଆସିଥିଲେ। ହେଲେ କେହି ଭୋଟ୍ ଦେବାକୁ ବୁଥ୍ ଭିତରକୁ ନ ଯାଇ ଧାରଣାରେ ବସିଥିଲେ। ଯେପର୍ଯ୍ୟନ୍ତ ମୌଳିକ ସମସ୍ୟାର ସମାଧାନ ହୋଇନି ଭୋଟ ଦେବେ ନାହିଁ ବୋଲି କହିଥିଲେ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ଯେତେ ବୁଝାସୁଝା କଲେ, ହେଲେ ସେମାନେ କିନ୍ତୁ ଭୋଟ୍ ଦେଇ ନ ଥିବା ଜଣାପଡିଛି।
କେବଳ ଚଳିତ ନିର୍ବାଚନରେ ନୁହେଁ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଗ୍ରାମର ଲୋକେ ଭୋଟ ବର୍ଜନ କରିଥିଲେ। ମୌଳିକ ସମସ୍ୟାରେ ଅତିଷ୍ଠ ଗ୍ରାମବାସୀ ଏବେ ଚଳିତ ସାଧାରଣ ନିର୍ବାଚନରେ ଭୋଟ୍ ଭିକ୍ଷା କରିବାକୁ ଗଲାବେଳେ ନେତାଙ୍କୁ ଘେରି ୫ ବର୍ଷ ବିକାଶର ହିସାବ ମାଗୁଛନ୍ତି। ଯାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ବର୍ଜନର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ପରବର୍ତ୍ତୀ ପର୍ଯ୍ୟାୟଗୁଡିକରେ ଯେଭଳି ପୁନରାବୃତ୍ତି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମୌଳିକ ସମସ୍ୟା ଓ ଦାବିଗୁଡିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂରକରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଏବେଠାରୁ ଗୁରୁତ୍ୱର ସହିତ ପଦକ୍ଷେପ ନେଲେ ନାଗରିକମାନେ ସେମାନଙ୍କ ଭୋଟ୍ ଦାନ ଅଧିକାର ସାବ୍ୟସ୍ତ କରିବାରେ ବାଧା ହୋଇ ନ ପାରେ ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)