• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

୨୦୨୪ ନିର୍ବାଚନ ସମୟରେ ଦଳୀୟ ରାଜନୀତି ଏତେ ଗୋଳିଆ ହୋଇଯାଇଛି ଯେ ନେତା, ଜନତା ଓ ସମୀକ୍ଷକ; ସବୁ ଦ୍ୱନ୍ଦ୍ୱରେ! ଦଳୀୟ ପ୍ରାର୍ଥୀଚୟନରେ ଜଟିଳ ଓ ଦ୍ୱନ୍ଦ୍ୱାତ୍ମକ ପରିବେଶକୁ ନେଇ ଲୋକଙ୍କ ମଧ୍ୟରେ ଏକ ନିରୁତ୍ସାହ ତଥା ନୀରବତାର ବାତାବରଣ ଦେଖିବାକୁ ମିଳୁଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ଭୋଟର ହେଉଛନ୍ତି ସର୍ବେସର୍ବା।

ତେବେ ରାଜନୀତିରେ ସେମାନଙ୍କ ସ୍ୱାର୍ଥ, ଇଚ୍ଛା ଓ ଉତ୍ସାହ ଯେମିତି ଅଦୃଶ୍ୟ ହେଇଯାଇଛି! ଅଧିକାଂଶ କ୍ଷେତ୍ରରେ ଦଳୀୟକର୍ମୀ ଭାବରେ ନୁହେଁ ବରଂ ନେତାଙ୍କ ସମର୍ଥକ ଭାବେ ପ୍ରତିକ୍ରିୟା ଓ ପ୍ରତିବାଦ ଦେଖିବାକୁ ମିଳୁଛି। ଏମିତି ତ ଟିକେଟ୍‌ ନ ପାଇ ନେତା ତଥା ଆଶାୟୀଙ୍କ ଦଳବଦଳକୁ ନେଇ ଚଳିତ ନିର୍ବାଚନରେ ମହାଝଡ, ଅସନ୍ତୋଷ ଓ ତୀବ୍ର ପ୍ରତିବାଦ ସୃଷ୍ଟିହୋଇଛି ଯାହାକୁ ସମ୍ଭାଳିବା ଦଳ ପାଇଁ କାଠିକର ପାଠ ହୋଇଛି।

ଯୋଗ୍ୟ ପ୍ରାର୍ଥୀ ଟିକେଟ୍‌ ନ ପାଇବା, ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିବା ଓ ଦଳଡିଆଁ ନେତା ନିରାଶ ଘଟଣା ଚଳିତ ନିର୍ବାଚନରେ ବେଶ ଚର୍ଚ୍ଚାରେ ରହିଛି। ଆଉ ଏସବୁ କ୍ଷେତ୍ରରେ ଚର୍ଚ୍ଚାରେ ଅଛନ୍ତି ଦେବାଶିଷ ନାୟକ, ସମୀର ରଂଜନ ଦାଶ, କାଳୁ ଖଣ୍ଡାୟତରାୟ, ଅନୁଭବ ମହାନ୍ତି, ବିପିନ ପ୍ରଧାନ, ଅରୁନ୍ଧତୀ କୁମାରୀ ଦେବୀ ଭଳି କିଛି ଆଗ ଧାଡିର ନେତା।

ଚଳିତ ନିର୍ବାଚନୀ ଟିକେଟ୍‌ ପାଇଁ ବାରମ୍ବାର ଦଳବଦଳ କରିବା ନେତାଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦେବାଶିଷ ନାୟକଙ୍କ ନାଁ। ବରୀରୁ ଚାରି ଥର ବିଧାୟକ ହୋଇଥିବା ଶ୍ରୀ ନାୟକ ଦୁଇ ମାସ ତଳେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଜେପି ତାଙ୍କ ବଦଳରେ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଥିଲା।

ଏହା ପରେ ସେ ବିଜେପି ଛାଡି ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଶେଷରେ ପୁଣି କଂଗ୍ରେସରେ ଯୋଗଦେଇ ୨୪ ଘଣ୍ଟା ମଧ୍ୟରେ ଟିକେଟ୍‌ ପାଇଲେ ଦେବାଶିଷ ନାୟକ। ପୂର୍ବରୁ କଂଗ୍ରେସ ବରୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ଆରତୀ ଦେଓଙ୍କୁ ହଟାଇ ସେହି ସ୍ଥାନରେ ଶ୍ରୀ ନାୟକଙ୍କୁ ପ୍ରାର୍ଥୀ କରିଛି।

ବିଜେପିରେ ଯୋଗଦେବା ବେଳେ ବିଜେଡି ବିରୋଧରେ ଯେଭଳି ପ୍ରତିକ୍ରିୟା ଦେଇଥିଲେ କଂଗ୍ରେସରେ ଯୋଗ ଦେବା ପରେ ସେଭଳି ମନ୍ତବ୍ୟ ଦେଇଛନ୍ତି ସେ। ଶ୍ରୀ ନାୟକ କହିଛନ୍ତି ଯେ “ବିଜେଡିରେ କୋଣଠେସା ହେବା ପରେ ବିଜେପି ନେତାଙ୍କ ଆମନ୍ତ୍ରଣରେ ଯେଉଁ ଆଶା ନେଇ ଯାଇଥିଲି ତାହା ସଫଳ ହେଲା ନାହିଁ, ଜିତିବା ଲୋକଙ୍କୁ ଏମାନେ ଆଡେଇ ଦେଇ ହାରିବା ଲୋକଙ୍କୁ ଟିକେଟ୍‌ ଦିଅନ୍ତି। ଏହି ଜାଗା ମୋ ପାଇଁ ଠିକ ନୁହେଁ ବୋଲି ଅନୁଭବ କରି କଂଗ୍ରେସକୁ ବାଛିଲି।” ତେବେ ବରୀବାସୀଙ୍କ ସେବା କରିବା ପାଇଁ ଏହି ଦଳକୁ ଆସିଛି ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି।

ଚଳିତ ନିର୍ବାଚନରେ ସମଗ୍ର ରାଜ୍ୟ ରାଜନୀତିର ଦୃଷ୍ଟି ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ପ୍ରାୟ ସମସ୍ତଙ୍କ ପ୍ରଶ୍ନ ଥିଲା ଯେ ସେ କେଉଁ ଦଳକୁ ଯିବେ? ଏକ ବିବାଦୀୟ ପରିସ୍ଥିତିରେ ବିଜେଡିରୁ ନିଲମ୍ବିତ ହୋଇଥିବା ଖଣ୍ଡପଡା ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କ’ଣ ହେବ ତାକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା। ପାଖାପାଖି ଚାରି ମାସ ପରେ ସେ ଗଣମାଧ୍ୟମ ସମ୍ମୁଖରେ ନିଜ ରାଜନୈତିକ ଆଭିମୂଖ୍ୟ ସ୍ପଷ୍ଟ କରିଛନ୍ତି। ଘଷିପୁରା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢିବାକୁ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ଅନ୍ତିମ ପର୍ଯ୍ୟାୟ ସୁଦ୍ଧା ବିଜେପି ଓ ବିଜେଡି ଖଣ୍ଡପଡା ଆସନ ପାଇଁ ପ୍ରାର୍ଥୀ ଘୋଷଣା ନ କରିବା ନେଇ ଅନେକ ଆଲୋଚନା ରାଜନୈତିକ ମହଲରେ ସୃଷ୍ଟି ହୋଇଥିଲା। କିଏ କହିଲା ସୌମ୍ୟ ବିଜେଡିକୁ ପୁଣି ଫେରିପାରନ୍ତି, ଆଉ କିଏ କହିଲା ବିଜେପି ତାଙ୍କୁ ଖଣ୍ଡପଡା ପ୍ରାର୍ଥୀ କରିପାରେ। ତେବେ ଶେଷରେ ଶନିବାର ସେ ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ବିଜେପିର ଅନେକ ବନ୍ଧୁ ତାଙ୍କୁ ଭେଟି ଦଳକୁ ଆସିବାକୁ ନିବେଦନ କରିଥିଲେ। ନିଜର ପ୍ରଥମ ନିର୍ବାଚନ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପିରୁ ଲଢିଥିଲେ ଏବଂ ଶେଷ ନିର୍ବାଚନ ମଧ୍ୟ ବିଜେପିରୁ ବିଜୁବାବୁଙ୍କ ପୁଅଙ୍କ ଦଳ ବିରୋଧରେ ଲଢିବେ ବୋଲି ତାଙ୍କର ଆଶା ଥିଲା। ତେବେ ପିତୃଋଣ ପରିଶୋଧ କରିବା ପାଇଁ ଘଷିପୁରାରୁ ନିର୍ବାଚନ ଲଢିବାକୁ ଇଚ୍ଛାପ୍ରକାଶ କରିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେପଟେ ଚଳିତ ନିର୍ବାଚନୀ ବେଳରେ ଦଳ ବଦଳାଇ ମଧ୍ୟ ନିରାଶ ହୋଇଥିବା ଡଜନ ଡଜନ ନେତାଙ୍କ ମଧ୍ୟରେ ଅରୁନ୍ଧତୀ କୁମାରୀ ଦେବୀଙ୍କର ନାମ ଚର୍ଚ୍ଚାରେ ରହିଛି। ଗତ ମାସେ ତଳେ ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ ଦେବଗଡ ବିଧାନସଭା ପାଇଁ ଟିକେଟ୍‌ ଦେଇଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କ ଟିକେଟ୍‌ କାଟି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରୋମାଂଚ ରଂଜନ ବିଶ୍ୱାଳଙ୍କ ନାମ ଘୋଷଣା କରିଥିଲେ।

କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବଡଚଣା ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ର ବିଜେଡିରେ ଯୋଗଦେବା ପରେ ତାଙ୍କୁ ଟିକେଟ୍‌ ମିଳିବା ଏକପ୍ରକାର ସୁନିଶ୍ଚିତ ବୋଲି ଧରାଯାଇଥିଲା। ତେବେ ଅଚାନକ ଦଳ ବଡଚଣାରେ ସିନେତାରକା ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କଲା।

ସେହିଭଳି ସିନେ ତାରକା ତଥା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିଜେପିରେ ଯୋଗଦେଇଥିଲେ। ହେଲେ କୌଣସି ନିର୍ବାଚନ ମଣ୍ଡଳୀର ଟିକେଟ ତାଙ୍କ ଭାଗରେ ପଡିଲା ନାହିଁ। କଟକ ବାରବାଟୀ ଆସନରୁ ସେ ଲଢିବା ନେଇ ଚର୍ଚ୍ଚା ହୋଇଥିଲା। ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଲା।

ସେପଟେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଏକଦା ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ଅତି ଘନିଷ୍ଠ ଥିବା ବିପିନ ପ୍ରଧାନ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେଡିରେ ସେ ଉକ୍ତ ଆସନ ପାଇଁ ଦାବୀଦାର ଥିଲେ, କିନ୍ତୁ ଦଳ ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଟିକେଟ୍‌ ଦେଇଥିଲା। ସେହିପରି ବିଜେପି ବିପିନ୍‌ଙ୍କୁ ଟିକେଟ୍‌ ନ ଦେଇ ସିନେଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍‌ ଦେଲା। ଏଭଳି ଅନେକ ନେତା ଅଛନ୍ତି ଯେଉଁମାନେ ଚଳିତ ନିର୍ବାଚନ ପୂର୍ବରୁ ଦଳ ବଦଳାଇ ମଧ୍ୟ ଟିକେଟରୁ ବଂଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ଅନେକ ସ୍ଥାନରେ ପ୍ରାର୍ଥୀ ଚୟନକୁ ନେଇ ଆଶାୟୀ ତଥା କର୍ମୀଙ୍କ ଅସନ୍ତୋଷ ବ୍ୟାପକ ହେବା ସହିତ ଦଳ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଏ କ୍ଷେତ୍ରରେ ବିଜେଡି ପାଇଁ ନିମାପଡା ଏବଂ ବିଜେପି ପାଇଁ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ନିମାପଡାରେ ବିଧାୟକ ସମୀର ରଂଜନ ଦାସଙ୍କୁ ବିଜେଡି ଟିକେଟ୍‌ ନ ଦେଇ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାର ଦୃଢ ବିରୋଧ କରି ପ୍ରାର୍ଥୀ ବଦଳାଇବାକୁ ଦଳ ବିରୋଧରେ ହଜାର ହଜାର ସଂଖ୍ୟକ କର୍ମୀ ଓ ସମୀରଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ଏଭଳି କି ବିଜେଡିରୁ ସମୂହ ଇସ୍ତଫା ଦେବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା। ତେବେ ଦଳ ତାଙ୍କୁ ସନ୍ତୁଷ୍ଟ କରିବାକୁ ଢେଙ୍କାନାଳ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। 

ସେପଟେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ କାଳୁ ଖଣ୍ଡାୟତରାୟଙ୍କ ଅସନ୍ତୋଷର ଚାପ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ଏଠାରେ ବିଜେଡିରୁ ଆସିଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ପ୍ରତିବାଦକୁ ଓଲ୍ଲାଇଥିଲେ। ଶେଷରେ ଏଠାରୁ କାଳୁ ସ୍ୱାଧୀନ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଥିବା ସେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

ନିର୍ବାଚନୀ ବିଗୁଲ ବାଜିଲା ପରଠାରୁ ଦଳଗୁଡିକ ପ୍ରାର୍ଥୀ ଘୋଷଣା କରିବା ଏବଂ ନାମାଙ୍କନପତ୍ର ଦାଖଲ କରିବା ପରେ ବି ଦଳଡିଆଁ ଓ ଟିକେଟ୍‌ ରାଜନୀତିରେ ପୂର୍ଣ୍ଣଛେଦ ପଡିନାହିଁ। ଘୋଷଣା ହୋଇଥିବା ଅନେକ ପ୍ରାର୍ଥୀ ବି ବଦଳିଯାଉଛନ୍ତି। ଟିକେଟ୍‌ ଆଶାରେ ନେତା ବାରମ୍ବାର ଦଳ ବଦଳାଉଛନ୍ତି। ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ଘଟଣା ଏକ ରୋଚକ ମୋଡ ଦେଇ ଗତିକରୁଛି। ଦେଶର ରାଜନୈତିକ ଇତିହାସରେ ହୁଏତ ଏଭଳି ଘଟଣା କେବେ ଦେଖାଯାଇ ନଥିବ! ଏଭଳି ସ୍ଥିତି ବଡ ବଡ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଦେଇଛି।

ଏଠାରେ ପ୍ରଶ୍ନ ହେଉଛି ଲୋକଙ୍କ ନେତା କିଏ ହେବ, ସେକଥା ଲୋକେ ସ୍ଥିର କରିବେ ନା ଦଳ ? କାରଣ ଅନେକ ସ୍ଥାନରେ ଦଳ ଲୋକଙ୍କ ଉପରେ ପ୍ରାର୍ଥୀ ‘ଲଦିଦେଇଛି’। ବର୍ଷ ବର୍ଷ ଧରି ଯେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀରେ କାମ କରୁଥିଲେ, ଲୋକେ ସେମାନଙ୍କୁ ପ୍ରାର୍ଥୀ ଭାବରେ ମନସ୍ଥ କରିଥିବା ବେଳେ ଅଚାନକ ଅନ୍ୟ ଦଳରୁ ଆସି ରାତାରାତି ଟିକେଟ୍‌ ନେଇ ପ୍ରାର୍ଥୀ ହୋଇଯିବା ଅନେକଙ୍କୁ ଆଚମ୍ବିତ କରେ। ଏହି ସମସ୍ତ ବିଷୟକୁ ଦେଖିଲେ ଚଳିତ ନିର୍ବାଚନରେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଉଥିବା ଜଣାପଡୁଛି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)